ପୁନଶ୍ଚ

 

 

 

 

 

 

 

 

 

 

 

ପୁନଶ୍ଚ

ପଞ୍ଚାନନ କାନୁନ୍‌ଗୋ

 

ଉତ୍ସର୍ଗ

 

ଆଲୋକ ଦେବାର ପ୍ରୟାସ ରଖି କୁହେଳି ଭିତରେ ଯେଉଁମାନେ ଆମକୁ ଛାଡ଼ିଗଲେ–ସେମାନେ ଆମର ଅତୀତ ସେମାନେ ଅନ୍ଧକାର । କିନ୍ତୁ ଆଗାମୀ ପୃଥିବୀର ଆଲୋକ ସ୍ପର୍ଶ କରିବାକୁ ଆସିବେ ସେମାନେ ଆମର ବଂଶଧର । ସେମାନେ ଭବିଷ୍ୟତ–ଅନ୍ଧକାରର ସ୍ମୃତି, କୁହୁଳିର ଅନୁଭୂତି ନେଇ ସେମାନେ ଏ ମାଟିକୁ ନିରୀକ୍ଷଣ କରିବେ–ତା’ର ମାନଚିତ୍ର ଆଙ୍କିବେ ଇତିହାସର ମୋଡ଼ବଦଳାଇ ମୁକ୍ତ ଆଲୋକର ସଂଧାନ ଦେବେ ଏଇ ବିଶ୍ଵାସ ନେଇ “ପୁନଶ୍ଚ” ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।

Image

 

ପୂର୍ବ-କଥନ

 

ଗଳ୍ପ ସଂକଳନ ‘ପୁନଶ୍ଚ’ ପ୍ରକାଶ ପାଇଛି । କଥାକାରର ଗୁହାରି ମଣିମା, ପାଖରେ । ମଣିମା ଚାହିଁଲେ ଏ ଜାତିର ହୃତ ଗୌରବ ଫେରିଆସିବ । ବୋଇତ ଭରି ସାଧବ ପୁଏ ପୁଣି ବାଣିଜ୍ୟକୁ ଯିବେ । ବୋହି ଆଣିବେ ଧନ ଦୌଲତ, ଏ ଜାତି ଅଭିଶାପ ଗ୍ରସ୍ତ । ମଣିମା, ଚାହିଁଲେ ଅଭିଶପ୍ତ ଜାତି ମୁକ୍ତ ହେବ । ଶତଧରମା ସହସ୍ର କୋଣାର୍କର କିର୍ତ୍ତୀ ବହନକରି ଜାତିର ଚନ୍ଦ୍ରଭାଗା କୂଳେ ଛିଡ଼ାହେବେ ଆଉ ଭୁବନେଶ୍ୱର ରାଜପଥ ଧାରରେ ଦୋକାନ ମାରିବାର ପ୍ରବଞ୍ଚନା ନ ଥିବ କି ଅନ୍ୟପାଖରେ ମୁଣ୍ଡବିକି ଦାଦନ ଶ୍ରମିକ ସାଜିବ ନାହିଁ । ସବୁଜିମା ଭରି ଉଠିବ ପାହାଡ଼ ପଥର ମୁଲକରେ ।

 

ଏ ଜାତିର ସ୍ଵତନ୍ତ୍ର ସଂସ୍କୃତି ଅଛି । ବୈଶିଷ୍ଠ ଅଛି । ଏ ଜାତିର ଗର୍ବ, ସ୍ୱାଭିମାନ ଆକାଶଛୁଏଁ । ବାସ୍ତବରେ ସହସ୍ରଭୁଜ ଜାଗିଲେ ପଥର ପାଟିରୁ କଥା ଝରିବ । ମଧୁନଗରୀରେ ହା ହୁତାଶ ପରିବର୍ତ୍ତେ ଆଶା ଉଦ୍ଦୀପନା ନେଇ କୋଟିଏ ହାତ କୋଟିଏ ଜଗନ୍ନାଥର ରୂପ ନେବ ।

 

ଯଦି ମଣିମା, ଚାହିଁବେ ପୁନଶ୍ଚ ଘିନୁଆ ଜନ୍ମନେବ । ଏକ ନୁହେଁ ଅନେକ ଶାସକ ଶୋଷକର ତଣ୍ଟି ଚିପି ମା’-ମାଟିକୁ ଉଦ୍ଧାର କରିବ ।

 

ଗଣକର ବାଣୀ ନୁହେଁ କଥାକାରର ବିଶ୍ଵାସ ଆଗାମୀ ଦିନ କେଇଟାରେ ପର୍ଯ୍ୟାପ୍ତ ଅନ୍ଧକାର ଅପସରି ଯାଇ ନୂତନ ଆଲୋକର ସଂଧାନ ମିଳିବ । ପଥଭ୍ରଷ୍ଟ ପଥଚାରି ଆଗହୁଁ ସାବଧାନ ହେଲେ ଅଧିକ କ୍ଷତ ବିକ୍ଷତ ନ ହୋଇ’ ଠିକଣା ଦୁନିଆର ସଂଧାନ ପାଇବେ । ୧୯୮୧ର ଅନ୍ତିମ ସମୟ ଉପଗତ । ନୂତନବର୍ଷର ନୂଆ ଉତ୍ସାହ ଏହି ସମୟରେ ଆତ୍ମପ୍ରକାଶ କରୁଛି ‘ପୁନଶ୍ଚ’ ।

 

ପ୍ରକାଶକଙ୍କ ନିକଟରେ ବଧେଇ ଜଣାଇବା ବାହୁଲ୍ୟ ହେଲେ ବି କର୍ତ୍ତବ୍ୟ ମନେକରେ ।

 

ଗଳ୍ପଗୁଡ଼ିକ ମଧ୍ୟରୁ ଅନେକଗୁଡ଼ିଏ ଲେଖାହେବା ସମୟରେ ଯେଉଁମାନେ ସାଥିରେ ଥିଲେ ସେମାନଙ୍କୁ ମନେ ନ ପକାଇ ରହିହୁଏ ନାହିଁ । ଗଳ୍ପଗୁଡ଼ିକର ରଚନା କାଳ ୧୯୭୮ ପରବର୍ତ୍ତୀ ବର୍ଷ । ବିଧାନସଭାର ସଦସ୍ୟ ଆଉ କର୍ମବହୁଳ ଜୀବନ ମଧ୍ୟରେ ପବ୍ଳିକ ଆକାଉଣ୍ଟସ୍ କମିଟିରେ ଓଡ଼ିଶାର ଏ ପ୍ରାନ୍ତରୁ ସେ ପ୍ରାନ୍ତ ଭ୍ରମଣ ସମୟରେହିଁ ଗଳ୍ପଗୁଡ଼ିକ ଲେଖା ଯାଇଥିଲା । ପୂର୍ବରୁ ଇତିହାସର ଛାତ୍ର ହିସାବରେ ଭାରତର ଅତୀତ ଇତିହାସ ଅଧ୍ୟୟନ କରିଥିଲି । ଦିଲ୍ଲୀରେ ପଢ଼ୁଥିବା ସମୟରେ ଉତ୍ତର ଭାରତ ପର୍ଯ୍ୟାପ୍ତ ଭ୍ରମଣ କରିଥିଲି । ଦକ୍ଷିଣ ପୁର୍ବ ପଶ୍ଚିମ ଭାରତ ଶେଷ ନ ହେଲେ ମଧ୍ୟ ଆଂଶିକ ଭାବେ ଭ୍ରମଣ କରିଥିଲି । ମାତ୍ର ଜନ୍ମଭୁଇଁ ‘ଓଡ଼ିଶା’ ବୁଲିଲାବେଳେ ଯେଉଁ ଭାବାନ୍ତର ସୃଷ୍ଟି ହେଲା ତା’ କୁକ୍ରାପି ନ ଥିଲା । ଏହାହିଁ ଜନ୍ମଭୂମିର ବିଶେଷତ୍ଵ ।

 

ଟିକା ଟିପପ୍‌ଣୀରୁ ଓଡ଼ିଶାର ପ୍ରାଚୁର୍ଯ୍ୟ ଖଣିଜ ସଂପଦ, ବନଜ ସଂପଦ ଜଳଜ ସଂପଦ ବିଷୟରେ ପୋଥିଗତ ବିଦ୍ୟାରୁ ଅବଗତ ଥାଇ ଓଡ଼ିଶା ବୁଲିଲା ବେଳେ ଯାହାସବୁ ଦେଖିଲେ ଅନ୍ୟଭାବ ସୃଷ୍ଟି ହୁଏ ତାକୁହିଁ ଭିତ୍ତି କରି ଗଳ୍ପଗୁଡ଼ିକ ଲେଖାଯାଇଛି ।

 

କମିଟିର ସଦସ୍ୟଭାବେ ଦିନଭରି ସରକାରୀ କାର୍ଯ୍ୟସାରି ରାତିରେ ଗଳ୍ପ ବା କବିତାଟିଏ ଲେଖିଲାବେଳେ ସହଯାତ୍ରୀ ଏ ଭାବୁଥିଲେ ଡାଏରୀ ଲେଖୁଛି । କଥା ପ୍ରସଙ୍ଗରେ କେହି କେହି ପଚାରୁଥିଲେ ମଧ୍ୟ । ଉଭୟଟି ସତ୍ୟ । ଏଗୁଡ଼ିକରେ ‘ଗଳ୍ପ’ଠାରୁ ଡାଏରି ଛାପା ଅଧିକ ।

 

ସେଦିନ କମିଟିର ମୁଖ୍ୟ ଶ୍ରୀଯୁକ୍ତ ରଘୁନାଥ ପଟ୍ଟନାୟକ ଆଜି ରଜ୍ୟର ଅର୍ଥମନ୍ତ୍ରୀ, ସହଯାତ୍ରୀ ବନ୍ଧୁ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀ, ଅଜୟ କୁମାର ଜେନା, ମୂରଲିଧର ଗୁରୁ, ବାଳକୃଷ୍ଣ ପଟ୍ଟନାୟକ ନିଜ ନିଜର କର୍ମଭୂଇଁରେ ‘ଆଗାମୀ’ ପାଇଁ ପ୍ରସ୍ତୁତ ହେଉଥିବେ ।

 

ଅନ୍ୟତମ ବନ୍ଧୁ ସଦସ୍ୟ ରାମଚନ୍ଦ୍ର କିସ୍‌କୁ ଆରପାରିକୁ ଚାଲି ଗଲେଣି । ଗଳ୍ପର ଏକ ବିଶେଷ ଆତ୍ମ ଖଇରୀ ଆଉ ନାହିଁ । ସେପାରିରେ ଦୁହେଁ ଜଙ୍ଗଲର, ଘିନୁଆକୁ ଚିହ୍ନିଥିବେ । ଯଦି ଘିନୁଆ ସେ ଜଗତରେ ଥାଏ ତେବେ ଏପାରିକୁ ପଠାଇ ସାରିବେଣି-ଉଦ୍ଧାର କରିବାକୁ ମା’ମାଟିକୁ । ସେମାନେ ସବୁ ଅଂଶ ଲିଭେଇ ଯାଇଛନ୍ତି । ‘ପୁନର୍ଜନ୍ମ’ର ଅବଶ୍ୟକତା ଅଛି ।

 

ସବୁ ଶେଷରେ ପୁଣି ମଣିମାକୁ ସ୍ମରଣ କରୁଛି । ହେ ମଣିମା-ଏ ଜାତିର ଉଦ୍ଧାର ପାଇଁ ପୁଣିଥରେ ପାଇକ ସାଜେ । ହେ ମଣିମା ମୋହ ଛାଡ଼ି ଡାକରା ଦିଅ-ଆଗରେ ଜଗା ବଳିଆ-ପଛରେ ସହସ୍ରଭୂଜ ଧାଇଁବେ ଏ ଜାତିର ଟେକ ରହିବ ।

 

। ଇତି ।

ପଞ୍ଚାନନ କାନୁନ୍‌ଗୋ

ଡିସେମ୍ବର ୨୫ ୧୯୮୧

Image

 

ସୂଚୀପତ୍ର

 

୧.

ମଣିମା ଶୁଣିମା ହେଉ

୨.

ତମସୋ ମା’ ଜ୍ୟୋତିର୍ଗମୟଃ

୩.

ଗପ ନୁହେଁ

୪.

ଧରମା ଗଲା ଧରମ ଗଲା

୫.

ପୁନର୍ଜନ୍ମ

୬.

“ବୋଇତ ଦେଲୁଣି ମେଲି”

୭.

ଦାଦନ ଶ୍ରମିକର ଚିଠି

୮.

ଖଇରୀର ଭୟ

୯.

ଦୋକାନ

୧୦.

ଏଇ ହାତ ଜଗନ୍ନାଥ

୧୧.

ହୁକୁମ

୧୨.

ସ୍ଵୟଂବର

୧୩.

ଇଉରେକ୍‌କା

୧୪.

କବଳାୟିତ

୧୫.

ପୁନଶ୍ଚ

Image

 

ମଣିମା ଶୁଣିମା ହେଉ

 

ଧନ ମାଗୁ ନାହିଁ ଜନ ମାଗୁ ନାହିଁ

ମାଗୁଛି ଶରଧା ବାଲିରୁ ହାତେ ।

 

ବୋଲି ବୋଲି ଭିକାରିଟି ଛିଡ଼ା ହୋଇଗଲା । ସାହେବ ଆଗରେ ।

 

ହାଟ ଡଜ୍ ଇଟ୍ ମିନ୍ ?

 

ବାବୁ ଦି’ଟା ପଇସା ଦିଅ । ଦି’ଦିନହେଲା ଖାଇନାହିଁ । ତମର ମଙ୍ଗଳ ହେବ । ସାହେବ ପକେଟରୁ ହାତ ବାହାର କରି ପାଞ୍ଚଟା ପଇସା ବିରକ୍ତିରେ ଫୋପାଡ଼ିଦେଲେ ଭିକାରି ଆଡ଼କୁ ।

 

ପକେଟରୁ ନୋଟ୍ ବହିଟା କାଢ଼ି କ’ଣ ଦେଖିଲେ ସେ । ମନକୁମନ କହିଚାଲିଲେ ଆଶ୍ଚର୍ଯ୍ୟ । ଓଡ଼ିଆ ଭାଷାରେ ଗୋଟିଏ ଅର୍ଥ ପାଇଁ କ’ଣ ଭିନ୍ନ ଶବ୍ଦ ବ୍ୟବହାର କରାଯାଏ । ଆର ଭିକାରିଟା ବି କହୁଥିଲା ।

 

ମଣିମା ଶୁଣିମା ହେଉ ଗରିବ ଡାକ…

 

ବାବୁ ଦି’ଟା ପଇସା ଦିଅ । ଦି’ଦିନହେଲା ଖାଇନାହିଁ ତମର ମଙ୍ଗଳ ହେବ । ଆହୁରି ପୃଷ୍ଠା ଓଲଟାଇଲେ ଲେଖାଅଛି ଆହେନିଳ ଶଇଳ ପ୍ରବଳ......ବାବୁ ଦିଟା ପଇସା ଦିଅ, ତମର ମଙ୍ଗଳ ହେବ, ଛୋଟଲୋକ....ପୃଷ୍ଠା ଓଲଟାଇ ଓଲଟାଇ ସାହେବ ଚାଲିଛନ୍ତି । ଆଉ ମନକୁ ମନ କହିବାରେ ଲାଗିଛନ୍ତି-ଚମତ୍କାର ଆଶ୍ଚର୍ଯ୍ୟ ଏ ଭାଷା ସବୁ କଥାର ଗୋଟିଏ ଅର୍ଥ । କିଛି ଦିଅ–ଭିକ୍ଷା ମାନେ Begging । ନାଇଁ ସାହେବ, ଏ ଗୋଟିଏ ଗୋଟିଏ ଜଣାଣ । ସବୁର ଅର୍ଥ ଅଲଗା ମାତ୍ର-। ଭାବବେଗ ଏକା । ସାଲବେଗର ପ୍ରେମରେ ନିଳକନ୍ଦରବାସୀ ବିହୁଳ ହୋଇପଡ଼ୁଥିଲା-। ଚୈତନ୍ୟର ନୃତ୍ୟ ନିଳାଚଳକୁ ମତୁଆଲା କରିଥିଲା । ଦିନକୃଷ୍ଣ ଜଣାଣ ଗାଇ ବଡ଼ଦାଣ୍ଡରେ ଧାଉଁଥିଲା ବେଳେ ରାଜହସ୍ତୀ ପଥ ଛାଡ଼ି-ଦେଉଥିଲା । ଏମାନେ କେହି ହାତଯୋଡ଼ି ପଇସା ମାଗୁନଥିଲେ । ଭକ୍ତ ଏମାନେ ସାହେବ, ଭକ୍ତର ମାଗୁଣି ଭଗବାନ ପାଖରେ । ଏହି ଜଗାବଳିଆଙ୍କ ଉଦ୍ଦେଶ୍ୟରେ ଏ ଜଣାଣ ସବୁ ଲେଖାଯାଇଛି । ଦେଖୁନ୍ ସାହେବ କ’ଣ ମାଗୁଛି ସିଏ ।

 

ଧନ ନୁହେଁ–ଜନ ନୁହେଁ

ମାଗୁଛି ଶରଧା ବାଲିରୁ ହାତେ ।

 

ମୋ ଆଡ଼େ ବୁଲିପଡ଼ି ସାହେବ ଜିଜ୍ଞାସା କଲେ । ତୁମେ ତାହାଲେ ଇଂରାଜୀ ବୁଝିପାର ଅଉ କହିପାର ଯୁବକ । ସମ୍ମତି ଜଣାଇଲି ।

ଆଛା ଏମାନେ ତ ଭକ୍ତ ନୁହନ୍ତି ।

ନାଁ ଭିକାରି

ଏ ସହର କ’ଣ ଭିକାରିର ସହର । ଯୁଆଡ଼େ ଗଲେ ଭିକାରି ପଲ । ରୋଗୀଗୁଡ଼ିକ ରାସ୍ତାଘାଟରେ ଖୋଲା ଖୋଲି ବୁଲୁଛନ୍ତି । ହିତାହିତ ଜ୍ଞାନ ନାହିଁ । ଆମେ-ସବୁ ବିଦେଶୀ, ଏଠି ପଢ଼ିବାକୁ ଅସିଛୁ ? କୋଉଠୁ ପଇସା ଦେବୁ ଏମାନଙ୍କୁ ?

ଥରେ ବଡ଼ ଦେଉଳ ବଡ଼ ଠାକୁର ଆଡ଼କୁ ଅନାଇ ମୁଣ୍ଡ ନୂଆଁଇ ତଳକୁ ଚାହିଁଲା । ପାଦତଳେ ବଡ଼ଦାଣ୍ଡ । ଆଜି ସବୁ ବଡ଼ ଭିତରେ ଏ ଜାତିର ମଣିଷ ହେଉଛି ଗରିବ-ଛୋଟ ଲୋକ-ଭିକାରି । କହିଲି, ଏଠିକି ବହୁ ଦୟାଳୁ ଦାତାମାନେ ଆସୁଥିବାରୁ ଦିଟା ମାଗିନେବାକୁ ରାଜ୍ୟଟା ଯାକର ଭିକାରି ପଲ ଏଠି ରୁଣ୍ଡ ହୋଇଥାନ୍ତି ।

ନାଁ ନାଁ ଯୁବକ, ମୁଁ ବର୍ଷେ ହେବ ରାଜ୍ୟସାରା ବୁଲି ‘‘ଜଗନ୍ନାଥ ଧର୍ମ” ଉପରେ ଗବେଷଣା ପାଇଁ ତଥ୍ୟ ସଂଗ୍ରହ କରୁଛି । ବଡ଼ ଦାଣ୍ଡ ଦେଖ, କୋର୍ଟ କଚେରୀ ଦେଖ ସବୁଠି ଭିକାରିଙ୍କ ଦାଉରୁ ମଣିଷ ରକ୍ଷା ପାଇବା ବ୍ୟାକୁଳ !

ମାଗେନ୍ତା ଭିକମଗା ଜାତିକୁ ଲୁଚାଇବାକୁ ଚେଷ୍ଟା କରି ଧରା ପଡ଼ିଯାଇଥିଲି । ଯେ ଦେଶ ହାତ ପାତି ଦେଶ ଦେଶାନ୍ତରୁ ସାହାଯ୍ୟ ଭିକ୍ଷା କରୁଛି । ସେ ଦେଶର ମଣିଷ ମୁଁ । ମୋଠାରେ ସ୍ୱାଭିମାନ ଲଜ୍ଜା ସଂକୋଚର ଝାସ ବାଜିବା ନ ଯୋଗାଏ । ଟିକିଏ ସିଧାହୋଇ କହିଲି ।

ହଁ ଏହା ସତ୍ୟ ଯେ ଏବେ ଭିକାରିଙ୍କ ସଂଖ୍ୟା ରାସ୍ତାଘାଟରେ ବଢ଼ି ଯାଇଛି ।

କାହିଁ ଏମାନଙ୍କୁ କୌଣସି କାମରେ ଲଗାଯାଉ ନାହିଁ ? ଅନ୍ଧ ଛୋଟା ମାନେ ବି ଶିକ୍ଷା ପାଇଲେ ଉପାର୍ଜନ କଲାଭଳି କ୍ଷମତା ହାସଲ କରିପାରିବେ । କହିବାକୁ ମୋ ପାଟିରେ ଶବ୍ଦ ନଥିଲା । ଏ ଦେଶର ଭେଣ୍ଡିଆ ଯୁବକ କାମ ନପାଇ ଘରେ ହାତବାନ୍ଧି ବସିଛି । କାଁଭାଁ ଭାସାପାଇଁ ଥାଳି ଧରି ବୁଲୁଛି ମଧ୍ୟ । ଚୁପ୍ ରହି କଥା ବୁଲାଇବା ଭଙ୍ଗିରେ ଆରମ୍ଭ କଲି ।

 

ତମେ କୋଣାର୍କ ଦେଖିଛ ସାହେବ । ଭୁବନେଶ୍ୱରର ରାଜାରାଣୀ ମନ୍ଦିର ଦେଖିଛ । ହଁ ହଁ ଚମତ୍କାର କଳା ସ୍ତାପତ୍ୟ । ବାସ୍ତବିକ ସୁନ୍ଦର । ଆମ ଜର୍ମାନର ଐତିହାସିକ ଏ. ଏଲ. ବାସାମଙ୍କ ବହିରେ ପଢ଼ିଥିଲି । ଏବେ ଦେଖିଲା ପରେ ଭାବୁଛି ଏ ଜାତିର ଇତିହାସ କେଡ଼େ ଗରିମାମୟ । କି କୁଶିଳ ଶିଳ୍ପୀ କାରିଗର ଏ ଦେଶରେ ଥିଲେ ।

 

ସେଥିପାଇଁ ଦୁଃଖ ଆସୁଛି ଯୁବକ । ଆଉ ହାତ ପାତି ନମାଗି, ନିଜକୁ ଗତି ତୋଳିବାରେ କାହିଁକି ମନ ଦେଉ ନାହିଁ, ଏ ଜାତି ।

 

ଆମ ପାଇଁ ଦୁଃଖ କରୁଛି ଜର୍ମାନୀ ସାହେବ ! ଆମକୁ ଟେକି ତୋଳିବାପାଇଁ ସେ ବ୍ୟଗ୍ର ଅଥଚ.....

 

ସାହେବ କହିଚାଲିଥିଲେ ଏ ମାଟିର ଗୋଟିଏ ମମତା ଅଛି । ମତେ ଭାରି ଭଲ ଲାଗୁଛି-। ସମୁଦ୍ରକୂଳ ସୂର୍ଯ୍ୟ ଉଦୟ ସବୁରେ ସୂର୍ଯ୍ୟ ଭରି ରହିଛି । ମାଦକତା ଅଛି । ଅନ୍ୟଠାରେ ପ୍ରାଚୁର୍ଯ୍ୟ ଅଛି କିନ୍ତୁ ପ୍ରାଣନାହିଁ ଏଠି ପ୍ରାଣ ଅଛି କିନ୍ତୁ, ଦାରିଦ୍ର୍ୟର କଷାଘାତରେ ଉପଲବ୍‌ଧ କରିହୁଏ ନାହିଁ-। ବାସ୍ ବାସ୍ ସାହେବ । ଠିକ୍ ଠଉରେଇ ପାରିଛି । ଜାତିର ଜୀବନକୁ ସରସ ସୁନ୍ଦରକରି ଗଢ଼ିତୋଳିବାକୁ ହେବ ।

 

କିନ୍ତୁ, ଏଥିପାଇଁ ଉଦ୍ୟମ ତ ଲୋଡ଼ା । ତମେ ଠିକ୍ ଧରିପାରିଛ ସାହେବ ଏଠାରେ ଉଦ୍ୟମର ଅଭାବ ।

 

ହଁ ହଁ ବିଶେଷତଃ ରାଜନୈତିକ ଶ୍ରେଣୀ ଏଠି ଏକାନ୍ତ ନିଷ୍କ୍ରିୟ । ଯେଉଁଥିପାଇଁ ଏତେବଡ଼ ଜାତି ପ୍ରାଣ ସ୍ପନ୍ଦନହୀନ ହୋଇପଡ଼ିଛି । ରୁଗ୍‍ଣ ଶରୀର ଧରି ରହିଛି ।

 

ଚାଲୁଚାଲୁ ଆମେ ଅରୁଣସ୍ତମ୍ବ ପାଖରେ ପହଞ୍ଚି ଯାଇଥିଲୁ । ପଛରୁ ବାରମ୍ବାର ଗାଡ଼ିଟିଏ ହର୍ଣ୍ଣ ଦେଉଛି । ଚାହିଁଦେଲି । କଲେକ୍ଟର ଗାଡ଼ିରୁ ଓହ୍ଲାଇ ମୋରି ଉଦ୍ଦେଶ୍ୟରେ ଆସୁଛନ୍ତି ।

 

ସାହେବ ତାଙ୍କୁ ଦେଖି କଲେକ୍ଟର, କଲେକ୍ଟର କହି ଚିତ୍କାର କରିବାକୁ ଆରମ୍ଭ କରିଦେଲେ । ହଁ ପ୍ରଫେସର ସୁପ୍ରଭାତ, କହି କଲେକ୍ଟର କରମର୍ଦ୍ଦନ କଲେ । ଓଃ ତାହାଲେ ଆପଣ କଲେକ୍ଟରଙ୍କୁ ଚିହ୍ନିଛନ୍ତି । ହଁ ହଁ ସେ ତ ମତେ ଗବେଷଣାରେ ବହୁତ ସହାଯ୍ୟ କରୁଛନ୍ତି ।

 

କଲେକ୍ଟର ମତେ ଉଦ୍ଦେଶ୍ୟ କରି କହିଲେ ଆଜ୍ଞା, ଆପଣଙ୍କୁ ବହୁ ସମୟ ହେବ ଖୋଜୁଛୁ । ଯାହାହେଉ ଭାଗ୍ୟକୁ ଏଇଠି ମିଳିଗଲେ ।

 

ତାହେଲେ ଜର୍ମାନ ବିଶ୍ଵବିଦ୍ୟାଳୟର ପ୍ରଫେସର ମହାଶୟ, ପୁଣି କେବେ ଦେଖାହେବ । ବିଦାୟ ।

 

ଯୁବକ, ପରିଚୟ ତ ଦେଲେନି । ଆଶ୍ଚର୍ଯ୍ୟ ହୋଇ ଜିଜ୍ଞାସା କରିଥିଲେ ଜର୍ମାନର ସାହେବ ।

 

ମୁଁହରେ ହସଟିକେ ଫୁଟେଇ ଗାଡ଼ିରେ ବସିପଡ଼ିଥିଲି, ପରିଚୟ ଦେବାର ଇଚ୍ଛା ନଥିଲା-। କି ପରିଚୟ ଦେଇଥାଆନ୍ତି, ଏକ ପ୍ରାଣହୀନ ଜାତିର ଉଦ୍ୟମହୀନ ରାଜ୍ୟନମଣ୍ଡଳୀରୁ ଜଣେ, ଏଇନା ।

Image

 

ତମସୋ ମା’ଜ୍ୟୋତିର୍ଗମୟଃ

 

ଚକା ପାଦ, ଫୁଲବାଣୀ ଜିଲ୍ଲାରେ ଅବସ୍ଥିତ ଗୋଟିଏ ସ୍ଥାନ । ଅଗନା ଅଗନି ବନସ୍ତା କୁଆ କୋଇଲିଙ୍କର ସ୍ଵର ଶବ୍ଦ ନାହିଁ । ପତର ପଡ଼ିଲେ ପଥର ପରି ଶୁଭେ । ଏମିତି ଏକ ଜାଗା ବୋଇଲେ ହେଲା । ଏବେ ପାହାଡ଼ କଟାହୋଇ ରାସ୍ତା ଫିଟୁଛି । ଆଗେଯେ ରାସ୍ତାଟିଏ ନଥିଲା ତା’ ନୁହେଁ, ପୁରୁଣା ରାସ୍ତାଟିଏ ଚଲା ଲୋକଙ୍କ ପାଇଁ ବେଶୀ ଭଲ । ରାସ୍ତା ତିଆରି ସରିଲେ ସବୁବେଳେ ଗାଡ଼ିଟାଏ, ମଟରଟାଏ ଭଲରେ ଯାଇହେବ । ଆମଗାଡ଼ି ଚକା ପାଦରେ ପହଞ୍ଚିଲା । ପୂର୍ବ ନିର୍ଦ୍ଧାରିତ ମତେ ଶିବ ଦର୍ଶନ ପାଇଁ ବାହାରିଗଲୁ । ଗୋଡ଼ ହାତ ଧୋଇ ଦର୍ଶନ ଭିଳାଷୀ ମାନେ ମନ୍ଦିର ପ୍ରବେଶ କଲେ । ମନ୍ଦିରଟିର ନିର୍ମାଣ, ଏଇ କେତେଦିନ ହେବ ସରିଛି । କେତେକ କାରୁକାର୍ଯ୍ୟ, ଅଦ୍ୟାବଧି ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି ।

 

ପୂଜକ ହାତ ଦେଖାଇ କହିଲେ ଏ ହେଉଛି ଠାକୁରଙ୍କ ବିଶେଷତ୍ଵ । ଅନାନ୍ତୁ ଠାକୁର ଦକ୍ଷିଣ, ଆଡ଼କୁ ଢଳି ରହିଛନ୍ତି । ତାପରେ ବିସ୍ତୃତ ଭାବେ ବଖାଣି ଚାଲିଲେ ଠାକୁର, ଜାଗା ପଛରେ ଥିବା ଇତିହାସ ଏବଂ ପୁରାଣ ସିଦ୍ଧ କିମ୍ବଦନ୍ତୀ ।

 

ଏ ହେଉଛି ତ୍ରେତୟା ଯୁଗର କଥା ।

 

ଲଙ୍କେଶ୍ଵର ରାବଣ ଶିବ ଭକ୍ତ ଥିଲା । ପ୍ରତିଦିନ କୈଳାସ ପର୍ବତକୁ ଯାଇ ଶିବଙ୍କୁ ପୂଜାକରି ଫେରିବା ଅପେକ୍ଷା ଶିବଙ୍କୁ ସନ୍ତୁଷ୍ଟ କରି ଲଙ୍କାକୁ ଆଣି ପୂଜା ପାଇଁ ମନ ବଳେଇଲା ।

 

କଠୋର ତପସ୍ୟାରେ ଶିବ ପ୍ରସନ୍ନ ହେଲେ । ମନବାଞ୍ଛା, ପୂରଣ ପାଇଁ ବର ପ୍ରଦାନ କଲେ । ରାବଣ ଅଭିଳାଶ ଜଣାନ୍ତେ ଈଶ୍ୱର ସମ୍ମତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଗୋଟିଏ ସର୍ତ୍ତବାଢ଼ି ଥିଲେ । ସର୍ତ୍ତଟି ଥିଲା ଏହିପରି, ରାବଣ ଶିବଙ୍କୁ କାନ୍ଧରେ ବସାଇ ଲଙ୍କାକୁ ନେବେ, ଯେତେ ଅସୁବିଧା ଆସୁ ପଛକେ କୌଣସି ପ୍ରକାରେ ଭୂମିରେ ଥୋଇବେ ନାହିଁ । ଅନ୍ୟଥା ଶିବ ସେଠାରେ ପଥର ପାଲଟିଯିବେ । ଆଉ ଯିବେନାହିଁ । ସର୍ତ୍ତରେ ରାଜି ହୋଇ ରାବଣ ଶିବଙ୍କୁ କାନ୍ଧରେ ଧାରଣ କଲା । ତେଣେ ରାବଣ ଶିବଙ୍କୁ ସନ୍ତୁଷ୍ଟ କରି କାନ୍ଧକୁ ଆଣିବା ସମୟରେ ଦେବଲୋକରେ ଭାଳେଣି ପଡ଼ିଲା । ଈଶ୍ଵର ଯଦି ଲଙ୍କାରେ ଅଧିଷ୍ଠିତ ହୁଅନ୍ତି ରାବଣର ନିଧନ ଅସଂଭବ ହୋଇଯିବ । ପ୍ରତିକଥାରେ ସେ ଈଶ୍ଵରଙ୍କ ହେବ । ଏଣୁ ଦେବତା ମାନେ ସୁଧର୍ମା ସଭାର ଅୟୋଜନ କଲେ । ନିଷ୍ପତି ହେଲା ରାବଣ ମନ ପବନ ଯାନରେ ଆସୁଥିବା ସମୟରେ ସୂର୍ଯ୍ୟ ମାୟାକରି ଅସ୍ତଯିବେ । ଫଳରେ ସେ ତର୍ପଣାଦି ପାଇଁ ଭୂମିଷ୍ଠ ହେବ । ଠିକ୍ ସେହି ସମୟରେ ଇନ୍ଦ୍ର, ବ୍ରାହ୍ମଣ ବେଶରେ ଶିବଙ୍କୁ କାନ୍ଧରେ ଧାରଣ କରି ନେଇଆସିବେ । ପୁଷ୍ପକ ଯାନରେ ଲଙ୍କା ପ୍ରତ୍ୟାବର୍ତ୍ତନ ସମୟରେ ଏହି ଠାବରେ ହିଁ ଅସ୍ତାଚଳଗାମୀ ସୂର୍ଯ୍ୟଙ୍କ ଦର୍ଶନ ମିଳିଲା । ତହୁ ଶ୍ରେଷ୍ଠ ଆଚାଯ୍ୟ ବିଷ୍‌ର୍ବା ୠଷିଙ୍କ ପୁତ୍ର ସୌଚକର୍ମାଦି ସମାପନ ନିମନ୍ତେ ନିକଟସ୍ଥ ଏହି ନଦୀ ତଟରେ ଅବତ୍ତୀର୍ଣ୍ଣ ହେଲେ ।

 

ଅତି ଆକୁଳରେ ଚତୁର୍ଦ୍ଦିଗରେ ଦୃଷ୍ଟିନିକ୍ଷେପ କଲା । ସନ୍ଧ୍ୟା ତର୍ପଣ ନ କଲେ କାୟା ଅପବିତ୍ର ହେବ । ପ୍ରଭୁଙ୍କୁ ଧାରଣ କରିବ କିପରି । ଚାହିଁ ଦେଖନ୍ତେ ଏକ ବ୍ରାହ୍ମଣ ଦୃଷ୍ଟି ଗୋଚର ହେଲା । ବ୍ରାହ୍ମଣକୁ ପାଖକୁ ଡାକି ରାବଣ ନିଜର ଅସୁବିଧା ଜଣାଇ କିଛି ସମୟ ନିମନ୍ତେ କାନ୍ଧର ସାମଗ୍ରୀ ଧାରଣ କରିବାକୁ କହିଲା, ତାହାହିଁ ହେଲା । ବ୍ରାହ୍ମଣ ରୂପୀ ଇନ୍ଦ୍ର ମହାଦେବଙ୍କୁ କାନ୍ଧରେ ଧାରଣ କରି ନେଇ ଯିବା ପାଇଁ ଚେଷ୍ଟା କରିବାରୁ ପ୍ରଭୁ ଏହା ଜାଣିପାରି ଗରୁ ହୋଇଗଲେ । ଫଳରେ ଇନ୍ଦ୍ର ସେହିଠାରେ ପ୍ରଭୁଙ୍କୁ ତଳେ ଥୋଇ ରାବଣ ଭୟରେ ଅନ୍ତର୍ଦ୍ଧାନ ହୋଇଯାଇଛି । ପ୍ରଭୁ ଭୂମିରେ ପଡ଼ିଛନ୍ତି । ସମସ୍ତ ବଳ ଖର୍ଚ୍ଚ କରି ଠାକୁରଙ୍କୁ ଭୂମିରୁ କାନ୍ଧକୁ ନେବା ପାଇଁ ଚେଷ୍ଟା କଲା । ନିଷ୍ଫଳ ହେବାରୁ ପୁଣି ତପସ୍ୟାରେ ମଗ୍ନ ହେଲା । ଈଶ୍ଵର ପୁନର୍ବାର ପ୍ରସନ୍ନ ହୋଇ କହିଲେ ତୁ ତୋର ସତ୍ୟ ଲଂଘନ କରୁଛୁ । କିନ୍ତୁ, ମୁଁ ତୋଠାରେ ସନ୍ତୁଷ୍ଟ । ଏହିଠାରେ ରହି ତୋର ରାଜ୍ୟ ଉପରେ ଦୃଷ୍ଟି ରଖିଲି । ତୁ ସେହିଠାରେ ରହି ପୂଜାପାଠ କର ।

 

ସେହିଦିନଠାରୁ ଶିବ ଏଠାରେ ଅଛନ୍ତି । କଥା କହିଲାବେଳେ ପୂଜକ ମନ୍ଦିର କାନ୍ଥରେ ଅଙ୍କା ଯାଇଥିବା ଚିତ୍ରସବୁକୁ ଦେଖାଇ କହୁଥାଏ । କହିବା ମୁତାବକ ଚିତ୍ରସବୁ ମନ୍ଦିର କାନ୍ଥରେ ଅଙ୍କା ହୋଇଛି । ଦେଖନ୍ତୁ ଆଜ୍ଞା ଏଠାରେ ବୃକ୍ଷଲତା ମଧ୍ୟ ଦକ୍ଷିଣକୁ ଢଳି ରହିଛନ୍ତି ।

 

ଚାରିଆଡ଼େ ଅନାଇ ସତ୍ୟାସତ୍ୟ ଅନୁସଂଧାନ କରୁଥିବା ବେଳେ ଶୁଭିଲା ଦଳେ କିଏ ସଂସ୍କୃତାଭ୍ୟାସ କରୁଛନ୍ତି । ମନ ମନ୍ଦିର ଛାଡ଼ି ସିଆଡ଼େ ଧାଇଁଲା ଏଠି କ’ଣ ସଂସ୍କୃତ ଟୋଲ ଅଛି ?

 

ନାଁ ଆଜ୍ଞା, ଅନତୀଦୂରରେ ଗୋଟିଏ ଆଶ୍ରମ ଅଛି, ସେଠାରେ ସଂସ୍କୃତ ଶିକ୍ଷା ଦିଆଯାଏ-। ଅନ୍ତଃ ତାସୀଗଣ ଆପଣଙ୍କ ଆସିବା ଜାଣି ନିମନ୍ତ୍ରଣ କରି ଯାଇଛନ୍ତି ତାଙ୍କ ଆଶ୍ରମକୁ ଯିବାପାଇଁ-। ଏଇ କଥାବାର୍ତ୍ତା ମଧ୍ୟରେ ଜଣେ ଆଶ୍ରମବାସୀ ଉପସ୍ଥିତ ହେଲେ ।

 

ଆଜ୍ଞା, ଆଶ୍ରମ ଆଡ଼େ ଟିକିଏ ଆସନ୍ତୁ । ଡାକି ନଥିଲେ ବି ଆମେ ଯାଇଥାଆନ୍ତୁ । ମନ୍ଦିରରୁ ଓହ୍ଲେଇ ସମସ୍ତେ ତାଙ୍କରି ପଛେ ପଛେ ଚାଲିଲୁ । ଅତି ସୁନ୍ଦର ରମଣୀୟ ପରିବେଶ । ପୁରାଣ ବର୍ଣ୍ଣୀତ ଋଷି ଆଶ୍ରମ କୋଉ ଗୁଣରେ ଏହାଠାରୁ ତଫାତ ହୁଏ ନାହିଁ । ଖାଲି ଯାହା ଗାନ ଶୁଣିବା ପାଇଁ ହରିଣୀ ଯୁଥ ବା ମୟୂର ପଲ ଠୁଳ ହେବା କେହି କେବେ ଦେଖିଛି ବୋଲି କୁହନ୍ତିନି ।

 

ଆଶ୍ରମ ଜୀବନର ସମସ୍ତ କଠୋରତା, ଆଚାର ବ୍ୟବହାର ଅନ୍ତେବାସୀଙ୍କୁ ମାନିବାକୁ ହୋଇଥାଏ । ଆଶ୍ରମଟି ବିଭିନ୍ନ ପ୍ରକାର ପନିପରିବା, କେତେ ରକମ ଫଳଗଛରେ ଭରା । ଏଭଳି ଉତ୍କୃଷ୍ଟ ପନିପରିବା, ଅମୃତଭଣ୍ଡା, ପାଚିଲା କଦଳୀ ଚାଷ କରିବାରେ କ’ଣ କୌଣସି କୃଷି ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । ବନ୍ଧୁମାନଙ୍କ ମଧ୍ୟରୁ ଜଣେ କେହି ପଚାରିଦେଲେ । ଆଶ୍ରମର ଗୁରୁମାନଙ୍କର ସ୍ମିତହାସ୍ୟରୁ ଏହା ସ୍ପଷ୍ଟ ହୋଇଗଲାଯେ ସେମାନେ ହିଁ ବିଶେଷଜ୍ଞ । ଆଶ୍ରମ ସମ୍ପର୍କୀୟ ଯେଉଁ ଚିତ୍ରଟି ଆମ ଆଗରେ ବାସ୍ତବ ଥିଲା ତାହା ଏହିପରି !

 

ଆଶ୍ରମରେ ସାଧାରଣ ବିଦ୍ୟାଳୟ କାର୍ଯ୍ୟକ୍ରମ ଚାଲୁଥିଲା । ସମସ୍ତ ଅନ୍ତେବ-ବାସୀ ଆଖପାଖ ଅଞ୍ଚଳରେ ଆଦିବାସୀ କୁଳ ସମ୍ଭୂତ । ଏଇଠାରେ ଉତ୍ପନ୍ନ ହେଉଥିବା ପନିପରିବା, ଫଳ ଆଦି ତାଙ୍କରି ପରିଶ୍ରମର ଫଳ । ଗୋଧନ ରକ୍ଷଣାବେକ୍ଷଣ ପାଇଁ ଆଶ୍ରମରେ ଅଛନ୍ତି ଉପମନ୍ୟୁ । ଶ୍ରେଷ୍ଠ ଛାତ୍ର ଆରୁଣି’ ଶିକ୍ଷାର୍ଥୀମାନେ ଶୁଦ୍ଧ ସଂସ୍କୃତ ଓ ଓଡ଼ିଆ ଭାଷା ଶୁଦ୍ଧଭାବରେ ଉଚାରଣ କରୁଥିଲେ । ଆସନ, ପ୍ରଣୟମ ନିୟମିତ ଭାବରେ ଶିକ୍ଷା ଦିଆଯାଉଥିଲା । ଆଶ୍ରମବାସୀମାନେ ଥିଲେ ଶିଷ୍ଠ ଭଦ୍ରା ନିଜକୁ ଶୃଙ୍ଖଳିତ ଆଉ ଆତ୍ମ ନିର୍ଭରଶୀଳ କରି ଗଢ଼ି ତୋଳିବା ଥିଲା ଶିକ୍ଷାର୍ଥୀମାନଙ୍କର ଧ୍ୟେୟ । ବାରିବଗିଚାର ଆୟ, ଜମିର ଫସଲ ଗୋ ସଂପଦ ନେଇ ଆଶ୍ରମର ସମସ୍ତ ଆବଶ୍ୟକତା ପୂରଣ ହେଉଥିଲା ବୋଲି କହିବାକୁ ହୋଇଥାଏ ।

 

ଆଶ୍ରମ ବୁଲି ଦେଖିଲୁ । ଭୁଲିବାର ନୁହେଁ । ଆଶ୍ରମର ପ୍ରତିଷ୍ଠାତା ଆଚାର୍ଯ୍ୟ ନଥିଲେ । ଗୁରୁକୁଳ ଆଉ ଶିକ୍ଷାର୍ଥୀଙ୍କ ଆଚରଣ ସମସ୍ତଙ୍କୁ ମୁଗ୍‌ଧ କରିଥିଲା । ଫେରି ଆସିଲା ବେଳେ ପଛରୁ ଶୁଭୁଥିଲା ଶୀକ୍ଷାର୍ଥୀମାନଙ୍କର କଣ୍ଠସ୍ଵର ।

 

ତମସା ମା’ ଜ୍ୟୋତିର୍ଗମୟଃ

ମୃତ୍ୟ ମା’ ଅମୃତଗମୟଃ

ଅସତେ ମା’ ସତଗମୟଃ

 

କିଏ କାହାକୁ ଅନ୍ଧକାରରୁ ଆଲୋକକୁ ନେବ, ଅସତ୍ୟପଥରୁ ନେଇ ସତ୍ୟର ସଂଧାନ ଦେବ, ମର ଜଗତକୁ ଅମୃତର ସଂଧାନ ଦେବ ।

 

ହେ ଆଶ୍ରମର ଅଧିବାସୀ !

ତୁମେ ଆମକୁ ନା

ଆମେ ତୁମକୁ…

Image

 

ଗପ ନୁହେଁ

 

ପ୍ରଭୁ ଯୀଶୁ । ତ୍ୟାଗ କଷ୍ଟର ଅବତାର । କ୍ରୂର ଚକ୍ରାନ୍ତରେ କ୍ରୂଶବଦ୍ଧ-ହେଲେ । ତଥାପି କହିଲେ ସେମାନେ ଆଜ୍ଞା ଅନ୍ଧକାରାଚ୍ଛନ୍ନ, ସେମାନେ କ’ଣ କରନ୍ତି ନିଜେ ଜାଣନ୍ତି ନାହିଁ । ତାଙ୍କୁ କ୍ଷମାକର । ନିଜପାଇଁ ପ୍ରଭୁ କ୍ରୂର, ଖଳକୁ କ୍ଷମା ଦେଲେ । ହେଲେ ନିରୀହ ଅବହେଳିତ ମଣିଷକୁ ତାଙ୍କ ହାତରେ ତୋଳିଦେବା-ପାଇଁ କୁଣ୍ଠାବୋଧ କଲେ । ଈଶ୍ୱରଙ୍କ ପ୍ରେରିତ ଦୂତମାନଙ୍କର ପ୍ରାଣକର୍ତ୍ତା ଭାବେ ଘୂରି ବୁଲିଲେ ଗାଁକୁ ଗାଁ, ଦେଶରୁ ଦେଶକୁ । ଲଣ୍ଡନରୁ ଅନାମଧେୟ ଶ୍ରୀ ରାମପୁରକୁ । ଚିର ଅବହେଳିତ ମଣିଷ ମଣିଷ ଆଦିବାସୀ ସେଦିନ ଆର୍ଯ୍ୟ ବ୍ରାହ୍ମଣ ଦ୍ରୋଣଙ୍କ ଶିକ୍ଷାଶ୍ରମରୁ ଶବର ପୁତ୍ର ଏକଲବ୍ୟ ଲାଞ୍ଛିତ ଅପମାନିତ ହୋଇ ପ୍ରତ୍ୟାବର୍ତ୍ତନ କଲାପରେ ଶପଥ କରିଥିଲା ସେ ହେବ ଯୋଦ୍ଧା ଶ୍ରେଷ୍ଠ । ଅହଂକାରୀ ଶାସକର ଦର୍ପ ଚୂର୍ଣ୍ଣ କରିବ । କିନ୍ତୁ, ସରଳ ମଣିଷ ସିଏ, ଚକ୍ରବ୍ୟୁହ ଭେଦ କରିପାରିଲା ନାହିଁ । ପ୍ରେରିତ ଗୁରୁ କୌଶଳରେ ବାମହସ୍ତ ବୃଦ୍ଧାଙ୍ଗୁଳି କାଟିନେଲେ, ଏକଲବ୍ୟ ହେଲା ନିଶ୍ଵ । ତା’ର-ପ୍ରତିଭା ଲୋପହେଲା । ଅସହାୟତା ପାଇଁ ଅନ୍ୟର କରୁଣା ଲାଭ କଲା, ଶାସକର ଅହଂକାର ଦୀର୍ଘଜୀବୀ ହେଲା ।

 

ପାଜି ପ୍ରଭୁଙ୍କ ପ୍ରେରିତ ଦୂତମାନେ ଫୁଲବାଣୀ, ରାଇକିଆ, ତୁମୁଡ଼ି ବନ୍ଧ ରାମଗିରି ଚନ୍ଦ୍ରଗିରିଠାରୁ ଆରମ୍ଭ କରି ଦୂର ଦୂରାନ୍ତର ଅପନ୍ତରା ଆଦିବାସୀ ମୂଲକରେ ପହଞ୍ଚିଛନ୍ତି । ଆଦିବାସୀ ଲଳନାକୁ ଲୁଗା, ବ୍ଲାଉଜ ସାୟା ପିନ୍ଧା ସିଖାଇଛନ୍ତି ।

 

ଘଣ୍ଟି ଶୁଣି ଆଦିବାସୀ ମଣିଷ ସମୟ ଜାଣୁଛି । ମିସେନାରୀମାନଙ୍କ ଖ୍ରୀଷ୍ଟ ଧର୍ମ ସମ୍ପର୍କୀୟ ସୁ ସମାଚାର, ବାଇବେଲ ଏ ଅଞ୍ଚଳରେ ବିଛେଇ ହୋଇ ପଡ଼ିଲାଣି ।

 

ଆଦିବାସୀ ମଣିଷ କଣ୍ଠର ମାଙ୍ଗଳିକ ଗାନ

ବାହାରେ ପଙ୍ଗା ଧରମ ତାନା

ଧରମ ଘଣ୍ଟା ଶାଢ଼ି ତାନା

ପ୍ରେରମ୍ ମନ୍ଦିର ଜଙ୍ଗାସେବା ତଇଲାମ ତଙ୍ଗନା

ଦିନ୍ ଚିତେ ଦୁନୁ ତାନା

 

ସୋର ସମାସ୍ତେ ସୋନେ ତାନା

ତାରାସିଙ୍ଗାମ ଲୁଟୀନରେ ଚି ବଙ୍ଗା ସେ ବାୟ ।

ଚୁଇଲାମ ନଲାନ୍ ଚୁଇଲାମ୍ ତୁମୁନ୍

ରାବାଙ୍ଗ ସିଙ୍ଗ ସେଟ୍ରେଜ ମାୟେତାମ୍ କୁଚେନା

ସାତେ ସାରୀ ନ କହେ ଗୋରୀ

 

ଚାଉଲ ସାରୀ ନ କହେ ଚାପି

ବୀରିଗମ୍ ବାଆଲେ ସାରୀ ବୁଗାମ୍ ଯାୟାଂ

ତା’ ନାମ……

 

ଅର୍ଥାତ୍ ଭାଇରେ ଦିନ ଦିଘଡ଼ି ବିତିଲାଣି ଧର୍ମର ଘଣ୍ଟି ବାଜୁଛି । ଦେବତା ପୂଜିବା ସମୟ ହୋଇଗଲା । କେତେବେଳେ ଗାଧୋଇବ, କେତେବେଳେ ଦେବର ମନ୍ଦିର ପୋଛି ଲିପାପୋଛା କରିବ । ପୂଜାଚାଉଳ କିଏ ସଫାକରିବ । ତୁମେ ବାସୀ ଫୁଲରେ ପୁଜିନେଇ-ଦେବତାଙ୍କୁ ଅସନ୍ତୁଷ୍ଟ କରିବ । ଅରୁଆ ଚାଉଳ ଓ ଭଲଫୁଲରେ ପୂଜା କଲେ ଦେବତା ଖୁସିହେବେ । ନ ହେଲେ ଦେଶର ଅମଙ୍ଗଳ ହେବ ।

 

ଧିମେଇ ଗଲାଣି । ଏବେ ଜନମ ପରବରେ ଗଗନପବନ ମୁଖରିତ କରି ଆଦିବାସୀ କଣ୍ଠରେ ଶୁଭୁଛି ।

 

କୁନ୍ଦୁରକା ଯେଶୁ କୁନ୍ଦୁର କାଏ

ମାଇକ ଲେଖା ଟୁଇଁ ସାଲିଏ ଡେପାନୁ କୁନ୍ଦୁରିକାଏ

ଝାପରକାଏ ଯେଶୁ ଝାପର କାଏ କଚିରି

ମରେକା ଲେଖା ଲେଦେରାନ୍ ତେଥେରାନ୍ ଝାପରକାଏ ।

 

ଅର୍ଥାତ୍‌ ଯୀଶୁ ଜନ୍ମହେଲେ ଘରନଥିବା ପରି ଗୋରୁ ଗୁହାଳରେ । ଲୁଗା ନଥିଲାପରି ଛିଣ୍ଡାକନା ଘୋଡ଼େଇ ହେଲେ । ଆମପାଇଁ ଯୀଶୁ କେତେ କଷ୍ଟ ସହିଲେ । ପରମ ପୁଜନୀୟ ଧର୍ମଗୁରୁ ପାଦ୍ରୀମାନେ ସଫଳକାମ ହୋଇଛନ୍ତି । ସେମାନଙ୍କ ଇଚ୍ଛା ସର୍ବାନ୍ତ କରଣରେ ପୂର୍ଣ୍ଣ ହେବାରେ ଲାଗିଛି । ହେଇ ସେଦିନ ଆମେ ରାମଗିରି ଯାଇଥିଲୁ । ଓଡ଼ିଶାର କାଶ୍ମୀର, ସୁନ୍ଦର ଜଳବାୟୁ । ଫଳଚାଷ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାମଗିରିରେ ଭଲ କମଳାଚାଷ ହେଉଛି । କମଳା ଗଛତଳେ ହଳଦୀ, ଅଦା, ସପୁରି ଲଗା ହୋଇଛି ।

 

ଧାଇଁ ଧାଇଁ ପାହାଡ଼ ଚଢ଼ିଥିଲୁ ଭୀଷଣ ବର୍ଷା । ତଥାପି ଭ୍ରୂକ୍ଷେପ ନଥିଲା କାହାରି । ଓଡ଼ିଶାରେ ଫଳଚାଷ ତାହାପୁଣି ଲାଭଜନକ ଚାଷ ଏକଥା ଆଖିରେ ଦେଖିବାକୁ ହିଁ ହେବ । ନ ହେଲେ ବିଶ୍ୱାସ ଆସିବନି ।

 

ସାଙ୍ଗରେ ଭେଣ୍ଡିଆ ଆଦିଦାସୀ ଯୁବକ କେଇଜଣ ଯାଇଥିଲେ, ଛତାଧରି ବର୍ଷାରୁ ରକ୍ଷାକରିବେ । ପାହାଡ଼ ଢଳି ଗାଁର ଲୋକ ସେମାନେ ତଥାପି ଆମ ଉତ୍‌କଣ୍ଠ ଆମ ଆଗ୍ରହ ସହ ସେମାନଙ୍କ ପାଦ ତାଳ ଦେଇ ପାରୁନଥାଏ ।

 

ପାହାଡ଼ ତଳ ଗାଁକୁ ଫେରିଲା ବେଳକୁ ବର୍ଷାରେ ଦେହ ଜୁଡ଼୍‌ବୁଡ଼୍ ହୋଇ ଯାଇଥାଏ । ଗାଁର ଗୋଟିଏ ଚାଲିରେ ଟିକିଏ ବିଶ୍ରାମ ନେଇ ଚା ଟିକିଏ ଖାଇବାର ଲୋଭ ଏଡ଼େଇ ହେଲାନାହିଁ-। ଏକସଙ୍ଗରେ ଏତେଖଣ୍ଡ ଗାଡ଼ି, ଏତେ ବାବୁ ଭୟାଙ୍କୁ ଦେଖି କେତେଗୁଡ଼ିଏ ମଣିଷ ରୁଣ୍ଡ ହେଲେ-। ଆମକୁ ଦେଖିବେ ଆଳାପ କରିବେ-ଏଇତ ସେମାନଙ୍କର ଇଚ୍ଛା ।

 

ସେମାନେ ଜାଣିଲେ । ଆମର ପରିଚୟ ପାଇଲେ ଆମେ ସାଧାସିଧା ଦର୍ଶକ ନୋହୁଁ । ଖୋଦ୍ ସରକାର ପ୍ରେରିତ ଗରିବ ନିସହାୟ ଆଦିବାସୀ, ହରିଜନଙ୍କ ପ୍ରାଣକର୍ତ୍ତା । ସେମାନଙ୍କର ସୁଖସୁବିଧା ଦେଖିବା ପାଇଁ ଆମ ବାଇବେଲର ନର୍ଦ୍ଦେଶ ।

 

ଜଣେ ଆଦିବାସୀ ଯୁବକ ଆଗେଇ ଆସି ପ୍ରଣାମ କଲା । ନିବେଦନ କଲା, ଆଜ୍ଞା ଆମର କେତୋଟି ପ୍ରାର୍ଥନା ଅଛି ।

 

କ’ଣ କୁହ ଶୁଣିବା ।

 

ଏ ରାସ୍ତାଟାର ଅବସ୍ଥା ଭଲ ନୁହେଁ, ନିଜେ ଦେଖିଲେ । ସେ ରାସ୍ତାମରାମତି ହୋଇ ଖଣ୍ଡିଏ ବସ୍‌ ଚାଲିବ, ଆଉ ଗୋଟିଏ କନ୍‌ଭେଟ ସ୍କୁଲ ଏଠାରେ କରାଯାଉ । ତାପରେ ଆମେ ରାମଗିରିରୁ ଫେରିଆସିଥିଲୁ, ବାଟରେ ଗୋଟିଏ ଚର୍ଚ୍ଚ ପଡ଼ିଲା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୁଇହାଇ ଉଠିଗଲା ପ୍ରଣାମ କରି କହିଲି-ଧନ୍ୟ ଧନ୍ୟ ତ୍ରାଣକର୍ତ୍ତା ପ୍ରଭୁ, ତୁମର ପ୍ରେରିତ ଦୂତମାନେ ସଫଳକାମ ହୋଇଛନ୍ତି ତୁମେ ଯେଉଁ ଆଲୋକର ସନ୍ଧାନ ଦେଇଛ ଏ ଅଂଧାରୀ ମୂଲକରେ ତୁମ ପ୍ରେରିତ ଦୂତମାନେ ବେଶ୍ ଭଲଭାବେ ତାଙ୍କୁ କାର୍ଯ୍ୟରେ ଲଗାଇଛନ୍ତି । ଏ ନିରୀହ ନିଷ୍କପଟ ଆଦିବାସୀ ଯୁବକ ଇଂରାଜୀ ଶିକ୍ଷା ପାଇଁ ମାଗୁଛି କନ୍‌ଭେଣ୍ଟ୍‌ ସ୍କୁଲ ।

Image

 

ଧରମା ଗଲା ଧରମ ଗଲା

 

ଧରମା, ହେ ଧରମା, ଆରେ ଓହ୍ଲଉଛୁ । ମେଞ୍ଚେଡ଼ା ଟୋକାର ବହପ ଦେଖ ଆରେ ରାତି ପାହିଲାଣି ଓହ୍ଲା । ଆରେ ଧରମ ଦେବତା, ସୂର୍ଯ୍ୟ ଦେବତା ଆସିବେରେ, ଓହ୍ଲେଇଆ ।

 

ନାଁ ନାଁ ମୁଁ ଯାଇପାରିବି ନାହିଁ । ଆସୁ ସେ ଧରମ ଦେବତା, ସୂର୍ଯ୍ୟ ଦେବତା ଦେଖି ମୁଁ ତା’ ଦେଉଳ କାମ ପୂରା କରିଛି । କହି କହି ଦଧିନଉତିକୁ କୁଣ୍ଢେଇ ପଡ଼ି ଯାଇଥିଲା ସେ । କି ଆନନ୍ଦ, ଏଇ ପ୍ରଥମ ଥର ପାଇଁ ପଢ଼ିଥିବା ପୋଥିର ବିଦ୍ୟାକୁ ସେ କାମରେ ଲଗାଇଲା । ଆଇଲାବେଳେ ବୋଉ କହିଥିଲା ।

 

ବାବୁରେ ବାରି ବରକୋଳି ଏ । ନେଇଥା ପୁଞ୍ଜିଏ । ଚିହ୍ନିବେରେ । ବାପାତୋର ନିଶ୍ଚୟ ଚିହ୍ନିବେ । କେତେ ଆଦରରେ ଏ ଗଛ ଲଗାଇଥିଲେ, ନିଜ ହାତରେ ! ତା’ର ଫଳ ଦେଖିଲେ ଚିହ୍ନିବେ ନାଇଁ । ହଁରେ ବାର ବରଷ ହେଲା ଗଲେଣି । ଆଉ କ’ଣ ମନେଥିବ ? ନାଇଁ ବା ସବୁଥର ସେ କୋଳି ଗଛ କଥା ମୁଁ ତାଙ୍କ ପାଖକୁ ପଠାଇଥାଏ । ମନେ ରଖିଥିବେ ନିଶ୍ଚୟ, ଆଉ ନେଇଯା ଏଇ କୁକୁରଟାକୁ । ଯଗିବରେ, ଛାଇପରି ତୋ ସାଥିରେ ଲାଗି ରହିବ । ଭୋକିଲେ ଜାଣିବୁ ତୋ ସାଙ୍ଗରେ ବାଦ ସାଜିଛି କିଏ ? ଛାଡ଼ିବ ନାହିଁରେ ସିଏ । ବଳିଆ କୁକୁର, ଭାରି ହିଂସ୍ର । ଭାରି ବିଶ୍ୱାସୀ, ଧନରେ ତାକୁ ନେଇଯା । ବାପା ତାକୁ ଦେଖିଲେ ହୁଏତ ଚିହ୍ନିପାରିବେ । ନାଇଁବା ସେ ଗଲାବେଳେ କେଡ଼େ ଛୁଆଟିଏ ହୋଇଥିଲା । ଏ ଭିତରେ ବଡ଼ ହୋଇଗଲାଣି ? ହୁଏତ ନ ଚିହ୍ନିପାରନ୍ତି ।

 

ଧରମା ପଚାରିଲା– ମା’ଆ ବାପା ଯଦି ବରକୋଳି କି ବଳିଆ କୁକୁର କିଛି ନ ଚିହ୍ନିଲେ, ମୁଁ କେମିତି ତାଙ୍କୁ ପରିଚୟ ଦେବି ।

 

ଏଁ ତୁ କ’ଣ କହୁଛୁ । ବିଶୁ ମହାରଣା ପୁଅରେ ତୁ’

‘ମା’ ଜାଣେ ବାପ

ମନ ଜାଣେ ପାପ ।

 

ସେ କ’ଣ ନିଜ ସନ୍ତାନକୁ ଚିହ୍ନିପାରିବେନି । ବାପା ତୋର ଶିଳ୍ପି କୁଳର ମଉଡ଼ମଣି । ତାଙ୍କର ପୁଅ ହୋଇ ତୁ ଯଦି ସେମିତିଆ ଗୋଟିଏ କୁଶଳି କାରିଗର ହୋଇପାରିବୁ ତାଙ୍କଠାରୁ ବଳି ବଡ଼ ନାଁ କମେଇ ପାରିବୁ । କାମରେ ଜଗତ ଚିହ୍ନିବରେ ବିଶୁମହାରଣା ପୁଅ ଧରମା’’ ଆଉ ବାପା ତୋର ଚିହ୍ନିଦେବେ । ତାଙ୍କର ପୋଥିର ବିଦ୍ୟା ତୁ ଶିଖିଛୁ । ଦେଖେଇଦେବୁ ଅଲବତ୍‌ ଚିହ୍ନିବେ ।

 

ତଳକୁ ଚାହିଁଲା ଧରମା । ଗୋଳମାଳ ବେଳକୁ ବେଳ ବଢ଼ି ଚାଲିଛି, ବାପା ତା’ର ଛିଡ଼ା ହୋଇଛନ୍ତି । ଏତେ ଗୁଡ଼ାଏ ମଣିଷ ଭିତରେ । ପୁଣି ଶୁଣିଲା ଏଥର ଡାକରେ ଧମକ । ଧରମା ଓହ୍ଲାଇବୁ ନା ପୁଣି ଦେଖିବୁ ।

 

ବାପା ତା’ର ଉଚ୍ଚ ସ୍ୱରରେ ଡାକୁଛନ୍ତି । ସବୁ ଗୋଳମାଳ ଥମି ଯାଇଛି, ବାପରେ, ଧରମାରେ, ଓହ୍ଲେଇଆ ତତେ ଟିକିଏ ଆଖିପୁରାଇ ଦେଖେ । ମୋ କୁଳର ମଉଡ଼ମଣି ଆ’ ବାପା ଆ ଓହ୍ଲେଇଆ ।

 

ଏ କ’ଣ ବାପା ଡାକିଲାବେଳେ ଏମିତି କଣ୍ଠ ଶୁଖେଇ ଡାକୁଛନ୍ତି କାହିଁକି ? ଥରୁଛନ୍ତି କାହିଁକି ? କେତେ ତ ଖୁସି ହୁଅନ୍ତେ । ତାଙ୍କ ପୁଅର ପରିଚୟ ପାଇଛନ୍ତି ସେ, କୋଣାର୍କର ମୁଣ୍ଡି ମାରିଛି, ଦେଉଳ ତୋଳା ସରିଛି । ଦଧିନଉତିରୁ ଆସ୍ତେକିନି ହାତ କାଢ଼ିଲା ଓହ୍ଲାଇବ ସେ । ବାପା ତା’କୁ କୋଳକୁ ନେବେ । ବାରଶହ ବଢ଼େଇ ମୁଣ୍ଡରେ ବସେଇବେ । ଆଉ ତାଙ୍କର ମୁଣ୍ଡ କାଟ ହେବ ନାହିଁ । କଳିଙ୍ଗ ଶିଳ୍ପି କୁଳର ଟେକ ରଖିଛି ।

 

ଭୋ, ଭୋ, ଭୋ, ବଳିଆ କୁକୁର ଭୋକିଲା, ଏ କ’ଣ ? ବଳିଆ କାହିଁକି ଭୋକୁଛି ? କି ଅଶୁଭ ଲକ୍ଷଣ, କି ବିପଦ ମୋ ପାଇଁ । ନାଃ ଆଉକି ବିପଦ, ବାପା ତା’ ଅଛନ୍ତି ପାଖରେ । ବାରଶହ ବଢ଼େଇ ଅଛନ୍ତି । ଭୟ କାହାକୁ । କୁକୁରଟା ବୋଧହୁଏ ଏ ପାଟିତୁଣ୍ଡ ଶୁଣି ଭୋକୁଛି । ବୁଝି ପାରୁନାହିଁ ମଣିଷର ଭାବବେଗ ମଣିଷ ସ୍ନେହରେ ଆତ୍ମହରା ହୋଇପଡ଼େ । ପଶୁଜାତି । ନା ସେ ଓହ୍ଲେଇବ । ସମସ୍ତଙ୍କ କୋଳକୁ ଯିବ ।

 

ତଳକୁ ଆସିବା ପୂର୍ବରୁ ଆଖି ପଡ଼ିଗଲା ସମସ୍ତଙ୍କ ଉପରେ । ବାପାଙ୍କ ଆଖିରୁ ଲୁହଧାର ବୋହିଯାଉଛି । ଏ କ’ଣ ସେ ଏପରି ଥରୁଛନ୍ତି କାହିଁକି ? କୁକୁରଟା ତାଙ୍କ ଚାରିପାଖରେ ଘୂରି ଭୋକିବାରେ ଲାଗିଛି । ଦେହରେ ବାରମ୍ବାର ଘସି ହେଉଛି ।

 

ବିଶୁ ମହାରଣା ହଠାତ୍ ଚିତ୍କାର କରି ଉଠିଲେ । ନାଁ ନାଁ ମୁଁ ବାରଶ ବଢ଼େଇରେ ଦାୟୀ, ପୁଅରେ ଦାୟୀ ନୁହେଁ । କିନ୍ତୁ ସେ ତ ତୁମରି କୁଳ ତିଳକ, କଳିଙ୍ଗ ଶିଳ୍ପିର ଟେକ ରଖିବ । ଏବେ ତା’କୁ ମାରି କି ଲାଭ ପାଇବ ?

 

କୋଳାହଳ ପୁଣି ବଢ଼ିଗଲା । ତା’ହେଲେ ଠିକ୍ ଅଛି ? ବଂଶ ରକ୍ଷା ପାଇଁ ପୁଅ ପାଇଁ ଯଦି ଏ ସମସ୍ତ ଶିଳ୍ପି କୁଳର ବିନାଶ ଚାହଁ ତାହାହି ହେଉ, ୧୨ଶହ କାରିଗରଙ୍କର କୁଳ ଉଚ୍ଛନ୍ନ ହେଉ । ଜାତି ଶିଳ୍ପିହରା ହେଉ ।

 

ବିଶୁ ମହାରଣା କଣ୍ଠ ଥରିଉଠିଲା, ମତେ ଭୁଲ ବୁଝନାହିଁ । ତମକୁ ସବୁ ଘରୁ ତୋଳି ଆଣିଥିଲି, ଏ ବୁଢ଼ା ବୟସରେ ଭରସାରଖି କାରିଗର ଭାଇମାନେ ଆସିଥିଲେ । ଏବେ ତମକୁ ଛାଡ଼ିବି କେମିତି ।

 

ଆଉରି ଥରେ ଘୋଷଣା କରୁଛି “ବାରଶହ ଭାଇ ପାଇଁ ପୁଅ’ର ମୃତ୍ୟୁ ମୁଁ ଚାହେଁ ।”

 

ସାବାସ୍, ସାବାସ୍ କାରିଗର ଶ୍ରେଷ୍ଠ ବିଶୁ ମହାରଣା ।

 

ଧରମା କାନରେ ସବୁ ପଡ଼ିଲା । ତେବେ କ’ଣ ଏତେ ସବୁ ଡାକରା, ଆନନ୍ଦର ନୁହେଁ, ସୁଖର ନୁହେଁ । କି କାରଣରୁ ତାଙ୍କୁ ମରିବାକୁ ହେବ । ଛୋଟ ବୟସର ଛୋଟ ମୁଣ୍ଡରେ ପଶିଲା ନାହିଁ କିଛି । ଆଉ ତଳକୁ ଓହ୍ଲାଇବାକୁ ମନ ବଳିଲା ନାହିଁ ।

 

ପାଟି କରି କହିଲା-ମୁଁ ସବୁ ଶୁଣିଲି । ଜାଣିପାରେ କି ଧରମାର କେଉଁ ଅପରାଧ ପାଇଁ ସେ ମୃତ୍ୟୁଦଣ୍ଡ ପାଇବ ?

 

କେହି ଜଣେ ଉତ୍ୟକ୍ତ କାରିଗର କହିଲା । ଶୁଣ ତେବେ ରାଜାର ଆଦେଶ ଥିଲା, ଯଦି କୋଣାର୍କର ମୁଣ୍ଡି ନ ମରେ ଆଜି ପ୍ରଭାତରେ ସମସ୍ତ କାରିଗରଙ୍କ ମୁଣ୍ଡ କାଟ ହେବ ।

 

ବେଶ୍ ତ’ ମରିଗଲା ।

ଯେତେବେଳେ ରାଜା ଜାଣିବେ ଜଣେ ବାରବର୍ଷର ବାଳକ ଦ୍ଵାରା ଏହା ସଂଭବ, ଆମପରି କାରିଗରଙ୍କର କି ପ୍ରୟୋଜନ ଅଛି ଏ ରାଜ୍ୟରେ । ରାଜା ଚାହାନ୍ତି, ରାଜ୍ୟ ଚାହେଁ କିର୍ତ୍ତୀ । ସାରା ବିଶ୍ଵରେ କର୍ତ୍ତୀର ନାଗରା ବାଜୁ । ଯେ କର୍ତ୍ତୀର ସ୍ରଷ୍ଟା ସେହି ଏ ମାଟିର ଯୋଗ୍ୟ ସନ୍ତାନ । ଆଉ ରାଜାଙ୍କର ପ୍ରିୟଜନ ।

ସେଥିରେ କ୍ଷତି କ’ଣ ? ଏ କାରିଗର କୁଳର ଜଣେ ପିଲା ତ ମୁଁ ତାଙ୍କରି ପୋଥିର ଶିକ୍ଷା, ତାଙ୍କର ସନ୍ତାନ ମୁଁ । ତେବେ ଆମପରି ଅପଦାର୍ଥମାନଙ୍କଠାରୁ ଅଧିକ କିଛି ଆଶା କରାଯାଇ ନ ପାରେ । ଆମ ସମସ୍ତଙ୍କର ମୁଣ୍ଡ କାଟ ହେଲେ ଗୁଡ଼ିଏ ଅପଦାର୍ଥଙ୍କ ମୁହଁର ଦାନା ବଳିବ ।

ମୁଁ ମଲାପରେ ଯଦି ରାଜା କୌଣସି କାରଣରୁ…. ଜାଣିପାରେ.....ଯେ.… କ’ଣ ଜାଣିବ-?

ମୁଁ ଦେଉଳର ମୁଣ୍ଡି ମାରିଛି । ତୁମେ ମାନେ ନୁହେଁ ! ତେବେ କ’ଣ ମୁଣ୍ଡ କାଟ ହେବ ନାହିଁ । ବରଂ ଏକ ଦରଫୁଟିଲା କଳିକାକୁ ହତ୍ୟା ଅଭିଯୋଗରେ ସମସ୍ତେ ଅଭିଯୁକ୍ତ ହେବ । ଦଣ୍ଡ ଆହୁରି କଠୋର ହେବାର ସଂଭାବନା ରହିଛି ।

କ’ଣ ସମ୍ଭବ ଅସମ୍ଭବ ତୋଠାରୁ ଶୁଣିବାକୁ ଆମେ ଚାହୁଁନା । ଆମେ ନିଜ ମୁହଁରେ ଲଜ୍ଜା ଘୋଡ଼ାଇବା ପାଇଁ ଚାହୁଁ ତୋର ମୃତ୍ୟୁ । ଶୀଘ୍ର ଓହ୍ଲାଇଆ । ରାତି ପାହିଗଲାଣି, ରାଜା ସ୍ଵୟଂ ବିଜେ କରିବେ ଏଠି ।

 

ପିତା, ଆପଣଙ୍କର ଏଥିରେ ସମ୍ମତି ଅଛି । ଆପଣ କ’ଣ ଚାହାନ୍ତି ମୁଁ ବେଶ୍ ବୁଝିପାରିଛି-। ବାରଶ ଭାଇଙ୍କର ସମ୍ମାନ ନାଁ ଜୀବନ ରକ୍ଷା ।

 

ଯଦି ଜୀବନ ରକ୍ଷା ଚାହୁଁଥାନ୍ତି ହୁଏତ ମୁଁ ରାଜାଙ୍କଠାରୁ ଏତିକି କ’ଣ ମାଗି ଆଣିପାରିବି ନାହିଁ ? ଯେ ରାଜା, ଏଡ଼େ ଉଦାର ଏତେ ରାଜକୋଷ ଅକାତରେ ଅଜାଡ଼ି ଦେଲାପରେ, ଧରମ ପାଇଁ ମନ୍ଦିର ତୋଳେ ସେ କ’ଣ ଗୋଟିଏ ଶିଶୁ ଶିଳ୍ପିର ମାଗୁଣି ଏଡ଼ିଦେବ ?

 

କଳରବ, ପୁଣି ବଢ଼ିଗଲା । ଆରେ ଏ ଟୋକାର ଜୀବନ ପ୍ରତି ଭାରୀ ମମତା । ଏ ସହଜରେ ସରିବାକୁ ରାଜି ହେବନାହିଁ । ଅହଂକାର, ଗର୍ବରେ, ସେ ଫାଟିପଡ଼ୁଛି, ଆମପ୍ରତି କରୁଣା, ପ୍ରଦର୍ଶନ କରିବା ଆରମ୍ଭ କଲାଣି । ବେଳ ଉଛୁର ହେଉଛି ‘ଧରିଆଣ ଧରିଆଣ ତାକୁ, ଗୋଡ଼ ଧରି ଟାଣିଆଣ ତାକୁ । ଏକ ସମୟରେ ଥୋକେ ଡେଇଁପଡ଼ି ଗୋଡ଼ଟାକୁ ଧରିଦେଲେ । ଦେଉଳଟାକୁ କୁଣ୍ଢାଇ ଧରିଥାଏ ଧରମା । ଛାଡ଼ ଛାଡ଼ ମତେ......ମୁଁ ଭୀରୁ ନୁହେଁ, ମୃତ୍ୟୁ କାତର ନୁହେଁ, ଏପରି ଏକ ଅସହିଷ୍ଣୁ ଅସମ୍ମାନ ଜନକ ପରିସ୍ଥିତି ଭିତରେ ବଞ୍ଚିବାର ଇଚ୍ଛା ନୁହେଁ ।

 

ଆଃ, ସୂର୍ଯ୍ୟ ଉଇଁଆସିଲେ, ପୁରୁବ ଦିଗରେ ସିନ୍ଦୂର, ଫାଟିଲା । ସମସ୍ତଙ୍କ ଦୃଷ୍ଟି ସିଆଡ଼େ ଟାଣି ହୋଇଗଲା ଗୋଡ଼ଖସାଇ ଦେଲା ଧରମା ।

 

ତାକୁ ମରିବାକୁ ହିଁ ହେବ । ଭୀରୁ ପରି ନୁହେଁ, ବୀର ପରି, ଅନ୍ୟର ହାତରେ ନୁହେଁ, ସ୍ୱେଚ୍ଛାକୃତ ଭାବରେ ।

 

ଶୁଣ ପିତା ଶୁଣ ଶିଳ୍ପିଗଣ, ମୁଁ ସ୍ଵଚ୍ଛା ମୃତ୍ୟୁବରଣ କରୁଛି । ଏଇଯେ ନିଶ୍ଚଳ ମହୋଦଧି ତା’ର କୋଳରେ ମୁଁ ବିଶ୍ରାମ ନେବି, ଚିରଦିନ ବଂଚି ରୁହ ତୁମେ ବଂଚି ରହୁ କୋଣାର୍କର କୀର୍ତ୍ତୀ ।

 

ବଳିଆରେ କାନ୍ଦନା ଆଉ, ଫେରିଯିବୁ, ମା’ଙ୍କୁ କହିବୁ ପିତା ପୁତ୍ରର ଭେଟହେଲା । ପୁତ୍ରର ପରିଚୟ ବେଳେ, ପିତା ନୁହନ୍ତି ସାରା ଶିଳ୍ପିକୁଳ ସାଥେ ଜଗତ ଜାଣିଲା । ଆଉ ମୋର ଶେଷ, ପ୍ରଣାମ ଜଣାଇଦେବୁ । ପଶୁ ତୁ, ଜଗି ଜଗି ବାଟକଢେଇ ଆଣିଥିଲୁ । ତୋ ପାଖରେ ୠଣି ରହିଗଲି । ପୁଣି କେବେ ଭେଟ ହେବ...ଯାଉଛି ।

 

ବିଦାୟ..ବିଦାୟ ପିତା ବିଦାୟ କଳିଙ୍ଗ ଶିଳ୍ପି । ଦଧିନଉତିକୁ ହାତରେ ସାଉଁଳି ଆଣି ମନ୍ଦିରକୁ କୋଳ କଲା ଧରମା । କୁନି କୁନି ନରମ ହାତର ପରଶରେ ପାଷାଣର ହୃଦୟ ଚହଲି ଉଠିଲା, ନୂଆକରି ଖଞ୍ଜା ଯାଇଥିବା ଦଧିନଉତି ଦୋହଲି ଗଲା । ତା’ ପରେ…ଦଧିନଉତି ଉପରୁ ଲମ୍ଫ ଦେଲା ସମୁଦ୍ର ବକ୍ଷକୁ । ଏବେ କି ଭୟଙ୍କର ସମୁଦ୍ରରୂପ । ସତେ ଯେପରି ଆସିଥିଲା କୋଳେଇ ନେବାକୁ । କୋଳେଇନେଇ ଦୂରେଇଗଲା ।

 

ଏବେ…ଏ କ’ଣ ଦେଖୁଛି । ଦଧିନଉତି ଦୋହଲି ଗଲା । ପିଲାଟା ସମୁଦ୍ର ଗର୍ଭକୁ ଡେଇଁଛି । ଆଉ ଗୋଟାଏ କୁକୁର ତାଙ୍କର ଆଡ଼କୁ ଅନାଇ ଭୋ….ଭୋ... ରଡ଼ିଛାଡ଼ି ସମୁଦ୍ରକୁ ବି ଡେଇଁପଡ଼ିଲା ।

 

ମା’ କୋଳରୁ ଆସିଲାବେଳେ ଯାହା ସବୁ ଶୁଣୁଥିଲି ତାହା କ’ଣ ସତ୍ୟ । ମୁଣ୍ଡି ମାରିଥିବା ବାଳକ ଧରମା ମୃତ୍ୟୁବରଣ କଲା ଅହଂକାରୀ ଶିଳ୍ପୀ ବୃନ୍ଦ, ନିଶହାୟ ପିତାଙ୍କର ପରୋକ୍ଷ ଶିକାର ହେଲା । ମନ୍ଦିର ଅପବିତ୍ର ହେଲା । ଆଉ ସେଥିରେ ପୂଜା ପାଇବା ଶାସ୍ତ୍ରସମ୍ମତ ନୁହେଁ ରାଜାଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ । ରଥରେ ଆରୋହଣ କରିବାର ସମସ୍ତ ସ୍ଵପ୍ନ ହଜିଯାଇଛି । ଧର୍ମଦେବ କମ୍ପିବାରେ ଲାଗିଲେ କମ୍ପିଲା ଭୂଇଁ । ଶିଳ୍ପୀଗଣ ଚାହିଁଲେ କାଳସୂର୍ଯ୍ୟ ଚିତ୍‌କାର କରି କହୁଛି ଶୁଣରେ ଅହଂକାରୀ ଶିଳ୍ପୀଗଣ, ଅସହାୟ ପିତା ମଧ୍ୟ ଶୁଣ, କୋଣାର୍କର କାରୁକାର୍ଯ୍ୟ ପାଇଁ ରାଜାଠାରୁ ପ୍ରଶଂସା ପାଇପାର । ଯୁଗେ ଯୁଗେ ‘କଳା’ର ପ୍ରଶଂସା ମିଳୁ । ମାତ୍ର ସବୁ ଅପକର୍ମ ଧର୍ମକୁ ହିଁ ଗୋଚର । ଅଲଙ୍ଘ ଅକାଟ୍ୟ ଅଭିଶାପର ବାଣୀ ଝରିପଡ଼ିଲା ।

 

୧–କୋଣାର୍କ ହେଉ କଳିଙ୍ଗ ଶିଳ୍ପୀର ଶ୍ରେଷ୍ଠ ଆଉ ଶେଷ କିର୍ତ୍ତୀ ଯାହାକୁ ନେଇ ଏ ଜାତି ବିଶ୍ଵଦରବାରରେ ଗର୍ବ କରିବ ।

 

୨–ଏ ଜାତିର ବଂଶଧର ଗୋଡ଼ଟଣା ଜାତିଭାବେ ସମଗ୍ର ବିଶ୍ୱରେ ଅପକ୍ଷାତି ଲାଭକରୁ-

 

୩–ଏ ରଥର ଚକ ଘୂରିବନି ଘୋଡ଼ା ଧାଇଁବନି ଯୁଗେ ଯୁଗେ ପଡ଼ିଥାଉ ବାଲୁକା ଶଜ୍ୟାରେ ।

 

ଲୁଚି ରହେ ନାହିଁ ସତ୍ୟ ଚିରଦିନ

କାଳେ ହୁଏ ତା’ ବିବୃତ୍ତି

ନାହିଁ ଧର୍ମପଦ ଭାଙ୍ଗିଛି ଦେଉଳ

ଅଛି ଏବେ ଜନଶୃତି, I ଗୋପବନ୍ଧୁ

Image

 

ପୁନର୍ଜନ୍ମ

 

ଘିନୁଆଁ ?

 

ହଁ ବାବୁ ଘିନୁଆଁ ! ମତେ ଚିହ୍ନିପାରିଲ ? ଭାବିଥିଲି ଭୁଲିଯିବଣି । ମୁଁ ହେଉଛି ସେହି ଆଦିବାସୀ ଭେଣ୍ଡା । ଅତ୍ୟାଚାରୀର କଟାମୁଣ୍ଡ ନେଇ ସାହେବ କଚେରୀରେ ଦେଇଥିଲି ।

 

ଓଃ ତୁ ପୁଣି ଜନ୍ମନେଲୁ ?

 

ହଁ ପଦାକୁ ଆସିନଥିଲି ଏବେ ଯୁଆନ ଭେଣ୍ଡାହେଲି ପଦାକୁ ଆସିଲି । ମାଇପ ପାଇଁ ମରିଥିଲି । ମା’ ରହିଯାଇଥିଲା । କୁହତ ଦେଖି ବାବୁ, ଯିଏ ତୁମକୁ ଜନ୍ମଦେଲା ଛାତି ଦୁହିଁ କ୍ଷୀର ଦେଲା, କୋଳରେ ଏଡ଼ୁଟିରୁ ଏଡ଼ୁଟିଏ କଲା, ତା’ ଉପରେ କେହି ଅତ୍ୟାଚାର କଲେ-ତମେ ଧୈର୍ଯ୍ୟ ଧରି ବସିପାରିବ । ନା’ ପାରିବନି । ବଳଥାଉ ନଥାଉ, ଧାଇଁଯିବ…

 

କିଏ ତୋ ମା’ ଉପରେ ଅତ୍ୟାଚାର କଲା ? ଆଉ କିଏ ବାବୁ, ତମେ ଭଦ୍ରଲୋକ ଦଳ । କ’ଣ କହୁଛୁ ତୁ । ଆମେ ସବୁ ତୋ ମା’ ଉପରେ ଅତ୍ୟାଚାର କରୁଛୁ ।

 

ହଁ ହଁ ତମେ ଭଦ୍ରଲୋକ ଦଳ । ଛି, ଛି, ଲାଜ ଲାଗୁନି । ଯିଏ ତୁମକୁ ଖୁଆଇବା ପାଇଁ ଥନରେ କ୍ଷୀର ସାଇତି ରଖିଛି । ପଶୁ ପ୍ରକୃତି ନେଇ ତାକୁ କ୍ଷିନ୍ନ ଭିନ୍ନ କରୁଛ । କେତେ ସୁନ୍ଦର ମା’ ମୋର’ ପୂରିଲା ପୂରିଲା ଦେହ ଥିଲା । କୋଳରେ ବସିଗଲେ ଆନନ୍ଦରେ ମନ ଭରି ଉଠୁଥିଲା । ଆଉ ଆଜି ହାଡ଼ ଚମର ଦେହ ଖଣ୍ଡେ । ଏଇ କେଇଟା ବର୍ଷ ଭିତରେ ଶୁଖେଇଦେଲ ତାକୁ । ମୋ ମା’ ନ ବଞ୍ଚିଲେ ଆମକୁ କିଏ ବଞ୍ଚାଇବ । କୁହବାବୁ ଚୁପ୍ ରହିଲ କାହିଁକି ?

 

ତୁ କ’ଣ ପାଗଳ ହୋଇଗଲୁ । ତୋ ମା’ କିଏ ? ଆମେ ବା କାହା ଉପରେ କାହିଁକି ଅତ୍ୟାଚାର କରିବୁ ।

 

ମା’କୁ ଚିହ୍ନିପାରୁ ନାହଁ ? କୁଆଡ଼େ ଆସିଛ ଦଳବାନ୍ଧି ?

 

ଆସିଥିଲୁ ସରକାରୀ ଆୟବ୍ୟୟ ହିସାବ ଦେଖିବା ପାଇଁ ଗତବର୍ଷ ତୁଳନାରେ ଏ ବର୍ଷ ଜଙ୍ଗଲର ଆୟ କମି ଗଲାଣି, କାରଣ କ’ଣ ଜାଣିବା ପାଇଁ କ’ଣ ଦେଖିଲେ ?

 

ଦେଖିବୁ ଆଉ କ’ଣ । ଏ ବର୍ଷ ବାଉଁଶ ଆଉ ସବାର ଘାସ ବାବଦରେ ଆୟର ସମ୍ଭାବନା କମ । ସେ ସବୁ ପ୍ରାୟ ଶେଷ ହୋଇଗଲାଣି, କାଠଗଣ୍ଡି ସବୁ ଭିତର ଜଙ୍ଗଲରେ କଟାହୋଇ ପଡ଼ିଛି । ରାସ୍ତା ନଥିବାରୁ ବିକ୍ରି ପାଇଁ ନିଆଯାଇ ପାରୁନାହିଁ ।

 

କାଠସବୁ ନବାପାଇଁ କି ବ୍ୟବସ୍ଥା ଗ୍ରହଣ କଲ ! ଚଳିତବର୍ଷ ଆଦିବାସୀ ଉନ୍ନୟନ ବାବଦରେ ଯେଉଁ ଅଟକଳର ବ୍ୟବସ୍ଥା ଅଛି ସେଥିରେ ରାସ୍ତାଘାଟ ଅଗ୍ରାଧିକାର ଭିତ୍ତିରେ ରଖାଯିବା ପାଇଁ ନିଷ୍ପତ୍ତି ହେବ । ତେବେ ଯାଇ ଜଙ୍ଗଲଜାତ ଦ୍ରବ୍ୟର ଠିକ୍ ସମୟରେ ବ୍ୟବହାର ହୋଇପାରିବ-। ଅଜଥା କାଠ ସବୁ ମାଟିରେ ପଡ଼ି ଖତ ହେବାକୁ ଦିଆଯିବ ନାହିଁ ।

 

ଚମତ୍‌କାର ପରିକଳ୍ପନା ।

 

ଆଠାରୁ ଅଧିକ କ’ଣ କରାଯାଇ ପାରିଥାଆନ୍ତା । ବନ୍ଦ କରନ୍ତୁ ବାବୁ, ଆପଣଙ୍କର ପାରିବାର ପଣ ଏତିକିରେ ଥାଉ । ଏଇ ହେଉଛି ମୋର ମା’, ପାହାଡ଼, ଏଇ ଜଙ୍ଗଲ, ଏଇ ମାଟି ଏଇ ପାଣି ପବନ ମୋର ମା’ ଯାହା ଦେହର ରଙ୍ଗ ଟିକକ ଛଡ଼ାଇ ଦେବାକୁ ଆପଣ ଏତେ ବ୍ୟଗ୍ର । ଆଉ କ’ଣ ଅଛି ତା’ ଦେହରେ ? ତମ ଅତ୍ୟାଚାରରେ ସେ କ୍ଷତବିକ୍ଷତ । ଓଃ ଏଇଥିପାଇଁ ତୁ ଏତେ ବ୍ୟସ୍ତ । ଆରେ ଘୁନିଆ ତୋ ଭାଇମାନଙ୍କୁ କହୁନୁ, ଯାଇ ମା’କୁ ଟିକିଏ ଯତ୍ନରେ ରଖିବେ । ପୋଡ଼ୁ ଚାଷ କର ଠା’କୁ ଠା’ ଜଙ୍ଗଲ ପଦାକରିଦେଲେଣି । ଆଉ ସେଠି ଘାସ ବି କଅଁଳିବ ନାହିଁ ।

 

ସେଥିରେ ତାଙ୍କର ଦୋଷ କ’ଣ ? ଗଛସବୁ କଟା ହୋଇଗଲା ପରେ ଏ ମାଟି ଉର୍ବର ହେବ କେମିତି । ସାର ଆସିବ କେଉଁଠୁ । ମିରିଗଟାଏ କି ହାତୀଟାଏ ଜଙ୍ଗଲରେ ନାହିଁ । ପଶୁ ଜନ୍ତୁ ମଳଛାଡ଼ୁଥିଲେ ମଳରୁ ଗଛସାର ସଂଗ୍ରହ କରୁଥାଏ । କୋଉଠି କେମିତି ପଶୁଟାଏ ମରିଗଲେ ଜମିପାଇଁ ସାର ହୁଏ ତା’ ଦେହର ହାଡ଼ମାଂସ । ବୁଝୁଛନ୍ତି ମା’କୁ ଚିର ସୁନ୍ଦର କରି ତା’ କୋଳରେ ବଢ଼ିବାରେ ସନ୍ତାନର କି ଦାନ । ପଦା ହୋଇ ଆସୁଥିବା ଟାଙ୍ଗରା ଭୂଇଁକୁ ଖାଲି ଅନାବନା ଘାସ ବଢ଼ିବା ପାଇଁ ଛାଡ଼ିଦେବା ଅପେକ୍ଷା ମକା ଦିଟା, ସୁଆଁ ପୁଳାଏ କି ମାଣ୍ଡିଆ କେରାଏ କରିବା ପାଇଁ ମନବଳାଏ ଏ ମୁଲକର ମଣିଷ ।

 

ତମେ ତ ଜଙ୍ଗଲ ପଦାକଲ । ସଳପ ଗଛଟାଏ ବି ଉଧଉ ନାହିଁ । ପଶୁମାନେ ଦେଖିବାକୁ ସପନ ହେଲେଣି । ଫଳମୂଳ ଦିଟା ସାଉଁଟିବାକୁ ମିଳୁ ନାହିଁ । ସେ ଖାଇବ କ’ଣ ।

 

ପେଟ ବିକଳରେ ସୁଖିଯାଇଥିବା ସ୍ତନଦିଟାକୁ ଧରି ଝୁଣିଦେଉଛି । ମା’ ଉଃ କହିଲେ ସେ ଛାଡ଼ିଦେବ । ଭାରୀ ଭୟାଳୁ ମଣିଷ ଏମାନେ ମା’କୁ କି ଭଲପାଆନ୍ତି ।

 

ଛାଡ଼ି ଦିଅ ମା’କୁ ଖିନ୍ନ ଭିନ୍ନ କରନାହିଁ । ମା’ ସମସ୍ତଙ୍କର ମା’ । ଆମକୁ ଜନ୍ମଦେଲା ବୋଲି ସେ ତମପାଇଁ ମାୟାମମତା ‘ତା’ ମନରେ ନାହିଁ ତା’ ନୁହେଁ । ସେ ତମକୁ ବି ଭଲପାଏ ।

 

ଦେଖ ଭଦ୍ରଲୋକ । ଏ ମା’ର ପ୍ରେମ ଗରିୟାନ । ପୁତ୍ର ମରିଗଲେ ତା’ର ମୃତଦେହ ଶଢ଼ିଯାଏ । ଜନ୍ମକଲା ମାତା ତା’କୁ କ’ଣ କୋଳରେ ଧାରଣ କରେ । ମାତ୍ର ଏ ଯେଉଁ ମା’ ତାକୁ ଫିଙ୍ଗି ନଦେଇ ଆପଣା କୋଳରେ ଧାରଣ କରିଛି ।

 

ଛାଡ଼ିବନି । ଯଦି ଅତ୍ୟାଚାରରେ ମା’ ଅତିଷ୍ଠ ହୁଏ ଅଭିଶାପ ଦେବ । ଭଦ୍ରଲୋକ ଦଳଙ୍କର ଜୀବନ ଦୁର୍ଦିସହ ହୋଇଉଠିବ । ନିଶ୍ଵାସ ପ୍ରଶ୍ଵାସ ବନ୍ଦହେବ । ପାଣି ମୁନ୍ଦେ ପିଇବାକୁ ପାଇବ ତ । ଘୂର୍ଣ୍ଣିବାତ୍ୟା ପ୍ରଳୟରେ ତମେ ସବୁ ଧ୍ୱଂସ ହୋଇଯିବ । ବଞ୍ଚିବାର ରାହାଟିକକ ଛାଡ଼ି ମରିବାପାଇଁ ଆଉ ଆଗାଅ ନାହିଁ ।

 

ଚମତ୍‌କାର, ତୁ ତେବେ କାହିଁକି ଜନ୍ମନେଲୁ । ମା’ର ଅଭିଶାପ ଯଦି ଆମକୁ ‘ଧ୍ଵଂସ’ କରିବ । ତୁ ଏତେ କଷ୍ଟ କରି କାହିଁକି ଫେରିଲୁ ।

 

ମୋ କଥା ତମକୁ ପସନ୍ଦ ଆଶୁନାହିଁ । ତେବେ ଶୁଣ । ମୋ ଭାଇମାନେ ଯଦି ଏହାର ପ୍ରତିବାଦ ପ୍ରତିରୋଧ ନ କରନ୍ତି । ସେମାନେ ଅଭିଶାପରେ ଧ୍ଵଂସ ପାଇବେ । ସେ ପୁଅ ମା’ର ମର୍ଯ୍ୟାଦା, ରଖି ନ ପାରିଲା, ମା’ ପାଖରେ ତା’ ପାଇଁ ବାତ୍ସଲ୍ୟ ମମତା ରହିବା ନ ଯୋଗାଏ ।

 

ତେବେ ତୁ ଏବେ କରିବୁ କ’ଣ ? ଆଉ କ’ଣ କରିବି ଘିନୁଆ ଗୋଟାଏ ଅତ୍ୟାଚାରୀର ମୁଣ୍ଡକୁ ନେଇ ହାଜର ହୋଇଥିଲା ଗୋରା ସାହେବର ଇଜଲାସରେ । ସେଥିରେ ଦେଶ ଚମକିଥିଲା-। ଆଜି ଅତ୍ୟାଚାରୀର ସଂଖ୍ୟା ଏକନୁହେଁ ଅନେକ । ସେତେବେଳେ ଅତ୍ୟାଚାରୀର ଲୋଲୁପ ଦୃଷ୍ଟି ଥିଲା ମୋ ସ୍ତ୍ରୀ ଉପରେ । ବର୍ତ୍ତମାନ ଅତ୍ୟାଚାରୀର ଦୃଷ୍ଟି ପଡ଼ିଛି । ଆମ ମା’ ଉପରେ-

 

ତୁ ଏକା ଜିଦ୍‌ଖୋରିଆ ଥିଲୁ । ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ଭୟ ନଥିଲା । ହେଲେ ଆ ଭିତରେ ଦେଶ ଆଗେଇ ଯାଇଛି । କେତେ ଆଦିବାସୀ ଯୁବକ, ଯୁବତୀ ବଡ଼ ବଡ଼ ଚାକିରିରେ ମୁକରିର ହେଲେଣି । ସେମାନଙ୍କ ପାଇଁ ସବୁକ୍ଷେତ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ତା’ର ଲୋଭଛାଡ଼ି ତୋ ସାଙ୍ଗରେ କେହି ଆସିବେ ନାହିଁରେ । ଡାକି ଡାକି ତଣ୍ଟି ବସିଯିବ ।

 

ଭୁଲ୍ । ସମସ୍ତେ ବୁଝିଲେଣି ତମପରି ଭଦ୍ରଲୋକଙ୍କ କୌଶଳ, ବରଂ ଯେଉଁମାନେ ବାହାରେ ଯାଇ ଖଣ୍ଡେ ଖଣ୍ଡେ ଚାକିରି ପାଇଛନ୍ତି ଅତ୍ୟାଚାରୀର ସଂଖ୍ୟା ହିସାବ କରୁଛନ୍ତି । ଆଉ କେତେଦିନ ସେମାନେ ମେଣ୍ଟ ହୋଇ ମା’ ଗଛରେ ଚୋଟ ଦେବେ ।

 

ଆଉଯଦି ଦେଖିବାକୁ ଚାହୁଁଛ ଦେଖ । ଘିନୁଆ ବଡ଼ପାଟିରେ ଡାକ ପାତିଲା । ଆଦିବାସୀ ଭାଷାରେ ଡାକ । ଦଳକୁ ଦଳ ବୁଢ଼ାବୁଢ଼ୀ ଯୁଆନ ଭେଣ୍ଡା, ମାଇପେ, ପିଲା, ଛୁଟି ଆସିଲେ । ତାଙ୍କରି ଭିତରେ ଅଛନ୍ତି ଭୁବନେଶ୍ଵରରେ ଚାକିରି କରିଥିବା କେତେ ଚିହ୍ନାମୁହାଁ ହାତରେ ଖଣ୍ଡେ ଖଣ୍ଡେ ତେଣ୍ଟା, ପଥର, ଧନୁଶର ଗଗନ ପବନ ମୁଖରିତ କରି ଧାଇଁଛନ୍ତି । କୁହାଟ ଛାଡ଼ୁଛନ୍ତି-। ଜଙ୍ଗଲ ଭିତରୁ ଆଉଦଳେ ଧାଇଁଆସି ମିଶିଛନ୍ତି । ପୁଣି ସେମାନେ କୁହାଟ ଛାଡ଼ୁଛନ୍ତି-। ଆଉରି ପଲେ ଧାଇଁ ଆସୁଛନ୍ତି ।

 

ଉଚ୍ଚ ସ୍ୱରରେ ଗାଇ ଚାଲିଛନ୍ତି ।

 

ନିସୁନ୍‌ ମନ୍ଦିର ଦିଶୁନ୍, ନିମିନ୍ ବୁଗିନ୍ ଜିମୁନ୍

ନାବୁ ଜନମ ଦିଶୁନ୍ ଭଲା ମ’ଲା

ଲିଅର ଲଗର କେତେ ଦରବୁର କେତେ

ଦାଦ୍ ହାତ ତେନା ତାଲ୍ ମାଲା......

ହେଇ ଶୁଣ ଶୁଣ କ’ଣ ଗାଉଛନ୍ତି ସେମାନେ ।

ଆମର ଏଇ ସୁନ୍ଦର ଦେଶ ଆମର ଏଇ ସୁଦର ରାଜ୍ୟ ।

ଆମର ଏଇ ଜନ୍ମଭୂମି ଖୁବ୍ ସୁନ୍ଦର ଆମ ପାହାଡ଼ର

ପାଚେରୀ ଆମନଦୀର ଜଳ ଖୁବ୍ ନିର୍ମଳ ଓ ସୁନ୍ଦର....ହେଇ ସେମାନେ

ହାତ ହତିଆର ଧରି ପାଖେଇ ଆସିଲେ ।

ଆଉ ହବ ନାହିଁ

 

ଚମକି ଉଠିଲି ନିଦ ଭାଙ୍ଗିଗଲା । ଦେହଟା ସାରା ଝାଳେଇ ଯାଇଛି । ଗୋଟାପଣେ ଥରୁଛି । କେଡ଼େ କଦର୍ଯ୍ୟ ସ୍ଵପ୍ନ । ଆଲୁଅ ଲଗେଇଲି । ଅନ୍ୟପଟରେ ସହଯାତ୍ରୀ ବନ୍ଧୁ, ପଟ୍ଟନାୟକ ବାବୁ ଶୋଇଛନ୍ତି । ପାଣି ଗିଲାସକ ଧରି ଢୋକ ଢୋକ ପିଇଗଲି । ଜଙ୍ଗଲ ଘେରା ପାରଳାଖେମୁଣ୍ଡିର ଅତିଥିଭବନ ।

 

ଦେହଟା ଥରୁଥାଏ । ଚାରିଆଡ଼କୁ ଆଖିବୁଲାଇ ଆଣିଲି । ଆଲୁଅ ଲିଭେଇ ଶୋଇବାକୁ ଗଲି । ସ୍ନପ୍ନରେ ଏମିତି ଥରୁଛି । ସତରେ ଘିନୁଆଁ ଆସିଲେ......

Image

 

“ବୋଇତ ଦେଲୁଣି ମେଲି”

 

ଘନ ଘନ ଶଙ୍ଖ, ହୁଳହୁଳିରେ ସ୍ଥାନଟି କମ୍ପିଉଠିଲା । ଅତିଥିବର୍ଗଙ୍କୁ ମଣ୍ଡପ ଉପରକୁ ପାଛୋଟି ନେଲେ ଆୟୋଜନକାରୀ ବଡ଼ପଣ୍ଡାମାନେ । କରତାଳିରେ ଉଛୁଳିଉଠିଲା ସଭାସ୍ଥଳୀ । ଯଥାରିତ ସଭାପତି ମନୋନୟନ ଓ ପରେ ପରେ ସଭାକାର୍ଯ୍ୟ ଆରମ୍ଭର ବିଧି ସମାପନ ଅନ୍ତେ ମୁଖ୍ୟ ଅତିଥି ମନ୍ତ୍ରୀ ମହୋଦୟଙ୍କର କହିବାର ପାଳି ଆସିଗଲା । ଭାରୀ ଗୋଟିଏ ଖୁସି ବାସୀଆ ମନ୍ତ୍ରୀ । ସଭାରେ କହି କହି ହସେଇ ହସେଇ ଗଡ଼େଇ ଦିଅନ୍ତି । ସେଥିପାଇଁ ମନ୍ତ୍ରୀଙ୍କୁ ସବୁଠୁ ଡାକରା ମନ୍ତ୍ରୀବି ଭାଷିବାରେ ବଡ଼ ଆଗ୍ରହୀ । ତାଙ୍କ ଭାଷଣ ଶୁଣି ଶ୍ରୋତାଗଣ ବାହା ବାହା କହୁଛନ୍ତି ଶୁଣିଲେ ଛାତି ତାଙ୍କର କୁଣ୍ଢେମୋଟ ଏପରି କହିବା ଲୋକେ ମନ୍ତ୍ରୀଙ୍କ ବହୁତ ଯୁଟିବାର ଦେଖାଯାଏ କହିଲେ ।

 

ଭାଇମାନେ !

 

ଉପରେ କାହା ନାଁ ଧରି କହିବି ବା । ତେତିଶି କୋଟି ଦେବା ଦେବୀ ଏଠି ଅଛନ୍ତି । ସ୍ଵୟଂ ମହାଦେବଙ୍କୁ ଆଜି ଏଠି ବରଣ କରଯାଇଛି ଯେ ତାଙ୍କୁ ପୂଜେ ଅସୁର ହେଲେ ବି ବରପାଏ । ମୁଁ ପରା ନିଜେ ଶୁଣିଛି ଲୋକେ କୁହାକୁହି ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀଙ୍କ ଯିଏ ମନପ୍ରାଣ ଦେଇ ପଡ଼ିଏ ଡାକିଛି ସେ ବରପାଏ । ମହାଦେବଙ୍କ ପୁଅ ପେଟା ଗଣେଶ । ଆଉ ଆମ ଗ୍ରାମ ଓ ସ୍ୱୟଂ ବୃଷଭ । ଆରେ ପଶୁ ଡାକ୍ତର ନାଁ ସେଇଥିପାଇଁ କହିଦେଲି । ସେ ଗୋଟାଏ ସତରେ ବୃକ୍ଷର ବା । ବୋହିତ ଆଣିଛି ସବୁ ଆଉ ଆଉମାନେ । ଆମପାଇଁ ଏ ଗୋଟାଏ ଭଲ ଲଗନ । କୋଉ ଦିନ କିଏ ଏ ରାଇଜରୁ ବୋଇତ ନେଇ ଯାଉଥିଲେ କେଜାଣି ତାଙ୍କୁ ମନେପକାଇବା ପାଇଁ ଆମେ ଏ ପରବ ପାଳନ କରୁଛୁ । ଏମିତି ମନେ ପକଉଛୁ ଯେ ଆମ ଘରଣୀଏ ସକାଳୁ ଆଉ ରଖେଇ ଥୋଇ ଦେଉ ନାହାନ୍ତି । ଖାଲି ଉଠୁ ପଡ଼ ଉଠୁ ପଡ଼ । କାଗଜ ଡଙ୍ଗାଟିଏ ଧରି ଆମ ବାରିପଟ ପୋଖରୀରେ ଛାଡ଼ିଦେଇ ଆସିଲେ ଯେମିତି ସବୁ ଜିନିଷ ଘରକୁ ବୁହା ହୋଇଗଲା । କିହୋ କାହିଁକି ଡଙ୍ଗା ଭସାଇଲ କିଛି ଜାଣିଛ । ସେଥିରୁ କିଛି ବୁଝିଛ କିଛି ଶିଖିଛ । ତମେ କୁଳଭୁଷଣୀଏ କ’ଣ ଜାଣ । ଖାଲି ମାଧିଆ ଭାଇ ନା ମାଧିଆ ସାଙ୍ଗରେ ସଭିଏଁ ବାଇ ତମ ମରଦତ ହେଇଟି ଭୁବନେଶ୍ୱରରୁ ଟିକିଏ ଯାଯପୁର କି ମାର୍ଶାଘାଇ ବଦଳି ହୋଇଗଲେ ଏଣୁତେଣୁ ଗୋଟାଏ କାହାକୁ ଧରି ଦୌଡ଼ ମନ୍ତ୍ରୀ ଘରକୁ, ଏମ୍.ଏଲ୍.ଏ. ଘରକୁ ସକେଇ ହୁଅ । ବଢ଼ି ସେଠିକି ଆସିବ । କେମିତି ମିଣିପିଟା ସେ ରାଇଜରେ ଚଳିବ ଜମାତ ହେବ ନାହିଁ । ଇଏ ପୁଣି ସାଧବ ପୁଅଙ୍କୁ ମନେପକେଇବେ । ତାଙ୍କ ଛାତି ତମର ଅଛିନା । ଯେଉଁମାନେ ଗେରସ୍ତ-ଦିଅର-ଦେଢ଼ଶୁରଙ୍କୁ ଡଙ୍ଗାରେ ବସେଇ ସମୁଦ୍ର ଭିତରକୁ ଠେଲି ଦେଉଥିଲେ ତାଙ୍କ ଦମ୍ଭ ଆଉ ତେମେ-ଯିଏ ଚଢ଼ି ଆସିବ ବୋଲି ଗେରସ୍ତକୁ ଆମର ଏଇ ରାଜନଗର ପଠାଇବାକୁ ରାଜି ନୁହେଁ । ନାଇଁ ବା ତେମେ, ଯିମିତି ଗେରସ୍ତ ସୁଆଗୀ ସିଏବି କ’ଣ ନଥିଲେ ।

 

ଆଉ ଆମର ଏ ପାରାଦ୍ଵୀପ । ଏଠି ଆଜି କେତେ ଲୋକ ଏକାଠି ହୋଇଛନ୍ତି । ଏଠୁ କାଗଜ ଡଙ୍ଗା କି କଦଳୀ ଘୋଡ଼ି ଡଙ୍ଗା ଯାଉନାହିଁ । ସତି ସତିକା ଡଙ୍ଗା ଯାଉଛି । କେତେ ବଡ଼ ବଡ଼-। କଳା ଧୂଆଁ । ଉଡ଼େଇ ଉଡ଼େଇ ଚାଲିଯାଉଛି । କାଲି ରାତିରେ ହେଇ ତା’ର ଭିତରକୁ ଅନେଇଦେଲି । ସମୁଦ୍ର ଭିତରକୁ ହାତ ଦେଖେଇ ମନ୍ତ୍ରୀ ମହାଶୟ କହିଲେ । ସମୁଦ୍ର ଭିତରେ ସତରେ ଯେମିତି ଗୋଟାଏ ସହର, ଜୁକୁ ଜୁକୁ ଆଲୁଅ ଜଳୁଛି । ଦାନ୍ତ କେରାକ ଦେଖେଇ କହୁଛି ମୁଁ ଯାଉଛି, ମୁଁ ଯାଉଛି । ସେ କାଗଜ ଡଙ୍ଗାରେ କ’ଣ ଆମ କରମ ପୂରିବ । ଲୋକେ ଚନ୍ଦ୍ର ଲୋକରେ ପହଞ୍ଚିଲେଣି । ଗୋଟେ ମାଇପିଟାଏ ରକେଟରେ ବସି ସେଠିକି ଯାଇଥିଲା । ଆଉ ଆମ ମାଇପେ ଥିରି ଥିରି ଗୋଡ଼ ବୁଡ଼େଇ ଆସ୍ତେକିନି କାଗଜ ଡଙ୍ଗାଟା ଘର ପୋଖରୀରେ ଭଷେଇ ଦେଇ ନାଚୁଛନ୍ତି ।

 

ଆଜି ଯୋଉ ଆମେ ଏକାଠି ହୋଇଛେ କିମିତି ହେଲା । ସେଇ ଲୋକଟା ବହକାଲିଆ-। ରାଜନୀତି ଫାଜନୀତି କିଛି ବୁଝେ ନାହିଁ । ଖାଲି ଦମ ନାମ । ଓଡ଼ିଶା ଆଗେଇବ ଏଠି ବନ୍ଦର ହେବ । ଇସ୍‌ପାତ କାରଖାନା ହେବ ଜାହାଜ କାରଖାନା‌ ହେବ । ନାଁଟା ବି କଳିଙ୍ଗ ବୀର-। ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧମକେଇଦେଲ ନା ପଇସା ନ ଦିଅ । ଆମେ ଆମ ରାଇଜ ପଇସାରେ କରିଦେବୁ । କଲା ନା ଏତେବଡ଼ ବଙ୍ଗଳା । ଏତେ ଘର । ରାତାରାତି ବିଶ୍ଵକର୍ମା ତୋଳିଦେଲା ଭଳି ତୋଳା ହେଲା । ତଥାପି କ’ଣ ଥୋକେ ଛାଡ଼ିଲେ । ଖାଇଗଲା ନେଇଗଲା । ସେ ଅଠର ବାଙ୍କି ପୋଲର ଫାଟ ଦେଖାଇ ଥୋକେ ନୟାନ୍ତ ହେଲେ । ଅମୂକ ଏତେ ସିମିଟି ଖାଇଗଲା । ହଜାର ହଜାର ଟ୍ରକ୍ ପାଣିରେ ବୁଡ଼ାଇ ଦିଆଗଲା । ପଥର ପାଣିରେ ବୁଡ଼ିବ ନାହିଁ ତ କ’ଣ ଭାଷିବ-। କୋଣାର୍କ ମନ୍ଦିର ତୋଳା ହେଲାବେଳେ କେତେ ଯେ ପଥର ପାଣିରେ ନ ପଡ଼ିଛି । କେତେ ଉଜୁଡ଼ି ନ ଯାଇଛି । ଶିବେଇ ସାନ୍ତରା ଜାନୁ ଖାଇଲାଖୁଣ୍ଟ ସିନା ବୁଢ଼ୀ ବାଟ କଢ଼େଇଦେଲା-। ଗୋଟିଏ କରରୁ ପଥର ପଡ଼ିଲା । ନଇଲେ ତ ଆଉରି କେତେ ପାଣିରେ ଅକାରଣରେ ଯାଇଥାନ୍ତା-। ବାହାଘର, ପୁଆଣିଘରେ ଖିରି ବାଲଟିଟାଏ କ’ଣ କୁଆଡ଼େ ଯାଉନିଭାରି-। ସବୁକଥା ସେମିତି । କିନ୍ତୁ ତେମେ ପୁଳାଏ ଏଇସବୁ କଥା ଖୁଣ୍ଟିନାଣ୍ଟି ବାହାର କରିବାରେ ଅଣ୍ଡିରା ପୁଅ ଅଛ-। ତମ ନାଁ-। ତମ କଥାକୁ ସିଏ କରିଛି । କଳିଙ୍ଗ ବୀର । କରିଗଲା ନା ।

 

ଯେତେବେଳେ ଏ ବନ୍ଦର ହେଲା ମୁଁ ଆଉ ଆମ ମୁଖ୍ୟମନ୍ତ୍ରୀ ସେ କଳିଙ୍ଗ ବୀରର ପାଟିର ଅଣ୍ଡା ଉଠାଳି କି ସିମିତିଏ ଗୋଟାଏ ଗୋଟାଏ ଥିଲୁ । ସଭା ମଧ୍ୟରୁ କରତାଳି ଓ ହାସ୍ୟରୋଳ ଉଛୁଳି ଉଠିଲା । ମନ୍ତ୍ରୀ ଗଳା ଖଂକାରି ଠାଣି ବଦଳାଇ ସତୃପ୍ତ କହି ଚାଲିଲେ । ଆଜି ଆମେ କିନ୍ତୁ ଦଳର ରାଜା ମନ୍ତ୍ରୀ ହେଲୁଣି । ଆଉ ସେ ହେଲେଣି ଡାଇରେକ୍‌ଟର । ଡାଇରେକ୍‌ଟର ବା । ନାଚପାର୍ଟିରେ ସେ ବୁଝାଏ ଇମିତି କରି ସିମିତି କର । ହାତ ଟେକ‌, ଗୋଡ଼ ଟେକ ତା’ରି କଥାରେ ସିନା ଚାଲିଲେ ଆମେ ଗୋଟାଏ ଗୋଟାଏ ଭଲ ବଢ଼ିଆ ରାଜା, ମନ୍ତ୍ରୀ, କଟୁଆଳ ହେବା-। କିନ୍ତୁ ଏଥର ମୋର ନୂଆ ନୂଆ ଟୋକା ଆସୁଛନ୍ତି ସେ ତ ଓଳିଆରୁ ପଡ଼ି ରାଜା । କାହା କଥା ମାନିବାକୁ ନାରାଜ । ଖଣ୍ଡା ଉଠାଇ ନଜାଣି ରାଜା ହେବା ପାଇଁ ତିଆର । କରୁଥା ପାଟି-। ବୋଲ ନମାନ । ଆମର କ’ଣ ଲୋକ କାହାଳୀଟାଏ କି ବଗୁଲିଟିଏ ବଜାଇବାକୁ । ଯେମିତି ହେଉ ଯେଉଁଠୁ ଆଣି ବଜାଇବୁ ନା ଛାଡ଼ିବୁ । ଲୋକେ ପରା ଆମକୁ ଫରମାସୀ ଦେଇଛନ୍ତି-। କାହିଁ ଏତେ ତ ନଗେସପୁର, ଇଚ୍ଛାପୁର, ତାରପୁର ନାଚଦଳ ଅଛନ୍ତି । ଲୋକଙ୍କ ମନ ଯୋଉଠି ପାଇଲା ନା-

 

ଆମେ ଯଦି ଭଲ ସୋଟାଏ ନକରୁ ଆଉଥରେ ଏ ଲୋକ ଫରମାସୀ ଦେବେ ନାହିଁ । ଆମେ ବହି ଜାଳିଦେବୁ । ଏ କଥା ଯାଇଁଲେ ପୁଣି ଫରମାସୀ ଆସିବ । ଗଲାସନ ଏଠିକି କେନ୍ଦ୍ରମନ୍ତ୍ରୀ ଆସିଥିଲେ । ସବୁଦେଖିଲେ କହିଲେ ହଇତ ଏତେ ସୁନ୍ଦର ବନ୍ଦରଟିଏ କି ନାରଖାର ହୋଇ ପଡ଼ିଛି । ଜନିଷ ନେବା ଆଣିବା କରିବା ପାଇଁ କାର୍ଗୋ ବାର୍ଥ ନାହିଁ । ଏତିକିରେ କ’ଣ କାମ ଚଳେ । ଜେଟିଗୁଡ଼ିକ ଭାଙ୍ଗି ଗଲାଣି । କ’ଣ ଆଉ କହିବି ଗୋଟାଏ ବୋଲି କଟୁଆଳ ନାଚବେଳେ ପେଣ୍ଡାଲଟାକୁ ଅସନା କରିଦେଲା ବୋଲି ପୂରା ଦଳଟାକୁ ଲୋକେ ନାକ ଟେକିଲେ । ଆଉ ଆଉ ନୂଆ ପାଟିକୁ ଫରମାସୀ ଦେଲେ ଆସିଲେ ସେମାନେ । ନାଚ ଦେଖେଇଲେ । ବନ୍ଦରକୁ ବାନ୍ଦର କରିଦେଇ ଗଲେ । ଲୋକେ ପୁଣି ବୁଝିଲେ । ନାଇଁରେ ସେ ଦଳ ସରିକି ଆଉ କିଏ ହେବ । ଏବଂ ପୁଣି ଆସିଛି । ବାନ୍ଦର କେମିତି ମଣିଷ ହେବ ସେଇ ଚିନ୍ତା ସେଦିନ କେନ୍ଦ୍ରମନ୍ତ୍ରୀଙ୍କୁ କହିଲାବେଳେ ଦେହରୁ ଝାଳଟାଏ ବୋହିଗଲା । ପୋଖରୀପାଣି ମଧ୍ୟ ପୂର୍ବାଭାସ ଦେଖାଦେଲା କେତେବଡ଼ ମନ୍ତ୍ରୀ-। କାଳେ କ’ଣ କହିବେ ସେଇକ୍ଷଣି ତ ଏମରଜେନ୍‌ସି ଉଠିଥାଏ । କେନ୍ଦ୍ରର ବଡ଼ ବଡ଼ ମନ୍ତ୍ରୀଙ୍କୁ ଦେଖିଲେ ଆମର ପିଳେହି ପାଣି ହୋଇଯିବା କଥା ଓ ପୂର୍ବେ ଯେଉଁ ମନ୍ତ୍ରୀମଣ୍ଡଳ ଥିଲା ସେଥିରେ ବଡ଼ଙ୍କୁ ଦେଖିଲେ ସାନଙ୍କର ଛାତି ଧଡ଼ପଡ଼ ହେଉଥିଲା ।

 

ଏବେକା କଥା ନିଆରା । ମନ୍ତ୍ରୀଥିଲେ ଦାତା ରାମା ମାଗିଲେ ମିଳେ । ବର୍ଷେ ଏ ମଝିରେ ଯାଇ ନାହିଁ ପଠେଇ ଦେଇଛନ୍ତି ଅର୍ଡ଼ର । ଆଉଗୋଟିଏ ବାର୍ଥ ତିଆରି ପାଇଁ ।

 

ଯାହାହେଉ ଆଉ ଆଉମାନେ ଭାଷିବେ ମୁଁ ବେଶୀ ଭାଷିଲେ ସେମାନେ ଦୁଃଖ ସାଗରେ ବୁଡ଼ିବେ ।

 

ଶେଷରେ ଗୋଟିଏ କଥା କହିବି । ଫରମାସୀ ସିନା ଅଧିକରୁ ଅଧିକ ରାତି ପାଇଁ ଦେଲେ ଆମେ ଯେତେ ବହି ଶିଖିଛୁ ସବୁ ଦେଖନ୍ତୁ । ତମେ ଯଦି ମଝିରେ ମଝିରେ କୋଉ ଦଳର ହିରୋଟା ବି ହୀରୋଇନ୍ (ସ୍ତ୍ରୀ) ଭୂମିକାରେ ନାଚୁଥିବା ମାଇଚିଆଟା ପାଇଁ ଆଠୁ ତା’ଠୁ ପୁଣି ଅନ୍ୟ ଦଳକୁ ବରାଦ ପାଇଁ ଧାଇଁବା ତେବେ ଧରିବାକୁ ହେବ ଆମ ପୁରୁଆଙ୍କ ଭାଷାରେ “ବେହିପୁଅ ଚଖେ” । ସେଇଠୁଁ କେତେବେଳେ ନିଜ ମୁହଁ ଅଣ୍ଡାଳିଲା ବେଳକୁ ହାତରେ କଳା ଲାଗିବାହିଁ ସାର ହେବ । ଆଉ ବେଶୀ କହୁନାହିଁ ଧନ୍ୟବାଦ ।

 

ଏବେ ସଭାପତିଙ୍କ ନିର୍ଦ୍ଦେଶ ଥିଲା ଲୋକ ପ୍ରତିନିଧି ରାମବାବୁଙ୍କ ଆଡ଼େ । ଡାକ୍ତର ରାମବାବୁ ଜଣେ ପଶୁ ଡାକ୍ତର । ଏଣୁ ତାଙ୍କୁ ପୂର୍ବବକ୍ର ଅର୍ଥାତ୍ ପଶୁ କହିଦେବା ଦ୍ଵାରା ଟିକିଏ ବେଶୀ ବାଜିଗଲା ପରି ବୋଧ ହେଉଥିଲା । ସେତିକିବେଳୁ ଗମ୍ଭୀର ହୋଇ ବସିଛନ୍ତି । ସହଜରେ କଳା ମିଚି ମିଚି ଚେହେରା ସେଥିକି ପୁଣି ଫଣ ଫଣ ମୁହଁ ଦେଖି ନ ଯୋଗାଏ ।

 

ତଥାପି ଭାବ ଯେପରି ପ୍ରକାଶ ନ ପାଏ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ଥିଲେ ସେ । ମୁହଁର ଦାନ୍ତ କେରାକ ଦେଖେଇ ଧିର ମନ୍ଥର ଗତିରେ ସେ ଗଲେ ମାଇକ୍ରୋଫୋନ ପାଖକୁ ।

 

ଗୋଟିଏ ଠାଣିରେ ପେଣ୍ଟ ପକେଟରେ ହାତ ପୂରାଇ ଆଖି ବୁଲାଇ ଆଣିଲେ ଦର୍ଶକମାନଙ୍କ ଉପରେ ।

 

କହିଲେ–

 

ସଭାପତି ମହୋଦୟ, ବିଶିଷ୍ଠ ବିଶିଷ୍ଠମାନେ ଓ ବନ୍ଧୁଗଣ–

 

ଆଜି ଆମପାଇଁ ବଡ଼ ସୌଭାଗ୍ୟର ବିଷୟ । ମୁଖ୍ୟମନ୍ତ୍ରୀଙ୍କୁ ସଭାପତି ଭାବେ, ବାଣିଜ୍ୟମନ୍ତ୍ରୀଙ୍କୁ ବକ୍ତାଭାବେ ଆଉ ଆମ ରାଜ୍ୟ ସାଂସ୍କୃତିକ ବିଭାଗ ଡାରେକ୍ଟରଙ୍କୁ ଅତିଥି ଭାବେ ପାଇଛେ । ପୂର୍ବବକ୍ତାଙ୍କ ପରି ମୁଁ ରସ ରସିଆ କଥା ଜାଣେ ନାହିଁ । ସେ ମନ୍ତ୍ରୀ ହେଲେ ବି ଗାଁ ଲୋକଙ୍କ ଭାଷା ଭୁଲି ପାରିନାହାନ୍ତି । ଗାଁର ପାଠ ପଢ଼ି ନଥିବା ଲୋକଙ୍କ ଭାଷାକୁ ବେଶ ଭଲଭାବେ ବ୍ୟବହାର କରୁଛନ୍ତି ।

 

ଏତିକି କହିଦେଇ ବକ୍ତା ପୂର୍ବବକ୍ତା ମନ୍ତ୍ରୀ ମହୋଦୟଙ୍କୁ ଗୋଟିଏ ସନ୍ତୋଷ ପୂର୍ଣ୍ଣ ଠାଣିରେ ଚାହିଁଲେ । ତାଙ୍କୁ ପଶୁ କହିଥିଲେ ପରା । ସେ ଏବେ ତାଙ୍କୁ ମୁର୍ଖ ନକହି ଛାଡ଼ିନାହାନ୍ତି ।

 

ପୁଣି ଆରମ୍ଭ କଲେ ।

 

ତିରିଶ୍ ବର୍ଷ ସ୍ୱାଧୀନତା ପରେ ଆମେ ଆମ ଅବସ୍ଥାପ୍ରତି ଦୃଷ୍ଟି ଦେବା ସମୟ ଆସିଛି । ପ୍ରାକୃତିକ ସଂପଦରେ ଆମରାଜ୍ୟ ଭରପୁର, କେବେଳ ୪୧୦ ମାଇଲି ବ୍ୟାପି ଉପକୂଳ ଅଛି, ଯେଉଁଠୁ ମାଛମାରୀ ବିକିଲେ ରାଜ୍ୟରେ ବହୁ କର୍ମ ନିଯୁକ୍ତି ମିଳିବା ସଙ୍ଗେ ସଙ୍ଗେ ଆୟବୃଦ୍ଧି ହୋଇପାରିବ । ନୂଆ କରି ଗଢ଼ି ତୋଳିବାକୁ ହେବ ଆମ ରାଜ୍ୟକୁ । ଏହାର ଯୋଜନା ଅଟକଳ ବୃଦ୍ଧି କରିବାକୁ ହେବ । ବର୍ତ୍ତମାନ ବାର୍ଷିକ ଯୋଜନା ଅଟକଳ ମାତ୍ର ୧୭୪ କୋଟି ଟଙ୍କା । ଏହାକୁ ଯଥେଷ୍ଟଭାବେ ବୃଦ୍ଧି କରିବାକୁ ହେବ । ନଚେତ୍ ଆମେ ଅନ୍ୟ ରାଜ୍ୟ ସଙ୍ଗେ ପାଦଦେଇ ସମାନଭାବେ ଚାଲିପାରିବୁ ନାହିଁ । ଆମର ବାର୍ଷିକ ମୁଣ୍ଡପିଛା ଆୟ ଜାତିୟ ଆୟ ତୁଳନାରେ ଯଥେଷ୍ଟ କମ୍ । ବର୍ତ୍ତମାନ ଓଡ଼ିଶାର ୭୦ ଭାଗ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି । ଅର୍ଥାତ୍ ମାସକୁ ହାରାହାରି ୪୦ ଟଙ୍କା ଆୟ କରିବାର କ୍ଷମତା ନାହିଁ ।

 

ଆମ ରାଜ୍ୟରେ ଖଣିଜ ସଂପଦର ଅଭାବ ନାହିଁ । ଲୁହାପଥର, କାଠ ଲକ୍ଷ ନିୟୁତ ଟନ, କୋଇଲା ୧୨ ଲକ୍ଷ ନିୟୁତ ଟନ, ବକ୍‌ସାଇଟ୍ କୋରାପୁଟର ଦାମନଯୋଡ଼ି ଓ ବଲାଂଗିରର ଗଂଧମାର୍ଦ୍ଦନରେ ପ୍ରଚୁର ଗଛିତ ଅଛି ମାଂଗାନିଜ ମଧ୍ୟ ଯାହାକୁ ଯେତେ ଏ ରାଜ୍ୟରେ ଅଛି ।

 

ଜାପାନ ସହ ଚୁକ୍ତି ହୋଇଛି । ସେ ଆମର କୋଇଲା, ଲୁହାପଥର ନେବ । ପୁଣି ଏକ ଚୁକ୍ତି ଏବେ ନିକଟରେ ଫ୍ରାନସ୍ ସହ ହେବାକୁ ଯାଉଛି । ସେ ଆମକୁ କୌଶଳ କାରିଗର ଦେବେ ଆମେ ତାକୁ କୋଇଲା ଏବଂ ଲୁହାପଥର ଦେବୁ । ଆମ କୋଇଲା, ଉଚ୍ଚକୋଟୀର ନୁହେଁ । ସେଥିପାଇଁ ସେ ଆମଠାରୁ ଏ କୋଇଲା ନେଇ ସଂଶୋଧିତ କୋଇଲା ଦେବେ । କିନ୍ତୁ ଦୁଃଖର ବିଷୟ ଆମର ଏଠି ଆନ୍ଦୋଳନ ଚାଲି ରହିବା ଫଳରେ ବେପାରୀ ଜାହାଜଗୁଡ଼ିକ ଏ ବନ୍ଦରକୁ ଆସିବା ପାଇଁ ରାଜି ହେଉନାହାନ୍ତି । ଏକ ସମୟରେ ଏଠି ମଧ୍ୟ ୩-୪ଟି ଜାହାଜ ବୋଝେଇ ହୋଇପାରିବାର ବ୍ୟବସ୍ଥା ନାହିଁ । ସୁଖର କଥା ଆଉ ଗୋଟିଏ ନୂଆ କାର୍ଗୋବର୍ଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁରୁ କରିଛନ୍ତି । ସେଥିପାଇଁ ଆମେ ସମସ୍ତେ ଧନ୍ୟବାଦ ଦେବା କଥା ।

 

ଏକ ସମୟରେ ଅଧିକ ଜାହାଜ ବୋଝେଇ ହେବା ବ୍ୟବସ୍ଥା ଚାଲୁ ହେଲେ ଗତବର୍ଷ ଆମେ ଯେଉଁ ପରିମାଣରେ ମାଲ ପଠାଉଥିଲେ ତାହା ଦ୍ୱିଗୁଣିତ ହୋଇପାରିବ । ଶ୍ରମିକ ଭାଇମାନଙ୍କୁ ନିବେଦନ କରୁଛି ଏ ରାଜ୍ୟକୁ ଗଢ଼ି ତୋଳିବାକୁ ହେଲେ ଅଧିକ ଦକ୍ଷତା ଓ କର୍ମନିପୁଣତାର ସହ କାର୍ଯ୍ୟ କରିବାକୁ ହେବ । ଅପରପକ୍ଷରେ କଣ୍ଟ୍ରାକ୍ଟର ଏବଂ ପରିବହନ କରପୋରେସନର କର୍ମକର୍ତ୍ତାମାନଙ୍କୁ ଶ୍ରମିକମାନଙ୍କୁ ସ୍ଵାର୍ଥରକ୍ଷା କଲାଭଳି କାର୍ଯ୍ୟ କରିବା ପାଇଁ ଆହ୍ୱାନ କରୁଛି ।

 

ଘନ ଘନ କରତାଳି ସଭାମଞ୍ଚକୁ କମ୍ପାଇଦେଲା । କରତାଳି ବକ୍ତାଙ୍କ କଥାକୁ ପସନ୍ଦ କରି ବା ଆଉ ଅଧିକ ସମୟ ଏ ଭାଷଣ ନ ଶୁଣିବାକୁ ଚାହୁଁଥିବା ଲୋକଙ୍କର ଥିଲା ତା’ ବୁଝିବା ମୁସୁକିଲ-

 

ବକ୍ତା ପୁଣି ଟିକେ ଝାଡ଼ି ଝୁଡ଼ି ହୋଇ ଗଳା ସଫାକରି କହିଲେ ଆଜି ଏ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୋହୁ ଆସିଛନ୍ତି । ପାରଦ୍ଵୀପ ଏ ଜାତିର କୃତି । ଏ ଜାତିର ଭବିଷ୍ୟତ ଆକୁ ଦେଖିବା ଉଚିତ୍ । ଏ ଅଞ୍ଚଳବାସୀଙ୍କ ତରଫରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି । ଆଉ ବିଶେଷ ସମୟ ନେବି ନାହିଁ । ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଦେଇ ବକ୍ତବ୍ୟ ଶେଷ କରୁଛି ।

 

ବକ୍ତା ପକେଟରୁ ରୁମାଲ୍ ବାହାର କରି କାର୍ତ୍ତିକ ମାସର ଶୀତୁଆ ସକାଳେ ମୁହଁରୁ ଝାଳ ପୋଛି ପୋଛି ଆସନ ଗ୍ରହଣ କଲେ ।

 

ତାପରେ ଉଠିଲେ ଓଡ଼ିଶାର ସାଂସ୍କୃତିକ ବିଭାଗ ମୁଖ୍ୟ ନିର୍ଦ୍ଦେଶକ ଶ୍ରୀ ରାୟ୍ । ସଭାପତିଙ୍କ ନିର୍ଦ୍ଦେଶରେ ନିର୍ଦ୍ଦେଶକଙ୍କ ପାଳି । ସାରା ରାଜ୍ୟରେ ଯେଉଁ କେତେଜଣ ବକ୍ତା ଖ୍ୟାତି ସଂପୂର୍ଣ୍ଣ ଏ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ । କହିବାର ଶୈଳୀ ଖୁବ୍ ଉଚ୍ଚକୋଟୀର । ଓଡ଼ିଶା ସଂସ୍କୃତି ଓ ଇତିହାସ ଉପରେ ଖୁବ୍ ଗୋଟାଏ ଦକ୍ଷତା ଅଛି ।

 

ଗୁରୁଗମ୍ଭୀର ସ୍ଵରରେ ଆରମ୍ଭ କଲେ

 

ସମ୍ମାନସ୍ପଦ ସଭାପତି, ଭଦ୍ରମଣ୍ଡଳୀ ଓ ସଭାସଦ୍‌ଗଣ !

 

ଆଜିର ଏହି ପବିତ୍ର ଦିବସରେ ଆ.କା.ମା. ବଇର ମୃଦୁଗୁଞ୍ଜନ ଆଉ ଓଡ଼ିଆ ଲଳନାର ଥିରି ଥିରି ଚାଲି ଟୁବ ଗାଡ଼ିଆରୁ ମହୋଦଧି ପର୍ଯ୍ୟନ୍ତ ଯେ ଭାବ ସୃଷ୍ଟି କରେ ଏ ଜାତିର ନିଜସ୍ୱ । କୁତ୍ରପି ଏହା ଦେଖିବାକୁ ମିଳେ ନାହିଁ । ହେ ସୁଧିବର୍ଗ ! ଏ ଜାତିର ମହାତ୍ମ୍ୟ ଦେଖନ୍ତୁ, ସ୍ଵତନ୍ତ୍ରତା ନିରିକ୍ଷଣ କରନ୍ତୁ । ଜାତିର ଦେବତା ଜଗତର ନାଥ ଜଗନ୍ନାଥ, ଏ ଦେଶର ଠାକୁର, ବଡ଼ ଠାକୁର, ଠାକୁର ପାଖରେ ଯେ ପ୍ରସାଦ ଲାଗିହୁଏ ସେ ମହାପ୍ରସାଦ, ଯେ ଦାଣ୍ଡରେ ‘‘ମନ-ରଥ’’ ଚାଲି ଚାଲି ‘‘କଳ୍ପବଟ” ଭେଟେ ସେ ଦାଣ୍ଡର ନାମ ବଡ଼ଦାଣ୍ଡ, ଏଇ ଯେ ମହୋଦଧି-ସବୁ ଏ ଜାତିର ନିଜସ୍ୱ । କର୍ପୁର ଯାଇ ଯେ କନା ଖଣ୍ଡିକ ପଡ଼ିଛି ତା’ର ନିଦର୍ଶନ ହେଉଛି ଏଇ କ୍ଷୁଦ୍ର କ୍ଷୁଦ୍ର ନାଲି, ନିଳ, ସବୁଜ ରଙ୍ଗ ବେରଙ୍ଗର କାଗଜ ଡଙ୍ଗା । ଏହି ସେହି କଳିଙ୍ଗ । ତାମ୍ରଲିପ୍ତ ଆଉ ପାଲୁର ପ୍ରଭୃତି ପୋତାଶ୍ରୟ ଗୁଡ଼ିକରୁ ଏ ଜାତିର ସାଧବପୁଏ ମେଲୀ ଦେଉଥିଲେ ବୋଇତ । କାହିଁ ସେ ଦୂର ଦୂରାନ୍ତରୁ ପୂର୍ବାମ୍ଭୋଧିର ପରବର୍ତ୍ତୀ ଜାଭା ସୁମତ୍ରାର, ବୋର୍ଣ୍ଣିଓ ଓ ବ୍ରହ୍ମଦେଶ, ଶ୍ୟାମଦେଶ ପ୍ରଭୃତି । ଏବେ ଶୁଣନ୍ତୁ ଶୁଧୀବର୍ଗ ଏ ଜାତିର, ଗର୍ବ ଏ ଜାତିର ଇତିହାସ । ଏ ସବୁ ଦ୍ଵୀପପୁଞ୍ଜରେ କଳିଙ୍ଗ ସାମ୍ରାଜ୍ୟର ଛିଟିକା ଏବେବି ରହିଛି । ଏଠାକାର ଅଧିବାସୀମାନେ ନିଜକୁ କଳିଙ୍ଗ ଭାବେ ସାରା ବିଶ୍ୱରେ ପରିଚିତ କରାଇଛନ୍ତି । ଓଃ ସେଥିରେ ସେମାନଙ୍କର କି ଗର୍ବ । କଥାରେ ପ୍ରକାଶ କରିହେବ ନାହିଁ । ଆବେଗ ଆଉ ଭାବର ଅଭାବ ମୋ ପରି ଅକିଞ୍ଚନଠାରେ । ଆହୁରି ଶୁଣନ୍ତୁ, ସିଂହଳ ସହିତ ସମୁଦ୍ର ପଥରେ କଳିଙ୍ଗ ଓ ପରବର୍ତ୍ତୀକାଳର ଉତ୍କଳ ସଂପର୍କ ଇତିହାସ ପ୍ରସିଦ୍ଧ । ଏ ସଂପର୍କରେ ଚିନ୍ ପରିବ୍ରାଜକ ହୁଏନସାଂଙ୍କ ଭ୍ରମଣ ବୃତ୍ତାନ୍ତ ଓ ସିଂହଳର “ଦାଠ ଧାତୁବଶଂ" ଏବଂ କେତେକ ଗଙ୍ଗ ଅଭିଲେଖାରେ ଗୁରୁତ୍ଵପୂର୍ଣ୍ଣ ଉଲ୍ଲେଖ ଥିବାର ଦେଖାଯାଏ । କଳିଙ୍ଗବାସୀ ବିଜୟସିଂହଙ୍କ ନାମାନୁସାରେ ଏ ଦ୍ଵୀପର ନାମ ସିଂହଳ ହେଇଥିବା କେତେକ ଐତିହାସିକ ମତ । ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଓଡ଼ିଆଙ୍କ ଦରିଆ ପାରି ବାଣିଜ୍ୟ ଓ ବ୍ୟବସାୟ ପର୍ତ୍ତୁଗୀଜ୍ ନାବିକମାନଙ୍କ ଆଗମନ ୧୫୦୦ରୁ ୧୫୩୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଅପତିହତ ଥିଲା କେବଳ ସେତିକି ନୁହେଁ । ସେ ବୋଇତ ଗଲାବେଳେ ଥିଲା ରଙ୍ଗୀନ ଆସିଲାବେଳେ ଥିଲା ରଙ୍ଗୀନ । ସାଧବପୁଏ ଏ ରାଜ୍ୟରୁ ନେଉଥିଲେ କଣ୍ଟିଲୋର କଂସାବାସନ, ପିପିଲ୍‌ର ନାନା କାରୁକାର୍ଯ୍ୟ ଖଚିତ ଚାନ୍ଦୁଆ, ସମ୍ବଲପୁରୀ ଶାଢ଼ି, ବରହମ୍‌ପୁର ପାଟ, ମୟୁରଭଞ୍ଜର ମଠା, ମାଣିଆବନ୍ଧର ଶାଢ଼ି, କି ଉତ୍‌କୃଷ୍ଟ କାରୁକାର୍ଯ୍ୟ କଳିଙ୍ଗ ଶିଳ୍ପୀର । ଆଉ ତା’ ବଦଳରେ ଆଣୁଥିଲେ ସୁନା, ରୁପା, ମୁକ୍ତା, ପୋହାଳର ସଂଭାର । ପାଟଶାଢ଼ି ପିନ୍ଧି ସାଧବ ବୋହୁଏ ମେଲାଣି ଦେଉଥିଲେ ବୋଇତ ସବୁକୁ ଆଉ ବନ୍ଦାପନା କରି ପାଛୋଟି ନେଉଥିଲେ ଲେଉଟାଣି ପଥରେ । ଆଃ କି ମନୋରମ ସେ ଦୃଶ୍ୟ !

 

ଆଉ ଆଜି ! ଏଇ ଯେ ଜାହାଜ ଗୁମୁରି ଉଠୁଛି କି ଭୟଙ୍କର ରୂପ । କି ଭୟଙ୍କର ସେ ଶବ୍ଦ । କଳାଧୂଆଁରେ ଏ ସୁନ୍ଦର ନୀଳ ସମୁଦ୍ର ମଣ୍ଡିତ । ସେଇ ଅନ୍ଧକାରରେ ଆମେ ଠେଲିଦେଉଛୁ ଆମର ସଂପଦ ଲୁହାପଥର, କୋଇଲା, ମାଂଗାନିଜ, ବକ୍‌ସାଇଟ୍ ଆଉ ତା’ ବଦଳରେ ଆଣୁଛେ କୋରିଆର ସିମେଣ୍ଟ, ଲୁହାଚାଦର, ଶୋଧିତ କୋଇଲା ।

 

ନାଲି ଟୁକୁଟୁକୁ ସାଧବ ବୋହୂଏ ନାହାନ୍ତି । ତା’ ଜାଗାରେ ଛିଡ଼ା ହୋଇଛନ୍ତି ହାତ କଙ୍କାଳସାର ପୁଳାଏ ମଣିଷ । ହାତରେ ବେଲଚା ବା ସେହି ଜାତୀୟ ଗୋଚ୍ଛାଏ କ’ଣ । ବିଦାୟ ଦେବେ ଅବା ପାଛୋଟି ନେବେ ଏହି ସର୍ବଗ୍ରାସୀ ଭୟଙ୍କରକୁ ।

 

ଓଡ଼ିଆ ପୁଏ, ଦିଅ ମେଲି । ହୋଇଯାଅ ନିଃସ୍ୱ । ରକ୍ତ ହସ୍ତରେ ଘୂରିବୁଲୁ ଏ ଜାତିର ପୁଅ ଆ’ ଦୁଆରୁ ତା’ ଦୁଆରକୁ ।

 

ରେ ଜିହ୍ୱା ସଂଜତ ହେଲୁ ନାହିଁ, କ’ଣ ସବୁ କହିଯାଉଛୁ । ରୁହ ଏବେ ବିଶ୍ରାମ ନିଅ । ଧନ୍ୟବାଦ ।

 

ଏ କ’ଣ ତା’ ଦେହରେ ଏମିତି ଶିହରଣ କାହିଁକି ? ରୁମ ମୂଳ ଟାଙ୍କୁରି ଉଠୁଛି କାହିଁକି ?

 

କାହ୍ନୁ ଓରାମ୍ ହଠାତ୍ ବସିଲା ଜାଗାରୁ ଉଠିଆସିଲା । ସଭାପତି କ’ଣ କହିବା ପାଇଁ ଛିଡ଼ାହେଲେ । ସେ କଥା ସବୁ ଆଉ କାନରେ ପଶୁ ନାହିଁ । ପାରାଦ୍ଵୀପ ଆସିବା ତିନିବରଷରୁ ବେଶୀ ହେଲାଣି । କେତେ ବାବୁଙ୍କର କେତେ ଭାଷଣ ଶୁଣିଛି । କୋଉ ଭାଷଣରେ ଥୋକେ ଗରିବଙ୍କ ପାଇଁ ବାହୁନି କାନ୍ଦନ୍ତି ବାବୁଭୟାଙ୍କୁ ଗାଳିଗୁଲଜ କରନ୍ତି କୋଉ ଭାଷଣରେ ଅମୁକକୁ ଭୋଟ ଦେବାକୁ ନେହୁରା ହେବା ଶୁଣିଛି । କିନ୍ତୁ କାହିଁ କୋଉଠି ତ ଏ କଥା ଶୁଣିନଥିଲା ।

 

ଗାଁରେ କାମଖଣ୍ଡେ ନ ପାଇବାରୁ ଆଖପାଖ ଆଉ କେତେଜଣ ସାଙ୍ଗରେ ସେ ଚାଲି ଆସିଥିଲା ଦଇତାରି ଲୁହାଖଣିକୁ କାମ ପାଇଁ ମଜୁରୀ ଖଟି ରୋଜଗାର ପଠାଇଲେ ଅନ୍ଧୁଣୀ ମା’ ମାଇପ ପିଲାଙ୍କ ମୁହଁରେ ଦାନା ପଡ଼ିବା କେତେ ଖଟିଲା । ଲୁହକୁ ଝାଳ କରି ଖଟିଲା । ଖଟି ଖଟି ଦିନ ଶେଷରେ ଯାହା ପାଇଲ ସବୁ ତା’ ପେଟକୁ ନିଅଣ୍ଟ । ପେଟରୁ କାଟି ରଖିବାକୁ ହିଁ ହେବ । ନହେଲେ ଘରେ ପାଞ୍ଚପ୍ରାଣୀ କୁଟୁମ୍ବ ଉପାଷରେ ଦିନ କାଟିବେ । ବେଶୀ ରୋଜଗାର ଆଶାରେ ସେଠୁ ସେ ଚାଲିଆସିଛି ପାରଦ୍ଵୀପ ଏଠି ଜାହାଜ ବୋଝେଇ କରେ ଖଟିବାର ସୀମା ନାହିଁ । ପୂର୍ବ ଅପେକ୍ଷା କିଛିଟା ଅଧିକ ମିଳୁଛି ।

 

ବେଳେବେଳେ ଶୁଣେ ଏ ପଥର ଖଣ୍ଡ ବିଦେଶରେ ସୁନା ପାଲଟୁଛି । ଆମେ ସବୁ ଦେଶ ଗଢ଼ୁଛୁ ଏଇ ପଥର ବିକ୍ରି କରି । ଆଜି କିନ୍ତୁ କେତେ ନିଛକ ସତ କଥା ଶୁଣିଲା । କଳା କଳା ରୋଗୀଣା ମଣିଷ ସବୁ ପଠାଇ ଦେଉଛୁ ବିଦେଶକୁ କାହିଁ ସେଇ ପୁରୁଣା କାଳିଆ ସାଧବପୁଅଙ୍କ ପରି ରଙ୍ଗ ରଙ୍ଗିଆ ଜିନିଷ ଦେଉନାହୁଁ । ତା’ର କ’ଣ ଆଦର ନାହିଁ ଦେଶରେ ତା’ ମୁଣ୍ଡରେ ଏ ସବୁ କିଛି ଢୁକିଲା ନାହିଁ । ଛୋଟ ମୁଣ୍ଡଟାଏ, ଏତେଗୁଡ଼ାଏ କଥା ଭାବିବ କାହିଁକି ? କେବଳ ମନେମନେ ଦେଖିଲା ଦଇତାରି ଖଣିକୁ-ଯୋଉଠି ସେ ତିନିବର୍ଷ ତଳେ କାମ କରୁଥିଲା । କେତେବଡ଼ ଗାଡ଼ ହୋଇଥିଲା ସେଠି ଏ ଭିତରେ ବଢ଼ି ବଢ଼ି କେତେବଡ଼ ହେବଣି । ସେ ନିଜେ ଏଠି ତୋଳି ଦେଇଛି ପଥର ଖଣ୍ଡ ଜାହାଜକୁ । ତା’ ପୁଅ ସରଗି ବଡ଼ ହେଲେ କୋଉଠୁ ପଥର ତାଡ଼ିବ । ସେଠି ତ ଗାଡ଼କରି ସବୁ ଏ ରାକ୍ଷାସ ପେଟକୁ ଫିଙ୍ଗି ଦିଆଯାଉଛି । ତା’ ବେଳେ ଅଛି ବୋଲି ସିନା ସେ ଦି ପଇସା ରୋଜଗାର କଲା । ପୁଅ କରିବ କ’ଣ ? ନାଁ ଯୁଅନ ଭେଣ୍ଡା ଘରେ ହାତବାନ୍ଧି ବସିଲେ ମନ ଭାଙ୍ଗିଯିବ, ଦେହ ଭାଙ୍ଗି ଯିବ । ମୁଣ୍ଡଟା ଟିକିଏ ଚିଦ୍ରଂକ ଦେଲାପରି ଲାଗିଲା । ନାଁ ସେ ଆଜିକାଲି କେଉଁଝରର କାହ୍ନୁ ଓରାମ୍ ନୁହେଁ । ସରଗି ଓରାମ୍‌ର ବାପା ।

କାହ୍ନୁ ଓରାମ୍ ଧାଇଁଲା ସେଇ ଯୋଉ ବଡ଼ ଜାହାଜ ଗଲା କିଛିଦିନ ହେବ ସେ ନିଜେ ଭରତି କରିଛି । ପଥର ଖଣ୍ଡରେ ତା’ରି ପାଖକୁ ପଚାରିବ ହେ ବାବୁ ତମେ ତ ପଥର ନେଲ । ଏତକ ସରିଗଲେ ମୋ ପୁଅ କୋଉଠି ଖଟିବ । କୋଉଠି ମୂଲ ଲାଗିବ । ମୁଁ ମରିଗଲେ ବଡ଼ ହିନସ୍ତା ହେବ । ବାବୁ ସିଏ । ତା’ କଥା ଟିକିଏ ବୁଝି ଯାଅନା ।

ସମୁଦ୍ରକୂଳରେ ଜାହାଜ ଥିଲା । ସେଠି ପହଞ୍ଚି କାହ୍ନୁଆ ଦେଖିଲା ସବୁ ଶୂନଶାନ୍ । ମଣିଷ କେଇଟା ବୁଲବୁଲ୍ ହେଉଛନ୍ତି ଜାହାଜ ନାହିଁ ।

ପଚାରିଲା–ହେ ଏ ଜାହାଜ ଗଲା କୁଆଡ଼େ । ଅନେଇଲେ ସମସ୍ତେ । ଏ କ’ଣ ? କାହ୍ନୁଆର ପୁଣି ଜାହାଜରେ କି କାମ ?

ଜଣେ କହିଲା–କିରେ ମୁଖ୍ୟମନ୍ତ୍ରୀ ଆସିଥିଲେ ପରା ସେ ଜାହାଜ ଛୁଇଁଲେ । ତାଙ୍କ ବୋହୂ ଜାହାଜ ବନ୍ଦାଇଲା ତା’ପରେ......

ତା’ପରେ ?

ଜାହାଜ ବନ୍ଦର ଛାଡ଼ି ଚାଲିଗଲା ।

କାହ୍ନୁଆ ଦୀର୍ଘ ନିଶ୍ଵାସଟିଏ ପକାଇ ଥମିଗଲା, କିଏ ଦେବ ତା’ର ଉତ୍ତର ??? ଜାହାଜ ତ ‌ଜିନିଷ ନେଇ ଚାଲିଗଲା ।

Image

 

ପୁନଶ୍ଚ

ଦାଦନଂ ଶ୍ରମିକର ଚିଠି

 

ବୋଉଲୋ !

 

ହଜିଲା ପୁଅର ଖୋଜିଲା ଚିଠି ପାଇବୁ । ଭାରୀ ଖୁସି ହେବୁ । ନା ସୁଖି‌ ଆସିଥିବା ଆଖିଲୁହ ପୁଣି ଝରିବ କେତେ କଷ୍ଟ ଦେଲିଣି ଲୋ ତୋତେ । ଅନ୍ତୁଡ଼ିଶାଳର କଷ୍ଟ ଭୁଲିଥିଲୁ ମତେ ଗେଲ କଲାବେଳେ । ବାପା ମରିଗଲେ । ଏଡ଼ୁଟିରୁ ଏଡ଼ୁଟିଏ କଲୁ । ତଳ ତୋରାଣୀ ଦେଇ ଉପର ତୋରାଣୀ ଖାଉଥିଲୁ କେତେ ଆଶା କେତେ ସ୍ଵପ୍ନ ଥିଲା ତୋ ମନରେ । ବଡ଼ ହେବି ଘର କରିବି ବୋହୁ ଆସିବ ରୋଜଗାର କରିବି । ଖୁସିରେ ବସି ନାତି ନାତୁଣୀ ଖେଳାଇବୁ ବୁଢ଼ୀ ବୟସରେ ଆନନ୍ଦ ପୁଳାଏ ହାତ ମୁଠାରେ ପାଇବୁ । ସବୁ କଲୁ । ଘରର କଂସା ବାସନ ଦିଖଣ୍ଡ ବିକ୍ରି କରି ପାଠ ପଢ଼ାଇଲୁ । ପାରିଲୁ ନାହିଁ ସୁନା । ହେଲେ ମାଟ୍ରିକ ଖଣ୍ଡକ ଯାଏ ତ ପଢ଼ାଇଲୁ ! ଯିଏ ପଚାରିଲେ କହିଲୁ ତା’ରି ଦରବ ତା’ରି ପାଇଁ ବିକ୍ରି ହେଉଛି, ସିଏ କରିବ ନାହିଁଯେ, ଆଉ କୋଉ ମୋର ପାଞ୍ଚ ସାତ ମାଡ଼ି ଯାଇଛନ୍ତି । ବୋହୂ ଆଣିବା ପାଇଁ ତରବର ହେଲୁ ଆମଘରକୁ ନୂଆ ଲୋକଟିଏ ବିମ୍ବୀ ଅସିଲା । ପରେ ପରେ ତୋ କୋଳକୁ ଆସିଲା ତୋ ନାତି-ଶୁକୁଟା? ଆସିବା ଲୋକ ଆସିଲେ ସବୁ-। କିନ୍ତୁ ଘରକୁ ସୁଖ ଆସିଲା ନାହିଁ । କେମିତି ବା ଆସନ୍ତା । ଘରୁତ ସବୁ ସାରିଥିଲୁ–ମୋରି ପାଇଁ ଆଉ କ’ଣ ବା ଥିଲା । ରୋଜଗାର କଲେ ଘର ପୁରିବାର ସ୍ୱପ୍ନ ଟିକେ ଯାହାଥିଲା । କିନ୍ତୁ ଭେଣ୍ଡିଆ ପୁଅ ଦି ପଇସା ରୋଜଗାର ନ କରି ଘରେ ପଡ଼ି ରହିଲା ।

 

ବୋଉଲୋ !

 

ଯୋଉଦିନ ଘରୁ ଗୋଡ଼ କାଢ଼ିଲି ସେଦିନ କଥା ‌ଏବେ ବି ମନେପଡ଼ି ଆଖି ଯକେଇ ଯାଉଛି । ଛଅ ସାତ ମାସର ପିଲା ଶୁକୁଟା । ଦୁଧ ଟୋପାଏ ତ ମିଳେ ନାହିଁ । ଚୁଡ଼ା ଚକଟା ଖାଉଥାଏ ପିଲାଟିକୁ ଭୋକ କଲା ଅବୁଝା ହେଲା ରାହା ଧରି କାନ୍ଦିଲା । ବିମ୍ବୀ ଉଠିଗଲା ଚୁଡ଼ା ଦି’ଟା ବତୁରାଇବାକୁ । ଡବାଟା ଖାଲି ଦୁଧ କୁଣ୍ଡା ହିଁ ଦି’ଟା ଲାଗିନି । କେଉଟୁଣୀ କାଲି ରାଉ ରାଉ ହୋଇ ଫେରି ଯାଇଥାଏ । ଆଉ ବାକି ଦେଲା ନାହିଁ ।

 

ବିମ୍ବୀ ଛୁଆଟାକୁ ଆଣି ମୋର ଆଗରେ କଚିଦେଲା କହିଲା “ମଲାମର-ମୋ ଜୀବନ କାହିଁକି ଖାଉଛୁ ବା ରୋଜଗାରିଆ ବାପର କ’ଣ ଆଖି ନାହିଁ ।

 

ଛୁରି ଚାଲିଗଲା ଦେହରେ । ଗଲା ରାତିରେ ଘରେତ ଚୁଲି ଲାଗି ନଥିଲା । ଆମେ କେହି ଖାଇ ନଥିଲେ । ତୁ ଗାଁକୁ ଯାଇଥିଲୁ । କୋଉଠୁ କିଛି ଧା’ର ଆଣିବାକୁ, ଭାବିଲି ନ ମରିକରି ବଞ୍ଚି ରହିବାଟା କଷ୍ଟ ହେବ ଏଣିକି । ବିମ୍ବୀ ଉପରେ ରାଗିଥାନ୍ତି । ତା’ର ବାକି ଦୋଷ । ବର୍ଷ ଦି’ଟି ହେବ ସେ ଏ ଘରକୁ ଆସିଛି । କେତେ ଆଶା ନେଇ ଆସିଥିଲା । ପାଠୁଆ ବର । ଚାକିରି କଲେ ଘର ତା’ର ଖୁସିରେ ଚଳିଯିବ । ଛୋଟ ସଂସାରଟିରେ ତା’ପାଇଁ ଦୁଃଖ ଆସିବନି । ସବୁ ସ୍ୱପ୍ନ ମଉଳି ଯାଇଛି । ଘରଟିରେ ଦୁଃଖର ସୀମା ନାହିଁ । ବେକାରିଆ ବର । ସାତସିଆ ଲୁଗା ପିନ୍ଧି ଏ ବୟସରେ ପାଣି ଆଣିବାକୁ ଯେତେବେଳେ ସେ ଦାଣ୍ଡକୁ ଗୋଡ଼ କାଢ଼େ ତୁ ତା’ ଉପରେ ରାଗୁ ମୁଁ କିନ୍ତୁ ମୁଁହ ଲୁଚାଏ । ଅଭାଗିନୀଟା ସବୁ ଦୁଃଖ ଦାରିଦ୍ର ଭିତରେ ପିଲା ମୁହଁ ଦେଖିବାର ଆଶା ବାନ୍ଧିଲା । ପୁଅ ଆସିଲା । ଘରର ଅଭାବକୁ ଆହୁରି ବଢ଼ାଇଦେଲା ।

 

ବୋଉଲୋ ! ସେଇଠୁ ମୁଁ ସିଧା ସିଧା ଚାଲି ଆସିଲି । କୋଉଠିକି ଯିବି ? ? ? …ଅଲଖ୍ୟରେ ବହୁ ବାଟ ଚାଲି ଆସିଲି । ଆଗରେ ଜେନାପୁର ଷ୍ଟେସନ । କୋଉଠି କେମିତି ଚାକିରିଟାଏ ପାଇଲେ ଘରେ ମୁହଁ ଦେଖାଇବାକୁ ଫେରିବି-ମନେମନେ ସ୍ଥିର କରିନେଲି । ବିମ୍ବୀ ବି କିଛି କହି ନାହିଁ । ସହଜେ ତ ସେ ବିଚାରୀ ରାଗିଥିଲା । ତୋତେ ବି ଅପେକ୍ଷା କଲି ନାହିଁ ।

 

ଆଗରୁ ବହୁଥର ଚାକିରି ଆଶାରେ ଘରୁ ଗୋଡ଼ କାଢ଼ିଛି । ତୁ ଗାଁ ଠାକୁରାଣୀ ଆଉ ଗାଦି ଗୋସେଇଁଙ୍କଠୁଁ ଭୋଗ ମନାସିଛୁ । ଦାଣ୍ଡରେ ପାଣିଭରା କୁମ୍ଭ ଥୋଇଛୁ । ପୁଅ ତୋର ଚାକିରି ପାଇବ । ରୋଜଗାର କରିବ । ଶୁଭରେ ଅନୁକୁଳ କରାଇବାର ସମସ୍ତ ବିଧି ପାଳନର ଯତ୍ନ କରୁ । କେହି ଠାକୁର ଠାକୁରାଣୀ ତୋ କଥା ଶୁଣିନାହାନ୍ତି ସମସ୍ତେ ଆମପାଇଁ ନିର୍ଦ୍ଦୟ, ନିଷ୍ଠୁର । ଏଥର ଆସିଲାବେଳେ କୋଉ ଠାକୁର ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଓଳଗି ଟାଏ ବି ହୋଇ ନାହିଁ । କାହିଁକି ବା ହୋଇଥାନ୍ତି । ତୁ ଡାକିଛୁ, ମୁଁ ଓଳିକି ହୋଇଛି, ବିମ୍ବୀ କେତେ କେତେ ମନାସିଛି । ସବୁଥର କିନ୍ତୁ ଖାଲି ହାତରେ ଫେରିଛି । ପ୍ରତିଥର ଫେରିଲାବେଳେ ବିମ୍ଭୀର ମଉଳାମୁହଁରେ ହସ ଟିକେ ଉକୁଟି ଉଠେ । ତୁ ଆସି ପଚାରୁ ‘‘ଏଥର ଠାକୁରେ ଆମ କଥା ଶୁଣିଲେ ବି ?” କିଛି ଉତ୍ତର ଦିଏନି ମନେମନେ ଠାକୁରଙ୍କୁ ବହେ ଗାଳିଦିଏ । କିଛି ଉତ୍ତର ନପାଇ ତୁ ଫେରିଯାଉ ବିମ୍ବୀ ମୁହଁରୁ ହସ ମରିଯାଏ । ଠାକୁରଙ୍କୁ ଛାଡ଼ିଦେଲେ ଆଉ ଯାହାଙ୍କ ଉପରେ ଅଳ୍ପ ଅଳ୍ପ ଭରସା ଥିଲା ସେତକ ମଧ୍ୟ ତୁଟି ଯାଇଥିଲା ।

 

ତୋର ମନେଥିବ ସେଦିନ ଆମ ଏମ.ଏସ୍. ଏ ଆମ ଗାଁକୁ ଆସିଥିଲେ । ତୁ ଯାଇ କେତେ ନେହୁରା ହୋଇ କହିଲୁ । ଗାଁ ଲୋକେ ବି ସୁପାରିସ କଲେ । ସହଜରେ ତ ତାଙ୍କ ପାଇଁ ଭୋଟ ବେଳେ ଖରାରେ ତରାରେ କେତେ ବୁଲିଥିଲି । କ’ଣ ମିଛରେ ଧାଇଁଥିଲି । ଆଶାଥିଲା ସେ ଜିତିଲେ ଚାକିରି ଖଣ୍ଡେ ମିଳିବାର ସାହା ଭରସା ହେବେ । ଧାରଣା ଥିଲାଲୋ ଏମାନେ ଏପାରି ଗଛ ସେପାରି କରନ୍ତି । ଫୋନ୍ ଉପରେ କେତେ କ’ଣ କରିପାରନ୍ତି । ଏଣୁ ସେଦିନ ସେ ଡାକିବାରୁ ତାଙ୍କ ସାଙ୍ଗରେ ଚାଲିଗଲି । ଭୁବନେଶ୍ଵର–ଦି ଦିନ କାଳ ତାଙ୍କ ଘରେ ପଡ଼ି ରହିଲି । ମୋର ଭଳି କେତେ ଯୁବକ ତାଙ୍କ ଘରେ ଧାଡ଼ି ବାନ୍ଧୁଛନ୍ତି–ଚାକିରି ଖଣ୍ଡିଏ ପାଇଁ । କେତେ କେତେ ପାଠ ପଢ଼ିଛନ୍ତି ସେ ସବୁ, ମୋଠାରୁ ଯଥେଷ୍ଟ ଉପରକୁ ପଢ଼ିଛନ୍ତି । ସେମାନେ ଭଲ ଲୋକ ଆମ ଏମ. ଏଲ୍. ଏ । ସମସ୍ତଙ୍କୁ ଭଲ କଥା କୁହନ୍ତି । ସମସ୍ତଙ୍କ ପାଇଁ ଫୋନ୍ ଉଠାନ୍ତି କିନ୍ତୁ ସେ କ’ଣ କରିବେ । ସବୁଠୁ ଖାଲି ନାହିଁ ଉତ୍ତର ଆସେ । ମୋ ପାଇଁ ଜଣେ ଅଫିସରଙ୍କୁ କହିଲେ । ବହୁତ ନେହୁରା ହେଲା । କିନ୍ତୁ କିଛି ହେଲା ନାହିଁ । ସେ ମନା କରିଦେଲା । ବାବୁ କହିଲେ–ଦିନମଣୀ ଶୁଣ ! ତମେ ଏଥର ଘରକୁ ଯାଅ । ମୁଁ ଖବର ଦେଲେ ଆସିବ । ସେ କାହୁଁ ବୁଝିବେ ମୋ ଘରେ ଓଳିଏ ଚୁଲି ବି କଷ୍ଟରେ ଜଳେ–ମୋ ପୁଅକୁ ଚୁଡ଼ା ପାଣି ମୁନ୍ଦେ ମିଳେ ନାହିଁ ବୋଲି ଶେଷକୁ ଫେରିଆସିଲି । ପାରିଲି ନାହିଁ । ଚାକିରି ଖଣ୍ଡେ ପାଇଁ କେତେ କୁଆଡ଼େ ଧାଇଁଛି । ପାଖରେ ଦି’ଟା ପଇସା ଥିଲେ ଚାକିରିଖଣ୍ଡ ପାଇଁ ଏଣେତେଣେ ନ ଧାଇଁ ଦୋକାନ କରିଥାନ୍ତି । ସେଥିପାଇଁ ବି ଥରେଅଧେ ଚେଷ୍ଟା କରିଥିଲି । ପାଖରେ ତ ମୂଳଧନ ନଥିଲା । କିଏ ବା ଦେବ ଆମକୁ । ସରକାର ବ୍ୟାଙ୍କ ଖୋଲି ରୁଣ ଦେବାକଥା ଶୁଣି ସେଠିକି ବି ଧାଇଁଛି । କିଛି ହେଲା ନାହିଁ । ଏଗୁଡ଼ାକ ଭାଣ୍ଡାମୀ, ମିଛ ପ୍ରଚାର ହୁଏତ ଏ ଅଭାଗା ପାଇଁ ସୁନାମୁଦ୍ରା ମାଟି ହୋଇ ଯାଉଥାଏ ।

 

ଦି’ଦିନ ହେବ ଖାଇ ନଥିଲି । ପାଣି ମୁନ୍ଦାଏ ପିଇ ଷ୍ଟେସନରେ ବସିଲି । କୁଆଡ଼େ ଯିବି-? କେନ୍ଦ୍ରାପଡ଼ାର ରମେଶ ବାବୁ ଦେଖାହେଲେ । ତୁ ତାଙ୍କୁ ଜାଣୁ ନାହିଁ । ମୋ ସାଙ୍ଗରେ ଯୋଉ ଶୁରିଆ ପଢ଼ୁଥିଲା ତା’ର ମାମୁଁପୁଅ ଭାଇ । ସାଙ୍ଗରେ ଗୁଡ଼ିଏ ଲୋକ ଧରିଥାନ୍ତି ।

 

ପଚାରିଲି ଏ ଲୋକ ସବୁ କୁଆଡ଼େ ଯିବେ ! ସେ କହିଲେ, ଏମାନେ ପଞ୍ଜାବ ଯିବେ । ଦିଲ୍ଲୀ ପାଖରେ ଆମେ ଗୋଟିଏ କାମ ଦେଇଛୁ ସେଇଠାକୁ ଆମେ ସବୁ ଯାଉଛୁ ।

 

ଭାବିଲା ତାଙ୍କୁ କହିବି ଯିବା ପାଇଁ । କିନ୍ତୁ ଏତେବାଟ ଯିବି କେମିତି ? ହାତରେ ଗୋଟିଏ ବୋଲି ପଇସା ନାହିଁ । ଚିରା ଜାମା ଖଣ୍ଡିକ ଗଳେଇ ଦେଇ ଆସିଛି । ସାଙ୍ଗରେ ଖଣ୍ଡେ ଅଧଖଣ୍ଡେ ବୋଲି ଅଧିକା ନାହିଁ ।

 

ସେ ଆଗତୁରା ପଚାରିଲେ–ତୁ କ’ଣ କୋଉଠି କିଛି କାମ ଦାମ କରୁଛୁ । କହିଲି–ନା ।

 

ବାସ୍ ସେତିକି । ତା’ପରେ ସେ କହିଲେ ଚାଲୁନୁ ମୋ ସାଙ୍ଗରେ । ହିସାବପତ୍ର ରଖିବୁ । ଭଲ ଦି ପଇସା ଦରମା ମିଳିବ ।

 

ଓଃ କି ଆନନ୍ଦ ମୋ ମନରେ ! ତା’ କେବଳ ମୁଁ ଜାଣେ ସଫା ସଫା କହିଲି ମୁଁ ତ ଯିବାପାଇଁ ପ୍ରସ୍ତୁତ ହୋଇ ଆସିନାହିଁ । ପାଖରେ ଦି’ଟା ପଇସା ବା ଦି’ଖଣ୍ଡ ଲୁଗା ହୋଇ ନାହିଁ । ଯିବି କେମିତି । କାହିଁ କେତେ ବାଟ, କେତେଦିନ ରହିବାକୁ ହେବ ।

 

ନାଇଁରେ ସେଥିପାଇଁ ବ୍ୟସ୍ତହୁଅ ନାହିଁ । ବାଟରୁ ଦି’ଖଣ୍ଡ ଲୁଗା କଣିନେବା । ଯାହା ପଇସା ଲାଗିବ ଦେଇଥିବି । ତୁ କାମପାଇ ରୋଜଗାର କଲେ ଶୁଝିଦେବୁ । ହିସାବ କରିଦେବା । ଟ୍ରେନ୍ ବେଳ ହୋଇଗଲାଣି । ବାଟରୁ ଚିଠି ଖଣ୍ଡେ ଘରକୁ ଦେଇଦେବୁ ।

 

ଭଗବାନ ସତରେ କ’ଣ ଏତେଦିନେ ଆମ ଡାକ ଶୁଣିଲେ !!!

 

ବୋଉଲୋ । ସେତିକିବେଳେ ତୋ ସୁଖିଲା ମୁହଁ ସାଙ୍ଗକୁ ବିମ୍ବୀର ଆଉ ପୁଅର ମୁହଁ ଗୋଟି ଗୋଟିକରି ମୋ ଆଗରେ ନାଚିଗଲା । ହେଲେ ଏଥର ଫେରିବି କେତେ ଲୁଗା, ଜାମା, ଜିନିଷପତ୍ର କିଣି ସାଙ୍ଗରେ ଆଣିବି । ଆଉ ଖାଲିହାତରେ ଫେରିବି ନାହିଁ । ତୁ କେତେ ଖୁସି ହେବୁ । ସାହୁଘରେ ବିମ୍ବୀର ଯୋଉ ଗହଣା ବନ୍ଧା ପଡ଼ିଛି ତାକୁ ମୁକୁଳାଇ ଆଣିବି । ଘରେ ଗୋଟିଏ ଗାଈ ରଖିବ । ସୁକୁଟା ଦୁଧ ଖାଇବ ସେ ଚୁଡ଼ାବତୁରା ଗୁଡ଼ାକ ଖାଇ ଖାଇ ଛୁଆଟା ରୋଗିଣା ହୋଇଗଲାଣି ପେଟ ବାହାରି ଆସିଲାଣି । ଅହଣ୍ଡିଆ ବେମାରି ଧରିଲାଣି । –ଏମିତି କେତେ କ’ଣ ଭାବିନେଲି ।

 

ଗାଡ଼ି ଆସିଲା । ଆମେ ସଭିଏଁ ଗାଡ଼ିରେ ବସିଲୁ । ଭାରୀ ଆଦର ରମେଶ ଭାଇଙ୍କର ଆମ ସମସ୍ତଙ୍କୁ । କଲିକତା’ର ହାଉଡ଼ା ଷ୍ଟେସନରେ ଆମ ସମସ୍ତଙ୍କୁ ପୁରି-ତରକାରୀ ଖାଇବାକୁ ଦିଆଗଲା । ଦୁଇଦିନର ଓପାସ ପରେ ମୁଁ ଖାଇଥିଲି ହେଲେ କ’ଣ ଖୁସିରେ ଖାଇପାରିଲି ତମମାନଙ୍କ କଥା ମନେପଡ଼ିଗଲା ।

 

ରମେଶ ଭାଇ ମତେ ଲୁଙ୍ଗି ଗାମୁଛା କିଣି ଦେଲେ । ଏଇଠି ଜଣେ ବାବୁ ଆସି ପହଞ୍ଚିଲେ । ତାଙ୍କ ଘର ପୁରୀ ଜିଲ୍ଲା ବାଣପୁର ଅଞ୍ଚଳରେ ବୋଲି ଜାଣିଲି । ରମେଶ ଭାଇଙ୍କର ସେ ହେଉଛନ୍ତି ମାଲିକ । କଥାବାର୍ତ୍ତାରୁ ଜାଣିଲି ସେ ହେଉଛନ୍ତି ବାବୁରାମ ଅଗ୍ରୱାଲ । ସେ ବି ଆମ ସାଙ୍ଗରେ ଚାଲିଲେ କେତେବାଟ ଆମେ ଟ୍ରେନରେ ଆସିଛୁ ପୁରା ଗୋଟାଏ ଦିନ ଗୋଟାଏ ରାତି ବାଟରେ ଆଉ ଥରେ ଥରେ ଖାଇଥିଲୁ । ଆମେ ଥିଲୁ ମୋଟରେ ତିରିଶି ଜଣ ସମସ୍ତଙ୍କ ଘର ଆମର ସେଇ କେନ୍ଦ୍ରାପଡ଼ା ଅଞ୍ଚଳରେ । ବହୁତ ମୋରି ପରି ଯୁଆନ ଭେଣ୍ଡା । ବୋଧହୁଏ ମୁଁ ଥିଲି ସମସ୍ତଙ୍କଠାରୁ ବଡ଼ ପାଠୁଆ ମାଟ୍ରିକ୍ ପାସ୍ ବାଲା । ମାତ୍ର ଏମାନଙ୍କ ମଧ୍ୟରେ କିଏ କ’ଣ ପାଠ ପଢ଼ିଛି ତା’ର ଓଜନ କ’ଣ ଏସବୁ ଆଲୋଚନା କରିବା ନିରର୍ଥକ ।

 

ଆମେ ସବୁ ପଞ୍ଜାବରେ ପହଞ୍ଚିଲୁ । କି ଜାଗାରେ ଇଏ ! ସମସ୍ତେ କାମରେ ଲାଗିଛନ୍ତି-କି ପୁରୁଷ-କି ସ୍ତ୍ରୀ ମୋ ପରି ଦଶଟା ବି କାମରେ ତାଙ୍କ ସରି ହେବ ନାହିଁ । ଯୋଉ ବାଟରେ ଚାଲି ଚାଲି କାମ ଜାଗାକୁ ଆସିଲୁ ସେ ବାଟର ଦୁଇଧାରକୁ ଅନାଇ ଦେଖିଛି ମାଇପେ ମରଦ କି ହସ-ଖୁସିରେ ଖଟୁଛନ୍ତି । ଯୁଆଡ଼େ ଚାହିଁବ ଖାଲି ଫସଲ ଆଉ ଫସଲ ! ଗାଈ ମଇଁଷିଗୁଡ଼ାକ ଖୁବ୍ ବଡ଼ ବଡ଼ । ରମେଶ ଭାଇ କହିଲେ ଏ ରାଇଜର ଲୋକେ ଶୋଷ କଲେ ପାଣି ପିଅନ୍ତି ନାହିଁ ଦୁଧ ପିଅନ୍ତି-। ସେମିତି ମନେହେଲା ଯାହାକୁ ଦେଖିଲି କେତେ ଖୁସୀ ବାସୀଆ ଲାଗିଲା ତାଙ୍କ ସଙ୍ଗରେ କଥାସିନା କହିହେବ ନାହିଁ ଭାବଭଙ୍ଗୀରୁ କ’ଣ କିଛି ଠଉରେଇ ହେବ ନାହିଁ । ଏ ରାଇଜ ସ୍ୱର୍ଗ, ସେ ମୋର ସ୍ୱର୍ଗ । ଆମେ ସବୁ ନରକରେ ପଡ଼ିଥାଉଁ ।

 

କାମ ଜାଗାରେ ଯାଇ ପହଞ୍ଚିଲୁ । ମୁଣ୍ଡିଆ କଟା ହୋଇ ନଈ ଫିଟିବ । ତମ୍ବୁ ପଡ଼ିଛି । କେତେ ଲୋକ ଖଟୁଛନ୍ତି । ଆମକୁ ଗୋଟିଏ ସେମିତିଆ ଗହମ ନଡ଼ା ଚାଞ୍ଚରାଘେରା ଘରେ ରଖାଇଲେ । ଗାଁରୁ ଆସିଲାବେଳେ ଆମ ସିଆଡ଼େ ଶୀତ ପଡ଼ି ନ ଥିଲା । ଏଠି କିନ୍ତୁ ରାତିରେ ଭାରୀ ଶୀତ । ସକାଳେ ନିଆଁ ପାଖରେ ନ ବସିଲେ ଦେହ କୋଲମାରି ଯାଉଥିଲା । କିନ୍ତୁ କାମ ତ ଦିନ-ରାତି ଚାଲିଛି । ମୁଣ୍ଡିଆ ଫଟାଇବ ଗୋଟାଏ ଯନ୍ତ୍ର ଆଉ ଆମେ ସବୁ ପଥର କାଟିବୁ । ଦିଦିନ ରହିବା ପରେ ସବୁକଥା ସଫା ସଫା ଦେଖାଗଲା । ଆଖିରୁ ଜୁଳୁଜୁଳିଆ ପୋକ ବାହାରିଲା ହାଡ଼ଭଙ୍ଗା ଖଟଣା ରମେଶ ଭାଇ କୁଆଡ଼େ ଚାଲିଗଲେ । ସେ ଯୋଉ ବାଣପୁରୀଆ ବାବୁ ମତେ ହୁକୁମ ଦେଲେ ମାଟି କାଟିବାକୁ, ଅନ୍ୟମାନଙ୍କ ସାଙ୍ଗରେ ମାଟି କରିବାକୁ ହେଲା । ‘ହଁ ତା’ ଏଠି କିଏ ଦେଖୁଛି । ଆଉ ଚାରା ବା ଅଛି କ’ଣ । ଶୁଣିଥିଲି ଆଗେ ଆମ ଆଡ଼ୁ କାଳିମାଟି-ରେଙ୍ଗୁନ ଯାଉଥିଲେ । ଗଧ ଖଟଣୀ ଖଟୁଥିଲେ । ହେଲେ ଘରକୁ ଆସିଲାବେଳେ ବୁଜୁଳିବାନ୍ଧି ଅତର, ବାସନାତେଲ, ରଙ୍ଗ ରଙ୍ଗିଆ ଶାଢ଼ି ଆଣୁଥିଲେ । ଶୁଣିଲାବେଳେ ହସ ମାଡ଼ୁଥିଲା । ହେଲେ ଏଠି ମାଟି କାଟିଲା ବେଳେ ସେ କଥାଗୁଡ଼ାକ କାହିଁକି କେଜାଣି ମନକୁ ଆସି ଯାଉଥିଲା । ଯେତେ ଖଟିଲେ ବି ଦି’ଟା ପଇସା ରଖି ତୋ ପାଇଁ ଆଉ ତୋ ବୋହୂପାଇଁ କସ୍ତାଟାଏ କି ଶାଢ଼ିଟାଏ ଗଲାବେଳକୁ ନେବି କୁନି ପୁଅ ପାଇଁ ଜାମା ପେଣ୍ଟ ନେବି । ସେ ଆସା ସେଇ ହାଡ଼ଭଙ୍ଗା ଶୀତରେ ବି ରାତିସାରା ଖଟେ ।

 

ମାସେ ଗଲା । ଦି’ମାସ ଗଲା । ହାତକୁ ଦିଟା ବୋଲି ପଇସା ଅସିଲା ନାହିଁ । ଜାହି ତାହି ଖାଇବା ଗଣ୍ଡେ ଗଣ୍ଡେ ମିଳୁଥିଲା । ଆମେ ସବୁ ମଜୁରିଆ ଲୋକ ଖଟିଲା ମଣିଷର ପେଟଟିଏ-। ଦି’ଖଣ୍ଡ ରୁଟି ଟିକିଏ ତରକାରୀରେ ଚଳୁଛି କେତେକେ ? ଏଇ ଦି’ମାସ ଭିତରେ ସମସ୍ତେ ଭାଙ୍ଗି ପଡ଼ିଲେଣି । କାହାର ଘର ଲୋକ ଦେଖିଲେ ହୁଏତ ହଠାତ୍ ଚିହ୍ନିପାରିବେ ନାହିଁ । ଖାଲି ଗୋଟେ ଗୋଟେ ହାଡ଼-କଙ୍କାଳରେ ତିଆରି ମଣିଷ । ସେ ବାଣପୁରିଆକୁ ପଇସା ମାଗିଲି କହିଲା-ହିସାବ ହେଉ ଦେଖିବା । ଖାଇବା ବାବଦରେ କେତେଗଲାଣି ଆଉ କେତେ ପାଇବ ।

 

ବୋଉଲୋ ! ଖଟି ଖଟି ଘରେ ଆସି ପଡ଼ିଗଲେ ସବୁ କଥା ମନେପଡ଼େ । କେମିତି ତମେ ସବୁ ଚଳୁଥିବ । ମୁଁ ତ’ ହେଲେ ଦି’ଖଣ୍ଡ ଖାଇବାକୁ ପାଉଛି । ତମେ ସବୁ କ’ଣ କରୁଥିବ । ଆଉ ତ ବାକି କେହି ଦେଉ ନଥିବେ । ଥରେ ଅତି ନେହୁରା ହୋଇ ମାଗିବାରୁ ବାବୁ କହିଲା-ଇଚ୍ଛାହେଲେ କାମକର ନ ହେଲେ ଚାଲିଯାଅ । ତୋ ପଇସା କ’ଣ କିଏ ଖାଇଯାଉଛି । ଯିବି କୁଆଡ଼େ-ହାତରେ ଗୋଟିଏ ବୋଲି ପଇସା ନାହିଁ କାହାକୁ ବା ମାଗିବି । ସଭିଙ୍କ ଅବସ୍ଥା ସମାନ । ଏଠୁ ଚାଲିଗଲେ ଦି’ଖଣ୍ଡ ରୁଟି ବି ମିଳିବ ନାହିଁ । ଶୁଖି ଶୁଖି ମରିବାକୁ ହେବ । ରାତିରେ ଭାରୀ ଗୋଟାଏ କାନ୍ଦିଲି, ପୁଣି ପଡ଼ିରହିବାକୁ ହେଲା ।

 

ଆମ ସାଙ୍ଗରୁ ଦି’ଜଣ ଆରପାରି ଚାଲିଗଲେଣି । ଦେହ କେତେ ବା କଷ୍ଟ ସହିଥାନ୍ତା । ଖଟି ଖଟି ନଖାଇ ନପିଇ କଷଣ ସହିଲେ କି କାଳ ରୋଗ ତା’ଉପରେ ଦାଉ ସାଧିଲା । ଦି’ଜଣ ଯାକ ଆମରି ଅଞ୍ଚଳର ଲୋକ । ଗୋଟିଏ କାଶି କାଶି ରକ୍ତବାନ୍ତି କରି ମଲା । ଆଉ ଜଣଙ୍କୁ କି କାଳ ଜ୍ଵର ହେଲା ଯେ ସେ ତିନିଦିନ ପରେ ଆମକୁ ଛାଡ଼ି ଚାଲିଗଲା । ଇଃ କି କରୁଣ ଭାବେ ସେ ମଲାବେଳେ ବିଳି ବିଳଉଥିଲା ! ଘରେ ବାପ, ମାଆ, ସ୍ତ୍ରୀ, ପିଲା, ଭାଇ, ଭଉଣୀ ହୋଇ ଦଶପ୍ରାଣୀ କୁଟୁମ୍ବ, ତା’ର ଖଟଣି ରୋଜଗାର ଉପରେ ବଂଉଶ ଯାକ ଚଳନ୍ତି । ମଲାବେଳକୁ ପାଟିକରି କହୁଥାଏ ।

 

ସେମାନେ କେମିତି ଥିବେ ?? ....କିଏ ତାଙ୍କୁ ଚଳାଇବ..... ??? ହେ କଣ୍ଟ୍ରାକ୍ଟର ତୁ ଏମିତି ଅଜଣା ରାଇଜର ଅପନ୍ତରା ଜାଗାରେ ପଡ଼ି ମର । ତୋ ପିଲା ମାଇପ ବାର ହୀନସ୍ତା ହୁଅନ୍ତୁରେ ।

 

ସେଇ ଅବସ୍ଥାରେ କଣ୍ଟ୍ରାକ୍ଟର ଗୋଟିଏ କାଗଜରେ ଦସ୍ତଖତ କରାଇନେଲା । ହିସାବ ତାଲିକା କୁଆଡ଼େ । ଘରକୁ ପଇସା ପଠଉଛି ବୋଲି କହିଲା । କି କରୁଣ ସେ ହସ । ମଲାବେଳେ ବି ଲୋକ ଏମିତି ହସନ୍ତି !! ବଡ଼ ଆର୍ଦ୍ର କଣ୍ଠରେ କହିଥିଲା–ତା’ହେଲେ ସେମାନେ ପଇସା ଶିଘ୍ର ପାଇବେ । କଣ୍ଟ୍ରାକ୍ଟର ଅଗ୍ରୱାଲ ଔଷଧପତ୍ର ପାଇଁ ବଡ଼ ଦୟା ଦେଖେଇ ଟଙ୍କା କୋଡ଼ିଏଟା ପକାଇ ଚାଲିଗଲା । ପରେ ଜାଣିଲି ସେଇଟା ପିଛଲା ତାରିଖରୁ ଛୁଟି ନେଇ ଯାଇଛି ବୋଲି ଗୋଟାଏ ପ୍ରମାଣପତ୍ର ଲେଖେଇନେଲା । ଅନ୍ୟମାନଙ୍କ ପାଇଁ ମଧ୍ୟ ସେଇ ବ୍ୟବସ୍ଥା.... ।

 

ମୁଁ ଏବେ ରୋଗଶଜ୍ୟାରେ । ଏଠୁ କାମ ସରିଲା ବୋଲି ଅନ୍ୟମାନଙ୍କୁ ନେଇ କଣ୍ଟ୍ରାକ୍ଟର ଚାଲିଗଲାଣି । ମୁଁ ଏକଲା ଦି’ଦିନ ହେବ ପଡ଼ି ରହିଛି ମୁଣ୍ଡତଳେ ଟଙ୍କା କେଇଟା । ଭାରୀ ଦରଦରେ ସେ ଦେଇଯାଇଛି ।

 

ବୋଉଲୋ, ଏଇ ବୋଧେ ମୋର ପ୍ରଥମ ଆଉ ଶେଷ ଚିଠି ହେବ ଏ ଯାତ୍ରାର । ତୁ ମତେ ଆଉ ଦେଖିବାକୁ ପାଇବୁ ନାହିଁ । କେତେ କାନ୍ଦିବି । ବୋହୁ ତୋ’ର କେତେ କାନ୍ଦିବ ସବୁବେଳେ ଛୁଆଟା ମୁହଁ ନାଚିଯାଉଛି । ସେହି ରୋଗୀଣାଟାର ଚାଲି…ମୁହଁର ହସ ଖଣ୍ଡି ଖଣ୍ଡି ଡାକ ବାପା…ପା.. ସବୁ ଝଲସି ଉଠୁଛି…ଉଃ ଏଠି ପାଣି ମୁନ୍ଦାଏ ଦେବାକୁ କେହି ନାହିଁ । ସାତଦିନ ହେବ ଜ୍ଵର…ଆଉ ବଞ୍ଚିବି ନାହିଁ । କେବଳ ଏତିକି ଅବଶୋଷ ରହିଗଲା ତୋ’ର କୋଳରେ ଜନ୍ମ ନେଇଥିଲି ହେଲେ ସେଇ କୋଳରେ ମରିଥାନ୍ତି । ବିମ୍ବା ଆଉ ପୁଅ ଦି’ଟାକୁ ଦେଖିପାରିଲି ନାହିଁ । ଟଙ୍କା କେଇଟା ପଠାଇ ଦେଉଛି ସେଥିରେ ଆଉ ଠାକୁରଠାକୁରାଣୀଙ୍କ ପାଖରେ ଭୋଗ କରିବୁ ନାହିଁ, ସେ ଭାରୀ ନିର୍ଦ୍ଦୟ । ମତେ ଆଉ ତୋ କୋଳକୁ ଫେରାଇଦେବେ ନାହିଁଲୋ.....ରହୁଛି ।

 

ଇତି ।

ତୋର ଅଭାଗା ପୁଅ......

Image

 

ଖଇରୀର ଭୟ

ଜେଲଖାନାରେ

 

ଖଇରୀ ସହ ପ୍ରଥମ ପରିଚୟ ହୁଏ, । ଖବରକାଗଜରେ ପ୍ରକାଶ ପାଇଥାଏ ଫଟୋ । ମୁଖ୍ୟମନ୍ତ୍ରୀଙ୍କ କୋଳରେ ମୁଁହ ଗୁଞ୍ଜି ଖଇରି ଛିଡ଼ାହୋଇଛି ଭୁବନେଶ୍ୱରର ମନ୍ତ୍ରୀ ଉଆସରେ । ଆଉ ମୁଁ ଥାଏ ଅସୁରୁଣୀ ବୁଢ଼ୀର ଫରୁଆ ଭିତରେ । ସାତ ତାଳ ପାଣି, ତା’ଭିତରେ ଘର, ଘରଭିତରେ ସିନ୍ଦୂକ ସିନ୍ଦୂକ ଭିତରେ ଫରୁଆ, ତା’ ଭିତରେ ମୁଁ ବନ୍ଦି । ବହେ ହସିଥିଲି’ ଜଙ୍ଗଲର ହିଂସ୍ରଜନ୍ତୁ ଖଇରୀ, ଯାହାପାଇଁ ଜନ୍ତା ବା ପିଞ୍ଜରା ଦରକାର ସେ’ ଘୂରି ବୁଲୁଛି ଏ ସହର ସେ ସହର । ମୁଣ୍ଡ ଗୁଞ୍ଜୁଛି କେତେ କୋଳରେ ଆଉ ମଣିଷ କ’ଣ ତା’ଠାରୁ ହିଂସ୍ର । ଅସୁରୁଣୀ ବୁଢ଼ୀର ବନ୍ଦୀଶାଳରେ ବନ୍ଦୀ ହେବା ନିହାତି ଦରକାର ! ଚମତ୍‌କାର ମଣିଷର ବୁଦ୍ଧି । ହିଂସ୍ରଜନ୍ତୁକୁ କୋଳକରି ଅନ୍ୟମନରେ ଆତଙ୍କ ଜଣାଇବାର ଏ ଏକ ଚମତ୍‌କାର କୌଶଳ ।

 

କେବେ ଯଦି ଫରୁଆ ଭିତରୁ ଫିଟେ, ତେବେ ଖଇରୀକୁ ପଚାରିବି, ତୁ କ’ଣ ଆଉ ହିଂସ୍ର ନୋହୁଁ । ନାଁ ତୁ ହି ମଣିଷର ହିଂସ୍ର ତାକୁ ଭୟକରି ।

 

ଏବେ ସୁଯୋଗ ଆସିଛି । ଖଇରୀ ସହିତ ସାକ୍ଷାତ ହେବ । ଶିମିଳିପାଳ ଜଙ୍ଗଲରେ ତିନିଦିନ କଟିଗଲାଣି । ଶିମିଳିପାଳର ଘନ ଜଙ୍ଗଲହାତୀ ଯୁଥ, ହରିଣୀର ଚକିତ ଚାହାଣୀ ସବୁ ଦେଖିଛି । ଖଇରି ଜଙ୍ଗଲ ଛାଡ଼ି କୁଚକ୍ରୀ ମଣିଷ ଗୋଷ୍ଠୀରେ ମିଶିଛି କାହିଁକି ? କି ସୁନ୍ଦର ! କି ଅନୁପମ !! ଘନ ଜଙ୍ଗଲ । ନୂଆକରି ତିଆରି ହୋଇଥିବା କାଠଘର ଉପରୁ ବରାହୀପାଣିର ଜଳପ୍ରପାତ ଦେଖୁ ଦେଖୁ ସାଥୀ ତ୍ରିପାଠୀ କହିଥିଲେ ଆଛା ଦେଖୁଛ ଖରାଦିନେ ନିଶ୍ଚୟ ହରିଣ ଏଠିକି ପାଣିପିଇବାପାଇଁ ଆସୁଥିବ ।

 

ଆଃ ଖଇରୀ ଥିଲେ ଏଥିରୁ ଗୋଟିଏ ସବୁଦିନ ଖାଇଥାଆନ୍ତା ।

 

ମୁଁ ଦେଖୁଛି ତମର ଭାରି ହିଂସ୍ର ପ୍ରକୃତି । ତମଠାରେ ନିରାମିଷ କଥା କିଛି ନାହିଁ । ପୁରୀ ବ୍ରାହ୍ମଣ ଆଉ ଅଧିକ କ’ଣ ଆଶା କରାଯାଏ ତାଙ୍କଠାରୁ ।

 

ତଥାପି କହିଥିଲି ଶୁଣ ବନ୍ଧୁ ପ୍ରକୃତିର କୋଳଏ । ଖାଦ୍ୟ ଖାଦକ ସଂପର୍କ ନେଇ କ’ଣ ବନ୍ଧୁତା ଶୁତ୍ରରେ ବାନ୍ଧିହୋଇ ରୁହନ୍ତେ ଏମାନେ । ସମାଜବାଦୀ ସାହିତ୍ୟରେ ଶୋଷକ ଶୋଷିତର ସଂପର୍କ କ’ଣ ବନ୍ଧୁତ୍ଵର ସଂପର୍କ । ନାଁ । ଖାଦ୍ୟ ଖାଦକର ଭାବଥାଇ Trustership theory ଲାଗୁକଲେ ବାଘପଲ ହରିଣଙ୍କ ପାଇଁ ଘାସ ପଡ଼ିଆ ଜଗିବେ ?

 

ଏଣୁ ପ୍ରବଞ୍ଚନା କାହିଁକି, ପ୍ରତାରଣା କାହିଁକି । ଯାହା ସତ୍ୟ ତାକୁ ସ୍ଵୀକାର କରିବାର ବେଳ ଏବେ ଆସିଛି ।

 

ଆବୋଲି କ’ଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କଲାବେଳେ ହରିଣୀ ପଲ ପଛରେ ଧାବମାନ କ୍ରୁଦ୍ଧ ବ୍ୟାଘ୍ରର ରୂପଦେଖିବାର କଳ୍ପନା ଆଗମନକୁ ଆସୁଛି । ଏ ହେଉଛି ଏକ କ୍ରୂର ମନର ଚିନ୍ତା ।

 

ନାଁ ଏ ହେଉଛି ଏକ ବାସ୍ତବ ଚିନ୍ତା । ପ୍ରକୃତି ହିଁ ଖାଦ୍ୟ ଖାଦ୍ୟକର ସଂପର୍କରେ ପ୍ରତିଷ୍ଠା କରିଛି । ଭାବତ ଦେଖି ଥରେଅଧେ ହରିଣ ପଛରେ ଦଉଡ଼ିଥିବା ବାଘଟାଏ ଦେଖି ଆଉ ସହଜରେ ଏ ଜଙ୍ଗଲରେ ପଶିବ ନା’ ? ନାଁ ଜଙ୍ଗଲର ସମସ୍ତ ସଂପଦ ଲୁଟିନେଇ ରାଜ୍ୟ ଆୟ ବୃଦ୍ଧିର ଏକ ହିସାବ ଦେଖାଇବ ।

 

ସେଥିପାଇଁ ପ୍ରକୃତି ଛାଡ଼ିଛି ହିଂସ୍ରଜନ୍ତୁ ରକ୍ଷା କରିବାପାଇଁ ଏ ଜଙ୍ଗଲକୁ । ହିଂସ୍ରତା ଯଦି ପ୍ରକାଶ ନ ପାଏ ତେବେ ହିଂସ୍ରତାର ମୂଲ୍ୟ କ’ଣ ?

 

ହେଉ ଖଇରୀ ଆସିଲାଣି । ସମସ୍ତ ଚିନ୍ତା ଉଭେଇଗଲା, ଏତେ ବଡ଼ ବାଘୁଣୀ ଦେହ ଦୋହଲାଇ ଦୋହଲାଇ ଚାଲିଛି । ମଣିଷ ପୋଷା ମନାଇଛି ! ତା’ ପିଠିରେ ହାତ ମାରୁଛି । ବିଲେଇ ଛୁଆଟିକୁ ଗେଲକରିବା ଭଙ୍ଗୀରେ ଗେଲ କରୁଛି ।

 

ଇତିହାସ, ପୁରାଣର ଛାତ୍ର ମୁଁ । ରାଜା ଦୁଷ୍ମନ୍ତ ଋଷି ଆଶ୍ରମରେ ମଣିଷ ଶିଶୁ ଭରତ ବାଘସହ ଖେଳୁଥିବାର ଦେଖି ଚକିତ ହୋଇଥିଲେ । ଆଉ ମୁଁ, ବାଘୁଣୀ ସହ ମଣିଷର ଖେଳ ଦେଖୁଛି ।

 

ସମସ୍ତେ ଯାଇଥିଲେ ଖଇରୀ ଦେହରେ ହାତମାରିବା ପାଇଁ । ମଣିଷ ଏମାନେ ଭିତରେ ଆଶଙ୍କା ଉପରେ ଆଶା, ଭିତରେ ଆତଙ୍କ ଉପରେ ଅନ୍ୟ ଏକ ଢଙ୍ଗ । ପରସ୍ପର ପରସ୍ପରକୁ ଦେଖାଇବାକୁ ଚାହାନ୍ତି ଏମାନେ : କେହି ଭୀରୁ ନୁହଁନ୍ତି । ଭରତଙ୍କ ଦାୟଦ ବାଘୁଣୀ ସହ ଖେଳିବାରେ ଭୟ କରନ୍ତି ନାହିଁ । ବା ବାଲ୍ମିକୀ ଆଶ୍ରମ ଲବକୁଶଙ୍କ ଦାୟଦ । ଦୟା ସ୍ନେହ ମମତାର ପ୍ରତୀକ । ସାମାନ୍ୟ ରାଗୀଣୀ ତୋଳି ହିଂସ୍ରଜନ୍ତୁଙ୍କୁ ବସ କରିପାରିବେ । ଗେହ୍ଳେଇ କରି ବିପଦ କହିଦେଲେ ହିଂସ୍ର ବାଘୁଣୀକୁ ବଶ କରିଦେବ ।

ଦେଖୁଛି ଗୋଟିକ ପରେ ଗୋଟିଏ ଆଗେଇଗଲେ । ବାଘୁଣୀ ପାଖରେ ଛିଡ଼ାହୋଇ ଠାଣି ଦେଖାଇଲେ । ମୁଁ କିନ୍ତୁ ଦୂରରେ । ବହୁ ଦୂରରେ ରହିଗଲି । ମୋର ଭୟ ଯେ ମୋଠାରୁ ମଣିଷ ଗନ୍ଧ ଯାଇନାହିଁ । ହିଂସ୍ର ବାଘୁଣୀ ଯଦି ଚିହ୍ନିପକାଏ, ତେବେ ତା’ର ହିଂସ୍ରତା ପ୍ରକାଶ ପାଇବ-

ସମସ୍ତେ ଫେରିଲାପରେ ଆମେ ଏକାଠି ହେଲୁ । ବହୁ ତର୍କ ବହୁ ବିତର୍କ, ଆଲୋଚନାରେ ମୁଖରିତ ହେଲା ସ୍ଥାନଟି ।

କିଏ କହିଲା ବାଘୁଣୀର ଖାଇବା ଢଙ୍ଗ ବଦଳି ଯାଇଥିବାରୁ ସେ ସଜ ମାଂସ ବା ରକ୍ତରୁ ବାହାରୁଥିବା ଗନ୍ଧର ସ୍ୱାତନ୍ତ୍ରତା ଜାଣି ପାରୁନାହିଁ । ସେ ଆଉ ପ୍ରକୃତି ମେଳରେ ନାହିଁ, କୃତିମତା ତାକୁ ଗ୍ରାସ କରିଛି । ଏଣୁ ପ୍ରକୃତି ତା’ର ଲୋପ ପାଇଛି ।

ଆଉ କିଏ କହିଲେ ବା ପୁଣି ପଛରେ ଯେଉଁ ଗାର୍ଡ଼ ଜଣକ ଚାଲିଛି ତା’କୁ ଲକ୍ଷ କରିଛି । ସେ ଖଣ୍ତିଏ ବାଡ଼ି ହାତରେ ଧରିଛି । ସେ ଖଣ୍ଡିକ ‘‘ବିଦ୍ୟୁତ ଚାବୁକ’’ ବୋଲି ଧାରଣା ଏବଂ ଭୟ ବାଘୁଣୀଠାରେ ଅଛି । ଏଣୁ ସେ ତ୍ରସ୍ତ । ସେ ଭୀଷଣ ଭୟକରେ ମଣିଷକୁ ।

ଜଣେ ବକ୍ତାଙ୍କ ସମସ୍ତ ଯୁକ୍ତିକୁ ଖଣ୍ଡନ କରି କହିଲି ଆପଣ ଗୋଟିଏ କଥା, ଲକ୍ଷ କରିନାହାନ୍ତି ବୋଧହୁଏ । ବାଘୁଣୀଟି ଆସିଲାବେଳେ ଘୂମେଇ ଘୂମେଇ ଚାଲିଥିଲା । ତା’ର କାରଣ ହେଉଛି ତାକୁ ନିଶା ଖୁଆଇ ଦିଆଯାଇଛି । ସେ ନିଶାଖାଇ ସବୁବେଳେ ଅର୍ଦ୍ଧଶୁପ୍ତ ଅବସ୍ଥାରେ ଅଛି ।

 

ଶିମିଳିପାଳ ଜଙ୍ଗଲର ଖଇରୀ ରଂଜନ ନଈକୂଳରୁ ଧରାହେଇଥିବା ବାଘ କନ୍ୟା ଖଇରୀ ନିଶାଖାଏ । ଜଙ୍ଗଲ ଭିତର ଦେଖିଆସିଲା ବେଳେ ଠାକୁ ଠାଆ ଦଳେ ଲୋକ ବିପଣୀ ଆସିଥିବା ଲକ୍ଷ କରିଥିଲି । ଓହ୍ଲେଇ ଦେଖିଛି ସବୁ ବିପଣୀରେ ପୁରୁଷ ସ୍ତ୍ରୀ ହାଣ୍ଡିଆ, ମହୁଲ ଧରି ବସିଛନ୍ତି । ପେଟଥଣ୍ଡା ହେବ, ଦେହରେ ବଳଆସିବ, ଆଉ ପାହାଡ଼ି ମଣିଷ ଆଖିରେ ନିଦ ଆସିବ-। ସବୁଗୁଣରେ ଭରା ହାଣ୍ଡିଆ, ମହୁଲ ଏ ମୁଲକର ଦରବ । ସେଇ ନିଶା କବଳରେ ମହାବଳ ପଡ଼ିଛି । ନିଶାରେ ଟଳମଳ ଏ ମୁଲକ ଥିଲାବେଳେ ଆଉଦଳେ ଉପଭୋଗ କରୁଛନ୍ତି ସମସ୍ତ ସଂପଦକୁ । ଏ ଜଙ୍ଗଲରେ କାଠ ଲୁଟିହୋଇ ଯାଉଛି । ଗଛର ପତ୍ର, ଗଛର ଫଳ ଦି’ଟା ବି ରହୁନାହିଁ-। ସବୁନେଇ ବାବୁ ଭୟାଏ ଦେଖେଇ ଦେଉଛନ୍ତି ବିଶ୍ୱ ଦରବାରରେ । ନିଜର କୋଠାବାଡ଼ି ପିଟୁଛନ୍ତି, ଧନ ସଂପତ୍ତି ବଢ଼ଉଛନ୍ତି । ଅର୍ଜି ଯାଉଛନ୍ତି ଯୁଗ ଯୁଗକୁ । ନିଜର ପିଲା କବିଲାଙ୍କ ପାଇଁ-। ପଦା ହେଉଛି ଜଙ୍ଗଲଭୂଇଁ । ଶିମିଳପାଳ ଶ୍ରୀହୀନ ହେଉଛି ।

 

ଏ ମୁଲକରେ ସେମାନେ ନିଶାରେ ଘାରିହୋଇ ହାତରେ ଧନୁଶର ବା ପଥର ଖଣ୍ତି ତଳେ ଥୋଇ ଢୁଳେଇ ପଡ଼ିଥିବା ବେଳେ ଏତେ ସବୁ କାଣ୍ଡ ଘଟିଯାଉଛି ।

 

Sorry, Sorry, ଖଇରୀ ଖଇରୀ ଚିତ୍‌କାର କରି ଉଠିଲେ ଡାଇରେକ୍ଟର । ଏକା କୁଦାକେ ଖଇରୀ ମୋ ଉପରେ ପଡ଼ିଲା । ଭାବିବାକୁ ଆଉ ସମୟ ନଥିଲା । ଦେହଟା ଗୋଟାପଣେ ଥରୁଥିଲା । ସାମାନ୍ୟ ଘୁଞ୍ଚିଯାଇ ଏକା ଡିଆଁକେ ଗେଟ୍ ବାହାରକୁ ଚାଲିଗଲି’ ଅନ୍ୟମାନେ ମଧ୍ୟ ଥରୁଥିବାର ଲକ୍ଷ କଲି । କର୍ମଚାରୀମାନେ ଲଜ୍ଜା ଏବଂ ଭୟରେ ଝାଳେଇ ଗଲେଣି । ଡାଇରେକ୍ଟର ବାଘୁଣୀ ଖଇରୀକୁ ସେଠାରୁ ଘୁଞ୍ଚେଇ ନେବାକୁ ନିର୍ଦ୍ଦେଶ ଦେଇ ଆମଆଡ଼କୁ ଚାଲି ଆସିଲେ ।

 

ସାନ୍ତ୍ୱନା ଦେଇ କହିଲେ, ଆପଣ ଆଜି ନୂଆ ଇସ୍ତ୍ରୀକରା ଧୋତି-ପଞ୍ଜାବୀ ପିନ୍ଧିଥିଲେ । ଲୁଗାର ସାଟ ଗନ୍ଧରେ ସେ ଧାଇଁଗଲା । ତଥାପି ପୂର୍ବର ଦାମ୍ଭୀକତା ତାଙ୍କଠାରେ ନଥିଲା । ସମବେତ ମଣିଷ ହତବାକ ହୋଇ ଯାଇଥିଲେ । କ’ଣ ଗୋଟାଏ ଅଘଟଣ ଘଟି ଯାଇଥାନ୍ତା । ସମସ୍ତଙ୍କୁ ଘାରିଥିଲା ଖଇରୀର ଭୟ । ଗାଡ଼ିରେ ବସିଲାବେଳେ ଜଙ୍ଗଲ ବିଭାଗର ସେହି ଅଫିସର କହିଲେ, ମୁଁ କ’ଣ କହୁଥିଲି ଆଜ୍ଞା ଖଇରୀଠାରେ ଏବେ ବି ହିଂସ୍ରତା ରହିଛି । ତାକୁ ନିଶା ଖୁଆଇ ଦିଆଯାଇଥିଲା । ନିଶାଟିକେ ଛାଡ଼ିଯିବାରୁ ସେ ତା’ର ପ୍ରକୃତି ଘେନି ଡେଇଁପଡ଼ିଲା ଆପଣଙ୍କ ଉପରକୁ ।

 

ହଁ ମୁଁ ତାହାହିଁ ତ ଭାବୁଥିଲି । ନିଶାଛାଡ଼ିଲେ ଏଇମୁଲକ ଚେଇଁଉଠିବ । ହାତରେ ଧନୁଶର ପଥର ଧରି ସେ ଦେଖାଇବ ତା’ର ରୂପ ତଡ଼ିଦେବ ସେମାନଙ୍କୁ, ଯେଉଁମାନେ ତାଙ୍କୁ ନେଇ ଦିନେ ଉପଭୋଗ କରୁଥିଲେ । ଉପଭୋଗକାରୀ ଦଳଙ୍କ ହୃଦୟରେ ଆତଙ୍କ ଜାଗିବ ।

Image

 

ଦୋକାନ

 

ସ୍ତ୍ରୀଙ୍କ ଗହଣା ମାଗିଲାବେଳେ ସେ ଗାରୁଗାରୁ ହେଲେ । କେତେ ଅଶାକରି ହାତ ଧରିଥିଲେ । ଚାକିରି କରିବି, ସହର ନେବି । ଜଣକ ସାଙ୍ଗରେ ଜଣେ କରି ସମାଜରେ ଛିଡ଼ା କରାଇବି । ହେଲେ ସବୁ ଭଣ୍ଡୁର ହୋଇଗଲା । ହେଲେ ବାପା ମା’ଙ୍କ ପଇସାରେ ପାଠ ପଢ଼ି ଏମ୍. ଏ. ପାସ୍ କଲି । ସେମାନେ ଦେଖିପାରିଲେନି ଆରପାରି ଚାଲିଗଲେ । ଖଣ୍ଡେ ଚାକିରି କେଉଁଠି ମିଳିଲାନି । ଏ ଭିତରେ ବାପ ଅର୍ଜିତ ଜମି କେତେ ବିକ୍ରି ବନ୍ଧାରେ ଚାଲିଗଲାଣି । ଆଉ ବା ଅଛି କ’ଣ । ଯଉତୁକ ଗହଣା ଗାଣ୍ଠି କେତେଖଣ୍ଡ । ଏଣେ ଚାକିରି ପାଇଁ ବୟସ ବି ଗଲାଣି । ବହୁ ଭାବିଚିନ୍ତି ନିଷ୍ପତ୍ତି କଲି କିଛି ପଇସା ଯୋଗାଡ଼ କରି ଦୋକାନ ଖଣ୍ଡେ ମେଲିବି ।

ଚାକିରି ଖୋଜି ଖୋଜି ଭୁବନେଶ୍ଵର ଗଲେ ବନ୍ଧୁ ମାଧ ଘରେ ଯାଇ ରହେ । ପାଠ ପଢ଼ା ସାଙ୍ଗ ମୋର । ଏବେ ଟ୍ରକ୍ ବସ୍ ଦି’ଖଣ୍ଡ ପକେଇଛି । ପ୍ରଥମେ ତାକୁ ଏଇ ଦୋକାନ କରିବା କଥା କହିଲି ।

ମାଧ ପ୍ରଥମେ ରାଜି ହେଉନଥିଲା । ଏବେ କହିଲି, କି ଦୋକାନ କରିବୁ । ନେଇ ଆଣି ଥୋଇ ନ ପାରିଲେ ମୂଳଧନ ବୁଡ଼ିଯିବ । ସେ ସବୁ ମାରଓ୍ୱାଡ଼ିଙ୍କୁ ପୋଷାଏ । ତା’ପରେ ବାକି ନେଇଯିବେ ଯେ ଆଉ ଦେବେ ନାହିଁ ମାଗି ମାଗି ଥକିବୁ ।

ତା’ର ଏ ଅମଙ୍ଗ ଭାବ ମନକୁ ପାଇଲା ନାହିଁ । କହିଲି ମୁଁ କି ଦୋକାନ କରିବି, ଜାଗାଟା କେଉଁଠି ନଶୁଣି ଏମିତି କାହିଁକି ହେଉଛୁ । ମୁଁ ଭୁବନେଶ୍ୱରରେ ଦୋକାନ କରିବି । ତୁ ଆଜି ଖଣ୍ଡେ ଘର ମୋ ପାଇଁ ଯୋଗାଡ଼ କରିଦେ ।

 

ମାଧ ଟିକେ ଟିଙ୍ଗା ପ୍ରକୃତିର । ରାଗିଯାଇ କହିଲା, ଆଗ କି ଦୋକାନ କରିବୁ କହ । ଆଚ୍ଛା ତୁ କେତେଦିନ ହେବ ଭୁବନେଶ୍ଵରରେ ରହିଲୁଣି । ଦି’ବର୍ଷ ହେବନାହିଁ ।

 

ସେ ମୁଣ୍ଡ ଟୁଙ୍ଗାରି ହଁ କଲା କହିଲୁ ଦେଖି ଏ ସହରରେ ଭେଳିକିଭେଳି ଧର୍ମଘଟ ସତ୍ୟାଗ୍ରହ ଆନ୍ଦୋଳନ, ଜନସମାବେଶ କେତେଥର ଦେଖିଛୁ ।

 

ମାଧ ମୋ ମୁହଁକୁ ବଲବଲ କରି ଚାହିଁଲା । ଆରେ ଶୁଣୁଶୁଣୁ । ସେମିତ ଚାହିଁଲୁ କାହିଁକି-? କି ହିନସ୍ଥା ହୁଅନ୍ତି ବିଚରା ଧର୍ମଘଟକାରୀମାନେ ପାଣି ମୁନ୍ଦେ ନାହିଁ ପିବାକୁ । ଖରା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ସାହା ନାହିଁ । ପ୍ଲାକାର୍ଡ଼ ବା ବ୍ୟାନରଟାଏ ଖୋଜି କରିବାପାଇଁ କି ହିନ ଅବସ୍ଥା ଆଚ୍ଛା ଗଣତନ୍ତ୍ର ଏ ଦେଶରେ ଚାଲିଛି । ଦାବି ପୂରଣ କରି ନ ପାରିଲେ ବି ଲୋକମାନଙ୍କର ହେପାଜତୁ ଟିକିଏ କରିବ ନାହିଁ ତମକୁ କ’ଣ ଆମେ ଭୋଟ ଦେଇଥିଲୁ ଅରାମରେ ସେକ୍ରେଟାରିଏଟ୍‌ କି ଆସେମ୍ୱଲିରେ ଶୀତତାପ ନିୟନ୍ତ୍ରିତ ଘରେ ବସିବ । ଆଉ ଏଣେ ଆମେ ଖରାରେ ବର୍ଷାରେ ପଡ଼ି ପଡ଼ି ମରିବୁ ।

 

ଆଉ ଭାଷଣରୁ କ’ଣ ମିଳିବ । ଦୋକାନ କଥା କହ । ନହେଲେ ତୋ ସାଙ୍ଗେ ବକ ବକ ହେବାପାଇଁ ମୋ ସମୟ ନାହିଁ ମୁଁ ଉଠୁଛି ।

 

ରହ ରହ ଏବେ ଶୁଣ ମୁଁ ସେଇକଥା କହୁଛି । ବର୍ଷକରେ ବିଧାନସଭା ହାରାହାରି ୯୦ ଦିନ ବସେ । ଏସବୁ ଦିନମାନଙ୍କରେ ତ ନିଶ୍ଚୟ ଧର୍ମଘଟ, ସତ୍ୟାଗ୍ରହ, ଧାରଣା ଜନସମାବେଶ ହେବ । ତା’ପରେ ସେକ୍ରେଟେରିଏଟ୍ ସାମନାରେ, ମୁଖ୍ୟମନ୍ତ୍ରୀଙ୍କ ଘର ସାମନାରେ, ମନ୍ତ୍ରୀମାନଙ୍କ ଘର ସାମନାରେ ଏ ସବୁର ଆୟୋଜନ ଅଛି । କିରେ ଦରଦାମ୍ ତ ନିଶ୍ଚିତ ବଢ଼ିବ । ମହଙ୍ଗାଭତ୍ତା ଦାବି ହେବ ! ସବୁ କର୍ମଚାରୀ ସଂଘ ଧାଇଁବେ । ଦରମା ବଢ଼ାଅ ଦାବି । ପ୍ରତିବର୍ଷ ସଂଘମାନଙ୍କର କର୍ମକର୍ତ୍ତା ନିର୍ବାଚନ ହୁଏ । ଏଣୁ ସଂଘ ବଡ଼ପଣ୍ଡା ମାନେ ନିଜର ପାରିବାର ପଣ ଦେଖାଇ ଧାଇଁବେ ରାଜଧାନୀକୁ । ତମ୍ୱିତୋଫାନ କରିବେ । ନହେଲେ ଶେଷକୁ ଧର୍ମଘଟ, ସମାବେଶର ଅୟୋଜନ କରିବେ ! ସେମିତି ତୁ ତ ଜାଣୁ ଛାତ୍ରମାନଙ୍କର ବିଭିନ୍ନ ଦାବିନେଇ ‘‘ଭୁବନେଶ୍ଵର ଚାଲ” ଡାକରା ଅନ୍ତତଃ ପ୍ରତିବର୍ଷ କିଛିନା କିଛି ହୋଇଥାଏ । ଓଃ ଭାଇ ତତେ କହିଛି ତୁ ଏସବୁ ଆଉ ବଖାଣେନାହିଁ, ଦୋକାନକଥା କହ । କି ଦୋକାନ କରିବ । ଏଥିରୁ କ’ଣ ମିଳୁଛି ।

 

ମୁଁ କ’ଣ ମାଗଣା ଏ ସବୁକଥା କହୁଛି । ଏଇଥର ଶୁଣ, ଗୋଟିଏ ଦୋକାନ ଖୋଲାହେବ । ସାଇନ୍‌ବୋର୍ଡ଼ରେ ଲେଖାହେବ, ଏଠାରେ ଧର୍ମଘଟ, ସତ୍ୟାଗ୍ରହ, ସମାବେଶ ସଂକ୍ରାନ୍ତିୟ ସମସ୍ତ ସଂରଜାମ ସୁଲଭ ମୂଲ୍ୟରେ ବିକ୍ରୟ ଓ ଭଡ଼ା ଦିଆଯାଏ ।

 

କେମିତି ଲାଗିଲା ମନକୁ ।

 

ମାଧ ଟିକିଏ ଗୁମ୍‌ମାରି ବସିଗଲା । ତାପରେ କହିଲା ଆଚ୍ଛା କି ଜିନିଷ ଏଠି ବିକ୍ରି ହେବ ଭଡ଼ା ଦିଆଯିବ । ସେଥିରୁ କେତେ ପଇସା ମିଳିବ ।

 

ବାଃ, ବାଃ, ଏତିକି ମୁଣ୍ଡକୁ ଢୁକୁନାହିଁ । ଏଇଥର ମାଠିଆ, ଗିଲାସ, ନାଲିକନା, ପ୍ଲାଗର୍ଡ କାଠି, ପାଲ, ବାଉଁଶ ଭଳି ବଡ଼ ବଡ଼ ଖବରକାଗଜ ଆଉ ଦରକାରହେଲେ ‘ସମାବେଶ’ ପାଇଁ ଟ୍ରକ୍ ବସ୍ ଭଡ଼ାରେ ଲାଗିବ । ବେଶୀ ହେଲେ ମାଇକଟାଏ ରଖିବା । ଦୋକାନ ଭଲଚାଲିଲେ ରିକ୍‌ସା ଖଣ୍ଡେ କିଣିବା ।

 

ମାଧ ମୁହଁରେ ଏତେବେଳେ ହସ ଉଛୁଳିଲା । କହିଲା ଚମତ୍‌କାର ଚିନ୍ତା ।

 

ଏତେଦିନକାଳ ଭୁବନେଶ୍ଵରରେ ବୁଲିଲି, ମାଷ୍ଟ୍ରଙ୍କ ଆନ୍ଦୋଳନ ଦେଖିଲି । କର୍ମଚାରୀଙ୍କର ଆନ୍ଦୋଳନ ଦେଖିଲି, ଛାତ୍ରଙ୍କ ଶୋଭାଯାତ୍ରା ଦେଖିଲି । ମନ୍ତ୍ରୀଙ୍କର ମିଥ୍ୟା ପ୍ରତିଶ୍ରୁତି ଶୁଣିଲି । ସବୁ କ’ଣ ଖାଲି ଖାଲି ଯାଇଥାନ୍ତା । ଆରେ ମାଓ କରୁଛନ୍ତି, Idea (ଧାରଣା) ସ୍ଵର୍ଗରୁ ଖସେ ନାହିଁ । ନାହିଁକି ମଣିଷ ସାଙ୍ଗରେ ଜନ୍ମ ନେଇ ନଥାଏ । ସାମାଜିକ ଚଳଣିରୁ ବାହାରେ ।

 

ଏ ଦୋକାନ ଭଲ ଚାଲିବକି ନାହିଁ କହିଲୁ । ଯଦି ଦରକାର ହୁଏ କିଛିଟା ଟୋକା ବି ଦିନମଜୁରିରେ ରଖିବା ରଖିବା । ମନ୍ତ୍ରୀଙ୍କ ବିରୁଦ୍ଧରେ ଅଫିସରଙ୍କ ବିରୁଦ୍ଧରେ ସତ୍ୟାଗ୍ରହକାରୀ ବା ଧର୍ମଘଟକାରୀମାନେ ଯେଉଁ ଅଶ୍ଳିଳ କଥା ଲେଖିବାକୁ ଚାହୁଁଛନ୍ତି ଅଭ୍ୟାସ ନଥିବାରୁ ବଙ୍କାଟଙ୍କା ହୋଇ ଏଣୁତେଣୁ ଡରି ଥରି ଲେଖି ଦେଉଛନ୍ତି । ଧରିନିଆଯାଉ ଆମ ପିଲାଙ୍କୁ ସେଥିପାଇଁ ଭଡ଼ାରେ ନିଆଯିବ, ସେମାନେ ନିର୍ଭିକ କୁଶଳୀ କାରିଗର, ରାଜଧାନୀର କାନ୍ଥବାଡ଼ରେ ଚିତ୍ର ସହ ସମସ୍ତ କଥା ପ୍ରାଞ୍ଜଳ ଭାବେ ଲେଖିଦେବେ ।

 

ଆଛା । ଦେଖ, ମୂଳଧନ ଯଦି ବଢ଼ିଗଲା, ତେବେ ସେହି ସାଇନ୍‌ବୋର୍ଡ଼ ପାଖରେ ଆଉ ଗୋଟିଏ ସାଇନ୍‌ବୋର୍ଡ଼ ମାରିଦେବା, ସେଥିରେ ଲେଖାହେବ “ଏଠାରେ ସୁଲାଭ ଦରରେ ସମସ୍ତ ଭୋଟ ସଂରଜାମ” ମିଳେ । ତୁ ତ ଜାଣୁ । ଏ ଓଡ଼ିଶା ଏଠି କୌଣସି ସରକାର ତିନିବର୍ଷରୁ ବେଶୀଦିନ ଯାଉନାହିଁ । ଏବେ ପୁଣି ପାର୍ଲାମେଣ୍ଟ, ଆସେମ୍ବ୍ଲି ନିର୍ବାଚନ ଅଲଗା ଅଲଗା ହେଲାଣି । ତା’ ସାଙ୍ଗକୁ ଏଠାର ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଆସୁଛନ୍ତି । ଛଅ ମାସରେ ସେ ପୁଣି ଭୋଟ ଲଢ଼ିବେ । ଏକମାଧିଆ ବାଇଶଧନ । ଗୋଟିଏ ମୁଖ୍ୟମନ୍ତ୍ରୀ ଉପ ନିର୍ବାଚନରେ ଯେତେ ଖର୍ଚ୍ଚ ହୁଏ ରଥ, ରଥି, ସାମନ୍ତ ଲୋଡ଼ା ଶାହେଟା ଗୋପିଆ, ପହଲାଙ୍କର ବି ଏତେ ନୁହେଁ । ପ୍ରତିବର୍ଷ, ଭୋ’ଟ ହେବାର ସମ୍ଭାବନା ରହିଛି । ସେଥିପାଇଁ ତ ଅତିକମ୍‌ରେ ଦି’ମାସ ଧରି ଖୁବ୍ ଜାକଜମକ୍ ସଭାସମିତି ପ୍ରଚାର ଚାଲିବ । ଆମରାଜ୍ୟର ରାଜନୈତିକ ଦଳ ବା କର୍ମୀବୋଲି କିଛି ନାହାନ୍ତି । ପାନରୁ ଚୂନ ଖସିଲେ ।

ଆଜି ଏ ଶିବିରର କର୍ମୀ କାଲି ସେ ଶିବିରରେ । ଦଳଗୁଡ଼ାକ ଭୋଟ ବେଳେ କର୍ମୀଟାଏ ପାଇବାକୁ ପାଉଟୁ ପାଉଟୁ ହୁଅନ୍ତି । ବାଉଳାରେ ଆକୁ ତାକୁ ଧରି ନେଉଛନ୍ତି ।

ଦେଖ ଆଗେ ଦଶ ପଚାଶ ବେକାରିଆ ଶିକ୍ଷିତ ଯୁବକ ଯୋଗାଡ଼ କରିବାରେ ଅସୁବିଧା ହେବ ନାହିଁ । ଯେତେଦଳ ଏଠି ଅଛି ବା ହେଉଛି ସମସ୍ତଙ୍କ ବିପକ୍ଷରେ ସପକ୍ଷରେ ଭଲ କରି ଶିକ୍ଷାଦେବ । ତିନି ମାସିଆ ଟ୍ରେନିଂ ବ୍ୟବସ୍ଥା ରଖିଦେବା । ପ୍ରତିବର୍ଷ ଥରେ କରି “ରିଫ୍ରେସର କେର୍ଷ” ଶିକ୍ଷା ଦିଆଯିବ ନହେଲେ ଆଜିର ପ୍ରଗତି ଦଳ, କାଲି ଭାରତୀୟ ଲୋକଦଳ, ତା’ ଆରଦିନ ଉତ୍କଳ କଂଗ୍ରେସ, ତା’ ପରଦିନ ଜନତା, ଜନତା (ଏସ୍), ରାଜ୍ୟଜନତା, ଲୋକଦଳ ଏମିତି କେତେ ରୂପ ବଦଳାଉଛି । ଆମ କର୍ମୀମାନେ ଯଦି ଠିକ୍ ଶିକ୍ଷା ନପାନ୍ତି ତେବେ ପାଟି ଆଉଟୁ ପାଉଟୁ ହେବ । ଷ୍ଟେଜ ଉପରେ ଛିଡ଼ାହୋଇ ନେତାଙ୍କ ପରି ଥରିବେ । ଏଣୁତେଣୁ କହିବେ । ଯେଉଁମାନେ ଆମସାଙ୍ଗରେ ଭଡ଼ା ଛିଣ୍ଡାଇବେ ଆମେ ତାଙ୍କ ନିର୍ବାଚନ ପ୍ରଚାରରେ କର୍ମୀ ପଠାଇବା ।

ଆରେ ଆଁଟା କରି କ’ଣ ଶୁଣୁଛୁ । ଏ ରାଜ୍ୟର ଦଳ ଏମିତି ନେତାବି ସେମିତି ଆଜି ଏ ଦଳର ମଞ୍ଚଉପରେ ଭାଷଣ ଦେଇ ଅନ୍ୟଦଳର ଚଉଦପୁରୁଷ ଶ୍ରାଦ୍ଧ କରଦିଅନ୍ତି, ପୁଣି ଦେଖିଲାବେଳେ ତା’ ପରଦିନ ସେ ଦଳରେ ଟିକେଟ୍ ନେଇ ଭୋଟରେ ଲଢ଼ନ୍ତି । ଆଉ ଆମ ଭୋଟର ମଧ୍ୟ ସେ କାର୍ଯ୍ୟକୁ ତାରିଫ୍‌ କରି ତାଙ୍କୁ ଜଣାନ୍ତି । ଆମର ଏ କାମପାଇଁ ବହୁଲୋକ ତାରିଫ୍ କରିବେ ।

 

ତାପରେ ଭୋଟବେଳେ ଦଳର ସବୁ ପତକା ଦରକାର ଠେଙ୍ଗା ଦରକାର ଆଉ ଆଉ ଜିନିଷମାନ ଦରକାର । ଦେଖେ ଆମର ଏ ଦୋକାନ ପ୍ରତିଷ୍ଠା ହୋଇଗଲେ ସବୁଦଳ ନେତା ଏବଂ ଦଳର ପାଖରେ ଆମର କେମିତ ଖାତିର ବଢ଼ିଯିବ ।

 

ପୂରା କଳ୍ପନାଟି ମାଧ ମନକୁ ବେଶ ପାଇଥିଲା । କଥାହେଲା ଦୁଇଜଣଯାକ ଭାଗୁଆଳି ହୋଇ ଦୋକାନ ଖୋଲିବୁ । ମାଧ ବେଶୀ ଭାଗ ଅର୍ଥ ଖଟାଇବ ମୁଁ କମ୍ ଅଂଶ ଖଟାଇବି । ମାଧ ଏବେ ଭୁବନେଶ୍ଵରରେ ଘର ଯୋଗାଡ଼ରେ ଲାଗିଛ । ଅଉ ମୁଁ ଆସିଛି ଗାଁକୁ ପଇସା ଯୋଗାଡ଼ ପାଇଁ ।

 

ମୋ’ କଥାରେ ବିଶ୍ୱାସ ହେଉବା ନହେଉ ସ୍ଵାମୀ ସର୍ବସ୍ଵ ସ୍ତ୍ରୀଟି ଅନ୍ୟଉପାୟ ନଦେଖି ଘରର ଶେଷ ସମ୍ବଳ ଗହଣାଗାଣ୍ଠି କେତେଖଣ୍ଡ ମୋ’ ହାତରେ ଟେକି ଦେଇଥିଲେ । ଦୋକାନ ଖୋଲାହେବ । ମୁଁ ଗହଣା ନେଇ ଚାଲିଛି । କିନ୍ତୁ ମନରେ ଦକ । ଧର୍ମଘଟ ନିଷେଧ କର ପାର୍ଲାମେଣ୍ଟରେ ବିଲ୍‌ ଅଣାଯାଇଛି । ଆଜି ହୁଏତ ଅତ୍ୟାବଶ୍ୟକୀୟ ସେବା ସଂସ୍ଥାପାଇଁ ହେବ, କାଲି ଶିକ୍ଷାନୁଷ୍ଠାନରେ ‘ଶାନ୍ତି’ ପ୍ରତିଷ୍ଠା ପାଇଁ ହେବ । ଏହା ସାଙ୍ଗକୁ ଏମର୍‌ଜେନ୍‌ସି ଯଦି ଲାଗୁହେଲା ତେବେ ତ ସତ୍ୟନାଶ । ଦୋକାନ ଚାଲିବନି । ପୁଣି କ’ଣ ଶୁଣାଗଲାଣି ଦିଲ୍ଲୀ ଦରବାର ଭିନ୍ନ ଏକ ଚିନ୍ତା କରୁଛି । ଆଉ ଭୋଟ ବି ନହେଇନପାରେ । ଶେଷ ସମ୍ବଳତକ ଧରି ବହୁ ଆଶାରେ ଆଗଉଛି-। ଯଦି ଦୋକାନ ଖଣ୍ଡିକ ନଚାଲେ ତେବେ ଅବସ୍ଥା ବାରଣ୍ଡା ଦି’କଡ଼ା ।

Image

 

ଏଇ ହାତ ଜଗନ୍ନାଥ

 

ନା ନା ଡାଇରେକ୍ଟର, ମୁଁ ପାରିବି ନାହିଁ । ଏଇ ହାତରେ ଆଉ ସେଇସବୁ କାମ କରିପାରିବି ନାହିଁ । ମୁଁ ଓଡ଼ିଆ ତମେ ଅଣଓଡ଼ିଆ । ଏଇ ଭିଟାମାଟିରେ ପୁରୁଷ ପୁରୁଷ ଧରି ଆମେ ପଡ଼ିରହିଛୁ । ମୋର ପୁଅ, ନାତି, ଅଣନାତି ପଡ଼ି ରହିବେ । ତମେ ଉଡ଼ା ଚଢ଼େଇ । ଆଜି ଆସିଛ କାଲି ନଥିବ । ସୃଷ୍ଟି କରି ଯାଇଥିବା ଅବସ୍ଥା ଆମକୁହିଁ ସୁଧାରିବାକୁ ହେବ । କାଗଜ କଲମକୁ ଛାଡ଼ି ବସି ରହିଲେ ଶୈଳେନ୍ଦୁ । ଆକାଶବାଣୀର ସ୍ପେସିଆଲ ଅଫିସର ।

 

ପିଅନ ଗୋକୁଳ ପଶିଆସିଲା । ସାର୍ ଆପଣଙ୍କୁ ଡାରେକ୍ଟର ଡକାଇଛନ୍ତି । ଅନ୍ୟମାନେ ଆସି ଫେରିଗଲେଣି, ଆପଣ ଟିକିଏ ଶୀଘ୍ର ଯିବାପାଇଁ କହିଛନ୍ତି ।

 

ଯାଉଛି ଚାଲ । ଡାଇରେକ୍ଟର ଅଫିସ ରୁମକୁ ପସି ଯାଉଥିଲା ଶୈଳେନ୍ଦୁ । ଡାଇରେକ୍ଟର ଯେମିତି ତା’ର ଅପେକ୍ଷାରେ ଥିଲେ । ଅସିଷ୍ଟାଣ୍ଡ ଡାଇରେକ୍ଟର ଅମରେଶ କହିଲେ ସାର୍ ମୁଁ ତ ଶିଶୁ ସଂସାର ବିଷୟରେ କହିଲି ମୋର ସୁବିଧା ଅସୁବିଧା ସବୁ ! ମତେ ଆଉ କିଛି କହିବାର ଅଛି ?

 

ନାଁ ନାଁ ଆପଣ ଯିବାକୁ ଚାହୁଁଛନ୍ତ ଯଦି ଯାନ୍ତୁ ! ଗୋଟିଏ ଚୌକି ଟାଣିଆଣି ଶୈଳେନ୍ଦୁ ବସିଲେ । ଡାରେକ୍ଟର ଚାଟାର୍ଜି, ନମ୍ର, ଭଦ୍ର ସ୍ୱଭାବର । କାମହାସଲ କରିବାର ସମସ୍ତ କୌଶଳ ତାଙ୍କୁ ଜଣା । ଶୈଳେନ୍ଦୁକୁ ଉଦ୍ଦେଶ୍ୟ କରି କହିଲେ ଶୁଣନ୍ତୁ ଶୈଳେନ୍ଦୁ ବାବୁ ଉପରୁ ଚିଠି ଆସିଛି ଆମର “ଏଇହାତ ଜଗନ୍ନାଥ” । କାର୍ଯ୍ୟକ୍ରମକୁ ଭାରୀ ତାରିଫ କରିଛନ୍ତି ଉପରବାଲା । ଏ କାର୍ଯ୍ୟକ୍ରମ ସପ୍ତାହରେ ଥରେ ନକରି ଦି’ଥର କରିବାକୁ କହିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଉଦ୍ୟୋଗୀମାନଙ୍କ କଥା ରେକର୍ଡ଼ିଂ କରିବାକୁ ହେବ । ସେଥିପାଇଁ ସ୍ଵତନ୍ତ୍ର ଏକ ଗାଡ଼ିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆପଣଙ୍କ ପରି ଯୁବକମାନଙ୍କ ଯୋଗୁଁ ଏ କେନ୍ଦ୍ର ପ୍ରଶଂସା ଅର୍ଜନ କରୁଛି ।

 

ଥାଉ ଥାଉ ଆଜ୍ଞା ଏ କେନ୍ଦ୍ରର ପ୍ରଶଂସା କମାଇବା ପାଇଁ ବହୁ ଯୁବକ ମିଳିବେ । ମୁଁ ଆଉ ପାରିବି ନାହିଁ । ମତେ ଅନ୍ୟ କୌଣସି ପ୍ରୋଗ୍ରାମ ଦିଅନ୍ତୁ । ଆଗରୁ ମନସ୍ଥ କରିଥିଲି ଆପଣଙ୍କୁ ଏକଥା ଜଣାଇବି ବୋଲି ।

 

ଶୁଣନ୍ତୁ ଶୈଳେନ୍ଦୁ, ବାବୁ ଆପଣ ଏ କାମ ନକଲେ ଅନ୍ୟବହୁ ଆଗ୍ରହ ବ୍ୟକ୍ତି ଅଛନ୍ତି । ଭଲ ସୁଯୋଗ ଆସିଥିଲା । ଟୁରୁରେ ଅଧିକ ପଇସା ମିଳିଥାନ୍ତା । ସ୍ପେସିଆଲ ପେ’ର ମଧ୍ୟ ବ୍ୟବସ୍ଥା ଅଛି ।

 

ସେ ସବୁ କିଛି ଦରକାର ନାହିଁ । ମୋ ପାଇଁ ମୋର ପୂର୍ବଯାଗା ‘‘ନିଉଜ୍‌ ସେକସନ୍” ହିଁ ଭଲ ।

 

ଆପଣ ଖିଆଲି ହୋଇପଡ଼ିଛନ୍ତି । କାରଣଟା କ’ଣ ମୁଁ ଜାଣିବାରେ କିଛି ଆପତ୍ତି ଅଛି କି-? ନାଁ ଆପତ୍ତି ନାହିଁ । ତଥାପି... ଆପଣ ଭୁଲ୍ ବୁଝିବେନି ବୋଲି ଭାବୁଛି । କହୁନାହାନ୍ତି କ’ଣ ହୋଇଛି ଆପଣଙ୍କର । ତେବେ ମୁଁ ଆସୁଛି କହି କହି ଚାଲି ଯାଇଥିଲେ ଶୈଳେନ୍ଦୁ । କିଛି ସମୟ ପରେ ଫେରିଆସିଥିଲେ । ହାତରେ ଗୋଟିଏ ଟେପ୍‌ରେକର୍ଡ଼ ଥିଲା ।

 

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମ ଶିଳ୍ପଦ୍ୟୋଗୀ ଦେଇଛନ୍ତି ଶ୍ରୀମାନ୍‌ ଟେପ୍ ଚାଲିଲା ।

 

ମହେଶ୍ଵର ପ୍ରଧାନ

 

ଆପଣ ଆଗରୁ କ’ଣ ଥିଲେ ?

 

ଗୋଟିଏ ପ୍ରାଇଭେଟ୍ କଲେଜର ଅଧ୍ୟାପକ

 

ଏଥିରେ କାହିଁକି ମନଦେଲେ ?

 

ମୋର ସ୍ଵପ୍ନଥିଲା ବ୍ୟବସାୟ କରିବି । ସ୍ଵାଧୀନଭାବେ ଜୀବିକା ନିର୍ବାହ କରିବି ।

 

ଏକଥା ଆଗରୁ କାହିଁକି କାର୍ଯ୍ୟକାରୀ କରୁନଥିଲେ ? ସୁଯୋଗ ନଥିଲା । ମୂଳଧନ ବୋଲି ହାତରେ ଦି’ ପଇସା ନଥିଲା । ସହଜେତ ଗରିବ ଘର । ଏବେ ସୁଯୋଗ ଆସିଲା ବୋଲି ଭାବୁଛନ୍ତି କାହିଁକି ? ବ୍ୟାଙ୍କ ସବୁ ଜାତୀୟକରଣ ହେଲା । ନୂଆ କ୍ଷୁଦ୍ର ଏବଂ ମାଧ୍ୟମ ଶିଳ୍ପାନୁଷ୍ଠାନ ଗଠନ ପାଇଁ ସରକାରୀ ନୀତି ଘୋଷିତ ହେଲା । ତାପରେ ବ୍ୟାଙ୍କରୁ ଋଣ ମିଳିବାଟା ସହଜ ଏବଂ ସୁବିଧାଜନକ ମନେହେଉଛି ।

 

ଏ ସ୍କିମ୍‌ଟା କାହିଁକି ବାଛିଲେ ?

 

ଓଡ଼ିଶାରେ ‘‘ଆଲ୍‍ପିନ୍” କାରଖାନା ନଥିଲା । ରାଜ୍ୟରେ ଏହାର ଆବଶ୍ୟକତା ଅଛି । ଏଣୁ ସହଜରେ ମାର୍କେଟ-ଟାଏ ମିଳିଯିବ । କାରଖାନାଟା ଖୁବ୍‌ଶୀଘ୍ର ଅଧିକ ଉତ୍ପାଦନ କରିବାକୁ ସକ୍ଷମ ହେବ ।

 

ଋଣ ପାଇବାର କିଛି ଅସୁବିଧା ଭୋଗିଲେ ?

 

ସେମିତ କିଛି ନୁହେଁ, ମୁଁ ତ ସ୍କିମ୍‌ ଆପ୍ରୁଭ କରାଇ ଋଣ ଚାହିଁଲେ ସେମାନେ ମେସିନାରୀ କିଣିବାପାଇଁ ଡ୍ରାଫ୍‌ଟ ଦେଇଦେଲେ ଟଙ୍କା ସିଆଡ଼େ ସିଆଡ଼େ ଗଲା । ମୁଁ ଖାଲି ଯାହା ଆକାଉଣ୍ଟ ଖୋଲି ଡିପୋଜିଟ୍‌ ରଖିଥିଲି ।

 

ମୋଟ୍ ଉପରେ ଆପଣ ସୁରୁଖୁରୁରେ ମେସିନ୍ ପ୍ରଭୃତି ପାଇଗଲେ ନାହିଁ ନା ?

 

ଆଜ୍ଞା ହଁ !

 

ଆପଣଙ୍କ ଏଇ କାରଖାନାରେ କେତେଜଣ କାମ କରୁଛନ୍ତି !

 

ବର୍ତ୍ତମାନ ଛ’ଜଣ । ପୁରାଦମରେ ଚାଲିଲେ ଆଉ ୯ ଜଣ ରହିବେ । ଗରାହକ ସବୁ ଆସିଲେଣି ?

 

ଏବେ ତ ଉତ୍ପାଦନ ଆରମ୍ଭ ହେଲା ଆଉ କେତେକ ପ୍ରାଥମିକ କାର୍ଯ୍ୟକ୍ରମ ରହିଛି । ଏବେଠାରୁ ସେ କଥା କିଛି ଜାଣି ହେଉନାହିଁ, ତଥାପି ବର୍ଷକୁ ଅନ୍ତତଃ ପକ୍ଷେ ଲକ୍ଷେ ଟଙ୍କା ଅର୍ଡ଼ର ପାଇବାର ଆଶା ଅଛି ।

 

ଅସୁବିଧା କିଛି ଅନୁଭବ କରୁନାହାନ୍ତି । କରୁନାହିଁ ବୋଲି କହିବି କେମିତି । ତଥାପି ସେଥିରେ ଗୁରୁତ୍ଵ ଆରୋପ କଲେ ବ୍ୟବସାୟୀ ଉଦ୍ଧେଇ ପାରିବ ନାହିଁ । ସବୁଠାରୁ ବଡ଼ କଷ୍ଟ ହେଉଛି, ଉତ୍‌ପାଦନ ହୋଇ ବିକ୍ରି ନହେଉଣୁ ବ୍ୟାଙ୍କ, ସୁଧ ଏବଂ ମୂଳଧନ ଅଂଶ ପାଇବା ପାଇଁ ତାଗିଦ୍ କଲାଣି । ମୋର ବ୍ୟାଙ୍କ ମ୍ୟାନେଜରଙ୍କ ସହ ପରିଚୟ ଅଛି । ସବୁ ଅସୁବିଧା ହିଁ ଆସନ୍ତା ମାସରେ ପଇଠ କରିବି ବୋଲି ପ୍ରତିଶ୍ରୁତି ଦେଇଆସିଛି ।

 

ବାସ୍‌ ବାସ୍‌ । ଆପଣ-ତା’ହାଲେ ମନମୁନ ଚୈତନ୍ୟ ଦେଇ ଏଇଥିରେ ଲାଗିପଡ଼ିଛନ୍ତି । ଆଚ୍ଛା ପ୍ରଧାନ ଦାରୁ ଅପଣ ଯଦି ଏଥିରେ ପାରିଗଲେ ଆଉ କିଛି ବଡ଼ ଶିଳ୍ପାନୁଷ୍ଠାନ ବା ବ୍ୟବସାୟ କରିବା ପାଇଁ ଇଚ୍ଛା ନାହିଁ ?

 

ଇଚ୍ଛା ଅଛି । କିନ୍ତୁ ଆଗରୁ ପ୍ରକାଶ କରିବା ମତିମାନ ଲୋକର କାମ ନୁହେଁ । ଏଇଟା ଭଲକରି ଚାଲୁନା ଆଗ ।

 

ଏଇ ଶୁଣିଲେ ଯୁବଦ୍ୟୋଗୀ ଶ୍ରୀମାନ୍ ।

 

ଟେପ୍ ବନ୍ଦ ହେଲା ।

 

ଶୁଣିଲେ ସାର୍ ।

 

ଡାରେକ୍ଟର ଏହି ଖିଆଲି-ଯୁବକଙ୍କ ମୁହଁକୁ ଖାଲି ବକ୍‌ ବକ୍‌ କରି ଅନାଇ ରହିଥିଲା । କହିଲେ ବେଶ ଭଲହୋଇଛି । ସେତବେଳର ବ୍ୟାଙ୍କ ଜାତୀୟ କରଣର ଉପକାରିତା ପ୍ରଚାର କରି ସରକାରୀ ଉଦ୍ଦେଶ୍ୟ ବେଶ୍ ସ୍ପଷ୍ଟ କରି ଦିଆଯାଇଛି । ହଁ ସାର୍ ସେଦିନ ମଧୁନଗରୀରୁ ଏହି ରେକର୍ଡିଂ ନେଇ ଆସିଲାବେଳେ ଖୁସୀ ହୋଇଥିଲି । ଜାଣିଛନ୍ତି ସାର୍ ବାରିଷ୍ଟର ଦାସଙ୍କୁ । ମଧୁସୂଦନ ଦାସ ବୋଲି ଏ ଜାତିର ଜଣେ କାହାକୁ ଜାଣିଛନ୍ତି । ତାଙ୍କର ନାମରେ ଏହି ନଗରୀ ପ୍ରତିଷ୍ଠିତ । ଏ ଜାତିର ଶିଳ୍ପୀ କାରିଗରୀ କୌଶଳକୁ ନେଇ ସ୍ଵପ୍ନ ଦେଖୁଥିଲେ ମଧୁବାବୁ । କଟକ ତାରକସି କାମ ପାଇଁ ଶିଳ୍ପାନୁଷ୍ଠାନ, ଉତ୍କଳ ଟ୍ୟାନେରୀ ପ୍ରଭୃତି ତାଙ୍କର କୃତି । ପାରିଲେ ନାହଁ । ଚଳେଇ ପାରିଲେ ନାହିଁ ଅର୍ଥ ଅଭାବରୁ ସେ ସବୁ ଭୁଶୁଡ଼ି ପଡ଼ିଲା । ଆଉ ଶେଷରେ ରିକ୍ତ ହସ୍ତରେ ବିଦାୟ ନେଲେ ସେ । ସେ କହୁଥିଲେ ଓଡ଼ିଆଜାତି ଜିନିଅସ । ତାହାର ଅନ୍ତର୍ନିହିତ ପ୍ରତିଭା ରହିଛି ତା’ର କଳାକର୍ମରେ । ଜର୍ମାନୀ ଜାତିର କାନ ଯେପରି ସୃଷ୍ଟି କରିଛି ଯାହାର ସଂଗୀତ, ଫରାସୀ ଜାତିର ଜିଭ ଯେପରି ସେମାନଙ୍କୁ କରିପାରିଛି ପୃଥିବୀରେ ଶ୍ରେଷ୍ଠ ସୁପକାର ଓଡ଼ିଆଙ୍କ ହାତ ସେହିପରି ବିଶ୍ୱରେ ଓଡ଼ିଆଙ୍କୁ ପ୍ରସିଦ୍ଧ କରାଇବ କାରିଗର ରୂପେ । ଏବେ ତାଙ୍କର ଦାୟିତ୍ଵ ଗଢ଼ି ତୋଳିଛନ୍ତି ମଧୁନଗରି ସ୍ଵପ୍ନ ସାର୍ଥକ ହେବ କେବଳ ଆମ ରାଜ୍ୟରେ ନୁହେଁ । ଦେଶ ବିଦେଶରେ ଜିନିଷରେ ଆଦର ବଢ଼ିବ । ଏଇ କଥା ଭାବି ସେଦିନ “ମଧୁନଗରୀ”ରେ ପରିରାଇଯର ସ୍ଵପ୍ନ ଦେଖୁଥିଲି । କେତେ ଉଦ୍ୟୋଗୀଙ୍କ କାହାଣୀ ରେକର୍ଡିଂ କରିଛି । ପ୍ରଚାର ହୋଇଛି ମାନେ ଆମ କେନ୍ଦ୍ରରେ । ଏଇ ରାଇଜରେ ଉତ୍ପାଦିତ ବୃଦ୍ଧି ହେବ । ବେକାରୀମାନେ କର୍ମ ସଂସ୍ଥାନ ପାଇବେ । ରାଜ୍ୟ ସମୃଦ୍ଧିଶାଳୀ ହେବ । ଲୋକ ସ୍ୱାବଲମ୍ବନଶୀଳ ହେବେ । କେତେ ସ୍ଵପ୍ନ ଥିଲା ସେଦିନ ମୋ ଭିତରେ ।

 

ସେଇଠୁ କ’ଣ ହେଲା, ଯୁବକ ଅଫିସରଙ୍କର ଭାବପ୍ରବଣତା ପ୍ରତି ଲକ୍ଷ୍ୟ କରି ଡାଇରେକ୍ଟର କହିଲେ ଆଜିସବୁ ସରିଯାଇଛି । ସ୍ଵପ୍ନ ସବୁ ସରିଯାଇଛି ।

 

ଶୁଣନ୍ତୁ ସାର୍ ମହେଶ ପ୍ରଧାନଙ୍କ ସ୍ତ୍ରୀ ଆଜି ଆମ ଘରକୁ ଆସିଥିଲେ । ଏବେ ଆମେ ଘର ଭଡ଼ା ନେଇ ତାଙ୍କର ଘର ପାଖରେ ଅଛୁ । ନୂଆ ପଡ଼ୋଶୀ ଜାଣନ୍ତି ସେ କାହିଁକି ଆସିଥିଲେ, ନିଜର ଏକମାତ୍ର ଗହଣା କାନର ରିଂଗ ଦି’ଟା ଦେଇ ଟଙ୍କା କେଇଟା ନେବାପାଇଁ । ମୋ ସ୍ତ୍ରୀ ଟଙ୍କା କେଇଟା ମାଗିଲେ, ଯୁବଶିଳ୍ପଦ୍ୟୋଗୀ ସ୍ଵାମୀ ତାଙ୍କର ରୋଗଶଯ୍ୟାରେ ପଇସାନେଲେ ଔଷଧ ଆସିବ, ପଥି ଆସିବ । ମୋ ସ୍ତ୍ରୀକୁ ଅତି ନେହୁରା ହେଇ କହିଥିଲେ ଟଙ୍କା କେଇଟା ପାଇଁ ହାତ ପାତିଲେ । ଧାର ଯାଚିବାକୁ ଗ୍ରହଣ କଲେ ନାହିଁ । ବହୁ ଧାର କରଜରେ ବାନ୍ଧିହୋଇ ପଡ଼ି ରହିଛନ୍ତି-। ଆଉ ନେବେ ନାହିଁ । ବଡ଼ କରୁଣ କାହାଣୀ ସାର୍ ଧାଇଁ ଯାଇଥିଲେ ତାଙ୍କ ଘରକୁ-। ସେଦିନର ସ୍ଵପ୍ନ ଶିକ୍ଷିତ ଶିଳ୍ପଦ୍ୟୋଗୀଙ୍କଠାରେ ନାହିଁ । ଶୁଖିଲା କାଠ ଗଣ୍ଡି ପରି ପଡ଼ି ରହିଛନ୍ତି । ମତେ ଦେଖି ରୋଗିଣା ହସୁଟିଏ ହସିଦେଲେ କହିଲେ ଆଜି କ’ଣ ରେକର୍ଡିଂ ପାଇଁ ଆସିଛନ୍ତି । ମୁଁ ସେ ପଥର ଯାତ୍ରୀ । ଥରେ ନଇଯାନ୍ତୁ ମୋଠାରୁ ପରାଜୟର କାହାଣୀ ! ସରକାରୀ ଚିତ୍ରାନ୍ତର ଶିକାର ମୁଁ-। କଲିକତା ଆଉ ବାହାର ବ୍ୟବସାୟୀଙ୍କର ପ୍ରାଧାନ୍ୟ ଆମ ବଜାରରେ । ମୋର ଜିନିଷ ତିଷ୍ଠିପାରିଲା ନାହିଁ । ସରକାରୀ ଦପ୍ତରମାନଙ୍କୁ ବେଶ୍ ଦି’ପଇସା ଦେଇ ବାହାର ଜିନିଷ ଚଳେଇଲେ-। ଆମଠାରୁ ପଇସା ନେଲେ ନାହିଁ । କାରଣ ଆମେ ଚିହ୍ନା ଲୋକ, ଏଇଠି ପଡ଼ି ରହିବୁ କୋଉଠି କେମିତି ପାଟିରୁ ଖସିଯିବ ଏଣେ ବ୍ୟାଙ୍କ ସୁଧ ଏବଂ ମୂଳ ପରିଶୋଧ ପାଇଁ ତାଗିଦ୍ କରି କରି ଶେଷକୁ କାରଖାନାରେ ତାଲାପଡ଼ିଲା । ସ୍ଵପ୍ନ ହଜିଗଲା । ଆଶା ବୈତରଣୀ ନଦୀ ଶୁଖିଯାଇଛି-। ଗୋଟିଏ ବୋଲି ପିଲା । ରୋଗୀଣାଟା ବୁଲୁଥାଏ ଘରଭିତରେ । ଫେରିଆସିଲି ।

 

ସେଥିପାଇଁ ଏତେ ଭାଙ୍ଗି ପଡ଼ିଛନ୍ତି ଆପଣ । ସେ ନିଜେ ଚଳାଇପାରିଲେ ନାହିଁ । ପରିଚାଳନା ଅଭିଜ୍ଞତା ଅଧ୍ୟବସାୟ ତାଙ୍କଠାରେ ହୁଏତ ନଥିବା । ତା’ ବୋଲି ସମସ୍ତେ ସମାନ ନୁହଁନ୍ତି ।

 

ଯାଇଥିଲି । ମଧୁନଗରୀ ଯାଇଥିଲି । ବହୁ ବନ୍ଧୁଙ୍କ ଅବସ୍ଥା ସେମିତି । କୋଉ ବଡ଼ ଶିଳ୍ପପତିଙ୍କ ଖାଲି ପଡ଼ିଥିବା କଳକବ୍‌ଜା ଶିଳ୍ପନଗରୀର ଘରେ ଘରେ ପଡ଼ିରହିଛି ବେଶ୍‌ ଅଭିନବ ଉପାୟରେ ସେମାନେ ଅଚଳନ୍ତି ଯନ୍ତ୍ରପାତି ଚଲେଇ ଆଣିଛନ୍ତି ଏଠିକି । ଯୋଉ କେତେଜଣଙ୍କର ଚାଲିଛି ବୋଲି ଜାଣିବେ ସେମାନେ ସମସ୍ତେ ପାଇଥିବା କଞ୍ଚାମାଲ କଳାବଜାରରେ ବିକ୍ରିକରି ଚାଲିଯାଉଛନ୍ତି । କାରଖାନାର ଉତ୍ପାଦନ ବନ୍ଦ ।

 

ଆଉ ଅଧିକ ଏ ଜାତିର ଯୁବକମାନଙ୍କୁ ଭଣ୍ଡିବାପାଇଁ ମୋପରି ଯୁବପ୍ରାଣ ଆଗେଇ ପାରୁ ନାହିଁ । ମୋତେ କ୍ଷମା କରନ୍ତୁ ସାର୍, ମୋର ବି ତ “ଏଇ ହାତ ଜଗନ୍ନାଥ” ।

Image

 

ହୁକୁମ

 

ଆମ ସାର୍‌ଙ୍କ ଢଙ୍ଗ ବଡ଼ ବିଚିତ୍ର ଧରଣର । ଯୋଉଠି ବସିଥିବେ ନ କହିଲେ ଉଠନ୍ତିନି । ଗପୁଥିଲେ ଗପୁଥିବେ । ମନକୁ ଗପ ବନ୍ଦ ହୁଏନି । ପେଟରେ ପେଟେ ବିଦ୍ୟା । ସଂସାରରେ ନୂଆ ପୁରୁଣା ଯେତେ ବାଦ ଅଛି ସବୁ ତାଙ୍କୁ ଜଣା । ମାର୍କସବାଦଠାରୁ ଆରମ୍ଭକରି ଗାନ୍ଧିବାଦ ପର୍ଯ୍ୟନ୍ତ ମାଓ ବାଦଠାରୁ ତାଓ ବାଦ ପର୍ଯ୍ୟନ୍ତ ସବୁ ପଢ଼ିଛନ୍ତି । ଗୀତ, ବାଇବେଲ କୋରାନରେ ଅଗାଧ ପାଣ୍ଡିତ୍ୟ । ଯେତେ ରକମର ସଂସ୍କୃତ ଅଛି ସବୁ ବିଷୟରେ ଅନର୍ଗଳ ଭାଷଣ ଦେଇପାରନ୍ତି । ସବୁଠାରୁ ବଳି ବିଶେଷ ଲକ୍ଷଣ ହେଇଛି ଯଦି, ଗଞ୍ଜେଇ, ଅଫିମ୍, ବିଡ଼ି, ପାନ, ସିଗାରେଟ୍, ଚା ପର୍ଯ୍ୟନ୍ତ ସବୁଥିରେ ସେ ପାରଂଗମ ହେଲେ ମଧ୍ୟ ନିଶାମାନେ ତାଙ୍କୁ ହଜମ କରିପାରିବେନି । ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସଭିଙ୍କ ସାଙ୍ଗରେ ସାଙ୍ଗ ହେବା ସମସ୍ତେ ଦେଖିଛନ୍ତି । ବେଳେବେଳେ ହସ ହସ ତ କେତେବେଳେ ଅତି ଗମ୍ଭୀର । ବଡ଼ ଲୋକ ଜମିଦାର ଘରର ପୁଅ । ଏଣୁ ବିନା ରୋଜଗାରରେ ଚାଲିବାର ଉପାୟ ମଧ୍ୟ ଅଛି । ଆଖିରେ ଚାଳିଶ ଚଷମା କିନ୍ତୁ, ବିବାହରେ ମନ ଦେଇନାହାନ୍ତି । କାହିଁକି ବାହାହେଲେ ନାହିଁ ବୋଲି ପଚାରିଲେ ବଡ଼ ଅଶ୍ୱିଳ ଉତ୍ତର ଦିଅନ୍ତି । ଏଣୁ ଜାଣିବା ଶୁଣିବ ଲୋକ ତାଙ୍କୁ କେବେ ସେ ବିଷୟରେ ପଚାରନ୍ତି ନାହିଁ । ଯେତେବେଳେ ଚିଲମ ଧରି ତ୍ରିନାଥ ମେଳାରେ ବସିଯାନ୍ତି, ଯେ କେହି ଏ ଶିବଭକ୍ତଙ୍କୁ ଭୁଲିପାରିବ ନାହିଁ । ବେକରେ ମାଳିପକାଇ ଅଷ୍ଟପ୍ରହର ନାମଯଜ୍ଞରେ ଚାଲୁଥିଲାବେଳେ ଆଙ୍କଠାରୁ ବଳି ବଡ଼ ବିଷ୍ଣୁଭକ୍ତ ନାହିଁ ବୋଲି ବୁଝିବାକୁ ହେବ । ଆଉ କେତେବେଳେ ସାର୍ ଶକ୍ତିମନ୍ତ୍ର ପାଠ କଲାବେଳେ ଶକ୍ତି ଉପାସକ ବୋଲି ପ୍ରତ୍ୟେୟ ହେଇଥାଏ । ହେଲେ ସେ କୁହନ୍ତି ତାଙ୍କୁ ଜଣେ ଅଦ୍ଭୁତ ବୋଲି କହିଲେ ହେଲା ।

 

ସେହିପରି ଜଣେ ଲୋକକୁ ସାର୍ କହିବାର ଅର୍ଥ ହେଉଛି ସେ କିଛିଦିନ ପାଇଁ ଶିକ୍ଷକତା କରିଥିଲେ । ସୌଭାଗ୍ୟ କ୍ରମେ ମୁଁ ତାଙ୍କର ଛାତ୍ର ଥିଲି । ସାର୍ ଆଉ ଶିକ୍ଷକ ନାହାନ୍ତି କି ମୁଁ ତାଙ୍କର ଛାତ୍ର ନାହିଁ । କିନ୍ତୁ ଆମେ ବେଳେବେଳେ ଭେଟ ହୋଇଯାଉ । ଦୁଃଖ ସୁଖ ହଉ । ଚା’ ଖାଉ । ସାଙ୍ଗ ହେଇକି ସିଗାରେଟ୍ ବି ଖାଉ । ସାର୍‌ କୁହନ୍ତି କିରେ ପନ୍ଦର ବର୍ଷ ଟପିଲେ ପୁତ୍ରକୁ ମିତ୍ରପରି ବିବେଚନା କରିବା ତତ୍ତ୍ଵ ଟିକକ କ’ଣ ଆମେ ଏଡ଼ିଦେବା, ଦେ, ଦେ, ଖଣ୍ଡେ ସିଗାରେଟ ଟାଣିଦେ । ସାର୍ ସେଦିନ କଥାପ୍ରସଙ୍ଗରେ କହିଲେ “ହଇରେ ତୁ ଖବରକାଗଜ ପଢ଼ିଲୁଣି ନା’’ ଗୋଟାଏ ସଂବାଦ ପ୍ରକାଶ ପାଇଛି ଅମୁକ ଜାଗାରେ ଅମୁକ ଗୋସାଇଁଙ୍କଠି ହୁକୁମ ଦିଆ ହେଉଛି । ବହୁ ବଡ଼ବଡ଼ ଅସାଧ୍ୟ ରୋଗୀ ଏ ହୁକୁମରେ ଭଲ ହୋଇଯାଉଛନ୍ତି । ଏ ହୁକୁମ ପଛରେ ନିଶ୍ଚୟ ଗୋଟାଏ ସତ୍ୟତା ଅଛି । ନହେଲେ ହଜାର ହଜାର ଲୋକ ଯାନ୍ତେ କାହିଁକି ? ସାର୍‌ଙ୍କ ମୁଁହକୁ ଅନାଇଲି, ସାର୍ ନିଶ୍ଚୟ ଗୋଟାଏ ଅଜବ କଥା ଆଜି କାଢ଼ିବେ । କହିଲି ସାର୍ ମୁଁ ସେ ହୁକୁମ ଫୁକୁମ୍‌ରେ ବିଶ୍ଵାସ କରେନି । କ’ଣ ତା’ ପଛରେ କିଛି ବୈଜ୍ଞାନିକ ଯୁକ୍ତି ଅଛି ?

 

ଏବେ ସାର୍ ଚିହିଙ୍କି ଉଠିଲେ । ସିଗାରେଟ୍‌ର ଗୁଳା ଖଣ୍ଡିକ ଝାଡ଼ୁ ଝାଡ଼ୁ କହିଲେ ନିଶ୍ଚୟ ନିଶ୍ଚୟ ନାହିଁତ ଆର୍ଯ୍ୟ ଋଷିମାନେ କ’ଣ ଭଣ୍ଡ ମିଥ୍ୟାବାଦୀ । ସେମାନେ ଏକଥାକୁ ବେଦରେ ଲେଖି ଯାଇଛନ୍ତି କ’ଣ ଗଞ୍ଜେଇ ନିଶାରେ ଭୋଳ ହୋଇ । ଶୁଣୁ ତେବେ ହୁକୁମର ଅନ୍ୟ ନାମ ଆଦେଶ । ଅଥର୍ବ ବେଦରେ ସଂକଳ୍ପ, ଅଭିମର୍ଶ ଓ ଆଦେଶାଦି କ୍ରିୟାର ବର୍ଣ୍ଣନା ପରିଦୃଷ୍ଟ ହୁଏ । ପରନ୍ତୁ ଏସବୁ ଜାଦୁ ବିଦ୍ୟା ନୁହେଁ । ମନର ପ୍ରବଳ ଶୁଭେଚ୍ଛାର ନାମ ସଂକଳ୍ପ । ଦେହକୁ ସ୍ପର୍ଶକରି ଆନ୍ତରିକ ତନ୍ତୁଗୁଡ଼ିକରେ ଶକ୍ତିଶାଳୀ ତରଙ୍ଗ ସୃଷ୍ଟି କରିବା ଅଭିମର୍ଶ । ଆଶ୍ଵାସନା ଓ ଉପଦେଶ ପ୍ରଦାନ ପୂର୍ବକ ରୋଗୀର ରୋଗ ଦୂର କରିବା ଆଦେଶ । ପ୍ରୟୋଗକାରୀର ବାଣୀ ଓ ମନର ପବିତ୍ରତା ଉପରେ ସଂକଳ୍ପ ଅଭିମର୍ଶ ଓ ଆଦେଶର ଫଳାଫଳ ନିର୍ଭର କରେ । ଏଥର ବୁଝିଲୁ ତ । ହୁକୁମ ଦେଇ ରୋଗୀର ରୋଗ ଉପରେ ପ୍ରଭାବ ପକାଇ ହୁଏ । ରୋଗ ଉପସମ ହୁଏ ।

 

ମୁଁ ଯଦି କୁହେ, ଏ ସବୁ ହେଉଛି ମନର ଦୁର୍ବଳତା, ଅନ୍ଧବିଶ୍ୱାସୀ ଅଜ୍ଞତା ସର୍ବୋପରି ଦାରିଦ୍ର୍ୟର ନିଛକ ଆତ୍ମପ୍ରକାଶ । ଡାକ୍ତରଙ୍କ ପାଖରେ ଦି ପଇସା ଦେବାର ଅକ୍ଷମତା ସାଙ୍ଗକୁ ଜଡ଼ାତେଲ ଟିକକରେ ଯଦି ରୋଗ ଉପସମ ହେବାର ଜଣେ ଶୁଣେ ତେବେ ହୁକୁମ ପାଇଁ ଯିବନାହିଁ କାହିଁକି । ଦୁର୍ବଳମନା ସ୍ଥାୟୀଭାବେ କାହା ସେବାରେ ସନ୍ତୁଷ୍ଟ ନହେଲେ ହୁକୁମକୁ ଆଶ୍ରାକରି ପଡ଼ିରହେ, ତା’ ପାଇଁ ଆଦେଶ ଦରକାର । ଏକ ଅଦୃଷ୍ଟ ଶକ୍ତିର ଆଦେଶ ।

 

କିନ୍ତୁ ତୁ ଭୁଲିଯାଇଛୁ ଯେ ହୁକୁମ ବିଶେଷତଃ ଅପେକ୍ଷାକୃତ ଭାବେ ଅଧିକ ଶିକ୍ଷିତ, ଥିଲାବାଲା ଲୋକଙ୍କ ଅଞ୍ଚଳରେ ଫୁଟିଉଠୁଛି । ମୁଁ କେବଳ ଢେଙ୍କାନାଳର ରନ୍ତୁଲେଇଠାରେ ହୋଇଥିବା ହୁକୁମ ବ୍ୟତୀତ ଆଉ ଯେତେସବୁ ହୁକୁମ ବିଷୟରେ ଗଲା କୋଡ଼ିଏ ବର୍ଷଧରି ଶୁଣିଆସୁଛି ସବୁ ଏଇ କଟକ ପୁରୀ ଅଞ୍ଚଳର ବିଶେଷତଃ ପୂର୍ଣ୍ଣତେୟା ପ୍ରାଶ ନଦୀର ଏଧାରେ ଓ ସେଧାରେ । ବେନୁପଡ଼ା ମଠ ହୁକୁମ, ଆଜିକାଲି ଆଉ ସେ ମଠର ଡାକ ନାହିଁ । ନହେଲେ କାହିଁ କେତେଦୂରୁ ଲୋକ ଆସୁଥିଲେ । କୁଶୁ ବାବାଜୀଙ୍କ ହୁକୁମ ମଧ୍ୟ କୁଆଡ଼େ ଉଭେଇଗଲାଣି । ମଇଧର ପଡ଼ାଠାରେ ‘‘ଗୁପ୍ତ ଗଙ୍ଗା ପାଣି” ଡାକ ସହସ୍ରକ୍ରୋଶ ବ୍ୟାପୀଥିଲା ।

 

ସାର୍ ବା କେତେ ହୁକୁମର ହିସାବ ଦେଇପାରିବେ । ସେ ଯାହା ଲୋକଙ୍କଠାରୁ ଶୁଣିଥିବେ ବା ସମ୍ବାଦପତ୍ରରେ ଦେଖିଥିବେ । ମୋ ପରି ତ ସେହି ଅଞ୍ଚଳରେ ଜନ୍ମ ନେଇନାହାନ୍ତି । ହେତୁ ହେବାଠାରୁ ଟୁଙ୍ଗୀ ଗୋସେଇଁଙ୍କ ହୁକୁମ । ଶଙ୍କରେଶ୍ଵର ଠାକୁରଙ୍କ ପାଖରେ ହେଉଥିବା ହୁକୁମ ଢମନଗରଠାରେ ଦିଆଯାଉଥିବା ହୁକୁମ ବିଷୟରେ ଦେଖିଶୁଣି ଏଡ଼େ ବଡ଼ହେଲି । ଏବେ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ବିଶ୍ଵନାଥଙ୍କଠାରେ ହୁକୁମ ମଧ୍ୟ ମୋର ଗାଁର ହୁକୁମ । କହିଲି ସାର ସେ ବିଷୟରେ କିଛି ନ କହିଲେ ଭଲ, ମୁଁ ହେଉଛି ସେହି “ହୁକୁମ’’ ଅଞ୍ଚଳର ଲୋକ ।

 

କିରେ ମୁଁ କ’ଣ ଜାଣିନାହିଁ । ତୁ ଗୋବିନ୍ଦପୁରିୟାଟି । ଯେଉଁଠି ଗଣ୍ଡଗୋଳ, ଦଙ୍ଗାହଙ୍ଗାମା, ହତ୍ୟାକାଣ୍ଡ ବେଶୀ ସେଇଠି ଧର୍ମଭୀରୁମାନଙ୍କର ହୁକୁମ ଗାଦୀରେ ଠୁଳହେବା କଛି ବିଚିତ୍ର ନୁହେଁ । ବଳ, ବୟସ ବହପ ଯାଇଥିବା କେହିଜଣେ ଯଦି ଠାକୁରଙ୍କୁ ମାନିଦେଲା ତେବେ ଏ ଲୋକ କୁହନ୍ତି ଦେଖୁନ ଅମୁକ କେତେଲୋକ ମାରିଥିଲା । ହାତରେ ଠେଙ୍ଗା ଧରି ଗାଁ ତଡ଼ି ଦେଇଥିଲା । ଏଇ କେମିତି ଠାକୁରଙ୍କ ହୁକୁମରେ ଧିରସ୍ଥିର ହୋଇ ବସି ରହିଛି । ସବୁ ସେହି ଠାକୁରଙ୍କ ମହିମା ।

 

ସାର୍‌ଙ୍କ କଥାର ମୋଡ଼ ବଦଳିଲା । ସାର୍‌ଙ୍କ କଥାରେ ପାଲଟା ଯୁକ୍ତିର‌ ଆଭାସ ବେଶ୍ ସ୍ପଷ୍ଟ । ଆଉ ଅଧିକ ଶୁଣିବାର ଧର୍ଯ୍ୟ ମୋଠାରେ ନଥିଲା । ମୁଁ ଜାଣେ ସାର୍ ମଧ୍ୟ ଏଇସବୁ ହୁକୁମର ବିଶ୍ୱାସୀ ନୁହନ୍ତି । ସେ ବେଶ୍ ଜାଣନ୍ତି ଅଥର୍ବବେଦ ଭଣିଚ ସଂକଳ୍ପ, ଅଭିମର୍ଶ ଉପଦେଶରେ ଦର୍ଶନକୁ ଭିତ୍ତିକରି ଏହା ଦିଆଯାଉ ନାହିଁ । ତଥାପି ଯୁକ୍ତି ଛଳରେ ସେ ସବୁ କହି ଚାଲିଛନ୍ତି । କହିଲେ ମୁଁ ରବିବାର ଦିନ ଗାଁକୁ ଯାଉଛି । ଚାଲନ୍ତୁ ଯିବା । ଖବରକାଗଜରେ ବାହାରିଥିବା ହୁକୁମ ଜାଗାଦେଖି ଆସିବା । ସାର୍‌ଙ୍କ ମନକୁ ଭାରି ପାଇଗଲା ।

 

ବେଶ୍ ବେଶ୍ ମୁଁ ଅଜି ଯାଉଛି । ପୁଣି ଫେରିବି । ଓଡ଼ିଶାର ଏହି ‘‘ହୁକୁମ’’ ବୈଚିତ୍ର୍ୟ ନିଜ ଅଖିରେ ଦେଖି ଆସିବା । ପୁଣି ଗାରେଡ଼ିସାଇଙ୍କର ଅଲୌକିକ ବିଦ୍ୟାକୁ ଭାରତୀୟ ସଂସ୍କୃତି ଅଙ୍ଗିକାର କରିଦେଇଛି । ହେଲେ ହୁକୁମ ହେଉଛି ଓଡ଼ିଶାର ନିଜସ୍ଵ । ଏଠି ହୁକୁମ ଏତେ ସଂଖ୍ୟାରେ ଚାଲେ ଯେ ଅନ୍ୟ କୁତ୍ରାପି ଦେଖିବାକୁମିଳେ ନାହିଁ । କଥା ଶେଷରେ ସେଦିନ ସାର୍ ଚାଲିଯାଇଥିଲେ ।

 

ରବିବାର ଦିନ ସକାଳୁ ସାର୍‌ଙ୍କଠାରୁ ଫୋନ୍ ମିଳିଲା ଆରେ ମୁଁ ଆସିଗଲିଣି । କେତେବେଳେ ବାହାରିବା । ସାର୍‌ଙ୍କର ଇଏ ଏକ ବିଶେଷ ଲକ୍ଷଣ । ସମୟ ରଖିବାରେ ସେ କେବେ ହେଳା କରନ୍ତି ନାହିଁ । ଠିକ୍ ଦଶଟା ବେଳକୁ ସାର୍ । ଆଜି ଯାଇ ଫେରିଆସିବାକୁ ହେବ । ଅମେ ଦଶଟା ବେଳେ ବାହାରିପଡ଼ିଲୁ । ବାଟରେ ମଇଧରପଡ଼ା ପାଖରେ ପାଟ ଆଡ଼କୁ ହାତ ଦେଖାଇ କହିଲି ଏ ହେଉଛି ସେହି ସାଗା ସାର୍ ଯେଉଁଠି ହଜାର ହଜାର ଲୋକ ପାଣି ଟୋପାଏ ନେବାକୁ ରୁଣ୍ଡ ହେଉଥିଲେ । ଗୁପ୍ତଗଙ୍ଗା ମହାତ୍ମ୍ୟ ବିକ୍ରିବେଳେ ବହି ବିକାଳିମାନେ ଗଗନ ପବନ ମୁଖରିତ କରୁଥିଲେ । ଆଜି ସେଇ ଜାଗାରେ ସବୁଜ କ୍ଷେତ ଛିଡ଼ା ହୋଇଛି ।

 

କେତେଦିନ ଧରି ଲୋକ ଏଠାକୁ ଆସିଲେ ଯେତେଦିନ ପର୍ଯ୍ୟନ୍ତ ବିଶ୍ଵାସ ଟିକକ ନ ତୁଟିଥିଲା । ଗୁଜବର ସ୍ଥାୟୀତ୍ଵ କ’ଣ ବେଶୀଦିନ ।

 

ଏ ରାଇଜର କଥା ହେଲା ତିନି ତୁଣ୍ଡରେ ଛେଳି କୁକୁର । ଗୋବେଲସ୍‌ଙ୍କ ତତ୍ତ୍ୱ ହେଲା ଗୋଟିଏ ମିଥ୍ୟା ସତ୍ୟ ବୋଲି ଖୁବ୍ ଉଚ୍ଚସ୍ଵରରେ ଚିତ୍‌କାର କରିବା, ଥରେ ନୁହେଁ ବାରମ୍ବାର କଲେ ତାହା ସତ୍ୟରେ ପରିଣତ ହେବ । ଲୋକେ ବିଶ୍ଵାସ କରିଯିବେ ।

 

ଗୋପାଳ ପ୍ରହରାଜେ ତାଙ୍କର ବାଇ ମହାନ୍ତି ପାଞ୍ଜିରେ ‘ହୋ’ରେ କେମିତି ଲୋକେ ମାତନ୍ତି ସେ ବିଷୟରେ କେତେ ପ୍ରାଞ୍ଜଳ ଲେଖାଟିଏ ଲେଖିଛନ୍ତି ପଢ଼ିଛୁନା ।

 

ମୁଣ୍ଡ ଟୁଙ୍ଗାରି କହିଲେ ସେଇ ଯୋଉ ଧୋବାର ଗଧ ବୁଧିଆ ପାଇଁ ରାଜା ଘରେ କାନ୍ଦଣା” । ଉଭୟେ ଏକା ସାଙ୍ଗରେ ହସି ପକାଇଲୁ ।

 

ସାର୍ କହି ଚାଲିଥାନ୍ତି ।

 

ଗୁଜବ ଅସ୍ତାୟୀ ହୋଇପାରେ । ଏକ ଦୁର୍ବଳ ମନକୁ ଚହଲାଇ ଦିଏ । ଦୁର୍ବଳତାର ସୁଯୋଗ ନେଇ ହୃଦୟକୁ ଦଖଲ କରିବସେ । ଗୁଜବକୁ ଥରେ ଗ୍ରହଣ କରିନେଲେ ଛାଡ଼ିବାକୁ ଚେଷ୍ଟାକଲେ ସହଜରେ ଛାଡ଼ି ହୁଏନାହିଁ । ସର୍ବଗ୍ରାସୀ ଅହଙ୍କାର ଆଉ ଗୁଜବ ଭିତରେ ସଦ୍‌ଭାବ ପ୍ରତିଷ୍ଠା ଲାଭ କରିଥାଏ । ଖାଲି ମନ ଦୋହଲେ ନାହିଁ । ସମାଜ ଦୋହଲି ଉଠେ । ସାରା ବ୍ୟବସ୍ଥା ଉପରେ ଗୁଜବ ପ୍ରଭାବ ବିସ୍ତାର କରିଦେଇଥାଏ । କେତେ ନିରୀହ ମଣିଷ, ଶିକାର ହୁଏ ଗୁଜବରେ-

 

ସାର୍ ଅଉ ମାତ୍ର ଅଳ୍ପବାଟ ରହିଲା, ଲକ୍ଷସ୍ଥଳରେ ପହଞ୍ଚିବାକୁ । ଏ ନଈ ଆରପାରିରେ ହୁକୁମ ଦିଆଯାଉଛି । ଦେଖନ୍ତୁ କେମିତି ମାଇପେ, ଛୁଆ ପିମ୍ପୁଡ଼ି ଧାରପରି ଛୁଟିଛନ୍ତି । ଗୋଟାଏ ବେତାରେ ମଣିଷଟାକୁ ବସାଇ ପୁଞ୍ଜାଏ କାନ୍ଧେଇ କରି ଚାଲିଛନ୍ତି । ରୋଗୀଟାଏ ବୋଧହୁଏ ।

 

ସେଇ ଯେଉଁ ମେଳାପରି ଦେଖାଯାଉଛି ସେଇଠି ହୁକୁମ ନିଆଯାଉଛି । ଗାଡ଼ିଯାଇ ଅଟକିଲା ହୁକୁମ ନେବା ଜାଗାରେ । ସାର୍ ଆଉ ମୁଁ ଓହ୍ଳାଇଗଲୁ । ଧାଡ଼ିବାନ୍ଧି ଚାଲିଥିବା ଲୋକ ସ୍ରୋତ ଭିତରେ ମିଶିଗଲୁ । ଗାଡ଼ି ରହିଗଲା ଗୁଡ଼ାଏ ଧୂଳି ଧୂସର ଛୁଆଙ୍କ ଖେଳପାଇଁ । ଆମେ ଚାଲିଗଲୁ, ଆଗକୁ । ଗାଡ଼ି ଦେଖି ଥୋକେ ଧାଇଁ ଆସିଥିଲେ । ମତେ ଆଉ ସାର୍‌ଙ୍କୁ ଦେଖି ଥମିଗଲେ । ସାର୍‌ଙ୍କୁ ସମସ୍ତଙ୍କ ସାଙ୍ଗରେ ପରିଚୟ କରାଇଦେଲି । ଏସବୁଥିରେ ସାର୍‌ ବିଶେଷ ଆଗ୍ରହୀ ଏବଂ ବହି ଲେଖାଲେଖି କରନ୍ତି ଶୁଣି ଜଣେ କିଏ ବଖାଣି ବସିଲା ।

 

କାଲି ଅମୁକ ଗାଁର ଅମୁକ ବେତାରେ ବସି ଆସିଥିଲା । ଗଲାବେଳେ ଚାଲି ଚାଲି ଗଲା-। ଠାକୁରଙ୍କ ମହାତ୍ମ୍ୟ କହିଲେ ନସରେ । ଶହ ଶହ ଲୋକ ରୁଣ୍ଡ ହୋଇଥାନ୍ତି । ବାବା ଜଣେ ସାଧାସିଧା ଲୋକ । ନଈରେ ଗାଧୋଇ ଓଦା ଲୁଗାରେ ହୁକୁମ ଦେଉଥାନ୍ତି କାହାକୁ ସାତଦିନ କାହାକୁ ଏକୋଇଶ ଦିନ ନିଷ୍ଠାର ସହ ପାଳନ କରିବାକୁ ହୁକୁମ ଦିଆ ଯାଉଥାଏ ।

 

ଧାଡ଼ିକି ଧାଡ଼ି ଚାଳିଆରେ ଅସାଧ୍ୟ ରୋଗୀଙ୍କ ଚିତ୍‌କାର ଏକ କରୁଣ ରାଗିଣୀ ତୋଳିଥାଏ । ତାରି ଭିତରେ ବିକାଳିଙ୍କ ଡାକ ମୁଖରିତ କରୁଥାଏ ପରିବେଶକୁ ।

 

କଦଳୀ ବିକାଳି ବୁଢ଼ା ପାଖରେ ସାର୍ ଛଡ଼ା ହୋଇଥିବା କ୍ଷଣି ସେ ସାଙ୍ଗେ ସାଙ୍ଗେ କହିଲା ହେଇଟି ଦେଖନ୍ତୁ ଆଜ୍ଞା ସେ ଯେଉଁ ରୋଗୀଟା ପଡ଼ିରହିଛି କାଲି ଆସିଲାବେଳେ ସ୍ଵର ଶବ୍ଦ କିଛି ନଥିଲା । ଘର ଲୋକ ଆଶା ଛାଡ଼ିଥିଲେ । ଠାକୁରଙ୍କୁ ଆଶ୍ରା କରି ହୁକୁମ୍‌ ନେଲାରୁ ଆଜି ପାଟି ଫିଟେଇ କଥା କହୁଛି । ନିଅନ୍ତୁ ନିଅନ୍ତୁ ଆଜ୍ଞା ଭୋଗ ନିଅନ୍ତୁ । ମୋ ଉପରେ ଆଖି ପଡ଼ିଯିବାରୁ ବୁଢ଼ା ଟିକିଏ ଥମିଗଲା ।

 

ଅମେ ଚାଲିଲୁ ବେଢ଼ା ଭିତରକୁ । ସାର୍ ଏ ସବୁ ବର୍ଷ ଦିଟାରେ ଗଢ଼ିଉଠିଛି । ବିଶ୍ଵାସର ଫଳ ଏ ।

 

ସାର୍ କେବଳ ମୁଣ୍ଡଟି ଟୁଙ୍ଗାରୁଥାନ୍ତି ଚାରିଆଡ଼େ ତନ୍ମୟ ହୋଇ ଦେଖୁଥାନ୍ତି ।

 

ଠାକୁରଙ୍କ ଦର୍ଶନପରେ ବାବାଙ୍କ ଦର୍ଶନ ସାରି ଫେରିଲାବେଳେ ସାର୍‌ଙ୍କୁ ପଚାରିଲି ।

 

ସାର୍ ବେଳେବେଳ ମୋ ମନ ବି ଚହଲି ଉଠୁଛି ଏତେ ମଣିଷ କ’ଣ ଅନ୍ଧବିଶ୍ୱାସୀ ମିଛଟାରେ ଧାଇଁଛନ୍ତି । ଏତେବଡ଼ ଅନୁଷ୍ଠାନ ଆଖିପିଛଳାକେ ଗଢ଼ିଉଠିଛି ତ ପୁଣି । ପିଲାଗୁଡ଼ା ଲାଗିବାରୁ ଗାଡ଼ିବାଲା ଆରପାରି ଗାଡ଼ି ନେଇଯାଇଥିଲା । ଚାଲି ଚାଲି ନଈ ପାରି ହେବାକୁ ହେବ । ପଛରେ ଦଳେ ଲୋକ ଚାଲିଥାନ୍ତି, ସେମାନେ ନିଜ ନିଜ ଭିତରେ କଥା ହେଉଥିଲେ ।

 

ବୁଝିଲ ଆର ଗାଁର ରାମବାବୁ ମ ଜନାର୍ଦ୍ଧନ ବାବୁଙ୍କ ପୁଅ ଭୁବନେଶ୍ୱରରେ ବଡ଼ ଚାକିରି କରି ନାହାଁନ୍ତି ଆଜି ହୁକୁମ ନେବାକୁ ଆସିଥିଲେ, ସାଙ୍ଗରେ ଅଉ ଜଣେ ବଡ଼ ବାବୁ କିଏ ଅସିଥିଲେ । କଟକ ଭୁବନେଶ୍ଵରରେ ଯେଉଁ ରୋଗ ଭଲ ନ ହେଉଛି ହୁକୁମରେ ଭଲ ହେଉଛି ବୋଲି ସବୁଆଡ଼େ ଜାଣିଲେଣି । ଆମକୁ ଲକ୍ଷ କରି ସେମାନେ ଗପୁଥିଲେ ।

 

ଶୁଣିଲୁ ତ । ସାର୍ ମୋ ହାତଟାକୁ ଝିଙ୍କିଦେଲେ, ଏମିତ ଅଜାଣତରେ ଗୁଜବ ପ୍ରଚାର ହୁଏ । ଅଉ ଏଇ ସବୁ ମଠ ମନ୍ଦିରମାନଙ୍କୁ ଦଳେ ଭଣ୍ଡ ବିଶ୍ୱାସ ନଥିବା ରାଜନୈତିକ ଲୋକ ପଶିଆସି ଅବସ୍ଥାଟାକୁ ଜଟିଳ କରିଦିଅନ୍ତି । ହୁକୁମରେ ସିଏ ସାହାଯ୍ୟ କରନ୍ତୁ ଆଉ ହୁକୁମ ମଧ୍ୟ ତାଙ୍କୁ ସାହାଯ୍ୟ କରେ । ଏଇଥର ତମ ଇଏ ହୁକୁମରେ ତୁ ଅସି ଯଦି ପ୍ରଚାରିତ ହୋଇଗଲା ତୁ ହେଉଛୁ ବାବାଙ୍କର ପଟ ଶିଷ୍ୟ ତେବେ ସାମୟିକ ଭାବେ ତୋ ଉପରେ ବିଶ୍ୱାସ ଜନ୍ମନେଲା । ଆଉ ବାବା ମଧ୍ୟ କୃତ କୃତ ଯେ ତୋ ପରି ଶିକ୍ଷିତ ଯୁବକ ଜଣେ ଅଧେ ତାଙ୍କ ପାଖରେ ବସି ରହୁଛନ୍ତି । ତୁ ତେଣିକି ଏମ. ଏଲ. ଏ. ପାଇଁ ବା ଚେୟାରମ୍ୟାନ ପାଇଁ ଛିଡ଼ାହୁଅ ଗାଁ ଗହଳରେ ପ୍ରଚାର ହୋଇଯିବ ଆଉ ତୁ ସହଜରେ ବେଶୀ ଲୋକଙ୍କ ପାଖରେ ପହଞ୍ଚିଯିବୁ ।

 

ସାର୍‌ଙ୍କ କଥା କାଟି ହେଉନଥିଲା । ଆମଦେଶର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନେତାମାନେ ଭୋଟବେଳେ ଏତେ ଠାକୁର, ଠାକୁରାଣୀ, ବାବାଜୀ ଦର୍ଶନରେ ଯାନ୍ତି ଏବଂ ତାହାସବୁ ସଂବାଦପତ୍ରରେ ପ୍ରଚାରିତ ହୁଏ । ସାରଙ୍କ କଥା କାଟିବାଭଳି ଯୁକ୍ତି କାହିଁ କାହା ପାଖରେ । କିଛି ନକହି ଭାବି ଚାଲିଥିଲି । ସେ ଦଳଙ୍କ ଭାଷାରେ ଅମେ ହୁକୁମ ନେଇଛୁ ଭଲ ହେବୁ । ଆଉଥରେ ନ ଆସିଲେ ଭଲହେବାର ପ୍ରମାଣ ମିଳିବ । ଭଲ ହେବାକୁ ହିଁ ହେବ ନହୋଇ ଯିବୁ କୁଆଡ଼େ ।

Image

 

ସ୍ଵୟଂବର

 

[ମହାରାଜ ଉତ୍‌କଳ ପୁତ୍ତ ସିଂହାସନରେ ଉପବିଷ୍ଟ ମନ୍ତ୍ରୀ ପରିଷଦ ଓ ରାଜନ୍ୟମଣ୍ଡଳୀ ସଭାଗୃହ ଅଳଙ୍କୃତ କରିଛନ୍ତି । ମହାରଜାଙ୍କ ମୁଖ ମଣ୍ଡଳରେ ହତାସର ଛାୟା ଲେପି ହୋଇ ରହିଛି-।]

 

ନିସ୍ତଦ୍ଧତା ଭଙ୍ଗକରି ମହାରାଜା ଜିଜ୍ଞାସା କଲେ ।

 

ମହାମନ୍ତ୍ରୀ !

 

କିଛି ଉତ୍ତର ଚାହିଁଲେ ।

 

ଏ ସ୍ଵୟମ୍ବରରେ ରାଜ୍ୟର ଆର୍ଥିକ ପରିସ୍ଥିତି କିଛି ଆଶା ସଞ୍ଚାର କରିଛି ?

 

ନା ।

 

ଗତବର୍ଷ ପରି....

 

ତା’ଠାରୁ ଆହୁରି ଖରାପ ।

 

ଅନାବୃଷ୍ଟି... ଚାରିଆଡ଼େ ହା-ହାକାର… ପ୍ରଜାକୁଳ ଉଚ୍ଛନ୍ନ ।

 

ଭୁଖଣ୍ଡରେ ରଜ୍ୟର ସୁନାମରେ ଅଞ୍ଚ ଆସିଛି ନିଶ୍ଚତ ।

 

ଦିନ ଥିଲା ଅନ୍ୟମାନଙ୍କୁ ହାତଟେକି ଦାନ କରୁଥିଲେ । ପଡ଼ୋଶୀ ରଜ୍ୟ ଶ୍ରୀ ସମୃଦ୍ଧି ଦେଖି ଈର୍ଷା କରୁଥିଲେ ।

 

ଆଉ ଆଜି ? ଶସ୍ୟ ଗଣ୍ଡାକ ପାଇଁ ପଡ଼ୋଶୀ ରାଜାମାନଙ୍କ ପାଖେ ହାତ ପାତିବାକୁ ହେଉଛି ।

 

ଖାଲି ସେତିକି ନୁହେଁ । ଅଭାବ ଅନାଟନ ସାଙ୍ଗକୁ ରାଜ୍ୟବାସୀଙ୍କ ନୈତିକ ଅଧୋଃପତନ ଘଟିଛି । ଚାରିଆଡ଼େ ଚୋରି ଡକାୟତି ବିଶୃଙ୍ଖଳା ବୃଦ୍ଧି ପାଇଛି ।

 

ଏସବୁ ଦୃଢ଼ ହସ୍ତରେ ଦମନ କରିବାକୁ ହେବ ।

 

ତା’ ତ ନିଶ୍ଚୟ ମଣିମା । ହେଲେ ଭୁଭୁକ୍ଷିତ କିଂ ନ କରୋତି ପାପ । ପେଟରେ ଦାନା ଦେବାର କ୍ଷମତା ଥିଲେ ପିଠିର କୋରଡ଼ାକୁ ଶାସନ କୁହାଯାଏ ଅନ୍ୟଥା…

 

ଅନ୍ୟଥା ?

 

ଏହାକୁ ନିଷ୍ଠୁର ଅତ୍ୟାଚାର....କୁଶାସନ ବୋଲିବେ ।

 

ଠିକ୍ କହିଛ ମନ୍ତ୍ରୀ । ମୁଁ କୁଶାସକ ମୁଁ ଅତ୍ୟାଚାରୀ, ମୁଁ ନିଷ୍ଠୁର ମୁଁ ପାପୀ ନହେଲେ ଆଖିଆଗରେ ରାଜ୍ୟରେ ଏତଦୃଶ୍ୟ ଅଭାବଅନାଟନ ଦେଖାଦେଇନଥାନ୍ତା ବିପଦବେଳେ ଧୈର୍ଯ୍ୟ ହରାଇବା ଉଚିତ ନୁହେଁ ମଣିମା । ଛାମୁଙ୍କର ପ୍ରଜାପାଳନ ନୀତି ସୁଶାସନ ସସାଗରା ମହୀ ଅବିଦିତ ନୁହେଁ କେଉଁ ଦୋଷରୁ ଆଜି ଏ ଅବସ୍ଥା (ଭଣ୍ଡାର ରକ୍ଷକକୁ ଉଦ୍ଦେଶ୍ୟ କରି) ଭଣ୍ଡାରର ଅବସ୍ଥା କ’ଣ ?

 

ଶୂନ୍ୟ-ମହାଶୂନ୍ୟ-ମଣିମା । କହିବା ନ ଯୋଗାଏ ।

 

ତେବେ ପ୍ରଜାକୁଳ ବ୍ୟାକୁଳ ବଞ୍ଚିବେ କିପରି ମହାମନ୍ତ୍ରୀ ?

 

ଆପଣଙ୍କ ଆଦେଶ ଲାଭ କରେ ହସ୍ତୀନା କଟକ ଯିବା ପାଇଁ ମନସ୍ଥ କରିଛି । ସେଠି କ୍ରମାଗତ ଭାବେ ଭଲ ଶସ୍ୟ ଉତ୍ପନ୍ନ ହୋଇ ଆସୁଅଛି । କରଜ ସୂତ୍ରରେ ତାଙ୍କଠାରୁ କିଛି ଅନ୍ତତଃ ଆଣିହେବ ।

 

ଏହା ଏକ ଅସ୍ଥାୟୀ ସାଧନା । ସ୍ଥାୟୀ ପ୍ରତିକାର କିଛି ଚିନ୍ତା କରିଛ ?

 

ଜ୍ୟୋତିଷାଚାର୍ଯ୍ୟ ସଭାରେ ଉପସ୍ଥିତ ଅଛନ୍ତି । ତାଙ୍କୁ ଏହାର କାରଣ ଓ ନିରାକରଣ ଜିଜ୍ଞାସା କରନ୍ତୁ ମଣିମା !

 

ତାହାହିଁ ହେଉ । ଜ୍ୟୋତିଷାଚାର୍ଯ୍ୟେ ।

 

ପଚାରିବା ହୁଅନ୍ତୁ ମଣିମା…

 

ଏ ରଜ୍ୟରେ ଅପାଳକ, ଅନାଦୃଷ୍ଟିର କାରଣ ନିର୍ଣ୍ଣୟ କରନ୍ତୁ । ମୁଁ ଯଦି ମୋର ଅଜ୍ଞାତରେ କୌଣସି ପାପକର୍ମରେ ଲିପ୍ତ ଥାଏ । ସେଥିପାଇଁ ଶିରଦାନକରି ପ୍ରାୟଶ୍ଚିତ କରିବା ପାଇଁ ପଶ୍ଚାତପାଦ ହେବ ନାହିଁ ।

 

ପୂର୍ବରୁ ଗଣନାକରି ସାରିଛି ଆଜ୍ଞା । ଅଭୟ ପାଇଲେ ପ୍ରକାଶ କରିବି ।

 

ଅଭୟ ପ୍ରଦାନ କରୁଛି । ଅବିଳମ୍ବେ ପ୍ରକାଶ କର ।

 

ଆପଣଙ୍କ କନ୍ୟାରତ୍ନ ପାଇଁ ଏ ସମସ୍ତ ଦୁର୍ଦ୍ଦଶା ରାଜ୍ୟକୁ ଗ୍ରାସ କରିଛି ।

 

ତେବେ କ’ଣ ଦୁଗ୍‌ଧ ଦାନକରି ବିଷଧର ସର୍ପ ମୁଁ ନିଜେ ପାଳନ କରିଛି । ଯାହାର ବିଷଜ୍ଵଳାରେ ରାଜ୍ୟ ପୋଡ଼ି ଛାରକାର ।

 

ଗଣନାରୁ ଜଣାଯାଏ ଜେମାମଣି ମନଦୁଃଖ କରିବା ଦିନରୁ ରାଜ୍ୟରେ ଦୁଃଖର ସ୍ରୋତ ବୋହିବାରେ ଲାଗିଛି ।

 

ପ୍ରତିକାର ?

 

ଜେମାଙ୍କ ଦୁଃଖ ନିରାକରଣ ।

 

ତାହାହିଁ ହେଉ ।

 

(ସଭା ମଉଳିଲା । ବ୍ୟଥିତ ହୃଦୟ ନେଇ ରାଜା କକ୍ଷକୁ ଫେରିଲେ)

 

(କିଛି ସମୟ ପରେ ମହାରାଣୀ ସୁଲକ୍ଷଣା କକ୍ଷ ମଧ୍ୟରେ ପ୍ରବେଶ କରିଥିଲେ)

 

ପରିଚାରିକା ଖବର ଦେଲେ ଯେ...

 

ମୁଁ କହିଥିଲି ମହାରାଣୀଙ୍କୁ ଡାକିଦେବା ପାଇଁ ।

 

ହଠାତ୍ ! ଶରୀର ଅସୁସ୍ଥ ନୁହେଁ ତ...

 

ସୁସ୍ଥ ବି ତ ନୁହେଁ ।

 

ତେବେ…ରାଜବୈଦ୍ୟଙ୍କୁ ଡକାଇବି ।

 

ଅନାବଶ୍ୟକ । ଜ୍ୟୋଷାଚାର୍ଯ୍ୟଙ୍କ ବାଣୀ ସତ୍ୟ ହେଲେ । ସକଳ ରୋଗର ନିଦାନ ପାଖେପାଖେ ଅଛି ।

 

ମାନେ ?

 

ସେ ଗଣନାକରି ଜାଣିପାରିଛନ୍ତି । ‘ସୁକନ୍ୟା’ ଆମର କୌଣସି କାରଣରୁ ଦୁଃଖ ପାଉଅଛି । ଯେଉଁଥିପାଇଁ ରାଜ୍ୟରେ ଅଭାବ-ଅନାଟନ-ଅନାବୃଷ୍ଟି ।

 

ହୁଏତ ମୋର ଅନୁମାନ ସତ୍ୟ ।

 

ଅର୍ଥାତ୍, ଆଗରୁ ଜାଣିଥିଲ ?

 

ଅନୁମାନ କରୁଥିଲି…

 

ସତ୍ୟାସତ୍ୟ ଅନୁସନ୍ଧାନ କରାଯାଉ । ମା’ ତୁମେ । ସିଧାସଳଖ ପଚାରି ବୁଝ କି କାରଣରୁ ଝିଅ ମୋର ଦୁଃଖ ପାଉଛି ।

 

(ମହାରାଣୀ ପ୍ରସ୍ଥାନ କଲେ ଏବଂ କିଛି ସମୟ ପରେ ପୁଣି ପ୍ରବେଶ କଲେ ।)

 

ବୁଝିଲି ।

 

ହଁ…

 

କ’ଣ ବୁଝିଲ ?

 

କନ୍ୟା ବିବାହ ପାଇଁ ମନ ବଳାଇଛି ।

 

ଉତ୍ତମ ।

 

ନାଁ....

 

ପୁଣି ?

 

ସର୍ତ୍ତ ରଖିଛି ।

 

କି ସର୍ତ୍ତ ?

 

ସ୍ଵୟଂବର ହେବ ।

 

ସୁକନ୍ୟା ନିଜେ ବରିବ ?

 

ନାଁ ।

 

ତେବେ ?

 

ସେମାନେ ବରିବେ ।

 

ଜଟିଳ

 

ଜଟିଳ ଅବଶ୍ୟ

 

କିପରି....

 

ସେ ରତ୍ନ ପଲଙ୍କରେ ଶୋଇ ରହିବ ।

 

ଆଉ....

 

ଯେ ତାକୁ ଉଠାଇଦେବ–

 

ତାକୁ ହିଁ ବରଣ କରିବ ।

 

ନାଁ ଖାଲି ସେତିକିରେ ନୁହେଁ ।

 

ମାନେ ।

 

ତା’ ମୁହଁରେ ହସ ଫୁଟାଇବାକୁ ହେବ ।

 

ତାହାହିଁ ହେଉ ।

 

ତେବେ ଏଇ ସର୍ତ୍ତ ରଖି ରଜନ୍ୟ ମଣ୍ଡଳୀକୁ ନିମନ୍ତ୍ରଣ କରାଯିବ ?

 

ଅବଶ୍ୟ

 

(ଦୁଇଟି ଆସନରେ ଉପବିଷ୍ଟ ମହାରାଜା ଉତ୍‌କଳପୁର ଓ ମହାମନ୍ତ୍ରୀ ଦିବସର ଅନ୍ତିମ ସମୟ ଉପଗତ ।)

 

ମହାମନ୍ତ୍ରୀ ।

 

ମଣି ମା....

 

ସମସ୍ତେ ବିଫଳ ?

 

ଫେରିଗଲେ ସତ…କିନ୍ତୁ…

 

କିନ୍ତୁ ?

 

ଅପବାଦ ରଟୁଛି…

 

ଶଂକୋଚ କରନାହିଁ ।

 

ଜେମା ମାନସିକ ରୋଗ ଗ୍ରସ୍ତା ।

 

ହେ ଈଶ୍ଵର !

 

ଜେମା ଗର୍ବୀ, ଜେମା ଅଂହକାରରେ ପରିପୂର୍ଣ୍ଣ ।

 

ଏହା କ’ଣ ସେହି ପରାଜିତ ଗୋଷ୍ଠୀର ମତ ?

 

କେତେକଙ୍କ ମତ ।

 

ଏବେ ଉପାୟ ?

 

ସ୍ଥିର କରିବାକୁ ହେବ ।

 

(ଦ୍ଵାରରକ୍ଷୀର ପ୍ରବେଶ ଓ ପ୍ରଣାମ ଅନ୍ତେ ଦଣ୍ଡାୟମାନ)

 

କିଛି ଖବର ଅଛି ରକ୍ଷୀ ?

 

ହଜୁର ମଣିମା । ଜଣେ ଯୁବକ ଦର୍ଶନ ଭିକ୍ଷା କରେ ।

 

ଏହା ଉପଯୁକ୍ତ ସମୟ ନୁହେଁ !

 

କାଲି ଦରବାର ସମୟରେ ଉପସ୍ଥିତ ହେବାପାଇଁ ନିର୍ଦ୍ଦେଶ ଦିଅ ।

 

କିନ୍ତୁ ମଣିମା…ସେ ଯେ,

 

କ’ଣ କହିବାକୁ ଚାହଁ ?

 

ସ୍ଵୟଂବର ସଂପର୍କରେ

 

ସେ କ’ଣ ବିଳମ୍ବରେ ପହଞ୍ଚିଥିବା କୌଣସି ରାଜପୁତ୍ର ?

 

ନା ।

 

ରାଜଦୂତ ?

 

ତା’ ବି ନୁହେଁ ।

 

କିଛି ଖବର ରଖିଛ ?

 

ତା’ର ଚେହେରା ଏବଂ ଭାଷାରୁ ସ୍ପଷ୍ଟ ଜଣାଯାଏ ଏଇ ରାଜ୍ୟର କେହି ପ୍ରଜା ହେବ । ପୂରାପୂରି ଉତ୍କଳୀୟ ।

 

ଅଭିପ୍ରାୟ ।

 

ସ୍ପଷ୍ଟ ନୁହେଁ । କିନ୍ତୁ ସ୍ଵୟଂବର ସମ୍ପର୍କୀୟ ।

 

ପରାମର୍ଶ....

 

ଆସିବାକୁ ଦିଅନ୍ତୁ ।

 

ତାହାହିଁ ହେଉ ।

 

(କିଛି ସମୟ ପରେ ଜଣେ ସୌମ୍ୟଶ୍ରୀ ଯୁବକ ସହ ରକ୍ଷୀ ପ୍ରବେଶ କରିଛି ପରିଧାନ ଅତ୍ୟନ୍ତ ସାଧାରଣ ।)

 

ତୁମେ ଦର୍ଶନାଭିଳାଷୀ ?

 

ଆଜ୍ଞା ମଣିମା ।

 

ପରିଚୟ ?

 

ଯୁବକ ଉତ୍କଳୀୟ । ଏଇ ରାଜ୍ୟର ପ୍ରଜା ଉସିତ ।

 

ଜାଣେ ମଣିମା ।

 

କ’ଣ ଜାଣ ?

 

କ୍ଷୁବ୍‌ଧ ହେବେ ।

 

ହୁଁ । ଅଭିପ୍ରାୟ ପ୍ରକାଶ କର ।

 

ମୁଁ ନିମନ୍ତ୍ରୀତ ନୁହେଁ । ଅଯାଚିତ ଭାବେ ଆସିଛି ।

 

ମାନେ....

 

ଆଜିର ସ୍ଵୟଂବରରେ ଭାଗନେବା ପାଇଁ ଚାହେଁ ।

 

ଆସ୍ପର୍ଦ୍ଧା କମ୍ ନୁହେଁ ।

 

ତୁମେ ସୀମା ଲଙ୍ଘନ କରିଛ ଯୁବକ ।

 

ଅପରିଣାମଦର୍ଶୀ ।

 

ଜାଣ, ଶାସ୍ତିକେଡ଼େ କଠୋର ।

 

ସବୁ ଜାଣିଶୁଣି ଏତେବାଟ ଆଗେଇ ଆସିଛି ।

 

ତୁ ବନ୍ଦି-ଯୁବକ ।

 

ପଞ୍ଜୁରୀରେ ଥାଇ ମୁକ୍ତ ବୋଲି ଘୋଷଣା କରାଯାଏନି ।

 

କାଲି ପ୍ରଭାତରେ ଶୁଳିର ବ୍ୟବସ୍ଥା ।

 

ତା’ ବି ମୁଁ ଜାଣେ ।

 

ତମର ଏ ପାଗଳାମୀ ଦେଖି ଦୟା ଆସେ,

 

ହସ ବି ମାଡ଼େ ।

 

ମତେ ବି ।

 

ମାନେ ?

 

ଔଦ୍ଧତ୍ୟର ସୀମା ଲଙ୍ଘନ କରୁଛି ।

 

ବିଜ୍ଞ ରାଜାଙ୍କର ପରାମର୍ଶଦାତାଭାବେ ଇତିହାସ ପୁରାଣରୁ କିଛି ଶିକ୍ଷା ଲାଭ କରିଥିବ ବୋଲି ଧାରଣା ଥିଲା ମନ୍ତ୍ରୀ ମହାଶୟ । ମାତ୍ର ଦେଖୁଛି ..

 

କ’ଣ ଦେଖୁଛ ?

 

ଅଜ୍ଞାତ କୁଳ ସମ୍ଭୂତ ବୋଲି କର୍ଣ୍ଣପରି ପ୍ରତିଭା ସଂପୂର୍ଣ୍ଣ ବୀରପରୀକ୍ଷା ଦେଇ ଦେଇ ପାରିଲେ ନାହିଁ । ସେହି ଭୁଲର ପୁନରାବୃତ୍ତି ନହେଲେ ଇତିହାସ ପୁରାଣର ମୋଡ଼ ବଦଳିଥାନ୍ତା ।

 

ତମେ ଆମକୁ ଶିକ୍ଷା ଦେଉ ନାହଁ ତ ଯୁବକ ?

 

ନାଁ ଜାଣିବାକୁ ଚେଷ୍ଟା କରୁଛି ।

 

କ’ଣ ଜାଣିବାକୁ ଚାହୁଁଛ ?

 

ଆପଣ ଯେ ପ୍ରଜାବତ୍ସଳ ଏହାର ସତ୍ୟାସତ୍ୟ ।

 

ଏଥିରେ ତୁମେ ସନ୍ଦେହ କର ?

 

ଆପଣଙ୍କ କାର୍ଯ୍ୟହିଁ ମତେ ସନ୍ଦେହରେ ପକାଇଛି ।

 

କିପରି ?

 

ପ୍ରଜାରଞ୍ଜକ ରାଜା ନିକଟରେ ଆଦରଣୀୟ କନ୍ୟାର ଭବିଷ୍ୟତ ବଡ଼ ନା ପ୍ରଜାଙ୍କ ସୁଖ ବଡ଼’ ?

 

ଦ୍ୱିତୀୟଟି ।

 

ତେବେ । ମୁଁ ଫାଶି ଖୁମ୍ବକୁ କାହିଁକି ? ଅଜ୍ଞାତ କୁଳଶୀଳ ଦରିଦ୍ର, ହୀନ ବୋଧ ହେବାରୁ-ଏଇ ଆଶଙ୍କାରେ ତ ।

 

ମଣିମା ଏହି ଉଦ୍ଧତ ଯୁବକକୁ ଥରେ ସୁଯୋଗ ଦିଆଯାଉ ।

 

ପରାମର୍ଶ ଅବଶ୍ୟ ଗ୍ରହଣ କରୁଛି ।

 

କିନ୍ତୁ ସର୍ତ୍ତ ରହିଲା ।

 

ପ୍ରକାଶ କରନ୍ତୁ ।

 

ଅକୃତ କାର୍ଯ୍ୟ ହେଲେ ପାଗଳାମୀ ପାଇଁ ଶିରଚ୍ଛେଦ ହେବ ।

 

ଅନ୍ୟମାନଙ୍କ ପାଇଁ ତ ଏ ସର୍ତ୍ତ ନଥିଲା ।

 

ସେମାନେ ନିମନ୍ତ୍ରୀତ ।

 

ମୁଁ ଅଯାଚିତ । ଏଇଥିପାଇଁ । ବାଶ୍ ଏ ସର୍ତ୍ତ ଗ୍ରହଣ କରିବାକୁ ସମ୍ମତ ।

 

(ରତ୍ନଖଚିତ ପଲଙ୍କରେ ଜେମା ଶାୟୀତ । ନିକଟରେ ଯୁବକ ଦଣ୍ଡାୟମାନ)

 

ଜେମା ଥରେ ଚାହିଁ ଦେଖ । ମୁଁ ରାଜପୁତ୍ର ନୁହେଁ । ଏଇ ରାଜ୍ୟର ସାଧାରଣ ପରିବାରରେ ଜନ୍ମନେଇଥିବା ଏକ ଯୁବକ । ମୋ ପୋଷାକରେ ଆଡ଼ମ୍ବର ନାହିଁ । ମୁଁ ନୀଃସ୍ଵ ମୁଁ ରିକ୍ତ ହସ୍ତରେ ଆସିଛି । ମନରେ କିନ୍ତୁ ବହୁ ଆଶା ବହୁ ଆକାଂକ୍ଷା । ଜେମା ମୁଁ ଜାଣେ ତମେ ଏ ମାଟି, ଏ ପାଣି, ଏ ପବନ ସର୍ବୋପରି ଏ ମଣିଷକୁ ଭଲପାଅ ।

 

ତମେ କେମିତ ଜାଣିଲ ଯୁବକ (ଆରେ ଜେମା କଡ଼ ଲେଉଟାଇଲେ, କଥା କହିଲେ କୋଳାହଳ ।)

 

ମୁଁ ଭଲଭାବେ ଜାଣେ । ତମେ ଚିନ୍ତାରେ ଭାରାକ୍ରାନ୍ତ ।

 

ଯେତେ ବଳ କାର୍ଯ୍ୟଶାଳୀ ପ୍ରେମିକ ରାଜା ହେଲେ ମଧ୍ୟ ତମକୁ ବିବାହ କରି ତମ ମୁହଁରେ ହସ ଫୁଟାଇ ପାରିବ ନାହିଁ ।

 

ଠିକ୍ ଅନୁମାନ କରିଛ ଯୁବକ ।

 

ତମେ ଚାହଁ ଏଇ ମାଟିର ଏଇ ପାଣି ଏଇ ପବନର ମମତାରେ ବାନ୍ଧିହୋଇ ହସର ଜୁଆର ଛୁଟାଇବ । ଏବେ ସମୟ ଉପଗତ ।

 

ଥରେ ଉଠିବସ ।

 

ବସିଲ ଯୁବକ ।

 

(ଜେମା ଉଠି ବସିବାର ଦେଖି ପୁଣି କିଛି ସମୟ ପାଇଁ କୋଳାହଳ ବଢ଼ିଗଲା)

 

ଜେମା-ପୁରାଣର ସେ କିମ୍ବଦନ୍ତୀ କ’ଣ ଜାଣି ନାହିଁ । ରାଜ୍ୟବାସୀ, ପିତାଙ୍କର ସୁଖ ପାଇଁ ଏକମାତ୍ର ଅଲିଅଳି କନ୍ୟା ସୁକନ୍ୟ-ଋଗ୍‌ଣ ଅନ୍ଧ ବୃଦ୍ଧ ଋଷିଙ୍କୁ ପତିରୂପେ ବରଣ କରିଥିଲା ।

 

ସବୁଜାଣେ ।

 

ଅଭିମାନ କାହିଁକି ? ମୁଁ କଥା ଦେଉଛି । ତମେ ଆଉ ମୁଁ ସୁଯୋଗର ଦ୍ଵାରଦେଶରେ । ତମର ଇଚ୍ଛା । ସେଠି, ରୂପ ଲାବଣ୍ୟର ପ୍ରାଚୁର୍ଯ୍ୟ । ଆଉ ମୁଁ ଯୁବକ, ଉଦ୍ଧାମ, ଆଶା କୁଳଲଂଘୁଛି । ପ୍ରେରଣା ପାଇଲେ ପଥର ଫଟେଇ ପାଣିର ସୁଅ ଛୁଟାଇବ । ଆମେ ଯଦି ହସିବା, ରାଇଜ ହସିଉଠିବ ।

 

କୁହନା ଜେମା ।

 

ନା ଜେମା ନୁହେଁ

 

ଆଉ

 

‘ସୁକନ୍ୟା’

 

ମୁଁ ତ କିନ୍ତୁ ବୃଦ୍ଧ ଋଷୀ ନୁହେଁ । ଅନ୍ଧ ବି ନୁହେଁ । କୌଣସି ରାଜ୍ୟର ବିତ୍ତଶାଳୀ ପ୍ରବଳ ପରାକ୍ରମୀ ଯୁବରାଜ ତ ନୁହଁ ।

 

ଦୁହେଁ ଏକ ସଙ୍ଗରେ ହସି ଉଠିଥିଲେ ।

 

ଦେଖ ମହାମନ୍ତ୍ରୀ ।

 

ଆକାଶ ମେଘାଚ୍ଛନ୍ନ

 

ଅନୁମାନ

 

ଆଶୀର୍ବାଦକାରୀ

 

ତେବେ ଏମାନଙ୍କର ମିଳନ…..

 

ରାଜ୍ୟ ପାଇଁ, ରାଜ୍ୟବାସୀଙ୍କ ପାଇଁ ଶୁଭଙ୍କର ।

Image

 

ଇଉରେକ୍‌କା

 

ଆଶା ଓ ଆଶଙ୍କାର ଦ୍ଵିବିଧ ଯନ୍ତ୍ରଣା ଉପସମୀତ । ବହୁ-କଳ୍ପନା-ଜଳ୍ପନା ବାଦ-ବିସମ୍ବାଦ ଅତିକ୍ରମ କରି ନିତ୍ୟାନନ୍ଦ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କ ନେତାଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ଦଳପତି ନିର୍ବାଚନ ଏଇମାତ୍ର କେତୋଟି ମୁହୂର୍ତ୍ତ ପୂର୍ବେ ସରିଛି । ମୁଖମଣ୍ଡଳରେ ବିଜୟର ଦୀପ୍ତି ଅବଧି ସ୍ପଷ୍ଟ । ବହୁ ଆଶାୟୀ ପ୍ରତିଦ୍ୱନ୍ଦ୍ୱୀଙ୍କର ପରୋକ୍ଷ ମୁକାବିଲା ମନଭାବ ଶିଥିଳ ହୋଇଛି । ତଥାପି...ଆଗରେ କଣ୍ଟକିତ ପଥ । ପାଦେ ପାଦକେ ଲହୁ ଲୁହାଣର ଯନ୍ତ୍ରଣା ରହିଛି । ସେ ରାତି ପାହିଲେ ଦେଶର ମୁଖ୍ୟମନ୍ତ୍ରୀ ହେବେ । ଗୌରବରେ ମଣ୍ଡିତ । ସ୍ଵପ୍ନରେ ବିଭୋର । ଦାୟିତ୍ଵ ଭାରାରେ ଭାରାକ୍ରାନ୍ତ । ଏ ସବୁର ମିଳନରେ ମଣିଷ ନିତ୍ୟାନନ୍ଦ କ୍ଷଣ କ୍ଷଣକେ ଆନମନା ହୋଇଉଠୁଛନ୍ତି ।

 

ଖୁବ୍‍ଶୀଘ୍ର ଏକ ତାଲିକା ପ୍ରସ୍ତୁତ କରିବାକୁ ହେବ । ରାତି ପାହିଲେ ମନ୍ତ୍ରୀମାନଙ୍କ ନାମ ତାଲିକା ରାଜ୍ୟପାଳଙ୍କଠାରେ ପେଶ୍ କରିବାକୁ ଅଛି । ବିଧି ଅନୁସାରେ ମନ୍ତ୍ରୀମାନଙ୍କ ଭିତରେ ବିଭାଗବଣ୍ଟନ ମଧ୍ୟ ସାଥେ ସାଥେ ପ୍ରସ୍ତୁତ କରିବାକୁ ପଡ଼ିବ ।

 

ଏଣେ ଅସମ୍ଭବ ଭିଡ଼ । ବନ୍ଧୁ ଶୁଭେଚ୍ଛୁ, ଦଳୀୟ ନେତା କର୍ମୀ ପ୍ରେସ୍‌ବାଲା ଫଟୋଗ୍ରାଫରଙ୍କ ଭିଡ଼ରେ ସମସ୍ତ ପରିବେଶ ମୁଖର । ସମସ୍ତେ ବିଦା ହେଉ ହେଉ ବେଶ ଅଧିକ ରାତି ହୋଇଯାଇଥିଲା ।

 

ପ୍ରଥମେ ନିଜ ନିଜର ସହକର୍ମୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ପରେ ପରେ ଦଳର ଅନ୍ୟ ନେତାମାନଙ୍କ ପରାମର୍ଶ ନେବାପାଇଁ ମନେମନେ ସ୍ଥିର କରିଦେଲେ ନିତ୍ୟାନନ୍ଦ । ସଂଭାବ୍ୟ ଅଦଳବଦଳରୁ ଆଖି ଆଗରେ ରଖିଲେ ଆହୁରି ଭଲ ।

 

ଶୋଇବା ଘରଟିର କବାଟ ବନ୍ଦ କରି ପୁରୁଣା ଅଭ୍ୟାସମତେ ଘର ଭିତରେ ପଦଚାରଣ କଲେ । ଭାରାକ୍ରାନ୍ତ ମନଭିତରେ ପୁଞ୍ଜିଭୂତ ବ୍ୟସ୍ତତ । ପ୍ରତିଦ୍ଵନ୍ଦ୍ୱୀମାନେ ସାମନାକୁ ନ ଆସିଲେ ମଧ୍ୟ ଦଳ ଭିତରେ ଥିବା ବିଶୃଙ୍ଖଳା ତାଙ୍କୁ ବେଶ୍ ଭଲଭାବେ ଜଣାଥିଲା । ସାମାନ୍ୟ ବ୍ୟତିକ୍ରମ ହେଲେ ଶତ୍ରୁମାନେ ଆଳ ପାଇବେ । କୁମ୍ଭୀର କାନ୍ଦଣା କାନ୍ଦିବେ । କହିବେ ହରିଜନମାନଙ୍କୁ ନ୍ୟାୟ ଦିଆଗଲା ନାହଁ । ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ଵ ମନ୍ତ୍ରୀମଣ୍ଡଳରେ ହୋଇ ନାହଁ । ଆଦିବାସୀ ଆଉ ଅବହେଳିତ ଓଡ଼ିଶାର ପ୍ରତିନିଧିତ୍ଵ ଠିକ୍‌ଭାବେ କରାଗଲା ନାହିଁ । ଏମିତି କେତେ କେତେ ଅଭିଯୋଗର ଆଳ । ଆକୁ ଭିତ୍ତିକରି ଖବରକାଗଜମାନଙ୍କରେ କେତେ ରକମ ଚିତ୍ର ପ୍ରକାଶ ପାଇବ-। ଦଳୀୟ ବୈଠକରେ ତମ୍ବି ତୋଫାନ ହେବ । ଥୋକେ ଔଷଧ ବିକଳରେ ତାଟିଆ କାମୁଡ଼ିବେ-। ମାସେ ନ ପୁରୁଣୁ ଏ ସରକାର ଗତିଶୀଳ ନୁହେଁ, ସ୍ଥାଣୁ । ପ୍ରଗତିଶୀଳ ନୁହେଁ ପ୍ରତିକ୍ରିୟାଶୀଳ, ଦଳୀୟ ଇସ୍ତାହାର କାର୍ଯ୍ୟକାରୀ କରିବାରେ ଅବହେଳା କରିଛି, ମନ୍ତ୍ରୀମାନେ ଦୁର୍ନୀତି କରୁଛନ୍ତି ଏମିତ କେତେକଥା ଟୁପ୍‌ଟାପ ସୂତ୍ରରେ ଦଳ ଭିତରେ ମୁଣ୍ଡଟେକି ଶେଷରେ ଅସନ୍ତୁଷ୍ଟ ଗୋଷ୍ଠୀ ଜରିଆରେ ହାଟରେ ବାଟରେ ପଡ଼ିବ ।

 

ଏଇ ସୁଯୋଗ ଉଣ୍ଡି ଚାରିଆଡ଼ୁ ଧର୍ମପଟର ଧମକ ଚମକ । ଆମ ଦାବି ପୂରଣ କର ନହେଲେ ଗାଦି ଛାଡ଼ । ଶିକ୍ଷକ-ଗ୍ରନ୍ଥ-ମାଲିକ-ଶ୍ରମିକ ସମସ୍ତେ ରାଜପଥରେ ଧାଡ଼ିବାନ୍ଧି ଶ୍ଳୋଗାନ ଦେବେ । ଦଳୀୟ ଅସନ୍ତୁଷ୍ଟ ଗୋଷ୍ଠୀ ଏ ସବୁକୁ ଉଷୁକେଇବେ । ନିତ୍ୟାନନ୍ଦଙ୍କ ଭ୍ରୂକୁଞ୍ଚନ ହେଲା । କାହାକୁ ସେ ମନ୍ତ୍ରୀ ନ କରିବେ । ସମସ୍ତଙ୍କୁ କ’ଣ ସେ ସନ୍ତୁଷ୍ଟ କରିପାରିବେ ।

ଭାବିଲେ ଅଜବ ରାଇଜର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ସେ । ଯେଉଁଠି ଭୋଟରଙ୍କ କଥା କହିଲେ ନସରେ । ସେମାନେ ସମସ୍ତେ ସ୍ଥିତିଶୂନ୍ୟ । ସାମାନ୍ୟ ହାଉଲେଇଦେଲେ ମୃଦୁ ପବନରେ ଏଠିକାର ମଣିଷ ଦୋହଲେ । ନିଜ ଆଗରେ ସବୁ ଘୂରିଲା ପରି ପ୍ରତ୍ୟେୟ ହୁଏ । ଜଣେ ଜଣକୁ କୁହେ ବୁଝିଲୁ ଏ ସରକାର ଆଉ ବେଶୀଦିନ ନୁହେଁ । ଶଳା କିଛି କଲା ନାହିଁ । ଖାଲି ମାରିପିଟି ଖାଇଗଲେ । ତା’‌ ପରେ ଚାଲେ ‘ହୋ’ । ଧୋବାର ଗଧ ବୁଧିଆ ମଲେ ବି ରାଜାରାଣୀ ପର୍ଯ୍ୟନ୍ତ କାନ୍ଦିଉଠନ୍ତି । ଯେତେ ବୋକା ହେଲେ ବି ଆଗଚଲା । ଚତୁର ପଣିଆ ଦେଖେଇହେବା ଅସ୍ତି ମଜାଗତ ପ୍ରକୃତି ଏମାନଙ୍କର । ମୃଦୁ ପବନ ଯୋର ହୁଏ । ଯାହାସବୁ ଥାଏ ଉଡ଼ାଉଡ଼ିକରି ଆଲୁରା ବାଲୁରା କରିପକାଏ । ଜଣଙ୍କର ଗୋଡ଼ ଖସିଥାଉ କି ନ ଥାଉ ତା’କୁ ଠେଲି ପେଲି ଗଡ଼େଇଦେବେ । ପଡ଼ିଗଲାପରେ କାଦୁଅରେ ଯୁଡ଼ୁବୁଡ଼ୁ ହେଲେ ତାଳି ମାରିବେ । ଦରକାର ହେଲେ ଟେକା ମାରିବେ ।

ଆଉ ସବୁଠୁ ବଡ଼ ବିଚିତ୍ର କଥା ହେଉଛି ଦିନେ ଯାହା ବେକରେ ଜୋତାମାଳ ଦେଇ ଏ ଜାଗା ତାକୁ ପରିତ୍ୟାଗ କରିଥାଏ, ତା’ର ସଂଶୋଧନ ବା ସଂସ୍କାର ହେଉ କି ନ ହେଉ ଡାକି ହାକି ତା’ ବେକରେ ଫୁଲମାଳ ଚଢ଼ାଯାଏ । ଦିନେ ଯାହାର ନାମନେଇ ମୃର୍ଦ୍ଦାବାଦର ଧ୍ଵନି ଗଗନ ପବନ ମୁଖରିତ କରିଥିଲା । ତା’ର ନାମରେ ଜିନ୍ଦାବାଦର ଅସରନ୍ତି ଶ୍ଲୋଗାନ । ମାରିପିଟି ଗଢ଼ିଥିବା କଳକାରଖାନା, ସିନେମାହଲ, ପେଟ୍ରୋଲ ଟାଙ୍କି ସବୁ ଅଲଗା ରୂପ ନିଏ । ଏ ସବୁ ନେତାର ପାରିବା ପଣ ବୋଲି ଧରାଯାଏ ।

ନିତ୍ୟାନନ୍ଦ ବାବୁ ମହାସମସ୍ୟାର ସମ୍ମୁଖୀନ । ଏତେ ସଂଖ୍ୟକ ଦଳୀୟ ସଦସ୍ୟ । ଏକ ଦୃଢ଼ ଏବଂ ଦୀର୍ଘସ୍ଥାୟୀ ସରକାର ଗଢ଼ିବାକୁ ହେବ । ଲୋକ ପ୍ରକୃତି । ସମ୍ବାଦପତ୍ରର ଭୂମିକା, ଅସନ୍ତୁଷ୍ଟ ଗୋଷ୍ଠୀର ଚକ୍ରାନ୍ତ ସାଙ୍ଗକୁ ନେତାଙ୍କର ମନନେଇ ସବୁ ଧର୍ମ, ଜାତି, ଉପଜାତି, ପୁରୁଷ, ସ୍ତ୍ରୀ, ଜିଲ୍ଲା, ଅଞ୍ଚଳ ପର ଆପଣା ଭତ୍ତିରେ ହିଁ ମନ୍ତ୍ରୀମଣ୍ଡଳ ରୂପ ନେବ ।

ପରିକ୍ଷଣରେ ଭାବି ବସିଲାବେଳକୁ ଅହେତୁକ ଭୟ ଜନ୍ମହେଉଛି । ଥୋକେ ମନ୍ତ୍ରୀ ନ ହେଲେ ବିଭିନ୍ନ ଆଳ ଦେଖାଇ ଅନ୍ୟ କେଉଁ ଦଳକୁ କେତେବେଳେ ଚାଲିଯିବେ ଜାଣିହେବ ନାହିଁ । ଏମିତିଆ ଆୟାରାମ-ଗୟାରାମମାନଙ୍କ ପାଇଁ ବହୁ ସଂଖ୍ୟକ ସଦସ୍ୟ ଥାଇ ମଧ୍ୟ ଅକାଳରେ ମନ୍ତ୍ରୀମଣ୍ଡଳ ଭୁଶୁଡ଼ିପଡ଼େ । ଯୋଗ୍ୟତା ଥାଉ ନ ଥାଉ ମନ୍ତ୍ରୀହେବା ପାଇଁ ବାଡ଼ିଆବାଡ଼ି । ହଁ ମନ୍ତ୍ରୀ ପାଇଁ ପୁଣି କ’ଣ ଯୋଗ୍ୟତା ଦରକାର । ଆସନକୁ ଗଲେ ତ ଶାସନ ଚାଲିଲା । ଥରେ ମନ୍ତ୍ରୀ ହୋଇଗଲେ କାଇଦା କଟକଣା କରି ଅର୍ଜନରେ ଲାଗିଯିବେ । ଏହାର ବି ଏକ ଯୁକ୍ତି ଅଛି । କୋଉ ଭୋଟରମାନେ ଏଥର ଭୋଟ ଦେଉଛନ୍ତି । ଧୁଆମୂଳା ଅଧୁଆମୂଳା ସବୁ ସମାନ ହେବେ । ପଇସା କାହିଁ କମେଇବାନି । ଆରଥର ସେମିତି ଲୋକ ଡାକି ଭୋଟ ଦେବେ । ଖାଲି ପାହି ଜଗିଲେ ହେଲା । ସାବାସ୍‌, ଭୋଟରଙ୍କ ଅଦ୍‌ଭୁତ ଚଖା ନୀତିକୁ ନେତାଙ୍କର ବିଚିତ୍ର ଦର୍ଶନ । କେଉଁ ଗୋଟାକ ଯୁକ୍ତିଯୁକ୍ତ କେଉଁଟା ଅଯୁକ୍ତିକ ତା’ର ହିସାବ ନିକାସ ପାଇଁ କିଛି ଢୁକି ନଥିଲା ଭାବ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ । ସେ କେବଳ ଏତିକି ଜାଣିଥିଲେ ଦୁର୍ନାମ ରଟନାହେବ । ଆୟୁଷ କମିଯିବ ।

ଠକ୍-ଠକ୍-ଠକ୍ । କବାଟରେ ଶବ୍ଦ ହେଲା । ଦୀର୍ଘନିଶ୍ଵାସ ବାହାରି ଆସିଲା, ଏ ଭିତରେ ଯେତେଗୁଡ଼ିଏ କାଗଜରେ ନାଁ ସବୁ ଲେଖି କାଟି ପୁଣି ଲେଖି ପୁଣି କାଟି ଟେବୁଲ୍ ଉପରେ ଜମା କରିଥିଲେ, ତରବରରେ ସେଗୁଡ଼ିକ ଡ୍ରୟରରେ ଭର୍ତ୍ତି କରିଦେଲେ ।

 

ପୁଣି ଠକ୍ ଠକ୍ ଶବ୍ଦ ହେଲ । କିଏ ସେ ?

ବିରକ୍ତିରେ ସ୍ଵର ।

ମୁଁ ଡାକୁଛି ବାପା । ରାତି ଦିଟା ବାଜିଲାଣି

ଖାଇବେନି ।

ବୋହୁ ଡାକୁଛି । ଅତି ଆଦରର ବୋହୂ । କବାଟ ଦେଇ ଆସିଲାବେଳେ କହି ଆସିଥିଲେ ଦେଖିବୁ ତ ମା’ ମତେ ଯେମିତି କେହି ଡିଷ୍ଟର୍ବ ନ କରନ୍ତି ।

କାନ୍ଥ ଘଡ଼ିକୁ ଚାହିଁଲେ । ସତେତ ଏ ମଧ୍ୟରେ କେତେବେଳେ ଦି’ଟା ବାଜିଲାଣି । ଆନନ୍ଦର ଅତିଶଯ୍ୟାରେ-ଦାରୁଣ ଚିନ୍ତାର ଗୋଲକଧନ୍ଦା ଭିତରେ ପଡ଼ି କେତେବେଳେ ମୁଁହଟେକି ଅନେଇ ନାହାନ୍ତି ସେଆଡ଼େ । ସମୟର ହୃଦୟ କଠିନ । ସେ କାହାପାଇଁ ଅପେକ୍ଷା କରେନି । କାହାରି ଅବସ୍ଥା ବୁଝେନି ।

କବାଟ ଖୋଲିଲେ । ବାହାରେ ବୋହୁ ଛିଡ଼ା ହୋଇଛି, ଚାଲେ ମା’ । ଖାଇବାକୁ ବାଢ଼େ-। ତମେ ସବୁ ତ କେହି ଖାଇ ନଥିବ ।

ଖାଇବା ଟେବୁଲରେ ଆସର ଜମିଲା । ପୁଅ, ବୋହୁ ଆଉ ନଜେ ନିତ୍ୟାନନ୍ଦ ସେମିତ ଚିନ୍ତାଗ୍ରସ୍ତ ମନ । କେତେବେଳେ ହାତ କେଉଁଠି ବାଜୁଛି ତା’ର ଠିକ୍ ଠିକଣା ନାହିଁ । ବୋହୁ ପଚାରିଲେ ଖାଲି ଛୋଟ ହୁଁଟିଏ ବା ନାଟିଏ ବୋଲି କହି ଚାଲିଛନ୍ତି ।

 

ଆପଣ କ’ଣ ଏତେ ଭାବୁଛନ୍ତି ଯେ । ପ୍ରଥମେ ବୋହୁ ପାଟି ଖୋଲି ପଚାରିଲା ।

 

ହଁ ମା’ । ସକାଳୁ ମନ୍ତ୍ରୀମଣ୍ଡଳର ତାଲିକା ଦେବାକୁ ହେବ । ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ଏକାଥରେ କହିଦେଲେ ସେ । ବୋହୁ ଉଚ୍ଚ ଶିକ୍ଷିତା । ଶାଶୁ ନଥିବା ବୋହୁ, ଶଶୁରଙ୍କର ଅତି ଅଲିଅଳି । ତା’ ପାଖରେ ସହଜରେ ସବୁକିଛି ପ୍ରକାଶ କରିଥାନ୍ତି ସେ, ବେଳେବେଳେ ତା’ ସହିତ ରାଜନୀତି ଚର୍ଚ୍ଚା କରିଥାନ୍ତି । କଥା ପ୍ରସଙ୍ଗରେ ଶଶୁର ବୋହୁର ବୁଦ୍ଧିକୁ ତାରିଫ କରିଥିବାର କେହି କେହି ଆତ୍ମୀୟ ଶୁଣିଥିବେ । ଆଜି ଏ ସମସ୍ୟାର ସୁତାଖିଅ ମିଳିପାରେ-। ଏଇ ଆଶାରେ ସେ ଚାହିଁଲେ ବୋହୁ ମୁହଁକୁ ଚାହାଣୀରେ ଅସହାୟତା ବେଶ୍ ସ୍ପଷ୍ଟ ।

 

ସେ ଯାହାହେଉ ସଚ୍ଚୋଟ ପାରିବାର କେତେଜଣଙ୍କୁ ମନ୍ତ୍ରୀମଣ୍ଡଳରେ ରଖିବାକୁ ହେବ ।

 

ପୁଅର ମନ୍ତବ୍ୟ ଶୁଣି ତା’ଆଡ଼େ ମୁହଁ ବୁଲାଇଲେ । ମୋର ଇଚ୍ଛା ସେଇଆ ଯେ ହେଲେ ଏ ପର୍ଯ୍ୟନ୍ତ ଜଣଙ୍କ ନାମ ମଧ୍ୟ ପାଇପାରିଲି ନାହିଁ ।

 

ବୋହୁର ମୁହଁରେ ହସ । ମନ୍ତବ୍ୟ ଦେଲା । ପାରିବା ପଣିଆର ମାପକାଠି ଏଠି କାହିଁ । ଇଏତ ଇଂଲଣ୍ଡ ନୁହେଁ । ସେଠି କିଏ କୋଉ ବିଭାଗ ନେବେ ପୂର୍ବରୁ ଆଭାସ ମିଳିଥାଏ । ପ୍ରତ୍ୟେକେ ବ୍ୟବସ୍ଥା ସଭାରେ ଏକ ନିର୍ଦ୍ଧିଷ୍ଟ ବିଭାଗରେ ଦକ୍ଷତା ହାସଲ ପାଇଁ ବ୍ୟାକୁଳ, ଏଠି ସମସ୍ତେ ସର୍ବଜାନତା ପରି ବ୍ୟବହାର କରନ୍ତି ।

 

ଆଉ ସଚ୍ଚୋଟ ! ସେଥିରୁ କ’ଣ ମିଳିବ । ଯେଉଁମାନେ ଦୁର୍ନିତୀରେ ଜୁଡ଼ୁବୁଡ଼ୁ ସରକାରୀ କଳର ଅପବ୍ୟବହାର କରି ଅତୀତରେ ଧନ ସମ୍ପତି ଠୁଳ କରିଛନ୍ତି ସେମାନେ ପୁଣି ଭୋଟବେଳେ ସମର୍ଥନ ଲାଭ କରୁଛନ୍ତି କେମିତି । ବରଂ ସେମାନଙ୍କର ବ୍ୟକ୍ତିତ୍ଵ ସମ୍ପଦ ବୃଦ୍ଧି ବହୁଗୁଣିତ ହେବାରେ ଲାଗିଛି । ଆଉ ଯୋଉଁମାନେ ପଇସା ନ କରନ୍ତି ବୋଲି ଆପଣଙ୍କ ପରି ଗର୍ବ କରନ୍ତୁ ସେମାନେ ଲୋକଙ୍କ ସନ୍ଦେହରୁ ଦୂରରେ ? ବରଂ ଲୋକେ କହନ୍ତି ଏ ଭାରୀ ଚାଲାକ । କିଛି ବାହାରେ ଦେଖାଉ ନାହିଁ । ପୋତାମାଲ ଅଛି ।

 

ଯୁକ୍ତି ଅକାଟ୍ୟ । ତଥାପି ନୈତିକବଳ ଆଉ ବିବେକର ଟେକ ହିଁ ସଚ୍ଚୋଟ ପାଖରେ ମିଳିଥାଏ ।

 

ବାପା, ଆପଣଙ୍କ କଥା ସତ । ହେଲେ ସେମିତ ଲୋକ ପାଇବା ପାଇଁ ସଂକଳ୍ପ କଲେ ମିଳେନା । କାର୍ଯ୍ୟରେ ହିଁ ପରିକ୍ଷତ ହୁଏ ।

 

ନିତ୍ୟାନନ୍ଦଙ୍କ ମୁଖମଣ୍ଡଳରେ ତୃପ୍ତିର ଝଲକ ନା ବାଛିବା ପାଇଁ ସେ ସିଧାସଳଖ ଜାତି, ଅଞ୍ଚଳ, ପର-ଅପଣାକୁ ଦେଖି ବିଚାରି କାର୍ଯ୍ୟ କରିପାରିବେ ।

 

ହେଲେ ବିଭାଗ ବଣ୍ଟନ ଏକ ଗୋଳମାଳିଆ କଥା । ବେଶ୍‌ ତ ସେଥିପାଇଁ ଏକ ଫର୍ମୁଲା ମନେମନେ ଚିନ୍ତା କରି ନେଇଥାନ୍ତୁ । ଏଇ ଧରନ୍ତୁ ରାଜସ୍ଵ ଓ ଅବକାରୀ ମନ୍ତ୍ରୀ କରିବେ । ସେ ସବୁଠାରୁ ବେଶୀ ଚାନ୍ଦା ଅଦାୟ କରି ପାରୁଥିବାର ଏ ଅଭିଜ୍ଞତା ହାସଲ କରିଛି ସେମିତ ଗୋଟାଏ ଲୋକଙ୍କୁ ବାଛନ୍ତୁ । ତେବେ ଲୋକେ କହିବେ ଏ ପୁରୁଣା ହାଣ୍ତି ବେଶୀ ତେଲ ଶୋଷିବନି ‘ଏଇଆ ନା । ତେଣିକ ରାଜକୋଷ ଖାଲି ହେଉ କହୁ କହୁ ହସି ଦେଇଥିଲା ସେ ।

 

ନିତ୍ୟାନନ୍ଦ ପଟ୍ଟନାୟକ ବର୍ତ୍ତମାନ‌ ଆସ୍ଵସ୍ଥି । ସେ ପାଇଛନ୍ତି । ତାଙ୍କ ଆଗର ରାସ୍ତା ସମ୍ପୂର୍ଣ୍ଣ କୁହୁଡ଼ି ମୁକ୍ତ ନ ହେଲେ ମଧ୍ୟ ଦୃଶ୍ୟମାନ ।

 

ଏ ମଧ୍ୟରେ ବହୁ ସମୟ ଖାଇବା ଟେବୁଲ ଉପରେ କଟିଗଲାଣି । ଉଠୁ ଉଠୁ ପୁଅ ବୋହୂଙ୍କୁ ଉଦ୍ଦେଶ୍ୟ କରି କହିଲେ ତମେ ଦି’ଜଣ ହାତଧୋଇ ଶୋଇବା ଘରକୁ ଆସ । ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବାକୁ ହେବ ।

 

ପରଦିନ ଶପଥ ପାଠ ଉତ୍ସବ ମହା-ସମାରୋହରେ ପାଳିତ ହେଲା । ମନ୍ତ୍ରୀମାନଙ୍କ ନାମ ଆଉ ବିଭାଗ ବଣ୍ଟନ ଦେଖି ଥୋକେ ମୁହଁ ଚାହାଁ ଚାହିଁ ହେଲେ । ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପାଖକୁହା ଦଳ କହିଲେ, ଆଜ୍ଞା-ଜଣେ ଅଣ ଓଡ଼ିଆ ମାରୁଆଡ଼ି ହାତରେ ସାଂସ୍କୃତିକ ବିଭାଗ ପଡ଼ିଥିବାରୁ ଲୋକେ ସମାଲୋଚନା କରୁଛନ୍ତି ।

 

ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ପଟ୍ଟନାୟକ ଯାହା କହିଲେ ତା’ ହେଉଛି ଏହିପରି ।

 

ମ’ । ଲୋକେ ସମାଲୋଚନା କରିବେ ନାହିଁ ନା କ’ଣ । ତମେସବୁ ତାଙ୍କୁ ବୁଝେଇଦେଉନ । ଏ ରାଜ୍ୟ ସଂସ୍କୃତିର ବିଶେଷ ଲକ୍ଷଣ ହେଉଛି ଏଠାରେ ବହୁବିଧ ସଂସ୍କୃତିର ମିଳନ ଓ ସଂଘର୍ଷ ଘଟିଛି-ଦକ୍ଷିଣର ଦ୍ରାବିଡ଼ ସଂସ୍କୃତି ଉତ୍ତରର ଆର୍ଯ୍ୟ ସଂସ୍କୃତି ସାଙ୍ଗକୁ ଆଦିମାନବ ଆଦିବାସୀ ସଂସ୍କୃତିର ମିଶ୍ରଣ ସ୍ଥଳୀ ହେଉଛି ଆମ ରାଜ୍ୟ । ଏ ରାଜ୍ୟର ଦକ୍ଷିଷ ପଟେ କୋରାପୁଟ ଗଞ୍ଜାମରେ ତେଲେଙ୍ଗାଙ୍କ ପ୍ରଭାବ ବାଲେଶ୍ଵର ପଟେ ବଙ୍ଗାଳିଙ୍କ ପ୍ରଭାବ ମୟୂରଭଞ୍ଜ, କେଉଁଝର ବା ସୁନ୍ଦରଗଡ଼ କୋରାପୁଟ, କଳାହାଣ୍ଡିରେ ବିହାର ତଥା ମଧ୍ୟପ୍ରଦେଶ ହିନ୍ଦୁସ୍ଥାନୀମାନଙ୍କ ପ୍ରଭାବ ବେଶ୍ ଭଲ ରହିଛି । ତାଙ୍କ ଭାଷା ଏବଂ ସଂସ୍କୃତି ପ୍ରାନ୍ତୀୟ ଜିଲ୍ଲାମାନଙ୍କରେ ଭରିଉଠିଲାଣି । ଅଧିକନ୍ତୁ ସମ୍ବଲପୁର ବଲାଙ୍ଗୀର କଳାହାଣ୍ଡି ଆଡ଼େ ଗଲେ ଶଳେ କଟକିଆ ବା ଗଞ୍ଜାମଆଡ଼େ ଗଲେ ଶଳା କଟକିଆଙ୍କ ପ୍ରତି ଘୃଣା ଭାବ । କଟକବାଲା ଢେଙ୍କାନାଳବାଲାଙ୍କୁ ଢେଙ୍କାନାଳିଆ କହି ନାକ ଟେକନ୍ତି । ଏଣୁ ବହୁ ବିଚାର ବୁଦ୍ଧି ଖଟାଯାଇ ଜଣେ ବ୍ୟକ୍ତି ବଛା ଯାଇଛି ଯେ ଏହା ସମସ୍ତ ସଂକାତ୍ରତା ବା କନ୍ଦଳଠାରୁ ବହୁ ଦୂରରେ । ଅଧିକନ୍ତୁ ମାରୱାଡ଼ିଙ୍କ ଅପେକ୍ଷା ସବୁ ଅଞ୍ଚଳରେ ଆଦୃତ ହେଲାଭଳି ଆଉ କୌଣସି ଗୋଷ୍ଠୀ ନାହିଁ ।

 

ସମ୍ବଲପୁରର ରାଜନୈତିକ, ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ଏମାନଙ୍କ ପ୍ରାଧାନ୍ୟ ସମସ୍ତଙ୍କୁ ଜଣା । ସେହିପରି କଳହାଣ୍ଡିର ରାମପୁର-ମଦନପୁର, କେସିଙ୍ଗା, ଭବାନିପାଟଣାରେ ମାରୁୱାଡ଼ି ମାନେ ହିଁ ଅଗ୍ରଣୀ । ସେଠିକାର ସାହିତ୍ୟସଭା, ସାଂସ୍କୃତିକ ଅନୁଷ୍ଠାନ ପାଇଁ ଏମାନଙ୍କ ଦାନ ଅତୁଳନୀୟ । କଟକ-ପୁରୀ-ବାଲେଶ୍ୱର କଥା କହିଲେ ନ ସରେ । ଏଠି ମାରୱାଡ଼ି ଥିବାରୁ ହିଁ ସବୁକଥା ଚାଲିଛି । ବ୍ୟବସାୟ-ବାଣିଜ୍ୟ-କଳା-ସଂସ୍କୃତି-ସାହିତ୍ୟ-ସିନେମା କୋଉଥିରେ ଯେ ଏମାନେ ପ୍ରବେଶ ନ କରିଛନ୍ତି ତା’ ନୁହେଁ । ଗାଁ ଗହଳ ଜୀବନ ସହ ସାମିଲ ହୋଇଗଲେଣି ।

 

ଗଞ୍ଜାମ, କୋରାପୁଟ, ଅଞ୍ଚଳରେ ସେମାନେ ଘରେ କୁମୁଟି-ମହାଜନଙ୍କ ଦାଉରୁ ବେଶୀ ସଂଖ୍ୟାରେ ପ୍ରବେଶ କରିପାରି ନାହାନ୍ତି । ଅଶା କରାଯାଏ ସେ ଅଞ୍ଚଳରେ ଖୁବ୍‌ଶୀଘ୍ର ସେମାନଙ୍କ ପ୍ରତି ଆଦର ବଢ଼ିବ । ମାଥୁର, ସିଂହ, ମୂର୍ତ୍ତୀ-ରାଓ-ଅଗ୍ରୱାଲଙ୍କୁ ଆମେ ଭୋଟ ଦେଇ ପଠାଇଛେ । ସେଥିମଧ୍ୟରୁ ଅଗ୍ରୱାଲ ବେଶୀ ଲୋକଙ୍କ ଶ୍ରଦ୍ଧା ଅର୍ଜନ କରିବାରେ ଦକ୍ଷ ବୋଲି ଧାରଣା । ରହିବା ସ୍ଵାଭାବିକ ।

 

ପାଇଲୁ, ପାଇଲୁ, ଗୂଢ଼ ରହସ୍ୟ ଏବେ ପାଇଲୁ । ଏତେ ଲୋକ ଥାଉ ଥାଉ ଓଡ଼ିଶା ସଂସ୍କୃତିର ସୁରକ୍ଷା ଭାର କାହିଁକି ହାତରେ ଅର୍ପିତ ତା’ର ଭିତରକଥା ଜାଣିଲା ପରେ ବୋଲକରା-କାନକୁହା ସଭିଏଁ ଏକ ସ୍ଵରରେ କହିଥିଲେ ଏବେ ସମସ୍ତଙ୍କୁ ବୁଝେଇଦେବା ସହଜ ହେବ ।

Image

 

କବଳାୟିତ

 

ରଘୁବୀର ମନେମନେ ଉତ୍ତେଜିତ ହୋଇପଡ଼ିଥିଲେ । ବେଞ୍ଚଟି ଘରଣୀଙ୍କ ହାତକୁ ବଢ଼ାଇ ଦେଇ ପିଣ୍ଡାରେ ପଡ଼ିଥିବା କାନଭାସ ଚୌକି ଖଣ୍ଡିକରେ ଲଥକରି ବସିପଡ଼ିଲେ । ତେଲ ଚିକିଟା, ମଇଳା ମେଳଛା ଏଇ କାନଭାସ ଚୌକି ଖଣ୍ଡିକ ତାଙ୍କର ବତ୍ରିଶ ସିଂହାସନ । କେବଳ ଏଇଥିରେ ଦଣ୍ଡେ କ୍ଷଣେ ବସି ବହୁ କଥାର ସମାଧାନ ସୂତ୍ର ବାହାର କରନ୍ତି । ଆଜି ତା’ର ପୁନରାବୃତ୍ତି । ସଦ୍ୟ ଛତ୍ରବଜାରରୁ ଫେରିଛନ୍ତି ସେ । ବର୍ଷାଦିନେ ବି ପନିପରିବାର ଦର ଆକାଶ ଛୁଇଁଛି । ବାରିରେ ଦିଟା କଖାରୁ ଗଛ ଲଗେଇ ନାହାନ୍ତି ଯେ ଟଙ୍କାଗଛ ଲଗେଇଛନ୍ତି । ଫୁଲ ବିକିବେ ଫଳ ବିକିବେ, ଡଙ୍କ ବିକିବେ ପତ୍ର ବି ବିକିବେ, କଖାରୁ ଯଦି ଗୋଟା ବିକ୍ରି ନ ହୋଇ ଫଳ ବିକ୍ରି ହେଲା ତେବେ ଆହୁରି ଭଲ ମଂଜି ପୁଳାକ ରଙ୍ଗ ଦେଇ ମିଠା ପାନ ମସଲା କରିଦିଅ । ଏଥିରେ ବି ଦି ପଇସା ମିଳିବ । ଆଉ ବାକି ରହିଲା କ’ଣ । ଚେର ପୁଳାକ । ଯୋଗାଡ଼ ଯନ୍ତ୍ର କରି ସେତକ ବିକ୍ରି କରୁନାହାନ୍ତି କାହିଁକ । ହୁଃ । ମନେମନେ ଚିହଁକିଉଠି ପରକ୍ଷଣରେ ପ୍ରକୃତିସ୍ଥ ହେଲେ ରଘୁବୀର ।

 

କ’ଣ କରନ୍ତେ ବିଚରା । ଏଇଥିରୁ ତାଙ୍କ ବଂଶ ଚଳିବେ ତେଲ ଲୁଣର ସଂସାର କ’ଣ ମାଗଣାରେ ହୋଇଯାଉଛି । କୋଉ ତାଙ୍କର ମହଙ୍ଗାଭତ୍ତା ଅଛି ନା ଉପୁରି ଦି’ଟା ଅଛି । ସେଥିରେ ପୁଣି ସାର ଔଷଧର ଦର ହୁ ହୁ ବଢ଼ି ଚାଲିଛି । ଭଲ ଫଳ ପାଇଁ ସାର ପୁଳାଏ ଦରକାର । ଗଛ ସାହେବା ହେଲା ତ ଔଷଧ ଦରକାର । ଦୟା ହେଲା ମନେମନେ ନିର୍ଦ୍ଦେଶ ଦେବା ଭଂଗୀରେ କହିଲେ ହେ ଚଷାଏ ତମ ଦରବର ମୂଲ୍ୟ ବଢ଼ାଅ । ଛାଡ଼ ନାହିଁ ଏ ପ.ଜି ପାଉଆ ଦଳକୁ । ସବୁଗୁଡ଼ାକ ଶୋସା, କଅଁଳିଆ ଡଙ୍କ ପାଇଲେ ସୁନ୍ଦରକରି ଝୋଳ ଶୋଷିନେବେ । ଯେତେ ବୁଢ଼ା ହଳଦିଆ ଡଙ୍କ ଅଛି ସବୁକୁ ଏଇ ଛତ୍ରବଜାରରେ ବିକ୍ରି କର । ପୁଏ ନ ନେଇ ଯିବେ କୁଆଡ଼େ ।

 

କିନ୍ତୁ ସେ କି ଦୋଷ କରିଛନ୍ତି । ଚାକିରିକାଳ ଊଣେଇଶ ପୂରି କୋଡ଼ିଏ ଚାଲିଲା । କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି । ଦି ପଇସା ଉପୁରି କମେଇବାର ଫନ୍ଦି ଫିକର କେବେ କରିନାହାନ୍ତି । ଏପରକି ଔଷଧ ଫୋଶଦ ବାବଦରେ ଅନ୍ୟ ସହକର୍ମୀମାନେ ହଜାର ହଜାର ଟଙ୍କା ମିଛରେ ନେଉଥିଲାବେଳେ ରଘୁବୀରଙ୍କର ଦୃଢ଼ ଧାରଣା ସେ ଯଦି ମିଛ କହି ସରକାରୀ ଧନ ନେବେ ତେବେ ଘରେ ସବୁବେଳେ ରୋଗ ବୈରାଗ ଲାଗିରହିବ । ପିଲାଏ ଉଧେଇପାରିବେ ନାହିଁ-। ବାସ୍ତବରେ ସେ କେବେ ଡାକ୍ତର ଘରକୁ ବ୍ୟସ୍ତ ହୋଇ ଦଉଡ଼ୁଥିବାର ପଡ଼ୋଶୀଏ ଦେଖିନାହାନ୍ତି-

 

କାହାର କ’ଣ ହେଲେ ହୋମିଓପ୍ୟାଥି ଦି ପାନେ ନ ହେଲେ କଳା ତୁଳସୀ ପତ୍ର ମହୁରେ କାମ ଚଳିଯାଏ ।

 

ହଁ ଯେ ଭତ୍ତା ବଢ଼ୁଛି । ସେ ଯାହା, ଘର ପୋଡ଼ିରେ କୁଟା ଖିଏ ସାର, ଦରଦାମ ଆକାଶ ଛୁଇଁଲାବେଳେ ମହଙ୍ଗାଭତ୍ତା ପାହଚେ ଟପୁଛି । ସେଇଥିରେ ପୁଣି କର୍ମଚାରୀ ସଂଘର ନେତାଙ୍କ ବାହାଦୂରି କହିଲେ ନ ସରେ । କ’ଣ ନା ଆମ ଧମକ ଆଗରେ ଯେଡ଼େ ଟାଣୁଆ ସରକାର ହେଉନା କାହିଁକି ନଶ୍ଚେ ମୁଣ୍ଡ ନୁଆଁଇବ । ନହେଲେ ନିଆଁ, ଜଳିଥାନ୍ତା । ଅବସ୍ଥା ଅସମ୍ଭାଳ ହୋଇଥାନ୍ତା । ପରିସ୍ଥିତି ପାଇଁ ସରକାର ଦାୟୀ ରହିଥାନ୍ତେ । ରଘୁବୀର ମନେମନେ ହସିଲେ । କହିଲେ ବୃଥା ଆସ୍ଫାଳନ । ବୃଥା ଏ ବାହାଦୁରି । ସେ ନିଜେ ଅନୁଭବି ଦଶବର୍ଷ ତଳେ ଦରମା ଥିଲା ଚାରିଶହରୁ ଅଳ୍ପକିଛି ଅଧିକ । ସଂସାର ଖୁବ୍ ନହେଲେ ବି ସୁଖରେ ଚଳୁଥିଲା । ବଳେଇ ବଞ୍ଚେଇ ଦି’ପଇସା ରଖି ହୋଇଥିଲା ସେ ବାପ ମା’ଙ୍କ ସୁଦ୍ଧିକ୍ରିୟା ବେଳକୁ କାହାପାଖରେ ହାତ ପାତିବାକୁ ପଡ଼ି ନାହିଁ । ଆଉ ଆଜି । ହଜାର ପାଖାପାଖି ଦରମା । ସେ ଯାହା କଟିକାଟି ଯାଉଛି । ପ୍ରୋଭିଡେଣ୍ଟ ଫଣ୍ଡରେ ବା ଗ୍ରୁପ ଇନ୍‌ସୁରାନ୍‌ସରେ ରହୁଛି । ସ୍ତ୍ରୀଙ୍କ ନାମରେ ଜୀବନବୀମା ପଲିସି ହୋଇଥିଲା । ଏବେ ନିୟମିତ ପ୍ରିମିୟମ ଦିଆଯାଇ ପାରୁନାହିଁ । କେମିତି ଏ ସଂସାର ଚଳିବ । ଆଉ କେଇଟା ବର୍ଷପରେ ଝିଅର ବାହାଘର କରିବାକୁ ଅଛି ।

 

ରଘୁବୀର କିଛି କୂଳ କିନ୍ନାରା ପାଉନଥିଲେ । ସୁଖି ପରିବାର ସ୍ଵପ୍ନ ଦେଖି ଦେଖି ସେ ତ ସରକାରଙ୍କ ପ୍ରଚାରରେ ପୂରାପୂରି ଅଭିଭୂତ ହୋଇପଡ଼ିଥିଲେ । ସେତେବେଳେ ପ୍ରଚାର ଥିଲା “ଦୁଇ ବା ତିନୋଟି ସନ୍ତାନ ଯଥେଷ୍ଟ” ଅବଶ୍ୟ ପରେ ସରକାର ଗୋଟିଏ କାଟିଦେଲେ । ଆଉ କହିଲେ “ଆମେ ଦୁଇ ଆମର ଦୁଇ” କିଏ ଜାଣେ କୋଉଦିନ ପୁଣି ଲେଖାହେବ “ଆମେ ଦୁଇ ହେଲୁ ଏକ ସଂସାରେ ରହିବ ଆମର ଟେକ” । ପୁଣି ଯଦି ଯୋଜନା ଫେଲ କରେ କୁହାହେବ “ଶୂନରୁ ଶୂନ ଗଲେ ଶୂନ ରହିବ ପଡ଼ି ତଳେ ।’’ ବା ବାଂଝ ହେଲେନାହିଁ ଶୋଚନା । ସୁଖ ପାଇଁ ଗଢ଼ା ଯୋଜନା । ଭବିଷ୍ୟତ କଥା ଛାଡ଼ । ରଘୁବୀର ସେ କାଳର ମଣିଷ । ସରକାରଙ୍କର ବାଧ୍ୟ ପ୍ରଜା ଭଳି ତିନୋଟି ସନ୍ତାନ ପରେ ଅପରେସନ ବ୍ୟବସ୍ଥା କରିଥିଲେ । ପୁଅ ଦୁଇଟି, ଝିଅଟିଏ, ସମସ୍ତଙ୍କର ପଢ଼ାରେ ନଜର । ପୁଅ ଦୁଇଜଣ ଯାନ ଜାତୀୟ ବୃତ୍ତି ପାଇ କଲେଜରେ ପଢ଼ୁଛନ୍ତି । ଆଉ ଝିଅଟି ଏ ବର୍ଷ ମାଟ୍ରିକ ଶେଷ ପରୀକ୍ଷା ଦେବ । ସମସ୍ତେ ଭରସା ରଖିଛନ୍ତି ସେ ହୁଏତ ପ୍ରଥମ ଦଶଜଣଙ୍କରେ ଜଣେ ହୋଇପାରେ । ହଉ ଦେଖାଯାଉ ଦୀର୍ଘନିଶ୍ଵାସ ଟାଣିଲେ ରଘୁବୀର ।

 

ସୂତା ଅଡ଼ୁଆ ତଡ଼ୁଆ ହୋଇଯାଇଥିଲା । ଅଣ୍ଡାଳି ଅଣ୍ଡାଳି ପୁଣି ସୂତାଖିଅକ ଧରିନେଲେ-। ଏ ମଲାମାଇଲା ମହରଗ କାଳରେ ସଂସାର ଚଳିବ କେମିତି ଖର୍ଚ୍ଚକାଟ କରିବାକୁ ହେବ-। ଖର୍ଚ୍ଚ ବୋଇଲେ ଖାଇବା, ପିନ୍ଧିବା, ପିଲାଙ୍କ ପଠପଢ଼ା ସାଙ୍ଗକୁ ଅକାଳେ ସକାଳେ ବନ୍ଧୁବାନ୍ଧବ ବେଭାର-। ପିଲା ପଢ଼ାଖର୍ଚ୍ଚ କମେଇ ହେବନି ବା ବନ୍ଧୁବାନ୍ଧବ ବେଭାର ନିୟନ୍ତ୍ରଣ କରି ହେବନି । ଭଣଜାର ଅଷ୍ଟମୀ ଲୁଗା ନ ଗଲେ ଗୋଟିଏ ବୋଲି ଭଉଣୀ ମୁହଁ ଫୁଲେଇବ । ପିଲାଏ ବଦଖର୍ଚ୍ଚି ନୁହନ୍ତି-। ସେମାନଙ୍କ ପାଠପଢ଼ା ଖର୍ଚ୍ଚ କମେଇ ହେବନି । ଯାହାକିଛି ମାଡ଼ ଖାଇବା ପିନ୍ଧିବା ଉପରେ-। ସବୁକଥା ରୁଚିପୂର୍ଣ୍ଣ ଭାବେ ହେବା ଉଚିତ୍ । ପିତା ପ୍ରପିତାଙ୍କର ବୁନିଆଦି ଥିଲା ।

 

ବର୍ତ୍ତମାନର ସଭ୍ୟତାକୁ ଆଖିଆଗରେ ରଖି ପରିମାର୍ଜିତ ରୁଚି ସଂପର୍କରେ ରଘୁବୀର ଭାବି ଚାଲିଲେ । ପ୍ରଥମେ ଦୃଷ୍ଟିପଡ଼ିଲା ସ୍ତ୍ରୀଙ୍କ ଉପରେ । ତାଙ୍କରି ପାଇଁ ଅକାଳେ ସକାଳେ ଖଣ୍ଡେ ଶାଢ଼ି ହୁଏ । ଏମିତି କିଛି ଦାମୀକା ନୁହେଁ । କମ୍ ଦାମର କଣିଲେ ସେଥିରୁ କେତେ ବା ବଞ୍ଚିବ । ନାଁ ଉତ୍ତର ଭାରତୀୟ ବା ପଞ୍ଜାବୀଙ୍କ ପରି ସାଲୁଆର ପଞ୍ଜାବୀ ପିନ୍ଧଲେ କେମିତି ହେବ । ଅଲକ୍ଷରେ ପାଟିରୁ ବାହାରି ଆସିଲା ବେସରମ । ନା ଆଗକୁ ଆଉ ଭାବି ହେଉ ନାହିଁ । ଝିଅଟା କଥା ନିଆରା-। ସେ ପିନ୍ଧିଲେ ଚଳିବ । ହେଲେ ଏଥିରେ ଖର୍ଚ୍ଚ କାଟ ହେବ କେମିତି ବରଂ ଦକ୍ଷୀଣ-ଆଙ୍କ ପୋଷାକ ପିନ୍ଧିଲେ କମ୍ କପଡ଼ାରେ ଚଳିଯାଇପାରେ ଝିଅଟା ପାର୍ଟି ବ୍ଲାଉଜ ବା ଘାଗରା ବ୍ଲାଉଜ ପିନ୍ଧିଲେ ହୁଅନ୍ତା ବ୍ୟକ୍ତ କଲେ ରଘୁବୀର । ଏଗୁଡ଼ାକ କେମିତି ଖାପଛଡ଼ା ଖାପଛଡ଼ା ଲାଗିବ ଓଡ଼ିଆ ଘରର ଝିଅ । ଶାଢ଼ି ପିନ୍ଧିବେ । କୁଞ୍ଚ ହେବ । ପଣତ ତଳେ ଓହଳିବ, ପାଦରେ ଚାପି ଶାଢ଼ି ଭୂଇଁ ଛୁଆଁଇବା ଦରକାର । ରଘୁବୀରଙ୍କର ଅଖିଆଗରେ ନାଚି ଯାଇଥିଲା ଗୁଜୁରାଟି ପରିବାରର ଚଳନି-। ଗୁଜୁରାଟୀ ଲଳନିର ବେଶପୋଷାକ ଅଡ଼ମ୍ବରପୂର୍ଣ୍ଣ ହେଲେ ମଧ୍ୟ ସରଳ । ସେ ଯୋଉବାର ଅହମଦାବାଦ ଯାଇଥିଲେ ଗୁଜରାଟ ଗ୍ରାମ୍ୟ ଜୀବନ ଦେଖିବାର ସୁଯୋଗ ପାଇଥିଲେ-। ସରକାରୀ କାର୍ଯ୍ୟରେ ଅଫିସରଙ୍କ ସହ ଅହମଦାବାଦ ଯାଇଥିଲେ ସେ । ଅଫିସର ସ୍ତ୍ରୀ ଯୋଶୀଙ୍କ ଘର ଅହମଦାବାଦଠାରୁ ଅଳ୍ପ କେଇ ମାଇଲ ଦୂର ଏକ ଅଖ୍ୟାତ ଗ୍ରାମରେ । ସେ ଡାକିଥିଲେ ରଘୁବୀରକୁ ଆସିଛ ଯେତେବେଳେ ଆସ ଟିକେ ଆମ ଗାଁ ଦେଖିଯିବ ।

 

ବିନା ଦ୍ଵିଧାରେ ସମ୍ମତ ହୋଇଥିଲେ ସେ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକ ଶ୍ରୀ ଯୋଶୀ-। ଗାଁରେ ପରିବାରଟି ରହୁଥାନ୍ତି ମାତ୍ର କେତୋଟି ଘଣ୍ଟା ସେ ରହିଛନ୍ତି ସେଠି । ହେଲେ ଆଖିବୁଲେଇ ଆଣିଛନ୍ତି ଗୁଜୁରାଟି ଗ୍ରାମ୍ୟ ଜୀବନ ଉପରେ । ଘରଗୁଡ଼ିକ କି ପରିଷ୍କାର ପରିଚ୍ଛନ୍ନ । ଅଳ୍ପ ଜାଗାରେ ସଜଡ଼ା ସୁଜୁଡ଼ି ହୋଇ ବହୁ ଜିନିଷ ଥୁଆହୋଇଛି । ବହୁଲୋକ କେତେ ଶୃଙ୍ଖଳିତ ଭାବେ ଚଳପ୍ରଚଳ ହେଉଥାନ୍ତି । ଖାଇବା ପିଇବା ରହିବା ସବୁଥିରେ ବିଶେଷତ୍ତ୍ୱଭରି ରହିଛି । ଏମିତି ଘରେ ଲକ୍ଷ୍ମୀ ରୁହନ୍ତି । କେତେ ଛୋଟ ସଂସାରଟିଏ ତାଙ୍କର ପିଲା ନାହିଁକି ଛୁଆ ନାହିଁ । ରୋଷେଇ ଘର, ଷ୍ଟୋର ଆଉ ଗାଧୁଆ ଘର ଛାଡ଼ିଦେଲେ ଏଡ଼େ ଏଡ଼େ ତିନି ବଖରାର ଘର, ହେଲେ ସେ ପରିଷ୍କାର ପରିଚ୍ଛନ୍ନତା ଏଠି କାହିଁ । ଅସନା ମସନା ! ସେଥିରେ ମଣିଷ ଟିକିଏ ଶାନ୍ତିରେ ନିଶ୍ଵାସ ମାରିପାରିବ ନାହିଁ । ବର୍ଷ ବର୍ଷ ଧରି ଅଭ୍ୟାସ ନ କଲେ ସହଜରେ ନୀତିଶିକ୍ଷା ଦେଇ ଏପରି ଗୃହସଜ୍ଜା ଚଳିନି ବା ଯତ୍ନ ସଂଭବ ନୁହେଁ । ଆମର ସବୁ କଥା ଆମ ପାଇଁ ନୁହେଁ ଘର ସଜାଇବ ଯଦି ଗୁରୁବାର ମାଣଓଷା ଦିନ ସଜା । ଲକ୍ଷ୍ମୀ ବୁଲିଦେଇ ପଳାନ୍ତୁ । ପୁଣି ଯୋଉ କଥାକୁ ସେଇ କଥା । ଅମ ମାଇପେ ବୁଝନ୍ତି ନାହିଁ ସେ ଲକ୍ଷ୍ମୀ କାହିଁକି ଏମିତି ସଫା ସୁତୁରାକୁ, ଭଲପାନ୍ତି । ଯତ୍ନ କଲେ ବେଶୀ ଭଂଗାରୁଜା ବା ନଷ୍ଟ ହୁଏ ନାହିଁ । ପରନ୍ତୁ ଶୃଙ୍ଖଳା ସଙ୍ଗେ ସଙ୍ଗେ ସବୁ କାମ ଠିକ୍ ଠିକ୍ ଚାଲିବାର ପ୍ରେରଣା । ଏଥିରେ ନିହାତି ଥାଏ । ରଘୁବୀରଙ୍କ ଭାବନା ସରି ଧରିଲା ।

 

ନାଁ ! ମାଇପେ ଗୁଡ଼ାକ ଘୁଷୁରି । ସହଜରେ ପ୍ରକୃତି ଛାଡ଼ିବେ ନାହିଁ । ସେ ନିଜେ ଆଦର୍ଶ ହେବେ । ଆଉ ପିଲାଙ୍କୁ କହିବେ ପିନ୍ଧିବାକୁ ଦକ୍ଷିଣିଆଙ୍କ ପରି ଖଣ୍ଡେ ଖଣ୍ଡେ ଲୁଙ୍ଗି ମାରି ଉପରେ ଖଣ୍ଡେ ହାଫ୍ ସାର୍ଟ ହେଲେ ଚଳିବ । କେଡ଼େକେଡ଼େ ଲୋକ ପିନ୍ଧୁଛନ୍ତି । କାମରାଜ ନାଦରଜୀଠୁଁ ଆରମ୍ଭ କରି ଏମ୍.ଜି ଆର୍‌ଙ୍କ ପର୍ଯ୍ୟନ୍ତ । ସଭା ସମିତି ଏପରିକି ବଡ଼ ବଡ଼ ଅନ୍ତର୍ଦେଶୀୟ ସମ୍ମିଳନୀରେ ଯୋଗ ଦେଉଛନ୍ତି । ଏମିତି ଦି’ଖଣ୍ଡ ପିନ୍ଧିଦେଲେ କେତେ ମିଟର କପଡ଼ା ରହିଯିବ । ଖର୍ଚ୍ଚ କାଟ ବି ହେବ । ବେଶ ମନକୁ ପାଇଛି ରଘୁବୀରଙ୍କର । ସେ ଆଗ ପିନ୍ଧିବେ । ଅନ୍ୟପାଇଁ ଆଦର୍ଶ ହେବ ।

 

ଏବେ ଖାଇବାରେ ଖର୍ଚ୍ଚ କାଟର ବ୍ୟବସ୍ଥା ରଘୁବୀରଙ୍କ ମୁଣ୍ଡକୁ ଢୁକିଲା । ଖାଇବାର ପରିମାଣ କମେଇ ହେବ ନାହିଁ । ପିଲାବେଳୁ ଏଣୁତେଣୁ ଖାଇ ଖାଇ ପେଟ ଚାଖଣ୍ଡରେ ଚାହୁଁ ଚାହୁଁ ଗୁଡ଼ାଏ ପଶିଯାଏ । ଏ ଅଭ୍ୟାସ ବହୁ ପୁରୁଣା । ଯେତେବେଳେ ଅଭାବ ଅନାଟନର ମୁକାବିଲା ପାଇଁ ଶାସ୍ତ୍ରୀଜୀ ସପ୍ତାହରେ ଦିନେ ଖାଇବା ବନ୍ଦ କରିବାକୁ ଦେଶବାସୀଙ୍କୁ ଆହ୍ଵାନ ଦେଲେ, ଏଥିରେ ସମସ୍ୟାର ସମାଧାନ ହେବ କି ନାହିଁ ବା ହେଲା କି ନାହିଁ ରଘୁବୀର ସେ ବିଷୟରେ କେବେ ମୁଣ୍ଡ ଖେଳେଇ ନାହାନ୍ତି । ଶାସ୍ତ୍ରୀଜୀଙ୍କ ପ୍ରତି ତାଙ୍କର ଅଗାଢ଼ ସମ୍ମାନ । ସେହି ହେତୁରୁ ସପ୍ତାହରେ ଦୁଇଓଳି ଖାଇବା ବନ୍ଦଥିଲା । ଶାସ୍ତ୍ରୀଜୀଙ୍କ ମୃତ୍ୟୁ ପରେ ସେ କଥା ଆପେ ଆପେ ଶିଥିଳ ହୋଇଯାଇଥିଲା । ଏତେଦିନ ଧରି ପାଇ ଆସୁଥିବା କଷ୍ଟର ଅବସାନ ଆପେ ଆପେ ନିଜ ଅଲକ୍ଷରେ ହୋଇଯାଇଥିଲା । ସେ ଉପାସ ରହିପାରିବେ ନାହିଁ । ଭାରି କଷ୍ଟ ।

 

ଉତ୍ତର ଭାରତୀୟମାନେ ଖାଇବାରେ ବେଶ୍ ମିତବ୍ୟୟୀ । ରୁଟି ଦିଖଣ୍ଡ, ପିଆଜ ପୁଳାଏ, ଆଚାର ଟିକିଏ ସାଙ୍ଗରେ ଥିଲେ ଆହୁରି ଭଲ । ସବଜି ବୋଇଲେ ଆଳୁ-ପାଳଙ୍ଗ, ଆଳୁ-ବାଇଗଣ ବା ଆଳୁ-ସିମଳାମରିଚ ସେଥିରୁ କିଛି ପୁଳାଏ ହେଲେ ହେଲା । ଛଅତୁଣ ନଅ ଭଜାର ଠାଣି ତାଙ୍କଠି ନାହିଁ । ରଘୁବୀର ନିଜେ ଦେଖିଛନ୍ତି ଅଫିସରେ ଖାଇବା ଛୁଟି ହେଲେ ବଡ଼ ବଡ଼ ବାବୁଭାୟାମାନେ ନିଜ ନିଜ ଚାମ୍ବରରେ ବାଟି ଖୋଲି ଆରାମରେ ଏମିତିଆ ଖାଦ୍ୟ ଖାଆନ୍ତି । ଆଉ କିରାଣି ବା ପିଅନଙ୍କ କଥା ସେମିତି ସେମିତି । ସମସ୍ତେ କିନ୍ତୁ ଦିପ୍ରହର ଖାଇବା, ଅଫିସରେ ଖା’ନ୍ତି-

 

ରଘୁବୀର ମନେମନେ ସ୍ଥିର କରିନେଲେ । ଅତି ଉତ୍ତମ ବ୍ୟବସ୍ଥା । ହେଲେ ଦେହରେ ଚଳିବନି । ପିଲାବେଳ ରୁଟି ଖାଇବା ଅଭ୍ୟାସ ନାହିଁ । ଓଡ଼ିଆ ଘର । ଭାତ ଖାଅ ଦିନକୁ ଦିଥର ଅଧିକନ୍ତୁ ନ ଦୋଶାୟ । ଜଳଖିଆ ଭାବେ ଥରେ ଅଧେ ଦିନଭରି ପଖାଳ ଚାଲିଲେ ଭାରି ଭଲ । ଜଳଖିଆ ତାଲିକାରେ ଚୁଡ଼ା ମୁଢ଼ି ପ୍ରଧାନ । ସବୁ ସେଇ ଧାନ ବା ଚାଉଳ ସମ୍ପୃକ୍ତ । ବାର ମାସରେ ତେର ଜାତରା । ଭେଳି ଭଳିକି ପିଠାପଣା ଆରିସା, କାକରା, ମଣ୍ଡା, ପୋଡ଼ ଚକୁଳି, ଏଣ୍ଡୁରି, ଗଇଁଠା, ଚିତଉ, ଛୁଞ୍ଚିପତର, ସବୁରେ ଚାଉଳ ଲୋଡ଼ା । ଭାବୁ ଭାବୁ ରଘୁବାବୁଙ୍କର ଅମାନିଆ ଜିଭଟା ପାଟି ଭିତରେ ବୁଲି ଆସିଲା । ଚିତଉ ଛୁଞ୍ଚିପତରରେ ତାଙ୍କର ଭାରି ଶରଧା । ବହୁଦିନ ହେବ ଖିଆହୋଇନି । ନଡ଼ିଆ ଗୋଟାକ ଦୁଇଟଙ୍କା ଛୁଇଁଲାଣି । ନା ହବନାହିଁ । ମନଟା କଷେଇ ଉଠିଲା ଚାଉଳ ପକା ଖିରି ଖିରିମ୍ୱାପାଣି, କାର୍ତ୍ତିକ ପୁନେଇଁର ତରଣ ସୁଆଦ ଆଉ କାହିଁରେ ନାହିଁ । ଏଣୁ ଚାଉଳକୁ ଛାଡ଼ିଲେ ଚଳିବନି । ପିଲାଏ ରୁଟି ଖାଇବାକୁ ମଙ୍ଗିବେନି । ନାଁ ଦକ୍ଷିଣିଆ ତେଲେଙ୍ଗାଙ୍କ ପରି ଖାଇଲେ ଖର୍ଚ୍ଚ କମ୍ । ଧୋବ ଫରଫର ଏକ ଉସୂଆଁ କି ଅରୁଆ ଚାଉଳର ଭାତ ସାଙ୍ଗକୁ ଦହି ପାଣି ମୁନ୍ଦାଏ । ଚଟଣି ଟିକେ ଏଣୁତେଣୁ ପରିବା ଶିଝା ମେଞ୍ଚେ ଖୁବ୍ ଉତ୍ତମ । ଖର୍ଚ୍ଚ କମ୍ । ଅଯଥା ରୋଷେଇରେ ସମୟ ବି ଯାଏନି । ନା ସହଜେ ତ ନାଳଝାଡ଼ା ପେଟ ଟାଣିବା ରୋଗ ଅଛି । ତା’ ସାଙ୍ଗକୁ ଏ ଆସିଗଲେ, ଅପୂର୍ବ ମିଳନ ହେବ । ଆଉ ଖର୍ଚ୍ଚକାଟ ନ କରି ପୂରା ଖର୍ଚ୍ଚର ବାଟ ବନ୍ଦ ହେବ ।

 

ପିଲାଙ୍କ ଗୋଳମାଳରେ ସବୁଖିଅ ଛିଣ୍ଡି ଖିନ୍ନଭିନ୍ନ ହୋଇଗଲା । ଘରଣୀଙ୍କ ତତ୍‌କାରରେ ଘର କମ୍ପୁଛି । ରଘୁବୀରଙ୍କର ଆସନ ଟଳମଳ ହେଲା । ହେଇ ଦେଖିଲ ଏଡ଼େ ଏଡ଼େ ହେଲେଣି ଖଳଃ ଛାଡ଼ୁ ନାହାନ୍ତି । କହି କହି ଘରଣୀଏ ରୋଷଘରୁ ବାରଣ୍ଡାକୁ ଉଠି ଆସିଲେ । ପଛେ ପଛେ ଅଲିଅଳି ଜେମାମଣୀ ଗୋଡ଼ କଚାଡ଼ି କଚାଡ଼ି ପାଖେଇ ଆସିଲା । ନାକକାନ୍ଦୁରୀଟା । ଟିକେ କଥାରେ ନାକ ସୁଁ ସୁଁ ।

 

କ’ଣ କିରେ ମା’…ସବୁ ଚିନ୍ତାର ଖିଅ ଫୋପାଡ଼ି ଝିଅଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନକଲେ ସେ ।

 

ବାପା, ମୁଁ ତମ ଲୁଗା କୁଞ୍ଚକରି ରଖୁଥିଲି ! ମା’ ତେଣେ ସବୁ ପଖାଳ ସେ ଦି’ଜଣଙ୍କୁ ଦେଇଦେଲା ।

 

ଝିଅ ଜାଣେ ବାପାଙ୍କ ଦୁର୍ବଳତା କେଉଁଠି । ଭଲ କୁଞ୍ଚକରି ଲୁଗା ପିନ୍ଧାରେ ଭାରୀ ସଉକ-। କୋଉଦିନ କିଛି ହାସଲ କରିବାର ଥିଲେ ସେ ଏମିତି ଲୁଗାକୁଞ୍ଚ କରି ବାପାଙ୍କୁ ଖୁସି କରାଏ-

 

ରଘୁବୀର ଉଠୁ ଉଠୁ ଆଶ୍ଵାସନା ଦେବା ଭଙ୍ଗୀରେ କହିଲେ ଚାଲ ଦେଖିବା ।

 

କ’ଣ ଦେଖିବ । ତା’ ମୁହଁଦେଇ ଏମିତି କଲଣି ଏଡ଼େ ବଡ଼ବଡ଼ ଭାଇମାନଙ୍କ ସାଙ୍ଗରେ ଖାଇବା ପାଇଁ କଳି କରୁଛି । ଘରଣୀଙ୍କ ଉକ୍ତିରେ ରଘୁବୀର ଟିକେ ହସିଦେଲେ । ଜିଭ ଲେଉଟିଲାନି-। କହିଥାନ୍ତେ ଝିଅର ସବୁ ଖୁଣ ମା’ ମୁଣ୍ଡରେ ଯାଏ ।

 

ତୁଣ୍ଡକଥା ତୁଣ୍ଡରେ ରହିଲା । ମୁରବି ପଣିଆ ଦେଖେଇ ପଚାରିଲେ କଥା କ’ଣ ଯେ ।

 

କଥା ଆଉ କ’ଣ । ସେ ତ ସବୁଦିନ ପଖାଳ ଖାଉଛି । ଅଜି ଟିକିଏ ଚୂନା ପକେଇ ଅନାବନା ଶାଗ ପୁଳାଏ କରିଥିଲେ । ପିଲା ଦି’ଟା ପଖାଳ ଖାଇବାକୁ ମନ ବଳାଇଲେ । ସହଜେ ତ ରବିବାର । ଡେରିରେ ରୋଷେଇ ହେବ । ସେଥିପାଇଁ ଅଳ୍ପ ଦି’ଟାକୁ ସେ ଦି’ ଭାଇଙ୍କି ଦେଇଦେଲି ।

 

ଘରଣୀଙ୍କ କଥା ଶୁଣୁ ଶୁଣୁ ରଘୁବୀର ରୋଷେଇଘର ଆଡ଼େ ମୁହାଁଇ ସାରିଥିଲେ । ହଠାତ୍ ପିଲାଏ ଖାଉଥିବା ଚୂନାପକା ଶାଗରୁ ଉଠୁଥିବା ଧୂଆଁ ନାକରେ ବାଜିଲା ।

 

ଆଃ କି ବାସନା ।

 

ବହୁଦିନ ହେବ ପଖାଳ ଆଉ ଚୁନାପକା ଶାଗ ଖିଆ ଯାଇନି । ମଜା ମନରୁ ପାଶୋର ଗଲାଣି ।

 

କିନ୍ତୁ–‘‘ଆଉ ସେ ହାଣ୍ଡିରେ ପଖାଳ ନାହିଁ ।

 

କେତେବେଳେ ପାଟିରୁ କଥା ଛୁଟିକି ଯାଇ ସ୍ତ୍ରୀଙ୍କଠାରୁ ଉତ୍ତର ମିଳିଲାଣି ସେ କଥା ରଘୁବୀରଙ୍କୁ ଜଣା ନାହିଁ ।

 

ଛୁଆଗୁଡ଼ାକ ସାମନାରେ ଝିଅର ବିଚାରକ ହୋଇ ସେ ନିଜେ କେତେବେଳେ ଅଂଶୀଦାର ହେବାକୁ ଦାବି କରି ଧରାପଡ଼ି ଯାଇଛନ୍ତି ।

 

କଥାର ମୋଡ଼ ବଦଳେଇ କହିଲେ–ହଉ ଆଉ କେବେ କରିବ । ରଘୁବୀରଙ୍କର ବରାଦ ହେଲା ! ପଖାଳ ଚୂନାପକା ଶାଗ । ସେ ଖାଣ୍ଟି ଓଡ଼ିଆ ଭିନ୍ନ ଏକ ସଂସ୍କୃତିର ମଣିଷ ।

 

ଲୁଗାକୁଞ୍ଚ ଆଉ ପଖାଳ ସଙ୍ଗରେ ଚୂନାପକା ଅନାବନା ଶାଗ । ଗୋଟିକୁ ଛାଡ଼ିହେବ ନାହିଁ ରଘୁବୀରଙ୍କର ।

Image

 

ପୁନଶ୍ଚ

 

ତେର ନମ୍ବର ରୁମ୍ । ହଷ୍ଟେଲର ଏଇ ରୁମ୍‍ଟି ବଡ଼ । ଅନ୍ୟ ରୁମ୍‍ଗୁଡ଼ିକରେ ଚାରୋଟି ଖଟିଆ ପଡ଼େ । ଅଥଚ ଏଇଟିରେ ଛଅଟି ଖଟ ପଡ଼ିବାର ବ୍ୟବସ୍ଥା ଅଛି । ଗଣେଶ ପୂଜା, ସରସ୍ଵତୀ ପୂଜା ପରି ବିଶେଷ ଉତ୍ସବ ପାଇଁ ବୋଧହୁଏ ସ୍ଵତନ୍ତ୍ର ଭାବେ ତିଆରି ହୋଇଛି । ଛାତ୍ରାବାସର ଅନ୍ତେବାସୀ ବୋଇଲେ ୪୦ (ଚାଳିଶି) ଜଣ । କ୍ଷୁଦ୍ର ଛାତ୍ରାବାସରେ କ୍ଷୁଦ୍ର ଆସର ପାଇଁ ତେର ନମ୍ବର ରୁମ୍ ଯଥେଷ୍ଟ । ବହୁ ଆଲୋଚନା ପରେ ବୈଠକ ତେର ନମ୍ବର କୋଠରୀରେ ବସିବାର ସ୍ଥିରୀକୃତ ହେଲା ।

 

ଆବାହକ ହେଉଛନ୍ତି ସନ୍ତୋଷ କୁମାର ବହିଦାର । ମେହେର କଲେଜ ଷଷ୍ଠ ବାର୍ଷିକ ଇତିହାସ ଛାତ୍ର । ସହରର ସୁନାମଧନ୍ୟ ଟ୍ୟାକ୍‌ସ ଓକିଲ ଶ୍ରୀଯୁକ୍ତ ବଳରାମ ବହିଦାରଙ୍କ ମଧ୍ୟମ ପୁତ୍ର । କେବଳ ଏତିକି ପରିଚୟ ନୁହେଁ ଏବର୍ଷ ଗଙ୍ଗାଧର ମେହର କଲେଜରେ ନବ ନିର୍ବାଚିତ ସଭାପତି ।

 

ନିର୍ଦ୍ଧାରିତ ସମୟରେ ସଭାକାର୍ଯ୍ୟ ଆରମ୍ଭ ହେଲା । ସବୁ କଲେଜର ବଚ୍ଛା ବଚ୍ଛା ଛାତ୍ର ପ୍ରତିନିଧିମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ବୁର୍ଲା ମେଡ଼ିକାଲ କଲେଜର ଓ ଇଞ୍ଜିନିୟରିଂ କଲେଜର ପ୍ରତିନିଧିମାନଙ୍କୁ ସ୍ଵତନ୍ତ୍ରଭାବେ ନିମନ୍ତ୍ରଣ କରାଯାଇଥିଲା ।

 

ଅନ୍ୟତମ ଛାତ୍ରନେତା ସତୀମ୍ ଆବାହକଙ୍କୁ ଉଦ୍ଦେଶ୍ୟକରି କହିଲା ବୈଠକର ଲକ୍ଷ ଉପରେ ସମ୍ୟକ ଧାରଣା ଦିଆଯାଇ ବିଧିବଧ ଭାବେ ବୈଠକ କାର୍ଯ୍ୟ ଆରମ୍ଭ କରାଯାଉ ।

 

ଉଦ୍ଦେଶ୍ୟଟା ଆଉ କ’ଣ । ବଞ୍ଚିବା ପାଇଁ ସଂଗ୍ରାମ । ଅଜି ସହରରେ ରାଜ୍ୟ ମାଧ୍ୟମିକ ଶିକ୍ଷାବୋର୍ଡ଼ର ଏକ ଆଞ୍ଚଳିକ ଅଫିସ୍ ଖୋଲିବା କଥା ସମସ୍ତଙ୍କୁ ଜଣାଥିବ । ଏହା ଅଫିସ୍ ଖୋଲିବା ପାଇଁ ବହୁଦିନ ହେବ ଦାବି ହୋଇ ଆସୁଥିଲା । ଏବେ ତାହା ଖୋଲିଲା । ଅମ ସମସ୍ତଙ୍କର ଖୁସି ହେବାର କଥା କିନ୍ତୁ ଖୁସିଠାରୁ ଦୁଃଖ ଅଧିକ ବଳିପଡ଼ିଲା ।

 

କେହିଜଣେ ମଝିରୁ ମୁଣ୍ଡ ଉଠେଇ କହିଲା-ଏଥିରେ ଦୁଃଖ କେଉଁଠି ରହୁଛି । ପିଲାମାନଙ୍କର ପରୀକ୍ଷା ବେଳେ ଆଉ କଟକ ଦଉଡ଼ିବାକୁ ହେବ ନାହିଁ । ପରୀକ୍ଷା ଫିସ୍ ଦାଖଲଠାରୁ ଆରମ୍ଭକର ଆଡ଼ମିଟ୍ କାର୍ଡ ପରୀକ୍ଷାଫଳ ନେବା ପର୍ଯ୍ୟନ୍ତ ବହୁ ସୁବିଧା ହେବ ।

 

ତା’ ତ ହେବ । ହେଲେ ସେ ଅଫିସରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି ପିଅନ–ଦରୁଆନଠାରୁ ଆରମ୍ଭକରି ରାତି ଜଗୁଆଳି ପର୍ଯ୍ୟନ୍ତ ସବୁ କଟିକିଆ । ଏଥିରେ ଆମେ ନିରବଦ୍ରଷ୍ଟା ହୋଇ ଆଉ କେତେଦିନ ବସି ରହିବା ।

 

ଭିତରୁ ଜଣେ ଯୁବକ ଆଗକୁ ଉହୁଁକି ପଡ଼ି ଆରମ୍ଭ କଲେ ଚାଲ ଏଇଠୁ ଉଠି କରିଯିବା । ଶଳା କଟିକିଆଙ୍କୁ ପାନେ ଚଢ଼େଇଦେବା ଯେ ଏକାଥରେ ପୁଏ ଘର ନା, ଧରିବେ । ଗୋଟିଏ ତାମସା ଚଳେଇଛନ୍ତି ।

 

ଏକସମୟରେ ଚାରି ପାଞ୍ଚଜଣ ପାଟି କରି ଉଠିଲେ ନାଁ ନାଁ ସେମିତି କଲେ ଲୋକ ସମର୍ଥନ ପାଇବା ନାହିଁ । ଶଳା ଯଦି ଅଫିସ୍ ଉଠେଇ ଚାଲିଯା’ନ୍ତି ଲୋକେ ଅମକୁ ଦୋଷ ଦେବେ ।

 

ଏତେଗୁଡ଼ିଏ କଥା ଏକ ସଙ୍ଗରେ ହୋଇ ବୈଠକର ପରିବେଶକୁ ଗୋଳ-ମାଳିଆ କରିବାରୁ ସନ୍ତୋଷ ଉଚ୍ଚସ୍ଵରରେ କହିବାକୁ ଲାଗିଲା । ଏମିତି ପାଟିତୁଣ୍ଡ କଲେ କାହାରି କଥା କିଛି ବୁଝାଯିବ ନାହିଁ । ଏକ ସମୟରେ ଜଣ ଜଣକରି କହିଲେ ଭଲ ହେବ । ସତିମ୍ ତମେ ଏ ସବୁ ନୋଟ୍ କର ।

 

ସବୁଗୁଡ଼ାକ ଭାଷଣ କ’ଣ ଟିପିବା ?

 

ନା, କେବଳ ସଜେସନସ୍ ।

 

ପ୍ରଥମେ ଆଇନ୍ କଲେଜ ଛାତ୍ର ସଂସଦ ସଭାପତି ଗିରିଶ ବାବୁ କୁହନ୍ତୁ । ଓଡ଼ିଶା ସରକାରଙ୍କର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି କି ନାଁ ।

 

ଗିରିଶ୍ ଚଟାପଟ ଝାଡ଼ିଝୁଡ଼ି କହିଲା-ଏକଥା ପଚାରିବାକୁ ଅଛି । ଶଳାଃ ହାଇକୋର୍ଟ ହେବତ କଟକରେ ହେବ ।

 

ଉଃ, ଆଉସବୁ ଗାଁରେ ଗୋଟେ ଗୋଟେ ହାଇକୋର୍ଟ ବସନ୍ତା । କିଏ ଜଣେ ପଛରେ ନିମ୍ନ ଥଟ୍ଟାଳିଆ ସ୍ଵରରେ କହିଲେ ବି ସମସ୍ତଙ୍କୁ ଶୁଭିଗଲା ।

 

ଗିରିଶ୍ ଟିକିଏ ବଦରାଗୀ । ତା’ କଥାରେ ଗୁରୁତ୍ଵ ଦିଆଯାଉନାହିଁ ବୋଲି ଜାଣିଲେ ଅସଂଜତ ଭାଷାରେ ଗାଳିଗୁଲଜ କରିବା ଅଭ୍ୟାସ ତା’ର ଅଛି ।

 

ଯଦି କାହାକୁ ଭଲ ନ ଲାଗୁଛି କାନରେ ହାତ ଦେଇଦିଅନ୍ତୁ । ଆଉ କ’ଣ କହିବାକୁ ଉଦ୍ୟତ ହେଉଥିଲା….ହଠାତ୍ ସନ୍ତୋଷ କହିଲା ଆପଣ କହିଚାଲନ୍ତୁ ଆଡ଼େ ସିଆଡ଼େ କାନ ଦିଅନ୍ତୁ ନାହିଁ ।

 

କଟକରେ ସବୁ ଖବରକାଗଜ ପ୍ରକାଶ ପାଇବ । ସେଠି କିଏ ଛିଙ୍କିଲା କାହାକୁ ଜର ହେଲା, ପ୍ରକାଶ ପାଇବ । ନ୍ୟାଯ୍ୟ ଦାବି ନେଇ ଏଠି ଆନ୍ଦୋଳନ ହେଲେ କିଛି ପ୍ରକାଶ ପାଇବ ନାହିଁ । ଆମର ଏ ଯୋଉ ଆନ୍ଦୋଳନ ହେବାକୁ ଯାଉଛି ଯଦି ପ୍ରକାଶ ନ ପାଏ ତେବେ ଖଣ୍ଡିଏ ବି କାଗଜ ଏ ଅଞ୍ଚଳରେ ବିକ୍ରି ହୋଇପାରିବ ନାହିଁ ।

 

ଓଃ ଆନ୍ଦୋଳନ ହେବ କି ନାହିଁ ଆଗ ସେ ମତ ଦିଅନ୍ତୁ ନା । ତାପରେ ଆଗେଇବେ । ସମସ୍ତେ ମତାମତ ଦେବେନା ମୁଁ କ’ଣ ଏକା କହିଦେଲେ ହେବ । ଅନ୍ୟମାନେ କୁହନ୍ତୁ–କହି କହି ଗିରୀଶ୍ ବସିପଡ଼ିଲା ।

 

ତା’ପରେ ଉଠିଲେ ଆଉଜଣେ ଛାତ୍ରନେତା । ପରିଚୟ ଦେବାରୁ ଜଣାଗଲା ସେ ହେଉଛନ୍ତି ସୂର୍ଯ୍ୟକାନ୍ତ ମେହେର । ଗଙ୍ଗାଧର ମେହେର କଲେଜ ଡ୍ରାମାଟିକ୍ ସେକ୍ରେଟାରୀ‌ । ଲେଖକଙ୍କର ଶୈଳୀ ଓ କଳାକାରର ଠାଣିରେ କହିଲେ ।

 

ଆଜିର ଏ ବୈଠକକୁ ଗୁରୁତ୍ଵପୂର୍ଣ୍ଣ ମଣିବାକୁ ହେବ । ଓଡ଼ିଆ ଜାତିକୁ ଭାଷା ଶିଖାଇଛି ସ୍ଵଭାବକବି ଗଙ୍ଗାଧର ମେହେର । ତା’ର ଲେଖାକୁ ନେଇ ଓଡ଼ିଆ ଜାତି ଗର୍ବ କରେ । କିନ୍ତୁ ସାହିତ୍ୟ କୁହ କଳା କୁହ ସବୁ ବର୍ତ୍ତମାନ କଟକିଆଙ୍କର ପୁଟୁଳିରେ ବନ୍ଧା । ରେଡ଼ିଓ ଷ୍ଟେସନରେ ଯେତେ ପ୍ରୋଗ୍ରାମ ପ୍ରଚାର ହୁଏ ସବୁଥିରେ ଦେଖିବ କଟିକିଆଙ୍କ ପ୍ରାଧାନ୍ୟ । ରାଜାରାମ ମନୋହର ରାୟ ଫାଉଣ୍ଡେସନ, ସରକାର ଲାଇବ୍ରେରୀ କଟିକିଆ ପ୍ରକାଶକଙ୍କ ବହି କିଣିବେ । ଏଠି କିଏ କ’ଣ ପ୍ରକାଶକଲେ ତା’ ଓଡ଼ିଶାରେ ସ୍ଥାନ ପାଇବାର ସୁଯୋଗ ନାହିଁ । ଆମେମାନେ ଯେତେବେଳେ ସମସ୍ତେ ଏଠି ଏକାଠି ହୋଇଛେ, ଅଯଥା ଶକ୍ତିର ଅପଚୟ ନକରି ଦୃଢ଼ଭାବେ ଏ ସବୁର ମୁକାବିଲା ପାଇଁ ନିଜକୁ ତିଆରିବାକୁ ହେବ । ହଁ ଆଉଗୋଟିଏ କଥା ଭୁଲିଯାଇଥିଲି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନ ଯେମିତି ଉପଯୁକ୍ତ ସ୍ଥାନପାଏ ତା’ ଆମେ ନ ଦେଖିଲେ ଏହା ଅବହେଳିତ ଅଞ୍ଚଳ ଭାବେ ସବୁଦିନେ ରହିଯିବ । ଧନ୍ୟବାଦ ଦେଇ ଆସନ ଗ୍ରହଣ କଲେ ସେ ।

 

ଏବେ ମେଡ଼ିକାଲ କଲେଜର ସଭାପତି କୁହନ୍ତୁ । ସମସ୍ତଙ୍କ ଆଖିପଡ଼ିଲା ମେଡ଼ିକାଲ କଲେଜ ସଭାପତିଙ୍କ ଉପରେ । ଅତି ଶାନ୍ତ ଗମ୍ଭୀର ସ୍ଵରରେ ସେ କହିଲେ ଆମେ ସବୁ ଆନ୍ଦୋଳନରେ ଭାଗ ନେବାକୁ ପସନ୍ଦ କରୁନାହୁଁ । କାରଣ ଚାକିରି ପାଇବାରେ ବଡ଼ ଅସୁବିଧା ହେବ । ଆପଣମାନେ ଯାହା କହୁଛନ୍ତି ସବୁ ଶୁଣୁଛି । ପ୍ରକୃତରେ କଟିକିଆ ଆମ ଏ କଲେଜ ସବୁ ଯେମିତି ଦଖଲ କରିନେଲେଣି ଦୃଢ଼ ପ୍ରତିବାଦ ନ କଲେ ଆମକୁ ପଶ୍ଚିମ ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ଚାଲିଯିବାକୁ ହେବ । ଆପଣମାନେ ଆନ୍ଦୋଳନ କଲେ ଆମର ନୈତିକ ସମର୍ଥନ ପାଇବେ ।

 

ତା’ପରେ ଇଞ୍ଜିନିୟରିଂ କଲେଜ ପ୍ରତିନିଧି ଯାହା ମତାମତ ଦେଲେ ତା’ର ସାରମର୍ମ ମେଡ଼ିକାଲ କଲେଜ ଛାତ୍ରନେତାଙ୍କ ମତ ସହ ଏକ କହିଲେ ଅତ୍ୟୁକ୍ତି ହେବନାହିଁ । ସେ ବି କହିଲେ ନୈତିକ ସମର୍ଥନ ଦେବେ ।

 

ପୁଣି କିଏ ପଛରୁ ନିନ୍ଦା ସୂଚକ ସ୍ଵରରେ କହିଲେ ହୁଁ ଆମେ କ’ଣ ଆଉ ଚାକିରି କରିବୁନି-। ଆମ ବାପ, ମା’ କୁଣ୍ଡାଦେଇ ପାଠ ପଢ଼ାଉଛନ୍ତି । ଇଞ୍ଜିନୟରିଂ କଲେଜ, ମେଡ଼ିକାଲ କଲେଜ ଛାତ୍ରମାନଙ୍କ ଭିତରେ ଗଣ୍ଡଗୋଳ ବେଳେ କାହିଁ ସେ ଚାକିରି ଭୟ ତ ରହୁ ନାହିଁ । ଇଏ ହାତ ତ ସେ ଗୁନିଆ କମ୍ପାସ ରୁଲ୍‌ବାଡ଼ି ଧରି ଦୌଡ଼ୁଛନ୍ତି ସମସ୍ତେ ଏକ ସମୟରେ ହସିଉଠିଲେ-। ବୈଠକକୁ ଅଧିକ ଗମ୍ଭୀର କରିବା ଉଦ୍ଦେଶ୍ୟରେ ସନ୍ତୋଷ ସମସ୍ତଙ୍କୁ ତାଗିଦି କରିଦେଲା । ଦେଖନ୍ତୁ ସବୁକଥାକୁ ହାଲୁକା କରିଦିଅନ୍ତୁ ନାହିଁ । ଆଜି ଆମକୁ ଏଇଠିହିଁ ନିଷ୍ପତ୍ତି ନେବାକୁ ହେବ, ଆନ୍ଦୋଳନ ସମ୍ପର୍କରେ-। ନହେଲେ ପଶ୍ଚିମ ଓଡ଼ିଶା ଚିର ଅବହେଳିତ ହୋଇ ରହିଯିବ ।

 

ଏବେ ଜଣେ ଛାତ୍ର ଉଠିଲେ କହିବାକୁ । ସେ କେବଳ ନିର୍ବାଚିତ ଛାତ୍ର ପ୍ରତିନିଧି ନଥିଲେ ଏକ ଛାତ୍ର ସଙ୍ଗଠନର ସଂପାଦକ ମଧ୍ୟ । କହିଲେ- ମୁଁ କିନ୍ତୁ ଏସବୁ ସହ ଏକମତ ହୋଇପାରୁ ନାହିଁ-। ଏଇଟା ପ୍ରକୃତ ସମସ୍ୟା ନୁହେଁ । ନିରବ ସଂକୀର୍ଣ୍ଣ ଅଞ୍ଚଳର ମନୋଭାବ ସଂଗ୍ରାମୀ ମଣିଷକୁ ବିପଥଗାମୀ କରାଇଥାଏ । ଆମେ ଯେପରି ଅବହେଳିତ କଟକରେ ମଧ୍ୟ ଦଳେ ସେହିପରି ଶୋଷଣର ଶିକାର ହୋଇଥାନ୍ତି । ସମସ୍ତଙ୍କର ସମସ୍ୟା ସମାନ । ଆମେ କଟିକିଆ ସମ୍ବଲପୁରୀଆ ମନୋଭାବ ନେଇ ଅନ୍ଦୋଳନ କଲେ ଅନ୍ଦୋଳନ ହୁଏତ ହଠାତ୍ ଶସ୍ତା ଜନ ସମର୍ଥନ ଲାଭ କରିପାରେ । ମାତ୍ର ବେଶୀଦିନ ଚାଲିବ ନାହିଁ । ସେ ଜିଲ୍ଲାର ଧନୀ ଦରିଦ୍ର ଅଛନ୍ତି-ସେଠି ବେକାର ମଧ୍ୟ ଉତ୍କଟ ।

 

ବସ୍ ବସ୍ । ବିଶ୍ଵ ପ୍ରିତୀ ଥାଉ । ଢୋଲ ଭିତରେ ମୂଷା । ଏତେ ଜୋରରେ ପାଟି ହେଲା ଯେ ବକ୍ତା ନିଃସହାୟ ଅବସ୍ଥାରେ ବସୁ ବସୁ କହୁଥାନ୍ତି ମୁଁ ବି ଜଣେ ସମ୍ବଲପୁରର ଛାତ୍ର । ଭାବନ୍ତୁ ନାହିଁ ଏ ଲୋକଙ୍କ ପ୍ରତି ମୋ ଅପେକ୍ଷା ଆଉ କାହାର ବେଶୀ ଦରଦ ଅଛି ।

 

ଏଥର ବୈଠକରେ ଏପରି ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟିହେଲା ଯେ ଅନ୍ୟ କାହାକୁ ସୁଯୋଗ ଦେବା ଅର୍ଥ ଅଯଥା ବିଶୃଙ୍ଖଳା ଡାକିଆଣିବା ଶ୍ରେୟଃ ହେବ । ଏଣୁ ସନ୍ତୋଷ ନିଜେ ଉଠି ଭାଷଣ ଦେବାକୁ ଆରମ୍ଭ କରିଦେଲା ।

 

ଶୁଣନ୍ତୁ । ମୁଁ ଆରମ୍ଭରୁ କହିଛି । ଆମ ସମସ୍ତଙ୍କୁ ଗଭୀର ଭାବେ ଚିନ୍ତା କରି ଆଜହୁଁ ପଦକ୍ଷେପ ନେବାକୁ ହେବ । ବହୁ କଷ୍ଟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରାଯାଇ ଆଜିର ଓଡ଼ିଶା ଗଠନ କରାଗଲା । ନଥିଲେ କିଏ ମଧ୍ୟପ୍ରଦେଶ ତ କିଏ ପଶ୍ଚିମବଙ୍ଗ ଆଉ କିଏ ମାନ୍ଦ୍ରାଜ ଅଧୀନରେ ଥିଲେ । ଏଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଖାଲି ଏକତ୍ରୀକରଣ କରିଦେଇ ନିଶ୍ଚିନ୍ତ ରହିଲେ ଯେ, ସବୁ ସମାସ୍ୟା ସୁଧୁରିଗଲା ତା’ ନୁହେଁ । ଏଇ ପୂର୍ଣ୍ଣ ଅବୟବଟିର ସୁସ୍ଥତା ଉପରେ ଦୃଷ୍ଟିଦେବା ଦରକାର ଅଂଶଟିର କୌଣସି ଅଂଶରେ ଜାଦୁଟି ବା କୁଣ୍ଡିଆଟିଏ ହେଲେ ଯେପରି ସମଗ୍ର ଶରୀର ପୀଡ଼ା ପାଇଥାଏ ଓଡ଼ିଶାର ଯେ କୌଣସି ଅଂଶ ଅବହେଳିତ ଭାବେ ପୋଷିତ ହେଲେ କ୍ଷୟ ହେଲେ ସମଗ୍ର ରାଜ୍ୟପ୍ରତି ଏହା ଦୁଃଖ ଓ ବିପଦର କାରଣ ହେବ । ଏଣୁ ସମଗ୍ର ରାଜ୍ୟଟିରେ ସାମୁହିକ ଉନ୍ନତି ଉପରେ ଏ ରାଜ୍ୟର ସମୃଦ୍ଧି ବା ସୁସ୍ଥ ବାତାବରଣ ନିର୍ଭର କରେ । କିନ୍ତୁ ଆମ ରାଜ୍ୟରେ ମଣିଷକୃତ ତାରତମ୍ୟର ଭାବଧାରା ଦେଖାଦେଇଛି ।

 

ଏଇ ଧରନ୍ତୁ ଓଡ଼ିଶା ରାଜକୋଷର ବ୍ୟୟବରାଦ ଯଦି ଶହେ ପଇସା ହୁଏ ସେଥିରୁ ବାସ୍ତରୀ ପଇସା କେବଳ କର୍ମଚାରୀଙ୍କ ଦରମା ଆଦିରେ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟରେ ମାତ୍ର ଅଠାଇଶ ପଇସା ବ୍ୟୟ ହୋଇଥାଏ । ଆଜି ଓଡ଼ିଶା ସରକାରରେ ଯେତେ କର୍ମଚାରୀ କାର୍ଯ୍ୟ କରୁଛନ୍ତି ତା’ର ଅଶୀଭାଗ ହେଉଛନ୍ତି କଟକିଆ ଅର୍ଥାତ୍ କଟକ, ପୁରୀ, ବାଲେଶ୍ଵର, ଗଞ୍ଜାମ ଜିଲ୍ଲାର ଲୋକ । କାରଣ ବିଦେଶୀ ଶାସନ ସମୟରେ ଉଚ୍ଚଶିକ୍ଷାର ପ୍ରସାର ଏହି ଅଞ୍ଚଳରେ ହିଁ ହୋଇଥିଲା-। ବା କେତେକ ବିହାର-ବଙ୍ଗଳା-ମାଡ୍ରାସ୍ ଯାଇ ପାଠ ପଢ଼ୁଥିଲେ କ୍ଷମତା ହସ୍ତାନ୍ତର ପରେ ଆମ ଲୋକ ବୋଲାଉଥିବା ଲୋକେ ଶାସନ ଦାୟିତ୍ଵ ନେଲେ ହେଲେ ଅବସ୍ଥା ବଦଳି ନାହିଁ-। ଏ ଅଞ୍ଚଳରୁ ପିଲା ପାଠପଢ଼ିଲେ ମଧ୍ୟ ଚାକିରି ଖଣ୍ଡେ ପାଇବା କଷ୍ଟକର । କାରଣ-ଯେଉଁମାନଙ୍କ ସଂପର୍କୀୟ ଉଚ୍ଚ ଚାକିରି ବାକିରୀରେ ଅଛନ୍ତି ସେଇମାନେହିଁ ପ୍ରଥମେ ପ୍ରଥମେ ଢୁକି ଯାଇଛନ୍ତି । ସେଇଥିପାଇଁ ଏ ଅଞ୍ଚଳରେ ଅର୍ଥାତ୍ ଅନ୍ୟାନ୍ୟ ୯ଟି ଜିଲ୍ଲାରେ ସ୍କୁଲ ମାଷ୍ଟ୍ରଟାଏ ମଧ୍ୟ ‘କଟିକିଆ’ ଯେଉଁ ଉନ୍ନୟନ ମୂଳକ ଖର୍ଚ୍ଚ ହେଉଛି ତା’ କଥା କହିଲେ ନ ସରେ, କୃଷି ଜଳସେଚନ, ବିଦ୍ୟୁତଃକରଣ ସବୁଥିରେ ବଡ଼ ଅଂଶ ଏଇ ଚାରି ଜିଲ୍ଲାରେ କଟିକିଆଙ୍କ ପାଇଁ ଖର୍ଚ୍ଚ ହେଉଛି । ଅର୍ଥାତ୍ ମୋଟ ଉପରେ ଦେଖିବାକୁ ଗଲେ ରାଜ୍ୟର ମୋଟ ବ୍ୟୟର ପ୍ରାୟ ସତୁରି ଭାଗ କେବଳ ‘କଟକିଆ’ଙ୍କ ପାଇଁ ବ୍ୟୟିତ ହେଉଛି ।

 

ଅଥଚ ରାଜ୍ୟର ସମସ୍ତ ଆୟ ଏହି ଅଞ୍ଚଳର ଜଙ୍ଗଲ ଆଉ ଖଣିରୁ ମିଳିଥାଏ । ଏବେ ବିଚାର ହେଉ । ମୁଁ ଅଞ୍ଚଳିକ ମନୋଭାବ ନେଇ କହୁ ନାହିଁ । ରାଜ୍ୟର ସର୍ବାଙ୍ଗୀନ ଉନ୍ନତିକୁ ଆଖିଆଗରେ ରଖି ସ୍ଥାୟୀ ସମାଧାନ ନ କଲେ ଆମେମାନେ ଏହିପରି ଅନୁନ୍ନତ ହୋଇପଡ଼ିଥିବା । ଆମ ଅଞ୍ଚଳର ବେକାରୀ ବଢ଼ି ଚାଲିଥିବ । କଟକିଆଏ ଫାଇଦା ହାସଲ କରି ଚାଲିଥିବେ । ଏଣିକି କୁହନ୍ତୁ ଦେଖି ଏ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ବିରୋଧ କରାଯିବକି ନା ।

 

କୋଳାହଳ ବଢ଼ିଗଲା । ହଁ ହଁ ନିଶ୍ଚୟ କରାଯିବ । ଥୋକେ ପାଟି କରିଉଠିଲେ ।

 

ଆନ୍ଦୋଳନର କାର୍ଯ୍ୟକ୍ରମ ସ୍ଥିର ହେଲା । ପରଦିନଠାରୁ ପ୍ରଥମେ ସମ୍ବଲପୁର ସହରରେ ଅନ୍ଦୋଳନ ହୋଉ ବୋଲି ଶ୍ରୀ ଦୁବେ ପ୍ରସ୍ତାବ ଆଗତ କଲେ ଏବଂ ଶ୍ରୀ ଅଗୱାଲ ପ୍ରସ୍ତାବକୁ ସମର୍ଥନ କଲେ ।

 

ପରେ ପରେ ଅନ୍ୟ ଜିଲ୍ଲାମାନଙ୍କୁ ପ୍ରତିନିଧି ପଠାଇ ଆନ୍ଦୋଳନ ବ୍ୟାପକ କରିବାକୁ ହେବ ।

 

ପରଦିନ ସ୍କୁଲ କଲେଜ କିପରି ବନ୍ଦ ହେବ ଛାତ୍ରମାନେ କେଉଁଠି ଏକତ୍ରିତ ହେବେ ସମସ୍ତ ଠିକ୍ ହେଲା । ପରେ ବୈଠକ ଭଙ୍ଗ ହେଲା ।

 

ସନ୍ତୋଷ ଘରକୁ ଫେରୁ ଫେରୁ ବହୁତ ରାତି ହୋଇଯାଇଥିଲା । ଘରେ ସମସ୍ତେ ଆଲୁଅ ଲିଭେଇ ଶୋଇଲେଣି କେବଳ ରମେଶ-ଘରର ଝରକା ଖୋଲା ଅଛି ଆଉ ଆଲୁଅ ଜଳୁଛି । ବୋଧହୁଏ ସେ ଏ ପର୍ଯ୍ୟନ୍ତ ଶୋଇନାହିଁ ।

 

ଏଇ ରମେଶ । ଅତି ଅନ୍ତରଙ୍ଗ ତାରା ଉଭୟଙ୍କ ବାପା ଥିଲେ କଲେଜ ଜୀବନର ସହପାଠୀ ଏବଂ ବଂଧୂ । ଉଭୟଙ୍କ ପରିବାର ମଧ୍ୟରେ ସଂପର୍କ ନିବିଡ଼ ଏବଂ ବହୁ ପୁରାତନ । ରମେଶର ବାପାଥିଲେ ଜିଲ୍ଲା ଜଜ । ବର୍ଷ ମଝିରେ ବଦଳି ହୋଇଯିବାରୁ ସେ ଆସି ସନ୍ତୋଷଙ୍କ ଘରେ ରହୁଥିଲା । ସନ୍ତୋଷ ନିଜେ ଡାକି ଆଣିଥିଲା ତାକୁ ।

 

ରମେଶ ପ୍ରତି ନିଜ ଅଜାଣତରେ କେତେବେଳେ ମନଟା ବିଷେଇ ଯାଇଛି । ମନରେ ବିରକ୍ତ ଘୃଣା ଭରପୁର । ସବୁ କଟିକିଆ ସମାନ ଉଭୟଙ୍କ ପିତା ସହପାଠୀ । ସେ ନିଜେ ଶୁଣିଛି ବାପା କଲେଜରେ ଭଲ ଛାତ୍ର ଥିଲେ । ସୁବିଧା ସୁଯୋଗ ଥିବାରୁ ଜଣେ ଜିଲ୍ଲା ଜଜ ଆଉ ବାପା ତା’ର ଛୋଟ ସହର ଛୋଟ କୋର୍ଟର ଓକିଲ । ଏମିତି କେତେଜଣ ମନକୁ ଛୁଇଁଗଲା କଟକିଆ ସବୁ ଫାଇଦା-ବାଦୀ ସୁବିଧାବାଦୀ । ବିଷାକ୍ତ ମନ ନେଇ ଘରେ ପଶିଲା ।

 

ପୁଅର ଘରକୁ ଡେରିରେ ଫେରିବା ନିତିଦିନିଆ କଥା । ମା’ ଖାଇବା ଜିନିଷ ଥୋଇଦେଇଥାନ୍ତି ଶୋଇବା ଘରର ଟେବୁଲ ଉପରେ । ସନ୍ତୋଷର କୌଣସି ବଦଗୁଣ ନଥିଲା ପାଠ ବି ମନ୍ଦ ପଢ଼ୁନଥିଲା । ଏଣୁ ରାତିରେ ଡେରିକରି ଫେରିବାକୁ ବାପା କି ମା’ କେହି ପସନ୍ଦ କରୁନଥିଲେ ମଧ୍ୟ ସନ୍ଦେହ କରୁନଥିଲେ । ବେଳେ ମୃଦୁ ବିରକ୍ତି ପ୍ରକାଶ କଲେ ବି ସନ୍ତୋଷ ବିଭିନ୍ନ ବାହାନା ଦେଖେଇ ଏଡ଼େଇ ଦେଉଥିଲା ।

 

ରମେଶ ଦୁଆର ଖୋଲିଦେଇ ଫେରିଗଲା ଖଟଉପରକୁ । ମନରେ ଭରି ରହିଛି ଅଭିମାନ । ଯୋଉ ସନ୍ତୋଷ କଲେଜ ନିର୍ବାଚନରେ ଛିଡ଼ା ହେବାଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ତା’ର ମତାମତ ଲୋଡ଼ିଥାଏ ସେ ଆଜି ତା’ଠାରୁ କିଛି ଗୋଟାଏ ଲୁଚାଇ କ’ଣ ସବୁ କରିବାକୁ ଯାଉଛି । କିନ୍ତୁ ସବୁକଥାରେ ତା’ର ମୁଣ୍ଡ ଖେଳେଇ ଲାଭ କ’ଣ ?

 

ଚଟାପଟ ଖାଇବା ସାରି ସନ୍ତୋଷ ଫେରିଯାଇଥିଲା ଶୋଇବା ଖଟଉପରକୁ । କିଛି ସମୟ ନିରବରେ କଟିଲା । ଦୁଇବନ୍ଧୁ ଦୁଇଖଟରେ । ବନ୍ଧୁତା କେବଳ ମନର ପ୍ରଭାବ ନୁହେଁ । ଦୁହିଁଙ୍କ ଧମନୀରେ ପ୍ରବାହିତ ଜଣଙ୍କ ମନରେ ଭରି ରହିଛି ଅଭିମାନ ହେଲେ ପାଇବାର ଏତେ ନିବିଡ଼ତା ଭିତରେ ଜଣେ ଜଣଙ୍କଠାରୁ କିଛି ଲୁଚେଇପାରେ । ଆଉ ଅନ୍ୟଜଣେ ମନରେ ବିଦ୍ରୋହର ନିଆଁ । ଅସମ୍ଭବ ଘୃଣା । ଇଏ ବି ତ ସେଇ କଟକିଆ ବିଦ୍ରୋହରେ ଯୁପକାଷ୍ଠରେ ମାତା-ପିତା ବନ୍ଧୁ ସବୁ ପୋଡ଼ି ଛାରଖାର । ସେମାନଙ୍କୁ ଚାହିଁଥିଲେ “କୁରୁକ୍ଷେତ୍ର”ରେ ଧର୍ମସଂଗ୍ରାମର ଉତ୍‌ପତି ହୋଇନଥାନ୍ତି ।

 

ଉଭୟ ଉଭୟଙ୍କ ବିଛଣାରେ ଛଟପଟ । ପ୍ରଥମେ ସନ୍ତୋଷ ପାଟି ଖୋଲିଥିଲା ।

 

ତୁ କ’ଣ ଏତେବେଳେ ଯାଏଁ ଶୋଇ ନ ଥିଲୁ ? କ୍ଷୁଦ୍ର ନାଁଟିଏ କରି ପୁଣି ଚୁପ୍ ରହିଲା ରମେଶ ।

 

ସନ୍ତୋଷ ବେଶ୍ ଠଉରେଇ ନେଇଥିଲା ରମେଶ ମନର ଦୁଃଖଭରା ଅଭିମାନକୁ । ସେ ଚତୁର । ତାଠାରୁ କିଛି ଜିନିଷ ଲୁଚାଇ କରାଗଲେ ମଧ୍ୟ ଅଧିକ ସମୟ ଲୁଚେଇ ରଖିହେବ ନାହିଁ । ଆଜିର ଏ ସମଗ୍ର ଆୟୋଜନ ବିଷୟରେ ତାକୁ କିଛି କହି ନ ଥିଲା । କାରଣ ତା’ର ଉପସ୍ଥିତିକୁ ସେ ତ ନିଜେ ପସନ୍ଦ କରୁ ନଥିଲା । ତା’ ସାଙ୍ଗକୁ ଅନ୍ୟମାନେ ଯଦି କିଏ କ’ଣ ଭବିଥାନ୍ତା ତେବେ ଉଭୟଙ୍କୁ ବାଧିଥାନ୍ତା ।

 

କିଛି ସମୟପରେ ରମେଶ କହିଥିଲା ସନ୍ତୋଷ । ମୁଁ ନିଷ୍ପତ୍ତି କରିଛି ମଉସା ମାଉସୀଙ୍କୁ କହି କାଲିଠାରୁ ଅନ୍ୟତ୍ର ଚାଲିଯିବି ।

 

ଏଠି କ’ଣ ଅସୁବିଧା ହେଉଛି ?

 

ମୋର ନୁହେଁ ତୋର ।

 

ମାନେ…….

 

ମୁଁ କଟକିଆ । ତୁ ଯୋଉ କାମରେ ହାତ ଦେଇଛୁ ସେଥିରେ ତୋ ବନ୍ଧୁମାନେ ଯେପରି ତେତେ ସିନ୍ଦେହ ନ କରନ୍ତି । ନହେଲେ ଅବିଶ୍ଵାସ ଛିଟିକା ପଡ଼ିଲେ ବିଦ୍ରୋହ ଅଗ୍ନିଶିଖା ମଳିନ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

 

ଦୀର୍ଘନିଶ୍ୱାସ ଟାଣିଲା ରମେଶ । ମନର ଭାବ ବାଧା ମାନୁନାହିଁ । ପ୍ରକାଶିତ ହେଲେ ଦୁଃଖ ଉପସମ ହେବ । ସେ କହିଲା-ମୁଁ ଗୋଟେ କଟିକିଆ ତୋ ମନରେ ଅସରନ୍ତି ଘୃଣା କଟିକିଆଙ୍କ ଉପରେ ଠିକ୍ ତୋରି ଭାଷଣବେଳେ ହଷ୍ଟେଲେରେ ପହଞ୍ଚିଥିଲି । ସବୁ ଶୁଣିଛି ତୋ କଥା ବାସ୍ତବିକ ସତ୍ୟ । ଆଜି ଯଦି ପ୍ରତିକାର ନ ହୁଏ ତେବେ ଓଡ଼ିଶାର ସମୃଦ୍ଧି ଆଉ ପ୍ରଗତି ବାଧାପ୍ରାପ୍ତ ହେବ । ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ବିକଳାଙ୍ଗ ହେବ । କିନ୍ତୁ ଏହା ମନେରଖିଥା, ବାରିଷ୍ଟର ମଧୁ ଦାସ କଟକିଆ ଥିଲେ । ସେ କ’ଣ କହିଥିଲେ ଜାଣୁ ଓଡ଼ିଆଭାଷୀ ଅଞ୍ଚଳ ସବୁ ଏକାଠି ମିଶି ସତ୍ୟ ମାତ୍ର ସେ ଓଡ଼ିଶା ଯଦି ଅର୍ଥନୈତିକ ଦିଗରୁ ଥାଏ ଅନୁନ୍ନତ ଅନଗ୍ରସର ତାହେଲେ ସେପରି ଓଡ଼ିଶାରେ ଓଡ଼ିଶାବାସୀଙ୍କ କି ଲାଭ । ସେମାନେଙ୍କ ପାଇଁ ଅବସ୍ଥା ହେବ ଯୋଉ ତିମିରକୁ ସେଇ ତିମିରରେ.... ।”

 

ଆମେ ସେହି ବାରିଷ୍ଟର ମଧୁଦାସଙ୍କ ବଂଶଧର । ଆଉ ଯୋଉମାନଙ୍କ ଆଖିରୁ ପଶ୍ଚିମ ଓଡ଼ିଶା ପାଇଁ ଲୁହ ଝରୁଛି ବୋଲି ଭାବୁଛୁ ସେମାନେ ଅଧିକାଂଶ କୁମ୍ଭୀ କାନ୍ଦଣା କାନ୍ଦୁଛନ୍ତି । ପଶ୍ଚିମ ଓଡ଼ିଶାରେ ଏକ ତିକ୍ତ ମନୋଭାବ ସୃଷ୍ଟି କରି ବିଷାକ୍ତ କରିଦେବେ ବାୟୁମଣ୍ଡଳ । ଆଉ ସୋଷିନେବେ ସମସ୍ତ ସଂପଦ ବେଳ ଆସିଲେ ସେମାନେ ବି ଚିହ୍ନାପଡ଼ିବେ । ବନ୍ଧୁ ହିସାବରେ ମୋର କେବଳ କହିବାର କଥା ହେଉଛି ଏମାନଙ୍କୁ ଆଗରୁ ଚିହ୍ନିପାରିଲେ ଅନ୍ଦୋଳନ ଯଥାର୍ଥରୂପ ନେବା ସଙ୍ଗେ ସଙ୍ଗେ ଉଦ୍ଦେଶ୍ୟ ସାଧିତ ହେବ ।

 

ରମେଶ କହି ଚାଲିଥିଲା । ସନ୍ତୋଷ ଶୁଣୁଥିଲା । କିଛି କହିବା ପାଇଁ ତା’ ପାଖରେ ଭାଷା ନାହିଁ । ସେ ଯେମିତ ରମେଶ ପାଖରେ କ’ଣ ଗୋଟାଏ ବଡ଼ ଅପରାଧ କରି ପକାଇଛି । ଘର ଭିତରେ ଆଖିବୁଲେଇ ସାରିଲାଣି । ରମେଶର ବହିପତ୍ର ସବୁ ବନ୍ଧାବନ୍ଧି ହୋଇ ଥୁଆ ହୋଇଛି-। ସେ ତେବେ ଚାଲିଯିବ ।

 

ଦାଣ୍ଡ କବାଟ ଠକ୍ ଠକ୍ ହେଲା । ଟେବୁଲ୍ ଉପରେ ଥୁଆ ହୋଇଥିବା ଘଣ୍ଟାକୁ ଚାହିଁଲା-। ଏ ମଧ୍ୟରେ କେତେବେଳେ ପାଞ୍ଚଟା ବାଜିଗଲାଣି । ରାତି ପାହିବା ଉପରେ ।

 

ରମେଶ ଉଠି ଯାଇଥିଲା କବାଟ ଖୋଲିବାକୁ । ଦାଣ୍ଡ ଦୁଆରେ ଛିଡ଼ାହୋଇଛି ସତୀଶ୍ । ତରବରରେ ସେ ଘର ଭିତରକୁ ପଶି ଆସିଲା । ଏ ଅସମୟରେ ସତୀଶାକୁ ଦେଖି ସନ୍ତୋଷ ଆବାକ୍ ହୋଇଯାଇଥିଲା ।

 

କିରେ ଖବର କ’ଣ ?

 

ଖବର ଆଉ କ’ଣ । ଆମର ସେ ନିଷ୍ପତ୍ତି ସ୍ଥଗିତ ରଖିବାକୁ ହେବ ।

 

କାହିଁକି ? କ’ଣ ହେଲା ? ସଞ୍ଜ ବିଛଣାରୁ ଉଠିବସି ପଚାରିଥିଲା ସନ୍ତୋଷ ।

 

ସାରା ସହର ଉପକଣ୍ଠର ସନ୍ଧ୍ୟା । ଆଇନ ଜାରୀ ହୋଇଛି । ସହରସାରା ପୋଲିସ୍ ପଇଁତର ମାରୁଛନ୍ତି । କାଲି ରାତିରେ ବୁର୍ଲା ଇଞ୍ଜିନିୟରିଂ କଲେଜ ଆଉ ମେଡ଼ିକାଲ କଲେଜର ଦୁଇଦଳ ପିଲାଙ୍କ ଭିତରେ ଗଣ୍ଡଗୋଳ ହୋଇ ଅବସ୍ଥା ଗୁରୁତର ହୋଇଛି । କେତେକ ଛାତ୍ର ଆହତ ହୋଇ ମେଡ଼ିକାଲ ଗଲେଣି ।

 

ଦୀର୍ଘନିଶ୍ଵାସଟିଏ ଟାଣି ସନ୍ତୋଷ ଚାହିଁ ରହିଥିଲା ରମେଶଆଡ଼କୁ ।

 

ଆଉ ରମେଶ ?

 

ଲୁଗାପଟା ସବୁ ବନ୍ଧାବନ୍ଧି କରିବାରେ ଲାଗିଥିଲା । ଏକଜିଦିଆ ଘରଛାଡ଼ି ଚାଲିଯିବ ।

Image